Unknown

 

 

 

 

 

 

 

 

 

୫୧ତମ ସଂଖ୍ୟା କୋଣାର୍କ ୧୯୮୪

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର

 

ସମ୍ପାଦକ : ରାଧାମୋହନ ଗଡ଼ନାୟକ

ପରିଚାଳନା ସମ୍ପାଦକ : ଚିନ୍ତାମଣି ବେହେରା

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ମୁଦ୍ରଣ :

ପ୍ରଜାତନ୍ତ୍ର ପ୍ରେସ୍‍, କଟକ-୭୫୩୦୦୨

 

ସୂଚୀପତ୍ର

ବିଷୟ

ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ

ଲକ୍ଷ୍ମଣ କୁମାର ମହାପାତ୍ର

ଓଡ଼ିଆ ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ

ଡକ୍ଟର ବେଣୀମାଧବ ପାଢ଼ୀ

ଓଡ଼ିଆ ସାହିତ୍ୟ ଓ ସଂସ୍କୃତି

ଖଗେଶ୍ୱର ମାହାପାତ୍ର

ପଶ୍ଚିମ ଓଡ଼ିଶାର ଡାଲଖାଇ

ଅଧ୍ୟାପକ ହୃଦମଣି ପ୍ରଧାନ

ମହାରାଣୀ ବିଜୟା ମହାଦେବୀ

ଅଧ୍ୟାପକ ଡକ୍ଟର ଯଜ୍ଞକୁମାର ସାହୁ

ଓଡ଼ିଶାର ବାଦୀପାଲା

ଅଧ୍ୟାପକ ଶ୍ରୀ ନିରଞ୍ଜନ ପଣ୍ଡା

ପଣ୍ଡିତ ଗୋପୀନାଥ ନନ୍ଦ ଓ

ଶବ୍ଦ-ତତ୍ତ୍ୱବୋଧ ଅଭିଧାନ

ଅଧ୍ୟାପକ ଶ୍ରୀ ଗୌରାଙ୍ଗଚରଣ ଦାଶ

ଆକାଶ

ଶ୍ରୀ ସୀତାକାନ୍ତ ମହାପାତ୍ର

ସର୍ବଶେଷ ତୀର

ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା

୧୦

ଟାଇମ୍ ବୋମା

ଶ୍ରୀ ରବି ପଟ୍ଟନାୟକ

୧୧

ଏକାଡେମୀ ସମାଚାର

 

 

ସମ୍ପାଦକୀୟ

(କ)

ଡକ୍ଟର ମହତାବ ବିଳମ୍ବରେ ପୁରସ୍କୃତ :

(ଖ)

ସୁଧାକର ପଟ୍ଟନାୟକ ଚାଲିଗଲେ...

 

ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ

ଡ: ଲକ୍ଷ୍ମଣ କୁମାର ମହାପାତ୍ର

 

ସଂସ୍କୃତି ବିଷୟରେ ସମ୍ୟକ୍ ଧାରଣା କରିବା ଏକାଧାରରେ ଅତି ସରଳ ଏବଂ ଅତି ଦୁରୂହ । କାରଣ, ଜଳ ଭିତରେ ମୀନ ଥିଲା ଭଳି ସଂସ୍କୃତି ମାଧ୍ୟମରେ ହିଁ ମାନବ ନିଜ ମାନବତ୍ୱକୁ ବଞ୍ଚାଇ ପାରିଛି । କିନ୍ତୁ ଜଳ ଯେପରି ମୀନ ପକ୍ଷରେ ଏକ ପ୍ରାକୃତିକ ପରିବେଶ ଏବଂ ଜଳର ସୃଷ୍ଟି ଓ ବିଲୟ ଉପରେ ମୀନର କୌଣସି ପ୍ରଭାବ ନଥାଏ, ସଂସ୍କୃତି ଓ ମାନବ ମଧ୍ୟରେ ସମ୍ପର୍କ ଆହୁରି ଗୂଢ଼ ଏବଂ ନିବିଡ଼ । କାରଣ ମାନବ ହେଉଛି ସଂସ୍କୃତିର ସ୍ରଷ୍ଟା–ଅନ୍ତତଃ ନୃତତ୍ତ୍ୱବିତ୍ ଓ ସମାଜବିଜ୍ଞାନୀମାନଙ୍କ ଅନୁଶୀଳନରୁ ଏହା ସ୍ପଷ୍ଟ ଭାବେ ପ୍ରତୀୟମାନ । ଜୀବ-ଜଗତରେ ଏପରି କେତେ ମାନବେତର ପ୍ରାଣୀ ଅଛନ୍ତି, ଯଥା–ପିମ୍ପୁଡ଼ି, ମହୁମାଛି, ଉଇ ଏବଂ ବାନର, ହାତୀ ହରିଣ ତଥା ପକ୍ଷୀ-ଜଗତ; ଯେଉଁମାନଙ୍କ ମଧ୍ୟରେ ସମାଜ ବିଦ୍ୟମାନ, କିନ୍ତୁ ସଂସ୍କୃତି ନାହିଁ । ସିମ୍ପାଜୀ ନାମକ ନରାକୃତି ବାନର ହୁଏତ କାଠିକୁ ଉପକରଣ (tool) ହିସାବରେ ବ୍ୟବହାର କରି କିମ୍ବା କେତୋଟି କ୍ରିୟାବ୍ୟଞ୍ଜକ ଶବ୍ଦ ଉଚ୍ଚାରଣ କରି ସଂସ୍କୃତିର ମାନବେତର ଉନ୍ମେଷ ବିଷୟରେ ପ୍ରଶ୍ନ ତୋଳିପାରେ, କିନ୍ତୁ ମାନବର ସମାଜ-ଆଧାରିତ ସଂସ୍କୃତିର ପରିପ୍ରକାଶଠାରୁ ତାହା ବହୁତ ଦୂରରେ-

 

ମାନବଦ୍ୱାରା ସୃଷ୍ଟି ହୋଇଥିଲେ ହେଁ ସଂସ୍କୃତି ମାନବର ଏକ ପରିବେଷ୍ଟନୀ ଭାବେ ଗଣାଯାଏ । ଯେହେତୁ ସଂସ୍କୃତି ମାନବ ସମାଜର ଅଭ୍ୟୁଦୟ ବେଳରୁ ପ୍ରାୟ ତିରିଶ ଲକ୍ଷରୁ ଚାଳିଶ ଲକ୍ଷ ବର୍ଷ ହେଲା ବିଦ୍ୟମାନ । ଏହା କ୍ରମବର୍ଦ୍ଧିତ ହୋଇ ଯେ କୌଣସି ସମୟରେ ବ୍ୟକ୍ତି ବିଶେଷର ଜୀବନ କାଳ ମଧ୍ୟରେ ଏକ ବିରାଟ ଐତିହ୍ୟ ଭାବରେ ପ୍ରତୀୟମାନ ହୋଇଥାଏ । ବ୍ୟକ୍ତି ବିଶେଷ ସଂସ୍କୃତି ସୃଷ୍ଟି କରନ୍ତି ବା କରି ପାରନ୍ତି । କିନ୍ତୁ ଯେଉଁ ସଂସ୍କୃତି ମାଧ୍ୟମରେ ବ୍ୟକ୍ତି ବିଶେଷ ବଞ୍ଚିରହେ ସାମାଜିକ ଓ ସାଂସ୍କୃତିକ ପ୍ରାଣୀ ହିସାବରେ, ସେହି ବିଦ୍ୟମାନ ସଂସ୍କୃତି ତୁଳନାରେ ଯେ କୌଣସି ସମୟର ସଂସ୍କୃତି ସୃଷ୍ଟି, ସାଂସ୍କୃତିକ ବିଲୟ ବା ପରିବର୍ତ୍ତନ ସାଧାରଣତଃ ନଗଣ୍ୟ ।

 

ମାଲିନୋସ୍କି ଏବଂ ଅନ୍ୟ କେତେକ ନୃତତ୍ତ୍ୱବିତ୍‌ଙ୍କ ମତରେ ସଂସ୍କୃତି ମାନବର ସବୁଠୁ ବେଶୀ ମହାର୍ଘ ଉପକରଣ । କିନ୍ତୁ ଏହା ଏପରି ଏକ ଉପକରଣ ଯେ ଯଦି ପ୍ରାକୃତିକ ପରିବେଶ ଏବଂ ଶରୀରରେ ଆଭ୍ୟନ୍ତରୀଣ ପରିବେଶ ମାନବ ଜୀବନର ପରିପନ୍ଥୀ ହୁଏ, ତା’ହେଲେ ସେ ସଂସ୍କୃତି ସାହାଯ୍ୟରେ ହିଁ ଜୀବନ ଧାରଣର ସମସ୍ୟାଗୁଡ଼ିକ ସୁରୁଖୁରୁରେ ସମାଧାନ କରିପାରେ ।

 

ସଂସ୍କୃତି ମନୁଷ୍ୟକୃତ ଏବଂ ବ୍ୟକ୍ତିବିଶେଷ ସମାଜର ଅଙ୍ଗ ହିସାବରେ ଏହି ସଂସ୍କୃତି ଆହରଣ କରିଥାଏ । ତେଣୁ ସଂସ୍କୃତି ଗୋଟିଏ ଜନ୍ମଗତ ସମ୍ପତ୍ତି ବା ପରମ୍ପରା ନ ହୋଇ ଏହା ଶିକ୍ଷାଜନକ କୃତି ବୋଲି ପରିଗଣିତ ହୁଏ । ଶୈଶବରୁ ଯେଉଁ ସଂସ୍କୃତି ଶିକ୍ଷା ଓ ସଂସ୍କୃତି ଅନୁକୂଳନ (adaptation) ଆରମ୍ଭ ହୋଇଥାଏ, ସେହି ପ୍ରକ୍ରିୟାକୁ ‘‘ସଂସ୍କୃତି କରଣ’’ (enculturation) କୁହାଯାଏ । ଅର୍ଥାତ୍ ସଂସ୍କୃତିର ପରିପ୍ରେକ୍ଷୀର ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ ପ୍ରତ୍ୟେକ ମାନବ ହେଲା ଜଣେ ଜଣେ ଶିକ୍ଷାନବୀସ୍ । ମାନବର ସଂସ୍କୃତି ଶିକ୍ଷା ଜନ୍ମର ଅବ୍ୟବହିତ ପରଠାରୁ ଆରମ୍ଭ ହୋଇ ମରଣର ଅବ୍ୟବହିତ ପୂର୍ବ ପର୍ଯ୍ୟନ୍ତ ଅହରହ ପ୍ରଚଳିତ । ଯେଉଁ ପ୍ରବାଦ ଅଛି–‘ସଂସର୍ଗଜାଃ ଦୋଷଗୁଣାଃ ଭବନ୍ତି’ ତାହା ସଂସ୍କୃତି କ୍ଷେତ୍ରରେ ଅକ୍ଷରେ ଅକ୍ଷରେ ସତ୍ୟ । ତେଣୁ କୁହାଯାଇ ପାରେ ସଂସର୍ଗଜା ସଂସ୍କୃତିଃ ଭବତି’ ଏହି ସଂସ୍କୃତି ଶିକ୍ଷା ନିଜ ପରିବାରରେ ଆରମ୍ଭ ହୋଇଥାଏ ସତ୍ୟ, କିନ୍ତୁ ଏହା ନିଜ ସାହି, ଗାଁ ଓ ନିଜ ଅଞ୍ଚଳ ମଧ୍ୟରେ ପରିବ୍ୟାପ୍ତ ହୁଏ । ସେହିଭଳି ସଂସ୍କୃତି ଶିକ୍ଷା ନିଜର ଅନ୍ତରଙ୍ଗମାନଙ୍କ ମଧ୍ୟରେ ଆରମ୍ଭ ହେଇଥିଲେ ହେଁ, ନିଜ କୁଟୁମ୍ବ, ବନ୍ଧୁ ଓ ପ୍ରତିବେଶୀମାନଙ୍କ ମାଧ୍ୟମରେ ଏହା ପରିପ୍ରସାରିତ ହୁଏ । ଆଧୁନିକ ପଶ୍ଚିମାର୍ଦ୍ଧର ଶିଳ୍ପୋନ୍ନତ ଦେଶମାନଙ୍କରେ ସମବୟସୀ ବନ୍ଧୁମାନଙ୍କ ମାଧ୍ୟମରେ ଯେଉଁ ସଂସ୍କୃତି ଶିକ୍ଷା ହୋଇଥାଏ, ତାହାର ପ୍ରଭାବ ସୁଦୂର-ପ୍ରସାରୀ ବୋଲି ପ୍ରଫେସର ଡେଭିଡ୍‍ ରିସମାନ୍ (David Riesman) ଦର୍ଶାଇଛନ୍ତି । କଲିକତା ଆଦି ମହାନଗରୀରେ ମଧ୍ୟ ତଥାକଥିତ ପଡ଼ା ବା ବସ୍ତିଗୁଡ଼ିକରେ ଏହି ଧରଣର ସମବୟସୀ-କୈନ୍ଦ୍ରିକ ସଂସ୍କୃତି–(Peer Culture) ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ପଡ଼ିଛି ।

 

ପ୍ରତ୍ୟେକ ମାନବ ଗୋଷ୍ଠୀ, ଯାହାକି ଗୋଟିଏ ଭୌଗୋଳିକ ପରିବେଶରେ ଅନ୍ୟ ମାନବ ଗୋଷ୍ଠୀଠାରୁ ଭିନ୍ନ ଭାବରେ ଅବସ୍ଥାନ କରି ଆସିଛି, ସେ ଗୋଷ୍ଠୀର ସଂସ୍କୃତି ଅନ୍ୟାନ୍ୟ ଗୋଷ୍ଠୀର ସଂସ୍କୃତିଠାରୁ ଭିନ୍ନ ହୋଇପଡ଼େ । ତେଣୁ ମାନବ ସଂସ୍କୃତି, ଭିନ୍ନ ଭିନ୍ନ ମାନବ ଗୋଷ୍ଠୀ ସହିତ ଓତପ୍ରୋତ ଭାବେ ଜଡ଼ିତ । କଥାରେ ଅଛି-ଦେଶ ଦେଶକେ ପାଙ୍କ୍, ନଈ ନଈକେ ବାଙ୍କ୍ । ଅନ୍ୟ ଅର୍ଥରେ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ରାଜ୍ୟ ଏବଂ ପ୍ରତ୍ୟେକ ଅଞ୍ଚଳର ସଂସ୍କୃତି ଅନ୍ୟ ଦେଶ, ଅନ୍ୟ ରାଜ୍ୟ ବା ଅନ୍ୟ ବା ଅନ୍ୟ ଅଞ୍ଚଳର ସଂସ୍କୃତିଠାରୁ ଭିନ୍ନ । କିନ୍ତୁ ଏହି ଭିନ୍ନତା ଯେତେ ଭାବରେ ପ୍ରକଟିତ ହେଲେହେଁ ଭିନ୍ନ ଭିନ୍ନ ଗୋଷ୍ଠୀର ସଂସ୍କୃତି ମଧ୍ୟରେ ଗୋଟିଏ ମହସମତା ଏବଂ ମହାଐକ୍ୟ ପରିଲକ୍ଷିତ ହୋଇଥାଏ । ନୃତତ୍ତ୍ୱବିତ୍‌ମାନଙ୍କ ଦୃଷ୍ଟିକୋଣରୁ ଦେଖିଲେ; ଗାଁ ଗାଁ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧରେ, ଦେଶ ଦେଶ ମଧ୍ୟରେ ଯେଉଁ ସାଂସ୍କୃତିକ ଭିନ୍ନତା ଅଛି, ତା’ ତୁଳନାରେ ସଂସ୍କୃତିର ସାମୂହିକ ଭିତ୍ତି ଏବଂ ସମଗ୍ର ମାନବ ଜାତି-ଆଧାରିତ ସ୍ୱରୂପ ଅତି ବେଶୀ ଗୁରୁତ୍ୱପୂର୍ଣ୍ଣ । ତେଣୁ ସଂସ୍କୃତିର ଜଗତ୍‌ବ୍ୟାପୀ, ମାନବ ସମାଜବ୍ୟାପୀ ବିଶ୍ୱରୂପ ଛୋଟ ଗ୍ରାମରେ ଛୋଟ ଗୋଷ୍ଠୀର ସଂସ୍କୃତିରେ ପୂର୍ଣ୍ଣ ଭାବେ ପ୍ରତିଫଳିତ ଏବଂ ପ୍ରକଟିତ ।

 

ସଂସ୍କୃତି ଯେ କେବଳ ଏକ ସମୟରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ତାହାନୁହେଁ, ଏହା ମଧ୍ୟ ବିଭିନ୍ନ ସମୟରେ ଭିନ୍ନତା ପ୍ରକାଶ କରିଥାଏ । ଅର୍ଥାତ୍ ସମୟକ୍ରମେ ସଂସ୍କୃତି ପରିବର୍ତ୍ତନଶୀଳ-। ସଂସ୍କୃତିର ଏହି ପରିବର୍ତ୍ତନଶୀଳତା ଯେ କେବଳ ଆଧୁନିକ ଜଗତର କ୍ଷିପ୍ର ଗତିଶୀଳତା ସହିତ ତାଳ ଦେଉଛି, ତାହା ନୁହେଁ । କାରଣ ଏହି ସାଂସ୍କୃତିକ ପରିବର୍ତ୍ତନଶୀଳତା ପ୍ରାୟ କୋଡ଼ିଏରୁ ତିରିଶ ଲକ୍ଷ ବର୍ଷ ତଳେ ମଧ୍ୟ ପ୍ରମାଣିତ ହୋଇଛି, ପ୍ରାଗ୍-ଐତିହାସିକ କାଳର ପୁରାତନ ପ୍ରସ୍ତର ଉପକରଣ ଅଭିବିକାଶ ମାଧ୍ୟମରେ । ପୁରାତନ ପ୍ରସ୍ତର ଯୁଗର ଉପରକଣଗୁଡ଼ିକ ସୁନ୍ଦର ଭାବରେ, ନିଖୁଣ ଭାବରେ ଏବଂ ଉଦ୍ଦେଶ୍ୟମୂଳକ ଭାବରେ ସମାଜର ବିଭିନ୍ନ ନୂଆ ନୂଆ ଆବଶ୍ୟକତା ପୂରଣ ପାଇଁ ତିଆରି ହୋଇ ଚାଲିଲା । ନୂତନ ପ୍ରସ୍ତରଯୁଗ, ଧାତୁ ଯୁଗ ଇତ୍ୟାଦି ସେହି ମୌଳିକ ଅଭିବିକାଶ ସୂତ୍ରରେ ବିକଶିତ ହେଲା । ସମାଜ ମଧ୍ୟ ଛୋଟ ଛୋଟ ଶିକାର ଓ ଖାଦ୍ୟ ସଂଗ୍ରହକାରୀ ଯାଯାବର ଗୋଷ୍ଠୀ (Band)ରୁ ଅଭିବୃଦ୍ଧି ହୋଇ ସ୍ଥାଣୁ ଗ୍ରାମଗୋଷ୍ଠୀ ଏବଂ ସଭ୍ୟତାର ପରିବେଶରେ ନଗରଗୋଷ୍ଠୀ ଦିଗରେ ବିକାଶ ଲାଭ କଲା । ନଗର-ରାଜ୍ୟ, ରାଜ୍ୟ ଓ ସାମ୍ରାଜ୍ୟ, ପୁଣି ବିଶ୍ୱଯୁଦ୍ଧ ପରେ ପ୍ରତିଷ୍ଠିତ ସମଗ୍ର ମାନବଜାତିର ବିଶ୍ୱସଂସ୍ଥା, ଯଥା-ବିଶ୍ୱନ୍ୟାୟାଳୟ, ବିଶ୍ୱ-ଶ୍ରମିକ ସଂସ୍ଥା, ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା, ବିଶ୍ୱଶିକ୍ଷା ଅର୍ଥ ସମାଜ ସଂସ୍ଥା, ବିଶ୍ୱ ଶିଶୁକଲ୍ୟାଣ ସଂସ୍ଥା, ବିଶ୍ୱନିରାପତ୍ତା ସଂସ୍ଥା ଇତ୍ୟାଦି ମାନବ ସମାଜରେ ରାଷ୍ଟ୍ରସଂସ୍ଥାର ଅଭିବିକାଶର ପର୍ଯ୍ୟାୟକ୍ରମ ମାତ୍ର-

 

ସଂସ୍କୃତିର ମଧ୍ୟ ବିରାଟ ପରିବର୍ତ୍ତନ ହେବାକୁ ଲାଗିଲା । ମାନବର ସଂକୀର୍ଣ୍ଣ ଗୋଷ୍ଠୀଚେତନା ସ୍ଥାନରେ ତା’ର ବିଶ୍ୱଚେତନା ଜାଗରୂକ ହେଲା ବିଜ୍ଞାନ ଓ ଶିକ୍ଷାର ପ୍ରସାର ଓ ଆଭିମୁଖ୍ୟ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ । ଫଳରେ ନିଜ ସଂସ୍କୃତି ଓ ପ୍ରଗତିକୁ କେନ୍ଦ୍ରକରି ଯେଉଁ ଗୋଷ୍ଠୀ-ଅହଂକାର ଯୁଗେ ଯୁଗେ ମାନବିକତାର ପରିପନ୍ଥୀ ହୋଇଥିଲା, ତାହା ସ୍ଥଳରେ ଆସିଲା ପର-ସଂସ୍କୃତିର ଚର୍ଚ୍ଚା, ଅନ୍ୟ ସଂସ୍କୃତିପ୍ରତି ସମ୍ମାନ । ଏକ ପ୍ରକାରର ‘‘ସଂସ୍କୃତି ଚେତନା’’ ମଧ୍ୟ ଆସିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଭାରତରେ ବିଭିନ୍ନ ସଂସ୍କୃତିର ସହାବସ୍ଥାନ ଓ ସହବିକାଶ ଯେ ଭାରତୀୟ ସମାଜ ଓ ସଭ୍ୟତା ପାଇଁ ମୂଲ୍ୟବାନ ଏହି ଅବଧାରଣା କ୍ରମଶଃ ବୃଦ୍ଧିପାଇଛି । ସାଂସ୍କୃତିକ ଭିନ୍ନତା ଯେ ମାନସିକ ବିକାର ବା ଅନଗ୍ରସରତା ସହିତ ଜଡ଼ିତ ନୁହେଁ, ଏହି ଧାରଣାର ମୂଳପତ୍ତନ କ୍ରମଶଃ ଦୃଢ଼ୀଭୁତ ହେଉଛି । ପ୍ରତ୍ୟେକ ସଂସ୍କୃତିରେ ଯେଉଁ ଜୀବନ ସମସ୍ୟାର ସମାଧାନ ପନ୍ଥା, ଆଚାର ବିଧି, ରୀତିନୀତି ଓ ପ୍ରବିଧି (technique) ମାଧ୍ୟମରେ ପ୍ରଚଳିତ, ତାହା ବିକଳ୍ପ ବ୍ୟବସ୍ଥା ମାତ୍ର ବୋଲି ନୃତତ୍ତ୍ୱବିତ୍‌ମାନେ ବିଚାରି କରିଥା’ନ୍ତି । କାରଣ ପୃଥିବୀରେ ମାନବ ଜୀବନ ଧାରଣ କ୍ଷେତ୍ରରେ ପ୍ରତ୍ୟେକ ସମସ୍ୟା ଓ ପ୍ରଶ୍ନର ସୀମିତ ସଂଖ୍ୟାରେ ଏ ପର୍ଯ୍ୟନ୍ତ ମାନବ ଇତିହାସରେ ପ୍ରଚଳିତ । କୌଣସି ସମସ୍ୟା ବା ପ୍ରଶ୍ନର କେବଳ ଗୋଟିଏ ମାତ୍ର ପନ୍ଥା ବା ସମାଧାନ ଅଛି ବୋଲି ମନେହୁଏ ନାହିଁ । ଭିନ୍ନ ଭିନ୍ନ ସଂସ୍କୃତି ଏହି ବିକଳ୍ପ ପନ୍ଥାଗୁଡ଼ିକ ଭିନ୍ନ ଭିନ୍ନ ସନ୍ନିବେଶ (combination) ମାଧ୍ୟମରେ ହିଁ ଜୀବନଧାରଣ ନିୟନ୍ତ୍ରଣ କରିଥା’ନ୍ତି ।

 

ଅନ୍ୟ ଗୋଟିଏ ଦିଗ ବିଚାର କଲେ ସାଂସ୍କୃତିକ ବିଭିନ୍ନତାର ଉପାଦେୟତା ଉପଲବ୍‌ଧି କରିହେବ । ସଂସ୍କୃତିର ଉନ୍ମେଷ ବେଳକୁ ମଧ୍ୟ କୌଣସି ସଂସ୍କୃତି ସ୍ୱୟଂସମ୍ପୂର୍ଣ୍ଣ ନଥିଲା । ପ୍ରାଗୈତିହାସିକ ଯୁଗରୁ ନିତାନ୍ତ ଅଗମ୍ୟ ଅଞ୍ଚଳରେ ମଧ୍ୟ ସାଂସ୍କୃତିକ ଆଦାନ ପ୍ରଦାନ ହୋଇଆସିଛି-। ସାଂସ୍କୃତିକ କୂପମଣ୍ଡୂକତା ସମାଜର ଅନଗ୍ରସରତାର ମୂଳକାରଣ ବୋଲି କୁହାଯାଇପାରେ । କାରଣ ଏପରି କୌଣସି ସଭ୍ୟତା ନାହିଁ ଯାହାକି ବିଭିନ୍ନ ସଂସ୍କୃତିର ସମ୍ମିଶ୍ରଣ ବିନା ସମ୍ଭବ ହୋଇପାରିଛି । ସେ ନୀଳନଦୀର, ମେସୋପଟାମିଆଁର, ସିନ୍ଧୁନଦୀର ବା ଚୀନ୍‌ର ହୋୟାଙ୍ଗ୍-ହୋ ନଦୀର ଆଦିସଭ୍ୟତା ହେଉ ବା ଗ୍ରୀକ୍ ଓ ରୋମାନ ସଭ୍ୟତା ହେଉ, ସବୁକ୍ଷେତ୍ରରେ ସାଂସ୍କୃତିକ ଆଦାନ ପ୍ରଦାନ ହିଁ ସଭ୍ୟତାର ମୂଳ ଉତ୍ସ । ଭାରତୀୟ ସଭ୍ୟତା, ମୁସଲମାନ ସଭ୍ୟତା ବା ଖ୍ରୀଷ୍ଟୀୟ ସଭ୍ୟତା ବିଷୟରେ ସମସ୍ତଙ୍କୁ ଭଲଭାବେ ଜଣା ଯେ ତାହା କେଉଁ ଦୂରଦୂରାନ୍ତ ସଂସ୍କୃତିର ସମାବେଶ । ମନେହୁଏ ଜୈବିକ କ୍ଷେତ୍ରରେ ଯେପରି ସାଂସ୍କୃତିକ କ୍ଷେତ୍ରରେ ସେହିପରି ‘‘ସଙ୍କରଣ’’ (hybridiyation) ପ୍ରଗତିର ଲକ୍ଷଣ ଓ ମାଧ୍ୟମ ।

 

କିନ୍ତୁ ଏହାର ଅର୍ଥ ନୁହେଁ ଯେ ବିଭିନ୍ନ ସଂସ୍କୃତିରୁ ଯେଉଁ ଉପାଦାନଗୁଡ଼ିକ ଆହରଣ କରାଯାଏ, ତାହାସବୁ ଗ୍ରହୀତା ସଂସ୍କୃତିରେ ବିପର୍ଯ୍ୟସ୍ତ ଭାବରେ ବିଚ୍ଛୁରିତ ହୋଇ ପଡ଼ିଥାଏ । କାରଣ ଗ୍ରହୀତା ସଂସ୍କୃତି ଅନ୍ୟ ସଂସ୍କୃତିରୁ ମାତ୍ର କେତେକ ଉପାଦାନ ମନୋନୟନ କରିଥାଏ । ଯାହାକି ନିଜ ସାଂସ୍କୃତିକ ପରିବେଶରେ ବିନାଦ୍ୱନ୍ଦରେ ସମନ୍ନିତ୍ୱ ହୋଇପାରିବ । ଯଦି କୌଣସି ପ୍ରଭାବଶାଳୀ ସଂସ୍କୃତି କିଛି ଅନୁଷ୍ଠାନ ବା ରୀତିନୀତି ଅନ୍ୟ ସଂସ୍କୃତି ଉପରେ ଜୋର କରି ଲଦିଦିଏ, ତା’ ହେଲେ ଗ୍ରହୀତା ସଂସ୍କୃତିକୁ କେତେକ ନିଜସ୍ୱ ଉପାୟ (re-interpretation) ‘‘ପୁନଃ ଅର୍ଥୀକରଣ’’ ବା ‘‘ପୁନଃପ୍ରାସଙ୍ଗୀକରଣ’’ (re-contextualization) ପ୍ରକ୍ରିୟାର ଆଶ୍ରୟ ନେଇ ଏହି ଉପାଦାନଗୁଡ଼ିକ ନିଜସ୍ୱ କରିବାକୁ ଚେଷ୍ଟାକରେ । ଇଂରାଜି ଭାଷାର ପ୍ରଚଳନ ବା ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିର ସମ୍ପ୍ରସାରଣ ଏହାର ଉଦାହରଣ । ମନସ୍ତତ୍ତ୍ୱରେ ବ୍ୟକ୍ତିତ୍ୱ (personality) ଯେପରି ବିଭିନ୍ନ ଗୁଣାବଳୀର ସମନ୍ୱୟ, ସେହିପରି ସଂସ୍କୃତି ମଧ୍ୟ ବିଭିନ୍ନ ସଂସ୍କୃତିକ ଉପାଦାନର ଏକ ସମନ୍ୱୟ । ଏଥିରେ ମାନବର ଗୋଷ୍ଠିଗତ ଜୀବନର କୃତି ଯଥା:- ଆଚାର ବ୍ୟବହାର, ଭାଷା, ନୀତିନିୟମ, ଜୀବନଧାରଣ ଓ କାର୍ଯ୍ୟ ପ୍ରବିଧି, ବିଶ୍ୱାସ ଓ ପୂଜାପଦ୍ଧତି, ମୂଲ୍ୟବୋଧ ଓ ମୂଲ୍ୟାୟନ, କଳା ଓ ଆତ୍ମଚେତନାର ପ୍ରକାଶ ଇତ୍ୟାଦି ସମସ୍ତ ସଂସ୍କୃତି ଅନ୍ତର୍ଗତ । କିନ୍ତୁ ସେସବୁ ଉପାଦାନ ପରସ୍ପର ବିରୋଧୀ ନହୋଇ ପରସ୍ପର ଅନୁକୂଳିତ (mutuallyadapted) ଏବଂ କେତେକ ନତତ୍ତ୍ୱବିତ୍‌ଙ୍କ ମତରେ ସମନ୍ୱିତ (integrated) କେବଳ ସମାବିଷ୍ଟ ନୁହନ୍ତି । ଅବଶ୍ୟ ଏହା ସତ୍ୟ ଯେ ସଦ୍ୟ ଆଲୋଡ଼ିତ ସଂସ୍କୃତିରେ ଯେଉଁଥିରେ କି କିଛି ନୂତନ ଉପାଦାନ ପ୍ରବେଶ ଲାଭ କରିଛି ଏହି ସ୍ଥିର ସମନ୍ୱୟ ଅବସ୍ଥା ପୁନଃପ୍ରତିଷ୍ଠିତ ହେବାକୁ ସମୟ ଓ ସୁଯାଗ ଆବଶ୍ୟକ ।

 

ପ୍ରତ୍ୟେକ ପ୍ରାଚୀନ ସଂସ୍କୃତି, ଯାହା ହଜାର ବର୍ଷ ଧରି ବିକଶିତ ହୋଇଛି ସେଥିରେ ଏହି ସମନୟୀକରଣ ବା ସମେକନ (integration) କିଛି ନୂଆ ପ୍ରକ୍ରିୟା ନୁହେଁ । ଓଡ଼ିଶାର ନୃତ୍ୟ, ସଙ୍ଗୀତ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ସାହିତ୍ୟ, ଧର୍ମ, ସାମାଜିକ ରୀତିନୀତି, ଏପରିକି ଭାଷା ମଧ୍ୟ ଏହାର ବିଶିଷ୍ଟ ଉଦାହରଣ ବୋଲି ସମସ୍ତେ ଜାଣନ୍ତି । ପ୍ରତ୍ୟେକ ସାଂସ୍କୃତିକ ଉପାଦାନକ ନିରୀକ୍ଷଣ କଲେ ହୁଏତ ତାହା ପ୍ରତିବେଶୀ ସଂସ୍କୃତିରୁ ଆସିଛି ବା ସର୍ବଭାରତୀୟ ଶାସ୍ତ୍ରୀୟ ସଂସ୍କୃତିରୁ ଆସିଛି ବୋଲି ମନେହେବ କିମ୍ବା ଓଡ଼ିଶାର ସର୍ବତ୍ର ପ୍ରଭାବଶାଳୀ ଆଦିବାସୀ ସଂସ୍କୃତିରୁ ଆସିଛି ବୋଲି ସନ୍ଦେହ ହେବ । କିନ୍ତୁ ତାହାର ନିଜସ୍ୱ ଶୈଳୀ, ନିଜସ୍ୱ ପ୍ରାସଙ୍ଗିକତା ଓ ଅର୍ଥ, ଏବଂ ନିଜସ୍ୱ ଉପଯୋଗବିଧି ଓଡ଼ିଶାର ସାଂସ୍କୃତିକ ପରିବେଶରେ ଯେ ଦିଆଯାଇଛି–ଅର୍ଥାତ୍ ତାହା ଯେ ଓଡ଼ିଶାର ସାମୂହିକ ସଂସ୍କୃତିରେ କାଳକ୍ରମେ ଊଣାଅଧିକେ ସମନ୍ୱିତ ହୋଇଛି, ଏହାର ବିଶଦ ଅନୁଶୀଳନ ଓ ବିଶ୍ଳେଷଣ ଓଡ଼ିଶାର ମନନଶୀଳ ବ୍ୟକ୍ତିମାନେ ନିଶ୍ଚୟ କରିବା ଉଚିତ ।

 

 

 

ପ୍ରଫେସର, ନୃତତ୍ତ୍ୱବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟ

***

 

ଓଡ଼ିଆ ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ

ଡକ୍‌ଟର ବେଣୀମାଧବ ପାଢ଼ୀ

 

ସଂସ୍କୃତି ଏକ ବ୍ୟାପକ ଶବ୍ଦ । କିଏ କେତେ ପ୍ରକାରେ ଏହାର ବ୍ୟାଖ୍ୟା କରନ୍ତି ତା’ର ଇୟତ୍ତା ନାହିଁ । କେହି ଏହାକୁ ପରମ୍ପରା କହିଲା ବେଳେ ଅନ୍ୟ କେହି ଜୀବନଧାରଣ ପ୍ରଣାଳୀ କହନ୍ତି । କେତେଜଣ ଦୈନନ୍ଦିନ ଜୀବନ ଯାତ୍ରାକୁ ‘ସଂସ୍କୃତି’ ନାମରେ ଅଭିହିତ କରନ୍ତି । କେହି କେହି ଏହାକୁ ସଭ୍ୟତାର ନାମାନ୍ତର ବୋଲି ମଧ୍ୟ କହନ୍ତି । କିନ୍ତୁ ଯେ ଯାହା କହନ୍ତୁ ପଛେ ‘ସଂସ୍କୃତି’ଯେ ଜାତିରେ ପ୍ରାଣ ଏଥିରେ ସନ୍ଦେହ ନାହିଁ । ଏଣୁ ‘ପ୍ରାଣ’ର ଯେପରି ବିଶ୍ଳେଷଣ ସମ୍ଭବ ନୁହେଁ, ସେହିପରି ସଂସ୍କୃତିର ମଧ୍ୟ । ପ୍ରାଣ ବିନା ଶରୀର ମୂଲ୍ୟହୀନ ହେଲା ପରି ସଂସ୍କୃତିହୀନ ଜାତିର ଅସ୍ଥିତ୍ୱ ନଥାଏ । ସେଥି ଯାଗୁଁ ଚିନ୍ତାଜୀବୀମାନେ ସଂସ୍କୃତି ଉପରେ ଏତେ ପ୍ରାଧାନ୍ୟ ଆରୋପ କରନ୍ତି ।

 

ପ୍ରକୃତ ଦୃଷ୍ଟିରେ ଦେଖିଲେ ଜଣାପଡ଼େ, ସଂସ୍କୃତି ମଣିଷ ଜାତିର ମେରୁଦଣ୍ଡ । ଯାହାର ସଂସ୍କୃତି ଯେତେ ଉନ୍ନତ, ସେ ଜାତି ସେତିକି ଉନ୍ନତ ବୋଲି ବିଶ୍ୱରେ ପରିଚିତ । ପ୍ରାଚୀନ ରୋମ୍, ଆଙ୍ଗ୍ଳୋ-ସେକ୍‌ଜନ୍, ଆର୍ଯ୍ୟ, ଦ୍ରାବିଡ଼, ଶାବର ଯାହାର ଇତିହାସ ଆଲୋଚନା କଲେ ବି ସେହି ସତ୍ୟର ଉପଲବ୍‌ଧି ହୁଏ । ବିଭିନ୍ନ ଜାତିର ସଂସ୍କୃତି ବିଭିନ୍ନ ରୂପେ ପ୍ରତୀୟମାନ ହେଲେ ସୁଦ୍ଧା ମାନବୀୟ ଦୃଷ୍ଟିକୋଣରୁ ବିଚାର କଲେ ଏ ସମସ୍ତଙ୍କ ମଧ୍ୟରେ ଏକ ମେଳ ରହିଛି–ଯୋଗସୂତ୍ର ରହିଛି । ସେହି ଯୋଗସୂତ୍ର ଟିକକ ହିଁ ‘ମାନବୀୟ ସଂସ୍କୃତି’ ନାମରେ ନାମିତ ହୋଇ ଆସିଛି । କିନ୍ତୁ ମନରେ ପ୍ରଶ୍ନ ଉଠେ–ସେଇ ଯୋଗସୂତ୍ର ବା ମେଳକଟି କ’ଣ, ଯାହା ମାନବର ଅପରିହାର୍ଯ୍ୟ ଗୁଣ ରୂପେ ବିବେଚିତ ଓ ସାର୍ବଜନିନ, ସାର୍ବକାଳିକ ଏବଂ ସାର୍ବତ୍ରିକ ଭାବେ ପରିଚିତ । ଏହା କୁଆଡ଼େ ମନୁଷ୍ୟକୁ ଇତର ପ୍ରାଣୀଠାରୁ ଉତ୍କୃଷ୍ଟ ବୋଲି ପ୍ରମାଣିତ କରେ ଏବଂ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ଥିବା ଏକ ଅନବିଚ୍ଛିନ୍ନ ଭାବଧାରାର ନିୟାମକ ହୋଇଥାଏ । ପଣ୍ଡିତମାନଙ୍କ ମତରେ ସାମାଜିକ ଚେତନା, ପରିଷ୍କାର ପରିଚ୍ଛନ୍ନତା, ସ୍ୱାସ୍ଥ୍ୟରକ୍ଷା ମୂଳକ ଅନ୍ନପାନାଦି, ଶାଳୀନତା, ଲଜ୍ଜାଶୀଳତା, ପରୋପକାରିତା, ସଦସତ୍ ବିଚାର, ସର୍ବୋପରି ଅଲୌକିକ ଶକ୍ତିରେ ବିଶ୍ୱାସ ପ୍ରଭୃତି ହେଉଛି ମାନବ ସଂସ୍କୃତିର ମହନୀୟ ଉପାଦାନ । ଏହି ଦୃଷ୍ଟିରେ ଭାରତୀୟ, ଅଣଭାରତୀୟ, ଓଡ଼ିଆ, ଅଣଓଡ଼ିଆ, ସମସ୍ତେ ମାନବ ସଂସ୍କୃତି-ସଂପନ୍ନ, ଏଥିରେ ସନ୍ଦେହ ନାହିଁ ।

 

ୟା’ ସଙ୍ଗେ ସଙ୍ଗେ ଆଉ ଏକ ଅପେକ୍ଷାକୃତ କ୍ଷୁତ୍ରତର ସଂସ୍କୃତି ମଧ୍ୟ ବିଶ୍ୱରେ ପ୍ରଚଳିତ ଥିବା ଦେଖାଯାଏ । ତାହାକୁ ଦୈଶିକ ସଂସ୍କୃତି ନାମରେ ନାମିତ କରାଯାଇ ପାରେ ଯଥା-ୟୁରୋପୀୟ ସଂସ୍କୃତି, ଆମେରିକୀୟ ସଂସ୍କୃତି, ଚିନି ସଂସ୍କୃତି, ସିଂହଳୀ ସଂସ୍କୃତି, ଆଫ୍ରିକୀୟ ସଂସ୍କୃତି, ଭାରତୀୟ ସଂସ୍କୃତି ଇତ୍ୟାଦି । ଅବଶ୍ୟ ମାନବ ସଂସ୍କୃତି ପରିପ୍ରେକ୍ଷୀରେ ବିଚାର କଲେ ୟୁରୋପ, ଆମେରିକା, ଭାରତ, ସିଂହଳ ପ୍ରଭୃତି ଦେଶରେ ବସବାସ କରି ରହିଥିବା ସମସ୍ତ ଅଧିବାସୀ ଅଭିନ୍ନ, ଏ କଥା ସତ; ତଥାପି ଦୈଶିକ ସ୍ୱାତନ୍ତ୍ର୍ୟ ଦୃଷ୍ଟିରୁ ସେମାନଙ୍କ ସଂସ୍କୃତିରେ ଆଉ କେତେକ ଅଧିକା ବୈଶିଷ୍ଟ୍ୟ ପରିଲକ୍ଷିତ ହଏ, ଯାହା ଇତର ଅଧିବାସୀଙ୍କଠାରେ ଦେଖାଯାଏ ନାହିଁ । ତା’ ବୋଲି ତାଦୃଶ ସ୍ୱାତନ୍ତ୍ର୍ୟ ବୃହତ୍ତର ମାନବ ସଂସ୍କୃତିର ଯେ ପରିପନ୍ଥୀ, ସେ କଥା ନୁହେଁ । ତା’ ଯଦି କ୍ୱଚିତ୍ ହୁଏ, ତାହା ସଂସ୍କୃତି ବଦଳରେ ଅପସଂସ୍କୃତି ରୂପେ ହିଁ ବିବେଚିତ ହୁଏ । ଯେତେବେଳେ ହେଉ ବ୍ୟାଜ୍ୟ ସଂସ୍କୃତି ବ୍ୟାପକ ସଂସ୍କୃତିର ପ୍ରତିରୋଧକ ନ ହୋଇ ପରିପୋଷକ ହେବା ହିଁ ଉଚିତ୍ । ସ୍ୱାସ୍ଥ୍ୟରକ୍ଷା ସକାଶେ ୟୁରୋପୀୟ ଅଣ୍ଡା, କଟ୍‌ଲେଟ୍, ଚକ୍‌ଲେଟ୍, ପାଉଁରୁଟି ବା ଶୀତପ୍ରଧାନ ଦେଶୀୟ ପଶୁ ମାଂସାଦି ସହିତ ସେହି ସେହି ଜଳବାୟୁର ଅନୁକୁଳ ପାନାହାରାଦି ମୂଳ ମାନବ ସଂସ୍କୃତିର ପରିପନ୍ଥୀ ବିବେଚିତ ହୋଇ ନ ଥାଏ । କିମ୍ବା ଭାରତ ଦେଶରେ ପ୍ରଚଳିତ ସ୍ୱାସ୍ଥ୍ୟ ରକ୍ଷାକାରୀ ଘୃତ-ମଧୁ-ଦୁଗ୍‌ଧାଦି ସଙ୍ଗେ ଧାନ୍ୟଗହମାଦିରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ କିମ୍ବା ଗୃହପ୍ରବେଶାଦି ଶୁଭକର୍ମରେ ହୋମଯାଗାଦି, ମୃତ ଶରୀରର ଅଗ୍ନିଦାହ କ୍ରିୟା, ତୀର୍ଥସ୍ଥାନମାନଙ୍କରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନାଦି, ନାରୀ ସମାଜର, ଏକପତିବ୍ରତତ୍ୱ ପ୍ରଭୃତି ଆଚାର ଭାରତୀୟ ସଂସ୍କୃତି ରୂପେ ଗୃହୀତ ହେଲେ ସୁଦ୍ଧା ତାହା ମହତ୍ତର ମାନବ ସଂସ୍କୃତିର ଆଦୌ ପ୍ରତିକୂଳ ନୁହେଁ । ସେହି କାରଣରୁ କୁହାଯାଏ–‘ଯସ୍ମିନ ଦେଶେ ଯଆଚାରଃ’ ବା ‘ଦେଶକେ ଫାଙ୍କ ନଈକେ ବାଙ୍କ’ । ଏହାରି ନାଁ ଦୈଶିକ ସଂସ୍କୃତି ।

 

ଏହାଛଡ଼ା, ଦେଶ ମଧ୍ୟରେ ସୁଦ୍ଧା ସବୁ ଅଞ୍ଚଳରେ କେବଳ ଗୋଟିଏ ଗୋଷ୍ଠୀ ବା ଗୋଟିଏ ଜାତି ବାସ କରିବେ, ଏହା ମଧ୍ୟ ନିଶ୍ଚିତ ନୁହେଁ । ଦେଶର ବିସ୍ତୃତି ଓ ବିଶାଳତା ନେଇ ପୃଥିବୀର ବିଭିନ୍ନ ଭୂଖଣ୍ଡରେ ବିଭିନ୍ନ ଶ୍ରେଣୀର, ବିଭିନ୍ନ ଜାତିର, ବିଭିନ୍ନ ମନୋବୃତ୍ତିର ପ୍ରାଣୀ ବାସ କରୁଥିବା ଦେଖାଯାଏ । ରୁଷିଆ, ଆମେରିକା, ଆଫ୍ରିକା ପ୍ରଭୃତି ଦୂରଦୂରାନ୍ତର କଥା ଛାଡ଼ନ୍ତୁ, ଏଇ ଆମ ଭାରତବର୍ଷ କଥା ବିଚାର କରନ୍ତୁ-ଦେଖିବେ କେତେ ଶ୍ରେଣୀର, କେତେ ରକମର, କେତେ ମନୋବୃତ୍ତିର ଲୋକ ଏଠାରେ ବାସ କରି ରହିଛନ୍ତି ଏବଂ କେତେ ପ୍ରକାର ସଂସ୍କୃତି ସେମାନଙ୍କ ମଧ୍ୟରେ ପ୍ରଚଳିତ ରହିଛି । ଉତ୍ତରରେ କାଶ୍ମୀରୀ, ପଞ୍ଜାବୀ, ହିନ୍ଦୁସ୍ଥାନୀ; ଦକ୍ଷିଣରେ ତାମିଲୀ, ତୈଲଙ୍ଗୀ, ମଳୟାଳୀ, କନ୍ନଡ଼ୀ; ପଶ୍ଚିମରେ ଗୁଜରାଟୀ, ମରାଠୀ, କଚ୍ଛୀ ଏବଂ ପୂର୍ବରେ ଦେଖିବେ ଆସାମୀ, ବଙ୍ଗାଳୀ, ଓଡ଼ିଆ ପ୍ରଭୃତି । ଏ ସବୁ ଛଡ଼ା ଆହୁରି ଅସଂଖ୍ୟ ଉପଜାତିମାନ ରହିଛି, ଏମାନେ ସମସ୍ତେ ଭାରତୀୟ । ଭାରତୀୟ ସଂସ୍କୃତି ସମସ୍ତଙ୍କ ଶିରାପ୍ରଶିରାରେ ପ୍ରବାହିତ । ଏଣୁ ସମସ୍ତେ ଭାରତୀୟ ନାମରେ ଆପଣାର ପରିଚୟ ଦିଅନ୍ତି । ତଥାପି ସ୍ୱ ସ୍ୱ ଆଞ୍ଚଳିକତା ବା ପ୍ରାଦେଶିକତା ଦୃଷ୍ଟିରେ ସମସ୍ତେ ସମସ୍ତଙ୍କଠାରୁ ଅଲଗା-ସମସ୍ତେ ସ୍ୱାତନ୍ତ୍ର । ବଙ୍ଗାଳୀ, ଆସାମୀ ନାମର କିମ୍ବା ଗୁଜୁରାଟୀ, ତାମିଲୀ ନାମରେ ଅଥବା ଓଡ଼ିଆ, ପଞ୍ଜାବୀ ନାମରେ କଦାପି ଆତ୍ମ ପରିଚୟ ଦିଏ ନାହିଁ । ଭାରତୀୟ ହିସାବରେ ଅଭିନ୍ନ ହେଲେ ସୁଦ୍ଧା କେହି ଅପର ଜାତିର ବୋଲି ଆପଣାକୁ ଚିହ୍ନାନ୍ତି ନାହିଁ । ଏହାର କାରଣ, ଏ ସମସ୍ତଙ୍କର ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସଂସ୍କୃତି ରହିଛି, ଯାହା ଇତର ଗୋଷ୍ଠୀଠାରୁ ସେ ଅଲଗା ବୋଲି ସଂକେତିତ କରେ । ସେହି ଦୃଷ୍ଟିରୁ ଓଡ଼ିଆ ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ ସମ୍ବନ୍ଧରେ ଆଲୋଚନା କରିବାର କଥା ।

 

ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ସଂସ୍କୃତିଠାରୁ ଓଡ଼ିଆ ସଂସ୍କୃତିର ଏକ ଏକକବୈଶିଷ୍ଟ୍ୟ ରହିଛି, ଏ କଥା ସ୍ୱୀକାର କରିବାକୁ ପଡ଼ିବ । ଭାରତର ଉତ୍ତର ଭୁଖଣ୍ଡରେ ଆର୍ଯ୍ୟାବର୍ତ୍ତର ସଂସ୍କୃତି ଯେପରି ପ୍ରାଧାନ୍ୟ ବିସ୍ତାର କରି ଜୟ ପତାକା ଉଡ଼ାଇଅଛି, ସେହିପରି ଦକ୍ଷିଣ ଭୂଖଣ୍ଡରେ ଦ୍ରାବିଡ଼ ସଂସ୍କୃତି ଆପଣାର ଦ୍ରାବିଡ଼ ସଂସ୍କୃତି ଏବଂ ଦକ୍ଷିଣ ଭାରତୀୟ ସଂସ୍କୃତିରେ ଆର୍ଯସଂସ୍କୃତି ଆଦୌ ଛାଇ ମାଡ଼ି ନାହାନ୍ତି କହିଲେ ଭୁଲ୍ ହେବ । ପରସ୍ପର ଏକତ୍ରାବସ୍ଥାନ ଫଳରେ ଯେ କୌଣସି ସଂସ୍କୃତି ହେଉ ପଛେ, ପରସ୍ପର ଉପରେ କିଛିନା କିଛି ପ୍ରଭାବ ବିସ୍ତାର ନ କରି ଛାଡ଼ନ୍ତିନି । ଏହା ପ୍ରକୃତିର ନିୟମ । ବାସ୍ତବ ଅଭିଜ୍ଞତା, କିନ୍ତୁ ଏତିକି କିଏ କହା ଉପରେ କେତେ ପରିମାଣରେ ଆପଣା କର୍ତ୍ତୃତ୍ୱ ଜାରିକରେ ତାହାହିଁ ଦେଖିବାର କଥା । କିନ୍ତୁ ତତ୍‌ବିଦମାନେ କହନ୍ତି–ଆର୍ଯ୍ୟ ଓ ଦ୍ରାବିଡ଼ ଉଭୟ ଉଭୟଙ୍କର ଉପରେ ପ୍ରଭାବ ବିସ୍ତାର କରିଛନ୍ତି, ଯଦିଚ ଦ୍ରାବିଡ଼ ସଂସ୍କୃତିରେ ଆର୍ଯ୍ୟସଂସ୍କୃତିର ପ୍ରଭାବ ଅପେକ୍ଷା ଆର୍ଯ୍ୟସଂସ୍କୃତିରେ ଦ୍ରାବିଡ଼ଙ୍କ ପ୍ରଭାବ କମ୍ । ଏକଥାର ସତ୍ୟତା ବାସ, ଗ୍ରାସ, ଆଚାର, ବିଚାର, ଭାଷା, ଭୂଷା ପ୍ରଭୃତିରୁ ସୁନ୍ଦର ଅନୁମାନ କରିହୁଏ । କିନ୍ତୁ ଓଡ଼ିଶା ବା ଓଡ଼ିଆ ସଂସ୍କୃତି କଥା ବିଚାର କଲେ ଏହା ଏକ ଇତର ବିଶେଷଭାବେ ପରିଚିତ ।

 

କାରଣ, ପ୍ରଥମେ ଦେଖନ୍ତୁ ଓଡ଼ିଶାର ଭୌଗୋଳିକ ଅବସ୍ଥିତି । ଏହା ଗୋଦାବରୀଠାରୁ ଗଙ୍ଗାକୂଳ ପର୍ଯ୍ୟନ୍ତ ଦିନେ ବିସ୍ତୃତ ଥିଲା ବୋଲି ଐତିହାସିକମାନେ କହନ୍ତି । ଅବଶ୍ୟ ତାହା ସେତେବେଳକୁ କି ନାମରେ ନାମିତ ଥିଲା ଜଣାନାହିଁ । ଯେହେତୁ ଏ ଭୂଖଣ୍ଡ ବିଭିନ୍ନ ସମୟରେ କଳିଙ୍ଗ, ଉତ୍କଳ, କୋଶଳ, ସମାପା, ବୋଷଳୀ, ଓଷଳୀ, ମୋଷଳୀ ପ୍ରଭୃତି ବିଭିନ୍ନ ନାମରେ ଅଭିହିତ ହୋଇ ଆସିଛି । ଏହାର ଆଦିମ ଅଧିବାସୀ ହେଉଛନ୍ତି, ଆଦିବାସୀ ଗୋଷ୍ଠୀ । ଏମାନେ ବଣ ଜଙ୍ଗଲର ପ୍ରାଣୀ । ସରଳ ନିରାଡ଼ମ୍ବର ଭାଷା, ସଂସ୍କୃତି, ଆଚାର, ବିଚାର, ପୂଜା, ଉପାସନା ପ୍ରଭୃତି ସବୁରେ ଅପେକ୍ଷାକୃତ ଦୁର୍ବଳ ଏ ଜାତି; ଯଦିଚ ଦୃଢ଼ନିଷ୍ଠା ଏହାଙ୍କ ସ୍ୱଭାବଜ ଗୁଣ । ଏମାନଙ୍କ ଉପରେ ଉତ୍ତର ଭାରତର ଆର୍ଯ୍ୟବର୍ତ୍ତୀୟ ଓ ଦକ୍ଷିଣ ଭାରତର ଦ୍ରାବିଡ଼ୀୟ ଉଭୟ ସଂସ୍କୃତି ପରବର୍ତ୍ତୀ କାଳରେ ଉଭୟ ପଟୁ ଆସି ଏତେଦୂର ଆସନ ଜମାଇ ଦେଲେ ଯେ କେହି କାହାରିଠାରୁ ଦୂରେଇ ରହିପାରିଲା ନାହିଁ କିମ୍ବା କେହି କାହାରି ମଧ୍ୟରେ ଅନ୍ତର୍ଲୀନ ହେବାକୁ ମଧ୍ୟ ପସନ୍ଦ କଲେ ନାହିଁ । ଫଳରେ ଏଠାରେ ତ୍ରିବିଧ ସଂସ୍କୃତିର ମିଶ୍ରଣ ଯୋଗୁଁ ଏପରି ଏକ ବିଚିତ୍ର ସଂସ୍କୃତିର ଆବିର୍ଭାବ ଘଟିଲା, ଯାହା ଉତ୍ତର କିମ୍ବା ଦକ୍ଷିଣର ସଂସ୍କୃତି ପରି କୌଣସି ଆତ୍ମିକ ଗୁଣର ଆଧିକ୍ୟ ପ୍ରଦର୍ଶନ କରିବାରେ ସମର୍ଥ ହୋଇପାରିଲା ନାହିଁ । ଫଳରେ ଏଠାରେ ଏକ ସମନ୍ୱିତ ସଂସ୍କୃତିର ଅଭ୍ୟୁଦୟ ଘଟିଲା, ପରବର୍ତ୍ତୀ କାଳରେ ଯାହାର ସଂଜ୍ଞା ହେଲା, ‘‘ଓଡ଼ିଆ ସଂସ୍କୃତି’’ ଯାହାକୁ ଆମେ ଜଗନ୍ନାଥ ସଂସ୍କୃତି ଆଖ୍ୟା ଦେଇ ଆସୁଛୁ ।

 

ବର୍ତ୍ତମାନ ଦେଖିବା ଏ ସଂସ୍କୃତିର ସ୍ୱରୂପ କ’ଣ ? ଆଗରୁ କୁହା ଯାଇଛି-ସଂସ୍କୃତି ଜାତିର ପ୍ରାଣସତ୍ତା, ପ୍ରାଣର ବିଶ୍ଳେଷଣ ଯେପରି ସମ୍ଭବ ନୁହେଁ ସେହିପରି ସଂସ୍କୃତିର ମଧ୍ୟ । ଶରୀରର ଚଳ-ପ୍ରଚଳନ ଓ କର୍ମପ୍ରବଣତାକୁ ଧରି ଯେପରି ପ୍ରାଣର ସତ୍ତା ଅନୁଭୂତ ହୁଏ, ସେହିପରି ବିକାଶୋନ୍ମୁଖିତା ଏବଂ କର୍ମନିଷ୍ଠା ଦେଖି ସଂସ୍କୃତିର ବଳିଷ୍ଠତା ଓ ଦୃଢ଼ମୂଳତା ଅନୁମିତ ହୁଏ । ଏଣୁ ଜାତି ଶରୀର ହେଲେ ସଂସ୍କୃତି ତାହାର ପ୍ରାଣ ଏବଂ ସଭ୍ୟତା ତାହାର ପ୍ରତିବିମ୍ବ । ସଂସ୍କୃତି ସଭ୍ୟତା ମାଧ୍ୟମରେ ଆତ୍ମପ୍ରକାଶ କରେ ଏବଂ ସଭ୍ୟତା ସଂସ୍କୃତିର ସୂକ୍ଷ୍ମାତିସୂକ୍ଷ୍ମ ରହସ୍ୟଗୁଡ଼ିକୁ ଲୋକଲୋଚନରେ ଉପସ୍ଥାପିତ କରେ । ଏଣୁ ଓଡ଼ିଆ ସଂସ୍କୃତିର ସ୍ୱରୂପ ବିବେଚନା କଲାବେଳେ ସେହିଟିକକ ମନେ ରଖିବାକୁ ପଡ଼ିବ ।

 

ଆଗରୁ ସୂଚନା ଦିଆଯାଇଛି, ଭାରତୀୟ ସଂସ୍କୃତି ଯେପରି ସଂସ୍କୃତିର ଅନୁପୂରକ, ଓଡ଼ିଆ ସଂସ୍କୃତି ସେହିପରି ଭାରତୀୟ ସଂସ୍କୃତିର ପରିପୋଷକ । ମଣିଷ ହିସାବରେ ଓଡ଼ିଆ ଯେପରି ମାନବ ସଂସ୍କୃତି-ସମ୍ପନ୍ନ ଭାରତୀୟ ହିସାବରେ ସେହିପରି ଭାରତୀୟ ସଂସ୍କୃତିର ନିଷ୍ଠାପର ସାଧକ । ତଥାପି ‘ଓଡ଼ିଆ’ ଭାବେ ତାହାର କେତେକ ସ୍ୱାତନ୍ତ୍ର୍ୟ ରହିଛି ଯାହା ଇତର ଭାରତୀୟଙ୍କଠାରେ ପରିଦୃଷ୍ଟ ହୁଏ ନାହିଁ । ସେ ମଧ୍ୟରୁ କେତୋଟିର ସୂଚନା ତଳେ ଦିଆଗଲା ।

 

ସଂସ୍କୃତି ଏପରି କିଛି ଗୋଟାଏ ବସ୍ତୁ ନୁହେଁ, ଯାହାକୁ ହାତରେ ଧରି ଦେଖେଇ ହେବେ । ଏହା ମଣିଷର ଜୀବନଶକ୍ତି ପରି ଅଦୃଶ୍ୟ ଏବଂ ଅନୁଭବବୋଧ୍ୟ । ସମାଜର ବିକାଶୋନ୍ମୁଖୀ ଶାଶ୍ୱତ କର୍ମଧାରା ମଧ୍ୟରେ ତାହା ଅଲକ୍ଷିତ ଭାବେ ଅହରହ ପ୍ରତିଫଳିତ ହୋଇଥାଏ । ଯଥା-ଆଚାର, ଆହାର, ଆରାଧନା, ପ୍ରଭୃତି, ଏ ସବୁର ପ୍ରକାଶକ ମାଧ୍ୟମ ହେଉଛି ସାହିତ୍ୟ, ସଙ୍ଗୀତ; ସ୍ଥାପତ୍ୟ, ଚିତ୍ରକଳା, ନୃତ୍ୟ ପ୍ରଭୃତି । ସାହିତ୍ୟରେ ତାହା ବର୍ଣ୍ଣିତ ହୁଏ ସଙ୍ଗୀତରେ ଲୀଳାୟିତ ହୁଏ; ସ୍ଥାପତ୍ୟରେ ଖୋଦିତ ହୁଏ, ଚିତ୍ରକଳାରେ ଅଙ୍କିତ ହୁଏ ଏବଂ ନୃତ୍ୟରେ ଅଭିନୀତ ହୁଏ, ଫଳରେ ଏହି ପ୍ରକାଶକ ମାଧ୍ୟମଗୁଡ଼ିକୁ ମଧ୍ୟ ସଂସ୍କୃତି ମଧ୍ୟରେ ଅନ୍ତର୍ଭୁକ୍ତ କରି ଦିଆଯାଏ । ଅବଶ୍ୟ ସେପରି କରିବାରେ କୌଣସି ଆପତ୍ତି ରହିବା ଉଚିତ ନୁହେଁ । କାରଣ, ସଂସ୍କୃତିର ମାନ ଅନୁଯାୟୀ ମାଧ୍ୟମ ଗୁଡ଼ିକର ମାନ ନିର୍ଦ୍ଧାରିତ ହୁଏ ଏବଂ ମାଧ୍ୟମର ମାନ ଅନୁସାରେ ସଂସ୍କୃତିର ମାନ ନିରୁପିତ ହୁଏ ।

 

ପ୍ରଥମେ ଦେଖିବା ଆଚାର ମଧ୍ୟରେ ଓଡ଼ିଆ ସଂସ୍କୃତିର ସ୍ୱରୂପ କିପରି ପ୍ରକାଶ ପାଏ । ଆଚାର ତ୍ରିବିଧ । ଦେଶାଚାର, କୁଳାଚାର ଓ ଲୋକାଚାର । ବର୍ତ୍ତମାନର ଓଡ଼ିଶା କହିଲେ ଆଗକାଳର କଳିଙ୍ଗ, କୋଶଳ ଓ ଉତ୍କଳର ସମ୍ମିଶ୍ରଣ । ଏପରି କେତେକ ଆଚାର ରହିଛି ଯାହା କଳିଙ୍ଗରେ ଦେଖାଗଲେ ମଧ୍ୟ କୋଶଳରେ ନାହିଁ କିମ୍ବା ଉତ୍କଳରେ ପ୍ରଚଳିତ ଥିଲେ ମଧ୍ୟ କଳିଙ୍ଗରେ ନାହିଁ । ଏହାକୁ ଦେଶାଚାର କୁହାଯାଏ । ଉଦାହରଣ ସ୍ୱରୂପ ରଜପର୍ବ । ଏ ଓଡ଼ିଆଙ୍କ ପର୍ବ-ଓଡ଼ିଆ ସଂସ୍କୃତି, କିନ୍ତୁ ଏହା କଳିଙ୍ଗ ବା ଦକ୍ଷିଣ ଓଡ଼ିଶାରେ ଏହା ‘ଭୂରଜ-ସ୍ୱଳା’ ଉତ୍ସବ ରୂପେ ତିନିଦିନ ପାଳିତ ହୁଏ । ପୃଥିବୀ ରଜୋବତୀ ହେବା ଯୋଗୁଁ ସେ ଦିନମାନଙ୍କରେ କୌଣସି ପନିପରିବା ପନିକିରେ କଟାଯିବ ନାହିଁ, ଶିଳ ପେଷଣାରେ ବେସର ମସଲା ପ୍ରଭୃତି କୌଣସି ଜିନିଷ ବଟାଯିବ ନାହିଁ ଏବଂ ମାଟି ଉପରେ କୌଣସି ଲୁହା ଜିନିଷ ଲଗାଯିବ ନାହିଁ । କିନ୍ତୁ ଉତ୍କଳ ବା ଉତ୍ତର ଓଡ଼ିଶାରେ ପହିଲିରଜ ମହାସମ୍ଭର୍ବରେ ପ୍ରତିପାଳିତ ହୁଏ । କୁଆରୀଁ କନ୍ୟାମାନେ ହଳଦି ଅଏଁଳା ପ୍ରଭୃତି ଲଗାଇ ସ୍ନାନସାରି ଆସନ୍ତି, ରଜ ଗୀତ ଗାଆନ୍ତି, ଦୋଳି ଖେଳନ୍ତି । ଏହାର ନା ଦେଶାଚାର । ରଜପର୍ବ ଓଡ଼ିଆସଂସ୍କୃତି କିନ୍ତୁ ଏହାର ପାଳନ ପ୍ରକ୍ରିୟା ଆଞ୍ଚଳିକ ସଂସ୍କୃତି ବା ଦେଶାଚାର । ସେହିପରି ଗୁରୁଜନଙ୍କୁ ଦେଖିବାମାତ୍ରେ ଓଡ଼ିଆ କୁଳବଧୂମାନେ ଭୁଇଁକୁ ମୁଣ୍ଡ ଲଗାଇ ଓଳଗି ହୁଅନ୍ତି-। ଏହା ଓଡ଼ିଆଣୀଙ୍କ ବିନା ଅନ୍ୟନାରୀଙ୍କଠାରେ କ୍ୱଚିତ୍ ଦେଖାଯାଏ । ଗୁରୁଜନମାନଙ୍କୁ ଭକ୍ତି ଜଣାଇବା ଭାରତୀୟ ସଂସ୍କୃତି କିନ୍ତୁ ଭୂଇଁରେ ମଥା ଲଗାଇ ତାହା କରିବାକୁ ଯିବା ଓଡ଼ିଆ ସଂସ୍କୃତି, ତା’ଛଡ଼ା ନୂଆଁଖିଆ କଥା ଦେଖନ୍ତୁ । ନୂଆଁଖିଆ ବା ନବାନ୍ନଭକ୍ଷଣ ଓଡ଼ିଆ ସଂସ୍କୃତି । କିନ୍ତୁ ପଶ୍ଚିମ ଓଡ଼ିଶାରେ ଏହା ଯେପରି ଭାବେ ପାଳିତ ହୁଏ ଉତ୍ତର ବା ଦକ୍ଷିଣ ଓଡ଼ିଶାରେ ସେପରି ହୁଏ ନାହିଁ । ପଶ୍ଚିମ ଓଡ଼ିଶାରେ ନିର୍ଦ୍ଦିଷ୍ଟ ଦିନଟିଏ ସ୍ଥିର କରି ସେଦିନ ସମସ୍ତେ ନବାନ୍ନଭକ୍ଷଣ କଲାବେଳେ ଓଡ଼ିଶାର ଅନ୍ୟ ଭାଗରେ ଗୃହକର୍ତ୍ତାଙ୍କ ରାଶି-ନକ୍ଷତ୍ର ଅନୁଯାୟୀ ଦିନ ସ୍ଥିର କରିବାକୁ ପଡ଼େ । ଏଣୁ ପରିପାଳନ ପ୍ରଣାଳୀ ଯଦିଚ ଦେଶାଚାର ମଧ୍ୟରେ ଅନ୍ତର୍ଭୁକ୍ତ ତଥାପି ପର୍ବଟି ଓଡ଼ିଆ ସଂସ୍କୃତିର-ଏଥିରେ ସନ୍ଦେହ ନାହଁ । ସେହିପରି ସାବିତ୍ରୀ ଅମବାସ୍ୟା । ଏଦିନ ବାପଘର ପୂଜାସାମଗ୍ରୀଦ୍ୱାରା ଝିଅର ଉଆଁଶ ପୂଜା ହୁଏ । ସାବିତ୍ରୀ ପୂଜା ଅନ୍ୟପ୍ରାନ୍ତରେ ବି ହେବା ଦେଖାଯାଏ । କିନ୍ତୁ ଓଡ଼ିଆଙ୍କ ମଧ୍ୟରେ ଏହାର ଯେଉଁ ବିଶେଷତ୍ୱ ତାହାହିଁ ଏହାର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରେ । ଏହା ଖାଣ୍ଟି ଓଡ଼ିଆ ସଂସ୍କୃତି ଏବଂ ଏ ମଧ୍ୟରେ ଥିବା ବାପଘର ଓ ଶାଶୁଘର ସମ୍ପର୍କର ଅବିଚ୍ଛିନ୍ନତା ବିଶେଷ ଲକ୍ଷଣୀୟ ।

 

ଓଡ଼ିଆ ସଂସ୍କୃତି ଭିତରେ କୁଳାଚାର ଦେଖିଲେ ମଧ୍ୟ କେତେକ ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ-। ବିବାହ କାଳରେ ବର ଘୋଡ଼ାପିଠିରେ ବସି କନ୍ୟା ଘରକୁ ଯିବା, ପ୍ରଥମ ରଜସ୍ୱଳା କନ୍ୟାକୁ ତାରବାଡ଼ ମଧ୍ୟରେ ସାତଦିନ ଯାଏଁ ରଖିବା, ସନ୍ତାନ ଜନ୍ମର ପାଞ୍ଚଦିନଠାରେ ପଞ୍ଚୁଆତି ଭଜା କରିବା, ପୁଅ-ଝିଅ ଅନୁସାରେ ପ୍ରସୂତି ୨୧ କିମ୍ବା ୩୦ ଦିନ ଯାଏଁ ପାକଗୃହରେ ପ୍ରବେଶ ନ କରିବା, ବିବାହ ପୂର୍ବରୁ ନୁଆଁ କୁଲାରେ ଶର ରଖି ନାପିତୁଣୀଦ୍ୱାରା ସାତଘର ବୁଲାଇବା ପ୍ରଭୃତି ଜାତି-ବର୍ଣ୍ଣ ନିର୍ବିଶେଷରେ ପ୍ରଚଳନ ନୁହେଁ ବୋଲି ଏଗୁଡ଼ିକୁ କୁଳାଚାର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଏ, ଯେହେତୁ ଏହାର ବ୍ୟାପକତା ସଂକୀର୍ଣ୍ଣ ।

 

ଏହାଛଡ଼ା ଲୋକାଚାର ରହିଛି ଯାହା ଓଡ଼ିଆ ସଂସ୍କୃତିର ନିର୍ମଳ ପରିପ୍ରକାଶ । ଏହା ଜାତି-ବର୍ଣ୍ଣ-ବୟ ନିର୍ବିଶେଷରେ ସର୍ବତ୍ର ପ୍ରଚଳିତ । ସେ ମଧ୍ୟରୁ ଗୋଟିଏ ହେଉଛି-ସଧବାର ସିନ୍ଦୂର ବିନ୍ଦୁ । ଏ ବିନ୍ଦୁ ସୀମନ୍ତରେ ନୁହେଁ–ଠିକ୍ ମଝି କପାଳରେ । ଏହା ସଦ୍ୟ ବିବାହିତା କନ୍ୟାଠାରୁ ଅଶୀତିପର ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କର ଆଚାର । ଏହା ଓଡ଼ିଆ ନାରୀର ଏକକ ନିଜସ୍ୱ । ସେହିପରି ଓଢ଼ଣା; ମଥାରେ ଓଢ଼ଣା ଦେବା ଓଡ଼ିଆ ସଂସ୍କୃତି । ଅନ୍ୟତ୍ର ଯଦିଚ ଓଢ଼ଣା ପ୍ରଥା ରହିଛି ତଥାପି ତାହାର ପରିପାଟୀ ଅଲଗା-ଢଙ୍ଗ ଅଲଗା । ତାହା ଓଡ଼ିଆଣୀର ଓଢ଼ଣା ପରି ଲଲାଟଚୁମ୍ବୀ ଏବଂ ଆକର୍ଣ୍ଣ ବିଶ୍ରାନ୍ତ ନୁହେଁ । ଆଉ ଏକ ଲୋକାଚାର-ଦେଢ଼ଶୁର ଭାଇବୋହୂ ସମ୍ପର୍କ । ଓଡ଼ିଆ ପରିବାରରେ ଭାଇବୋହୂ ଦେଢ଼ଶୁରର ଛାଇ ମାଡ଼ିବା ବି ନଷିଦ୍ଧ । କେବଳ ନିଷିଦ୍ଧ ନୁହେଁ ମହାପାପ । ଏ ବିଧି ଏପରି ଭାବେ ଅନ୍ୟ ଜାତିରେ ଥିଲାପରି ବୋଧହୁଏ ନାହିଁ । ଏହା ବି ଓଡ଼ିଆ ସଂସ୍କୃତି, ଏହପରି ଦେଖିବାକୁ ଗଲେ ଲୋକାଚାର ଓଡ଼ିଆ ସଂସ୍କୃତିର ଏକ ପରିମାପକ ଅଂଶବିଶେଷ, ସନ୍ଦେହ ନାହିଁ ।

 

ଆହାର ବେଳକୁ ବି ସେଇକଥା । ସ୍ୱାସ୍ଥ୍ୟ ରକ୍ଷା ସକାଶେ ପରିଷ୍କାର ଆହାର ମାନବୀୟ ସଂସ୍କୃତି ମଧ୍ୟରେ ପରିଗଣିତ । କିନ୍ତୁ ଆହାରର ବୈଶିଷ୍ଟ୍ୟ ସ୍ୱତନ୍ତ୍ର ସଂସ୍କୃତିର ପରିଚାୟକ । ଏକଥା ବିଭିନ୍ନ ପ୍ରାନ୍ତର ସଂସ୍କୃତିପ୍ରେମୀ କବି ଓ ଲେଖକ ସ୍ୱ-ସ୍ୱ ଭାଷାରେ ବର୍ଣ୍ଣନା କରି ଯାଇଛନ୍ତି । ଯେଉଁ ଜାତିର ଯେଉଁ ଆହାର ରୁଚିକର, ସେ ସମ୍ବନ୍ଧରେ ସେମାନେ ହୁଏତ ‘ତକ୍ରଂ ଶସ୍ତ୍ରସ୍ୟ ଦୁଲଭଂ’ ନତୁବା ‘ଭୋଜନାନ୍ତେ ପିବେତ୍ ତକ୍ରଂ’, ନୁହେଁ ଓ ‘ଘୃତ ହୀନଂ କୁଭୋଜନଂ’, ନତୁବା ‘ଅନ୍ନସାରଂ ପୁଲୀହାରଂ’ ପ୍ରଭୃତି ରଚନା ମାଧ୍ୟମରେ ସାଂସ୍କୃତିକ ଚେତନା ପ୍ରକାଶ କରି ଯାଇଥିବା ଦେଖାଯାଏ । ଏଥିରୁ ସେମାନଙ୍କ ଆହାରରେ ବୈଶିଷ୍ଟ୍ୟ ଅନୁମାନ କରାଯାଇପାରେ । ତଦନୁସାରେ ଓଡ଼ିଆ ସଂସ୍କୃତିପ୍ରେମୀ କବିମାନେ–

 

‘‘ଖରଡ଼ା ବରଦା ଲୋକେ ବେସ୍ୱରୋ ବ୍ୟଞ୍ଜନେଶ୍ୱରଃ,

ଅମଳା ବିମଳା କାନ୍ତିଃ କାଞ୍ଜିକା ପଞ୍ଚିକାୟୁଷଃ ।।’’

 

ବୋଲି ବର୍ଣ୍ଣନା ନ କରିଛନ୍ତି ନୁହେଁ । ଏଥିରୁ ଶାଗ ଖରଡ଼ା, ବେସର, ଆମ୍ବିଳ ଓ କାଞ୍ଜି ଏ ଚାରୋଟି ଓଡ଼ିଆର ଖାଣ୍ଟି ନିଜସ୍ୱ ଆହାର ବୋଲି ପ୍ରମାଣିତ ହୁଏ । କାଞ୍ଜି ପଶ୍ଚିମ ଓଡ଼ିଶାର ଭୋଜିଭାତ ଯେପରି ଏକ ଅପରିହାର୍ଯ୍ୟ ଦ୍ରବ୍ୟସେହିପରି ଆମ୍ବିଳ ଦକ୍ଷିଣ ଓଡ଼ିଶାର । ମଧ୍ୟଓଡ଼ିଶାରେ ଶାଗ-ପଖାଳ ଏକ ରୁଚିକର ଭୋଜନ ରୂପେ ଅତ୍ୟନ୍ତ ଲୋକପ୍ରିୟା ବେସର ଓଡ଼ିଶା ଛଡ଼ା ଅନ୍ୟତ୍ର ଦେଖାଯାଏ ନାହିଁ । ବେସର ଓ ମହୁର ଓଡ଼ିଆଙ୍କ ପକ୍ଷେ ଯେପରି ପୁଷ୍ଟିକର ସେହିପରି ସୁସ୍ୱାଦ୍ୟ ବ୍ୟଞ୍ଜନ ଭାବେ ପରିଗଣିତ । ଏହିପରି ଦେଖିଲେ ଆହାର ମଧ୍ୟରେ ଓଡ଼ିଆ ସଂସ୍କୃତିର ସ୍ୱାତନ୍ତ୍ର୍ୟ ସ୍ପଷ୍ଟତଃ ପରିଲକ୍ଷିତ ।

 

ୟାବାଦେ, ଆରାଧନା କଥା ଦେଖନ୍ତୁ, ଆରାଧନା କହିଲେ ଦେବୋପାସନା, ପୂଜା, ପାର୍ବଣ, ଓଷା, ବ୍ରତ ସବୁକୁ ବୁଝାଏ । ଆଗରୁ କୁହାଯାଇଛି, ଅଲୌକିକ ଶକ୍ତିରେ ବିଶ୍ୱାସ ହେଉଛି ମାନବ ସଂସ୍କୃତି, କିନ୍ତୁ ସେହି ବିଶ୍ୱାସକୁ କିଏ କେଉଁ ପ୍ରକାରେ କେତେବେଳେ କି ପଦ୍ଧତିରେ କାର୍ଯ୍ୟକାରୀ କରେ ତାହାହିଁ ସ୍ୱତନ୍ତ୍ର । ଏଥିରେ ବିରୋଧ କରିବାର କିଛି ନାହିଁ, ବିରୋଧର କାରଣ ମଧ୍ୟ ନାହିଁ । ସେହି ପରିପ୍ରେକ୍ଷୀରେ ଦେଖିଲେ ଓଡ଼ିଶାର ଆରାଧନା ପଦ୍ଧତି ଅତି ବିଚିତ୍ର । ସେ ଦେବତା ମାନେ-କିନ୍ତୁ ତା’ର ଦିବ୍ୟତ୍ୱ ମାନେ ନାହିଁ । ତା’ର ଦେବତା ତାଠାରୁ ଅଲଗା ନୁହେଁ । ସେ ଧାତୁ ବା ପାଷାଣର ନୁହେଁ, କାଠର । ସମୟ ଆସିଲେ ସେ ନୂଆଁ କଳେବର ଧାରଣ କରିବ । ଏଣୁ ସେ ଜଗନ୍ନାଥଙ୍କୁ ଆରାଧନାର କେନ୍ଦ୍ରବିନ୍ଦୁ କରିଛି । ଅବଶ୍ୟ ଏହା ଶବର ସଂସ୍କୃତିର ଅବଶେଷ, ସନ୍ଦେହ ନାହିଁ । କିନ୍ତୁ ଓଡ଼ିଆ ସଂସ୍କୃତି ଆର୍ଯ୍ୟ, ଦ୍ରାବିଡ଼, ଶବର ସଂସ୍କୃତିର ସମାହାର ହୋଇଥିବା ଯୋଗୁଁ ତାକୁ ଶବର ସଂସ୍କୃତିର ବୋଲି କହିବା ଅପେକ୍ଷା ଓଡ଼ିଆ ସଂସ୍କୃତି କହିବା ଅଧିକ ଯୁକ୍ତିଯୁକ୍ତ । ଉପାସନା ପଦ୍ଧତି ଦେଖିଲେ ମଧ୍ୟ ସେଇକଥା; କୌଣସି ଦେବତାଙ୍କ ଆରାଧନା ପଦ୍ଧତିରେ ଦିଅଁକୁ କୁଣ୍ଢେଇ ଧରିବା ବିଧି ପ୍ରଚଳିତ ନାହିଁ । ଏକା ଜଗନ୍ନାଥଙ୍କୁ ଭକ୍ତ ଦୁଇ ବାହୁରେ ପୋଟାଳି ଧରି ଆପଣାର ଭକ୍ତି ନିବେଦନ କରେ । ଏହା ଖାଣ୍ଟି ଓଡ଼ିଆ ସଂସ୍କୃତି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ, ଓଡ଼ିଆ ହିଁ ଦୂରବନ୍ଧୁ ସହିତ ଆକସ୍ମିକ ଭେଟ ହୋଇଗଲେ ତାକୁ କୁଣ୍ଢାଇ ପକାଏ । ଛାତିରେ ଭିଡ଼ିଧରେ । ଜଗନ୍ନାଥଙ୍କ ବେଳକୁ ବି ସେଇକଥା, ତା’ ଦୃଷ୍ଟିରେ ଠାକୁର କେବଳ ଜଗନ୍ନାଥ ନୁହନ୍ତି ‘ଜଗବନ୍ଧୁ’ ବି । ଏଣୁ ସେ ତାଙ୍କୁ ବନ୍ଧୁଭଳି ଆଚରଣ ଦେଖାଏ । ତା’ଛଡ଼ା ଦେବାଙ୍କୁ ‘ତୁ’କାର ବା ‘ରେ’ ସମ୍ବୋଧନ ଅନ୍ୟତ୍ର ପରିଦୃଷ୍ଟ ହୁଏ ନାହିଁ । ଏହା ବି ଶାବର ସଂସ୍କୃତିର ଅବଶେଷ । ଆଦିବାସୀ ଯେତେ ବଡ଼ଲୋକ ସହିତ କଥାବାର୍ତ୍ତା କଲେ ବି ତା’ ମୁହଁରୁ ‘ତୁ’ ବିନେ ‘ତୁମେ’ କିମ୍ବା ‘ଆପଣ’ ବାହାରେ ନାହିଁ । ଏଥିରେ ତା’ର ଆନ୍ତରିକତା ବୃଦ୍ଧି ପାଇଛି ସିନା ନ୍ୟୂନ ହୋଇ ପଡ଼ିନି; ତେଣୁ ଜଗନ୍ନାଥଙ୍କୁ ସ୍ତୁତି କଲାବେଳେ ଭକ୍ତ କୁହେ-

 

‘‘ଆସିଥିଲି କାଳିଆ ତୋ ଦରଶନ ପାଇଁରେ,

ତୋତେ ଛାଡ଼ି ଯିବାକୁ ମୋ ମନ ବଳୁନାହିଁ ରେ,’’

 

କିମ୍ବା-

‘‘ହାତଗୋଡ଼ ନାହିଁ ତୋହର କାଳିଆ ହାତଗୋଡ଼ ନାହିଁ ତୋର,

ଚକା ଚକା ଆକ୍ଷି ମେଲି ତୁ ଦେଖୁଛୁ କିଏ ନିଜ କିଏ ପର ।’’

 

ଏହିପରି ଦେବତାଙ୍କୁ ଇତର ପୁରୁଷ ଭାବେ ସମ୍ବୋଧନ କରି ଭାବ ଜଣାଇବା ଓଡ଼ିଆ ସଂସ୍କୃତିର ଅନ୍ୟତମ ବୈଶିଷ୍ଟ୍ୟ । ଏହା ବାଦେ, ମନ୍ତ୍ର ନ ଥାଇ ଭୋଗ ସମର୍ପିବା, ବାଇଶି ପାହାଚରେ ଗଡ଼େଇ ହେବା, ଜୁହାର ସାଙ୍ଗରେ ମୁଣ୍ଡିଆ ମାରିବା, ଓଡ଼ିଆଙ୍କ ଦିଅଁ ଆରାଧନାର ଗୋଟିଏ ଗୋଟିଏ ଇତର ବିଶେଷ । ଏ ସବୁ ଯେ ଖାଣ୍ଟି ଓଡ଼ିଆ ସଂସ୍କୃତି, କହିବା ଅନାବଶ୍ୟକ ।

 

ଏହି ପରିପ୍ରେକ୍ଷୀରେ ବିଚାର କଲେ ଓଡ଼ିଆ ସଂସ୍କୃତିର ପ୍ରକୃତ ସ୍ୱରୂପ ଉଦ୍‌ଘାଟନ କରିବା ସହଜ ହେବ ବୋଲି ମନେହୁଏ । ଅବଶ୍ୟ ଏଠାରେ ଚୁମ୍ବକରେ ଅଳ୍ପ କୋତୋଟି ଉଦାହରଣ ମାତ୍ର ଦିଆଯାଇଛି । କିନ୍ତୁ ଓଡ଼ିଆ ସଂସ୍କୃତିର ସର୍ବାଙ୍ଗୀନ ସ୍ୱରୂପ ନିର୍ଣ୍ଣୟ କରିବାକୁ ହେଲେ ଐତିହାସିକ, ପ୍ରତ୍ନତାତ୍ତ୍ୱିକ, ରାଜନୈତିକ, ମନସ୍ତାତ୍ତ୍ୱିକ, ସାମାଜିକ ଓ ପାରିବେଶିକ ପ୍ରଭୃତି ଦୃଷ୍ଟିକୋଣରୁ ଏହାର ନିରୀକ୍ଷା କରି ଏକ ଯୁକ୍ତିସଙ୍ଗତ ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼ିବ । ଖାଲି ଉପର ଠାଉରିଆ ଭାବେ ‘‘ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି’ ବୋଲି କହିଦେଇ ନିଜକୁ ଦାୟିତ୍ୱମୁକ୍ତ କରିଦେଲେ ଚଳିବ ନାହିଁ । ଜଗନ୍ନାଥ ସଂସ୍କୃତି ଏକ ବ୍ୟାପକ ମାନବ ସଂସ୍କୃତିର ମଧ୍ୟ ପରିପୂର୍ଣ୍ଣ ପ୍ରକାଶ । ସେ ମଧ୍ୟରୁ ଓଡ଼ିଆ ସଂସ୍କୃତିକୁ ଗୋଟି ଗୋଟି କରି ବାଛିବାକୁ ପଡ଼ିବ ଏବଂ ତାହା କେଉଁ କେଉଁ ସଂସ୍କୃତିରୁ ଆହୃତ ହୋଇ ଓଡ଼ିଆ ସଂସ୍କୃତିରେ ପରିଣତ ହୋଇଛି ଦେଖାଇବାକୁ ପଡ଼ିବ । ଓଡ଼ିଶାର ସଂସ୍କୃତିପ୍ରେମୀ ବୁଦ୍ଧିଜୀବୀଗଣ ଏ ମହତ୍ କାର୍ଯ୍ୟରେ ସ୍ୱ-ସ୍ୱ ସାମର୍ଥ୍ୟ ଅନୁଯାୟୀ କର୍ମନିଷ୍ଠା ପ୍ରଦର୍ଶନ କରିବେ ବୋଲି ଆଶା ।

 

***

 

ଓଡ଼ିଶା ସାହିତ୍ୟ ଏକାଡେମୀ ଆଲୋଚନା ଚକ୍ର

(ପୁରୀ ୩୧. ୫-୧.୬.୮୩)

ଓଡ଼ିଆ ସାହିତ୍ୟ ଓ ସଂସ୍କୃତି

ଖଗେଶ୍ୱର ମହାପାତ୍ର

 

ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧରେ ସହସଂଯୁକ୍ତ ଭାବେ ବିଚାର ପ୍ରସଙ୍ଗେ ପ୍ରଥମତଃ ପ୍ରଶ୍ନ ଉଠେ, ଦୁଇଟି ମଧ୍ୟରେ ସମ୍ବନ୍ଧ କ’ଣ–ବିରୋଧାତ୍ମକ, ସମୀକରଣାତ୍ମକ ନା ପରିପୂରଣାତ୍ମକ ? ସାହିତ୍ୟ ଓ ସଂସ୍କୃତି ନିଶ୍ଚିତ ଭାବେ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ନୁହଁନ୍ତି; ପାର୍ଶ୍ୱମଧ୍ୟରେ ଉତ୍‌କୀର୍ଣ୍ଣ ଲେଖାପରି ସଂସ୍କୃତି ମଧ୍ୟରେ ସାହିତ୍ୟର ସ୍ଥିତି । ସଂସ୍କୃତି ଏକ ବୃହତ୍ତର ପ୍ରତ୍ୟୟ, ସାହିତ୍ୟ ତାହାର ଏକତମ ବିଭାଗ ।

 

ସଂସ୍କୃତି ଜାତିର ଚିହ୍ନକ, ସଂଗଠକ । ଜାତି ସଂସ୍କୃତିର ପୃଷ୍ଠପୋଷକ । ସାହିତ୍ୟ ସଂସ୍କୃତିର ଧାରକ, ବାହକ ଓ ପରିପ୍ରକାଶକ । ଏପରିକି ମୌଖିକ ସାହିତ୍ୟ ସମ୍ପନ୍ନ କୌଣସି ଆଦିବାସୀ ଜାତିର ସଂସ୍କୃତି କ୍ଷେତ୍ରରେ ମଧ୍ୟ ଏହା ସମ୍ଭାବ୍ୟ । ଜାତିର ପରିଚୟ କେବଳ ଭୌଗୋଳିକ ପରିସୀମାଦ୍ୱାରା ଅବଧାରିତ ହୁଏ ନାହିଁ । ବରଂ ସଂସ୍କୃତିଗତ ସ୍ୱାତନ୍ତ୍ର୍ୟ ହିଁ ଜାତିର ସ୍ୱରୂପ ନିର୍ଦ୍ଦିଷ୍ଟ କରେ । ପଣ୍ଡିତ ନୀଳକଣ୍ଠଙ୍କ ଭାଷାରେ କହିଲେ ଗୋଟିଏ ଜାତିର ‘ଚାହାଣୀ, ଚଳଣୀ ଓ ଚମକ’ ତାହାର ସଂସ୍କୃତିକୁ ଚିହ୍ନିତ କରେ । ବୈଷୟିକ ତଥା ଆଧିଭୌତିକ (Material and Spiritual) ଭାବରେ ସଂସ୍କୃତିର ସ୍ୱାତନ୍ତ୍ର୍ୟ ପରିସ୍ଫୁଟ ହୁଏ । ଗୋଟିଏ ଜାତି ନିକଟରେ ଯାହା ଖାଦ୍ୟ ଅନ୍ୟର ତାହା ଅଭକ୍ଷ୍ୟ, ଗୋଟିଏ ପକ୍ଷରେ ପାପ ଅନ୍ୟ ପକ୍ଷରେ ପୁଣ୍ୟ । Betrand Russel କହୁଥିଲେ ‘Sin is Geographical’; ବସ୍ତୁତଃ ପାପ ଯଥାର୍ଥରେ ସଂସ୍କୃତିଭିତ୍ତିକ । ସଂସ୍କୃତିର ମୂଲ୍ୟାୟନ ଦୃଷ୍ଟିରୁ ଯଦି ବି ଅପ-ସଂସ୍କୃତି ବା ଉପ-ସଂସ୍କୃତିର କଳନା କରାଯାଏ, ତଥାପି ତାହାହିଁ ହେବ ଜାତିର ଚିହ୍ନକ ।

 

ସଂସ୍କୃତି ମୂଳତଃ ବୁଝାଏ ଜୀବନ ଧାରଣର ପ୍ରଣାଳୀ । ଗୋଟିଏ ଜାତିର ଲୋକେ ଅଭିଜ୍ଞତା ବଳରେ ବିବିଧ ବ୍ୟବହାର ଶିଖନ୍ତି, ଐତିହ୍ୟ ଓ ପରମ୍ପରାରେ ଏହା ପୁରୁଷାନୁକ୍ରମେ ପ୍ରସାରିତ ହୁଏ, ସ୍ୱଭାବତଃ କିମ୍ବା ପ୍ରଭାବବଶତଃ ଏହା ସମୟାନୁକ୍ରମେ ପରିବର୍ତ୍ତିତ ହୋଇଥାଏ । ଗତିଶୀଳ ଜୀବନଧାରାରେ ସମୟାନୁକ୍ରମେ ସ୍ଥିରୀକୃତ ମୂଲ୍ୟବୋଧମାନ ସଂସ୍କୃତିର ସଂପତ୍ତି ଭାବରେ ପରିଗଣ୍ୟ । ଏହିପରି ସଂସ୍କୃତିଗତ ସ୍ୱାତନ୍ତ୍ର୍ୟ ବିନା ଜାତି ବା ସମାଜର ଏକକ ରୂପ ଅନବଧାର୍ଯ୍ୟ ।

 

ସାହିତ୍ୟ ଜାତି, ସମାଜ ଓ ସଂସ୍କୃତି ସହିତ ସଂପୃକ୍ତ । ସାହିତ୍ୟର ମୂଳ ଉପାଦାନ ଭାଷା ହିଁ ଜାତି ଓ ସଂସ୍କୃତି ସଂଗଠନର ଏକ ମୌଳିକ ସୂତ୍ର । ଜାତିର ସାଂସ୍କୃତିକ କ୍ରିୟାକଳାପ ମଧ୍ୟରେ ଏକ ବିଶିଷ୍ଟ କର୍ମ ହେଉଛି ଭାଷାର ବ୍ୟବହାର । ସାହିତ୍ୟ ସୃଷ୍ଟି ଏହି ବ୍ୟବହାରର ଅନ୍ୟତମ ପ୍ରକୃଷ୍ଟ ପର୍ଯ୍ୟାୟ । ପୃଥିବୀର ସବୁ ଭାଷାହିଁ ନିଚ୍ଛକ ପ୍ରତୀକ । ସୁତରାଂ ପ୍ରତୀକ ପ୍ରୟୋଗରେ ଉପଯୋଗିତା ଓ କଳାକୁଶଳତା ସଂସ୍କୃତି ଚେତନାର ଏକ ବିଶେଷସିଦ୍ଧି ଭାବରେ ପରିଗଣ୍ୟ । ଭାଷାର ଶବ୍ଦସମ୍ପତ୍ତି, ବାକ୍‌ଭଙ୍ଗୀରେ ବିବିଧତା, ଭାବପ୍ରକାଶ କ୍ଷମତା ଇତ୍ୟାଦି ଭାଷାର ସାଂସ୍କୃତିକ ମହତ୍ତ୍ୱ ପ୍ରତିପାଦନ କରିଥାଏ । ଦୃଷ୍ଟାନ୍ତ ସ୍ୱରୂପ ‘ଖା-ଭୁଞ୍ଜ-ଗିଳ’ କିମ୍ବା ‘ତୁ-ତୁମେ-ଆପଣ’ ସମାଜର ସ୍ତରିତ ଗଠନ ସୂଚିତ କରେ । ଗୋଟିଏ ଶବ୍ଦ ଏବଂ ପ୍ରୟୋଗବିଧିରୁ ଗୋଟିଏ ଜନଗୋଷ୍ଠୀର ସଂସ୍କୃତି ଧରା ପଡ଼ିଥାଏ । ପତ୍ର ପଡ଼ିଲା ଓ ପାଠ ଗଢ଼ିଲା ଅର୍ଥରେ ‘ଉଲିଆଃ ଲୋଃକେ’ ଡିଡ଼ାଇ ଜନଜାତିର ପରମ୍ପରାରେ ବିଦ୍ୟାଶିକ୍ଷା ପ୍ରଚଳିତ ନ ଥିବାର ପ୍ରମାଣ ଦିଏ । ସେହିପରି ପୁଅ ହୋଇଛି କି ଝିଅ ହେଇଛି ଅର୍ଥରେ ‘କାଠକଟାଳି କି ପତ୍ରତୋଳଣୀ’ ହେଇଛି ଉକ୍ତି ମଧ୍ୟରେ ଜୁଆଙ୍ଗ ଜନଜାତିର ପୁରୁଷ ଓ ସ୍ତ୍ରୀ ମଧ୍ୟରେ ତାରତମ୍ୟ ସୂଚିତ ହୁଏ । ଭାଷାରେ ସୁଭାଷଣ, ଭଦ୍ର ସମ୍ଭାଷଣ, ଅଳଂକରଣ, ବ୍ୟଙ୍ଗୋକ୍ତି, ଶ୍ଳେଷ, ବିନୟ, କ୍ରୋଧ, ଅଭିମାନ ଇତ୍ୟାଦିର ପ୍ରକାଶଭଙ୍ଗୀରେ ବୈଚିତ୍ର୍ୟ ଜାତିର ସାଂସ୍କୃତିକ ଜୀବନଧାରାର ପର୍ଯ୍ୟାପ୍ତ ପ୍ରମାଣ ଦେଇଥାଏ ।

 

ଫରାସୀ ସମାଜ ବିଜ୍ଞାନୀ ସମୀକ୍ଷକ Taine ସାହିତ୍ୟ ସୃଷ୍ଟିର ଏକସୂତ୍ର ଦିଅନ୍ତି ଯେ, ସାହିତ୍ୟର ମୂଳତତ୍ତ୍ୱ-‘the race, the miliem, the moment’ ଅର୍ଥାତ୍‌ ସାହିତ୍ୟ ହେଉଛି ଦେଶକାଳ-ପାତ୍ର ସନ୍ନିହିତ ସୃଷ୍ଟି । ଏକ ନିର୍ଦ୍ଦିଷ୍ଟ ଜାତି ଏକ ନିର୍ଦ୍ଦିଷ୍ଟ ସମୟରେ ଯେଉଁ ସାଂସ୍କୃତିକ ପର୍ଯ୍ୟାବରଣ ମଧ୍ୟରେ ଜୀବନଯାତ୍ରା ନିର୍ବାହ କରେ, ତାହାହିଁ ତା’ର ସାହିତ୍ୟ ସୃଷ୍ଟିକୁ ଉଦ୍‌ବୋଧିତ, ପରିଚାଳିତ ଓ ନିୟନ୍ତ୍ରିତ କରେ । ଅନେକ ବିଶ୍ୱାସ କରନ୍ତି ଗୋଟିଏ ଯୁଗର ସାହିତ୍ୟ ସେ ଯୁଗର ସାଂସ୍କୃତିକ ଇତିହାସର ଉପାଦାନରେ ପରିପୂର୍ଣ୍ଣ ହୋଇଥାଏ । Renam ଏଥିପାଇଁ କହନ୍ତି ଯେ ‘‘A writer belongs to his race and time even if he reacts against them’’ ସାହିତ୍ୟକାର ‘କ୍ରାନ୍ତିଦର୍ଶୀନଃ’ କିମ୍ବା ‘ଅପାରେ କାବ୍ୟ ସଂସାରେ ପ୍ରଜାପତିଃ’ ସଦୃଶ ହୋଇ ପାରନ୍ତି; ମାତ୍ର ତାଙ୍କର ଭିତ୍ତି ହୋଇଥାଏ ସଂସ୍କୃତିର ଧରାତଳ । ଭିନ୍ନ ଭିନ୍ନ ଭାବରେ ବି, ଅନୁଚିତ୍ରଣ, ପୁନର୍ଗଠନ, ସଂଶୋଧନ, ପରିବର୍ତ୍ତନ ଇତ୍ୟାଦି ଅଭିଲକ୍ଷ୍ୟରେ ସାହିତ୍ୟ ସଂସ୍କୃତି ସହିତ ସମ୍ବନ୍ଧାନ୍ୱିତ ହୋଇଥାଏ । ଦାୟିତ୍ୱଶୀଳ ସାହିତ୍ୟିକମାନେ ସର୍ବଦା ନିଜର ସୃଷ୍ଟିକୁ ସଂସ୍କୃତି ନିବଦ୍ଧ କରିଥା’ନ୍ତି, ଯଥାଯଥ ଚିତ୍ରଣ କରିବା ସଙ୍ଗେ ସଙ୍ଗେ ଦୋଷଗୁଣର ନିର୍ଦ୍ଦେଶ, ସଂସ୍କାର ପ୍ରସ୍ତାବ, ଆହରଣ ଲୀପ୍‌ସା, ପୁନଃରୁତ୍‌ଥାନ ପ୍ରବୃତ୍ତି ଇତ୍ୟାଦି ମଧ୍ୟ ଉପସ୍ଥାପନ କରିଥାନ୍ତି । ଯେଉଁଠି ସାହିତ୍ୟରେ ସଂସ୍କୃତିହୀନତା ପ୍ରତିପନ୍ନ ହୁଏ, ବାସ୍ତବରେ ସେଠି ଥାଏ ଯୁଗସନ୍ଧିର ସଂଶୟ ବା ସମୟାନୁକ୍ରମିକ ପରିବର୍ତ୍ତନର ଇଙ୍ଗିତ । ସଂସ୍କୃତ-ବିରୋଧୀ ସାହିତ୍ୟ କାଳକ୍ରମେ ସଂସ୍କୃତିରେ ସମାହିତ ନ ହୋଇ ପାରିଲେ କଦାପି ତିଷ୍ଠି ପାରେନା । ସଂସ୍କୃତି ସଂହତି ସାହିତ୍ୟର ବିରୋଧ କେବଳ ଆପାତ, ସତତ ନୁହେଁ । ତେଣୁ ଉଭୟଙ୍କ ମଧ୍ୟରେ ସମ୍ବନ୍ଧ ସାମୟିକଭାବେ ବିରୋଧାତ୍ମକ ହେଲେହେଁ ବସ୍ତୁତଃ ସମୀକରଣାତ୍ମକ ଏବଂ ପରିପୂରଣାତ୍ମକ ।

 

–୨–

 

ଓଡ଼ିଆ ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ ଓଡ଼ିଆ ସାହିତ୍ୟରେ ଅବଶ୍ୟ ଅନୁସନ୍ଧେୟ । ଓଡ଼ିଆ ସାହିତ୍ୟ ଓଡ଼ିଆ ସଂସ୍କୃତିର ଏକ ବିଶ୍ୱାସନୀୟ ଧାରକ ଓ ବାହକ । ଓଡ଼ିଶାର ସାଂସ୍କୃତିକ କ୍ରମବିବର୍ତ୍ତନର ସମୟ ଓ ପ୍ରବୃତ୍ତି ଅନୁସାରୀ ମୁଦ୍ରାଙ୍କ ସାହିତ୍ୟର ଶରୀରରେ ଅଙ୍କିତ । ଚର୍ଯ୍ୟାଗୀତିକା ରଚନାକାଳରୁ ଅଦ୍ୟାବଧି ପ୍ରଲମ୍ବିତ ସାହିତ୍ୟର ଇତିହାସ ଓଡ଼ିଆ ସମାଜ ଓ ସଂସ୍କୃତିକୁ ଅବଲମ୍ବନ କରି ଯେ କ୍ରମବିକଶିତ ହୋଇଛି, ଏହା ବିଭିନ୍ନ କାଳପର୍ଯ୍ୟାୟର ସାହିତ୍ୟର ସାଂସ୍କୃତିକ ପ୍ରେକ୍ଷାପଟ୍ଟ ବିଶ୍ଳେଷଣ କଲେ ସହଜରେ ଧରାପଡ଼ିଥାଏ । ଗଙ୍ଗବଂଶକାଳର ସ୍ଥାପତ୍ୟ ପରିବର୍ତ୍ତେ ସୂର୍ଯ୍ୟବଶଂକାଳରେ କାହିଁକି ଭାଷା ସାହିତ୍ୟରେ ଗୁରୁତ୍ୱ ଦିଆଗଲା, ଅନ୍ୟାନ୍ୟ ଆଧୁନିକ ଆର୍ଯ୍ୟଭାଷାରେ ପ୍ରଥମେ ରାମାୟଣର ପ୍ରକାଶ ଘଟିଥିଲେ ହେଁ ସାରଳାଦାସ କାହିଁକି ମହାଭାରତକୁ ପ୍ରଥମେ ବାଛିଲେ, ପଞ୍ଚସଖା ବା ଓଡ଼ିଶୀ ବୈଷ୍ଣବ ସାହିତ୍ୟରେ ମାଧୁର୍ଯ୍ୟରସର କାହିଁକି ପରିସ୍ଫୁରଣ ଘଟିଲା ନାହିଁ, ଉପେନ୍ଦ୍ର ଭଞ୍ଜ କାହିଁକି ପୂର୍ବବର୍ତ୍ତୀମାନଙ୍କପରି ଭାଷା ସମ୍ବନ୍ଧରେ ଦୈନ୍ୟ ପ୍ରକାଶ କରି ‘ନୈଷଧପରାୟ’ କାବ୍ୟ ଲେଖିବାର ଅହଂକାର ପୋଷଣ କଲେ, କବିସୂର୍ଯ୍ୟ କାହିଁକି ରାଧାକୃଷ୍ଣ ପ୍ରେମଲୀଳା ବର୍ଣ୍ଣନରେ ଯାବନିକ ଶବ୍ଦ ପ୍ରୟୋଗରେ କୁଣ୍ଠାବୋଧ କଲେ ନାହିଁ, କିମ୍ବା ଆଧୁନିକ ଯୁଗରେ ରାଧାନାଥୀୟ ଧାରାର କିପରି ଅଭ୍ୟୁଦୟ ଓ କ୍ରମରୂପାନ୍ତର ଘଟିଲା ଇତ୍ୟାଦି ପ୍ରଶ୍ନ ସାଂସ୍କୃତିକ ଇତିହାସ ଅନୁସଙ୍ଗରେ ବିଚାର୍ଯ୍ୟ ।

 

ଚର୍ଯ୍ୟାଗୀତିକା ପ୍ରତ୍ନ-ଓଡ଼ିଆ ଭାଷା ଓ ସାହିତ୍ୟର ନିଦର୍ଶନ । ପୂର୍ବ ଭାରତର ଅନ୍ୟାନ୍ୟ ଭାଷାଭାଷୀମାନଙ୍କର ଏହା ଉପରେ ଦାବୀ ହେଉଥିଲେ ହେଁ ଗୀତିକାଗୁଡ଼ିକର ଭାବରେ ଓ ବସ୍ତୁରେ ନିଚ୍ଛକ ଓଡ଼ିଶୀ ସଂସ୍କୃତିର ପ୍ରତିବିମ୍ବନ ବହୁ ପରିମାଣରେ ଦେଖାଯାଏ । ତତ୍କାଳୀନ ଓଡ଼ିଶାର ଧର୍ମୀୟ ପୃଷ୍ଠଭୂମି, ସାମାଜିକ ଚଳଣୀ ଓ ଜୀବନଦର୍ଶନ ଏଥିରେ ପରିପୂର୍ଣ୍ଣଭାବେ ନିହିତ । ସିଦ୍ଧକବିମାନେ ଆଦ୍ୟରୁ ସାହିତ୍ୟ ସୃଷ୍ଟିରେ ଆଧ୍ୟାତ୍ମିକତା ସହିତ ଶୃଙ୍ଗାରିକତା ଓ ସାଙ୍ଗୀତିକତାର ଯେଉଁ ସମନ୍ୱୟ ରୂପାୟିତ କଲେ, ତାହା ବୋଧେ ଆଧୁନିକ କାଳ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର ପ୍ରଧାନତମ ପ୍ରବୃତ୍ତି ଭାବରେ ଦେଖାଦେଇଛି ।

 

ସାରଳା ଦାସଙ୍କଠାରୁ ବିକାଶର ସୂତ୍ରପାତ ହୁଏ । ସେତେବେଳେ ସୂର୍ଯ୍ୟବଂଶୀ ଓଡ଼ିଆ ରାଜତ୍ୱର ଶୁଭାରମ୍ଭ । ଜାତିର ଅମାପ ଧନଧାନ୍ୟ, ଅତୁଳନୀୟ ଶୌର୍ଯ୍ୟବୀର୍ଯ୍ୟ । ଏକ ପକ୍ଷରେ ଦ୍ରାବିଡ଼ ଓ ଅନ୍ୟ ପକ୍ଷରେ ଆର୍ଯ୍ୟ ସଂସ୍କୃତିର ପ୍ରଭାବ । ବିବିଧ ଧର୍ମ ଓ ସଂପ୍ରଦାୟର ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଜଗନ୍ନାଥ ଧର୍ମର ଅଭ୍ୟୁଦୟ । ବ୍ରାହ୍ମଣ୍ୟ-ଶାସ୍ତ୍ରୀୟତା ଓ ସଂସ୍କୃତ ଭାଷା କବଳରୁ ଦେଶୀୟ ବାଣୀର ମୁକ୍ତି କାମନା । ସାରଳା ଦାସ ଏହି ପରିବେଶରେ ହିଁ ସୃଷ୍ଟି କଲେ ମହାଭାରତ-ମୂଳ ସଂସ୍କୃତ ମହାଭାରତର ଦେଶକାଳ ଅନୁସାରୀ ଏକ ଅଭିନବ ସଂସ୍କରଣ । ଓଡ଼ିଆ ଜାତି, ସମାଜ, ସଂସ୍କାର, ଦର୍ଶନ, ଭାଷା, ସଙ୍ଗୀତ, କଳା ଏହି ମହାଗ୍ରନ୍ଥର ହେଲା ପ୍ରଧାନ ଉପାତ୍ତ । ସାହିତ୍ୟ ମାଧ୍ୟମରେ ‘ସଂସ୍କୃତ୍ୟାୟନ’ ସେ ପ୍ରବର୍ତ୍ତନ କଲେ । ପରବର୍ତ୍ତୀକାଳରେ ଏହି ପ୍ରୟାସ ପ୍ରବଳତର ହୋଇ ଉପେନ୍ଦ୍ର ଭଞ୍ଜଙ୍କ ନିକଟରେ ସମୁନ୍ନତ ସୀମା ସ୍ପର୍ଶ କରିଥିଲା । ସମାଜବିଜ୍ଞାନୀମାନେ କହନ୍ତି ନିମ୍ନ/ଗୌଣ/ପ୍ରାଦେଶିକ ସଂସ୍କୃତି ସର୍ବଦା ଉଚ୍ଚ/ପ୍ରଧାନ/ଜାତୀୟ ସଂସ୍କୃତି ପ୍ରତି ଉନ୍ମୁଖ ରହେ । ଭାରତୀୟ ସନ୍ଦର୍ଭରେ ଏହି ପ୍ରବୃତ୍ତିକୁ Sanskritization ବୋଲି ଆଖ୍ୟାତ କରାଯାଏ (M.N. Srinivas, 1955-A note on Sanskritization and Westernization) ସାରଳା ଦାସଙ୍କଠାରୁ ଆରମ୍ଭ କରି ଉପେନ୍ଦ୍ର ଭଞ୍ଜ ପର୍ଯ୍ୟନ୍ତ ମଧ୍ୟଯୁଗୀୟ କବିମାନେ ଏହି ସାଂସ୍କୃତିକ ବିଭାବଟି ସାହିତ୍ୟରେ ପ୍ରତିଫଳିତ କରିଛନ୍ତି । ଯାବତୀୟ ମଧ୍ୟଯୁଗୀୟ ରଚନାର ଆଧାରବସ୍ତୁ ସର୍ବଭାରତୀୟ ବିଷୟ ହେଲେ ହେଁ ସବୁଥିରେ ବିଷୟ ସଂଯୋଜନାରେ, ଉପାଖ୍ୟାନ ପ୍ରସ୍ତୁତିରେ, ଚରିତ୍ରଚିତ୍ରଣରେ ଉତ୍କଳୀୟତା ପରିଦୃଷ୍ଟ ହୁଏ । ଏପରିକି ଏହି କବିମାନେ ବିଶିଷ୍ଟ ସ୍ୱତନ୍ତ୍ର ଆଙ୍ଗିକ (ପୋଇ, ଜଣାଣ, ସଂହିତା, ପଟଳ ଇତ୍ୟାଦି) ଏବଂ ଭାଷା ଓ ଛନ୍ଦ ବ୍ୟବହାରରେ ଆଞ୍ଚଳିକ ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିଛନ୍ତି ।

 

ପଣ୍ଡିତ ନୀଳକଣ୍ଠ ଦାସଙ୍କର ପରି ଅସହନଶୀଳ ଓଡ଼ିଆ ସଂସ୍କୃତିଚେତା ସମୀକ୍ଷକ ଜଗନ୍ନାଥ ସଂସ୍କୃତିର ମାନଦଣ୍ଡରେ ଓଡ଼ିଆ ସାହିତ୍ୟର ବହୁ ଅଂଶ ବିବାସନ କରିବାର ପକ୍ଷପାତୀ; ମାତ୍ର ସଂସ୍କୃତି ଏକ ସ୍ଥିର, ଅଚଳ ଓ ଅପରିବର୍ତ୍ତନୀୟ ପ୍ରତ୍ୟୟ ନୁହେଁ । ଗୌଡ଼ୀୟ ବୈଷ୍ଣବଧାରାର ବା ରାଧାନାଥୀୟ ସାହିତ୍ୟର ଓଡ଼ିଆ ସଂସ୍କୃତି ସହିତ କାଳାନୁକ୍ରମେ ସମୀକରଣ ଘଟିଛି; ଯେତିକି ଆଦୌ ଗ୍ରାହ୍ୟ ନୁହେଁ, କେବଳ ସେତିକି କାଳେ କାଳେ ବିବର୍ଜିତ ହୋଇଛି । ସମନ୍ୱୟ ସାଧନ ସଂସ୍କୃତିର ସ୍ୱଧର୍ମ । ଅଷ୍ଟ୍ରିକ, ଦ୍ରାବିଡ଼ ଓ ଆର୍ଯ୍ୟଜାତି ଓ ଭାଷାର; ଉତ୍କଳ, କଳିଙ୍ଗ ଓ କୋଶଳ ଅଞ୍ଚଳର; ବ୍ରାହ୍ମଣ, ବୌଦ୍ଧ ଓ ବୈଷ୍ଣବଧର୍ମର ତ୍ରିଧାରା ସମନ୍ୱୟରେ ମୁଖ୍ୟତଃ ଗଢ଼ି ଉଠିଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତ୍ରିମୂର୍ତ୍ତିଭିତ୍ତିକ ଓଡ଼ିଆ ଜାତିର ସଂସ୍କୃତି । ଓଡ଼ିଆ ସାହିତ୍ୟରେ ବି ତଦନୁରୂପଭାବେ ବିଭିନ୍ନ ଧର୍ମ, ଦର୍ଶନ, ଆଦର୍ଶ ଏବଂ ଆଙ୍ଗିକ ଓ ଭାଷିକଧାରାର ସମନ୍ୱୟ ପରିଲିଖିତ ହୁଏ । କେହି କେହି ଓଡ଼ିଆ ସାହିତ୍ୟର ଏକ ପ୍ରଧାନ ପ୍ରବୃତ୍ତି ନିଧାର୍ଯ୍ୟ କରିବାର ପ୍ରୟାସ କରିଥାନ୍ତି । ମାତ୍ର ବାସ୍ତବରେ ଏକ ନୁହେଁ, କେତୋଟି ପ୍ରଧାନ ପ୍ରବୃତ୍ତି ନିର୍ଦ୍ଦେଶ କରାଯାଇପାରେ; ଯାହା ହୋଇପାରେ ଧର୍ମାତ୍ମକ, ରସାତ୍ମକ, ସଙ୍ଗୀତାତ୍ମକ, ଗ୍ରାମଭିତ୍ତିକ, ଗଣାନୁଗ ଇତ୍ୟାଦି ଭଳି କିଛି ବିଶେଷ ଆଭିମୁଖ୍ୟସଂପନ୍ନ ।

 

ସାହିତ୍ୟ ଏକ ଭାଷିକ କଳା ଏବଂ ଭାଷା ଏକ ସାଂସ୍କୃତିକ ସଂପତ୍ତି । ଓଡ଼ିଆସାହିତ୍ୟରେ ଭାଷା ପ୍ରୟୋଗର ବିଧି ଓ ଶୈଳୀ ପର୍ଯ୍ୟାୟାନୁକ୍ରମେ ଅନୁଶୀଳନ କଲେ ସାହିତ୍ୟ ସହିତ ସଂସ୍କୃତିର ସମନ୍ୱୟ ପ୍ରକ୍ରିୟା ସୂଚିତ ହୋଇଥାଏ । ସାରଳା ଦାସଙ୍କ ବ୍ୟବହୃତ ଚଳିତଭାଷା, ପଞ୍ଚସଖାଙ୍କ ଶାସ୍ତ୍ରଭାଷା ଏବଂ ଭଞ୍ଜଙ୍କ କାବ୍ୟଭାଷା ଯୁଗଧର୍ମର ସୂଚକ । କବିସୂର୍ଯ୍ୟ, ବଡ଼ଜେନା ପ୍ରଭୃତିଙ୍କ ସାହିତ୍ୟରେ ଯାବନିକ ଶବ୍ଦ ପ୍ରୟୋଗ ଓ ଆଧୁନିକ କାଳରେ ଇଂରାଜୀଆନାର ମୁଦ୍ରାଙ୍କ ପରମ୍ପରାର ପରିବର୍ତ୍ତନ ଓ ପରିମାର୍ଜନ ଦ୍ୟୋତକ । ସାରଳା ଓ ଭଞ୍ଜଯୁଗର କେତେ ଶବ୍ଦ ଓ ବାକ୍‌ରୀତି ଆଜି ଅପ୍ରଚଳିତ । ରୁଚି ଓ ଅଭିବ୍ୟକ୍ତି ପଦ୍ଧତିରେ ପରିବର୍ତ୍ତନ ଫଳରେ ଏହା ଘଟିଛି । ଭାଷାବୈଜ୍ଞାନିକ ପରିଭାଷାରେ ଓଡ଼ିଆ ‘Langue’ କ୍ରମ ସମୃଦ୍ଧ ହୋଇ ଚାଲିଛି; ମାତ୍ର ‘Parole’ ଦେଶକାଳ ପାତ୍ର ଅନୁସାରେ ବଦଳୁଛି । ଜଗନ୍ନାଥ ଦାସ ଓଡ଼ିଆରେ ଭାଗବତ ଲେଖିଲାବେଳେ ଯେପରି ପ୍ରତିବାଦ ହୋଇଥିଲା, ସେପରି କବିସୂର୍ଯ୍ୟ, ରାଧାନାଥ, ସବୁଜ କବି ଓ ସଚ୍ଚି ରାଉତରାୟଙ୍କ ଭାଷାର ଅଭିନବତା ଉପରେ କଟାକ୍ଷପାତ କରାଯାଇଥିଲା । ବର୍ତ୍ତମାନ ଏ ସବୁ ବିରୋଧି ଭାଷା ବ୍ୟବହାର ପ୍ରଣାଳୀ ଓଡ଼ିଆ ଭାଷାରେ ସାମାନ୍ୟ ସ୍ୱରୂପରେ ଅନ୍ତର୍ଭୁକ୍ତ ହୋଇଯାଇଛି । ଏପରିକି ଉପଭାଷା ବା ଆଞ୍ଚଳିକ ‘ବୋଲି’ ଆମ ସାହିତ୍ୟରେ ଅପାଂକ୍ତେୟ ନୁହେଁ । ଭାଷା ବ୍ୟବହାରରେ ଯେଉଁ ସାଂସ୍କୃତିକ ମୂଲ୍ୟାୟନ ଆରୋପ କରିବାର ପ୍ରବୃତ୍ତି ଥିଲା, ଏବେ ତାହା ତିରୋହିତ । ସଂସ୍କୃତିର ଲୋକତାନ୍ତ୍ରିକ ଆୟତନ ପ୍ରସାରିତ ହେବାଦ୍ୱାରା ଏହା ସଂଭବ ହୋଇଛି । ଏକ ପ୍ରଶଂସନୀୟ ବିଭାବ ନ ହେଲେ ବି, ଶିକ୍ଷିତ ଓଡ଼ିଆ ବଚନିକାରେ ଇଂରାଜୀ ଶବ୍ଦର ଯଥେଚ୍ଛ ବିନ୍ୟାସ ଆଧୁନିକ କାଳରେ ଭାଷାରେ ଏକପ୍ରକାର ସାଂସ୍କୃତିକ ସମନ୍ୱୟର ପ୍ରତ୍ୟୟ ସୃଷ୍ଟି କରେ ।

 

ସର୍ବଶେଷରେ ମନେ ରଖିବାକୁ ହେବ, ସଂସ୍କୃତିର ଏକ ଆର୍ଥନୈତିକ ରାଜନୈତିକ ଭିତ୍ତି ଦେଖାଯାଏ । ଊନବିଂଶ ଶତାବ୍ଦୀରେ ବଂଗାଳୀମାନେ ଓଡ଼ିଆ ସଂସ୍କୃତିକୁ ହେୟଜ୍ଞାନ କରୁଥିଲେ । ଏବେ ହୁଏତ ଆମେ ବଣ୍ଡା ଜନଜାତି ସଂସ୍କୃତିହୀନ ବୋଲି କହିଥାଉଁ; ଅଥଚ, ନବଧନାଢ଼୍ୟ ଗୋଷ୍ଠୀର ଅପମିଶ୍ରିତ ସଂସ୍କୃତି ଆମର ଦୃଷ୍ଟି ଆକର୍ଷକ ହୋଇ ପାରୁଛି । ସମ୍ପତ୍ତି ଓ ପ୍ରତିପତ୍ତି ବଳରେ ସଂସ୍କୃତିର ପ୍ରଭାବ ବିସ୍ତାରିତ ହୋଇଥାଏ । ପ୍ରତିରୋଧ ପରିବର୍ତ୍ତେ ଆତ୍ମରକ୍ଷାର ପକ୍ଷପାତୀ ଏବଂ ଜନଭିତ୍ତିକ ନୁହେଁ, ଧନଭିତ୍ତିକ ଜୀବନ-ପ୍ରଣାଳୀରେ ବିଶ୍ୱାସୀ ଯେକୌଣସି ଜାତି ଏହି ପ୍ରଭାବର ବଶବର୍ତ୍ତୀ ହୋଇଯାଏ । ଓଡ଼ିଶା ଭୂଇଁରେ ଅନେକ ବହିଃପ୍ରଭାବର ଜୁଆରଭଟ୍ଟା ଦେଖାଦେଇଛି । ମାତ୍ର କୌଣସି ପର୍ଯ୍ୟାୟରେ ସଂପୂର୍ଣ୍ଣ ବିରୋଧ ଅଥବା ସମର୍ଥନ ଦେଖା ଦେଇନାହିଁ । ଜାତିର ଶାନ୍ତ, ସହିଷ୍ଣୁ ଓ ନମନୀୟ ଚରିତ୍ର-ଗୁଣରେ ସଂସ୍କୃତିର ଐତିହ୍ୟ ସଂରକ୍ଷିତ ହୋଇ ଆସିଛି । ଓଡ଼ିଆ ସାହିତ୍ୟରେ, ଏପରିକି ପ୍ରଚୁର ବୈଦେଶିକ ପ୍ରଭାବ ପ୍ରଣୋଦିତ ଆଧୁନିକ ଯୁଗରେ, ଏହି ଐତିହ୍ୟ ଚେତନା, ଚରିତ୍ରଗୁଣ ଓ ମୂଲ୍ୟବୋଧ ନିୟତ ପ୍ରତିଫଳିତ ହୋଇଛି । ତେଣୁ ଏତେ ଆହରଣ ଓ ଅନୁକରଣ ସତ୍ତ୍ୱେ, ପରୀକ୍ଷା ଓ ପ୍ରୟୋଗ ସତ୍ତ୍ୱେ ସାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ କି କବିସୂର୍ଯ୍ୟ ସମେତ ସଚ୍ଚିବାବୁ, ଗଡ଼ନାୟକ, ରମାକାନ୍ତ, ସୀତାକାନ୍ତ, ସୌଭାଗ୍ୟ, ମନୋରଞ୍ଜନ, ମନୋଜ, ଚନ୍ଦ୍ରଶେଖର, ନୀଳମଣି, କୃଷ୍ଣପ୍ରସାଦ ପ୍ରମୁଖ ଆମର ପ୍ରିୟ ଏବଂ ଛାନ୍ଦ, ଚୌପଦୀ ପଦାବଳୀ ସହିତ ଛ’ମାଣ ଆଠଗୁଣ୍ଠ, ମାଟିର ମଣିଷ, ଶାସ୍ତି, ମାଟି ମଟାଳ, ନୀଳଶୈଳ କି ଶକୁନ୍ତଳା ଆମର ପାଠ୍ୟ ।

 

ସଂସ୍କୃତର ନ୍ୟୂନତମ ସଂଜ୍ଞା ଓ ସ୍ୱରୂପ ସନାକ୍ତକରଣ ସୁକଠିନ । ସଂସ୍କୃତି କହିଲେ ବୁଝାଏ ଅନେକ ଧାରା (fruits), ଧାରା ଛନ୍ଦଣିର ଅନେକ ପ୍ରାରୂପ (patterns) ଏବଂ ପ୍ରାରୂପ ସମାରୋହର ଜଟିଳ ବ୍ୟବସ୍ଥା (Complex) । ଖାଇବା ପିନ୍ଧିବାଠାରୁ ଚିଂତା ଚେତନା ପର୍ଯ୍ୟନ୍ତ ସଂସ୍କୃତିର ଆଧାର । ଓଡ଼ିଆ ସଂସ୍କୃତିର ସଂଜ୍ଞା ‘ପଖାଳଖିଆ’ ‘କରିଆପିନ୍ଧା’ କହିଲେ ବି ଚଳେ, ‘କର୍ମବାଦୀ’, ‘ଗଣଧର୍ମୀ’, ‘ଶୂନ୍ୟପନ୍ଥୀ’ କହିଲେ ବି ଚଳେ । କିନ୍ତୁ ଏହାସବୁ ସଂସ୍କୃତିର ଏକକ ସଂଜ୍ଞା ହୋଇ ପାରେନା । ଏପରି ବହୁ ବିଭାବର ସମନ୍ୱୟରେ ସଂସ୍କୃତିର ସ୍ୱରୂପ ଅବଧାରଣା କରାଯାଇପାରେ । ଓଡ଼ିଆ ଭାଷା ଓ ସାହିତ୍ୟରେ ସଂସ୍କୃତିର ଯେତିକି ଝଲକ ପ୍ରକଟିତ ହୁଏ, ତାହା ମଧ୍ୟ ବହୁଭାବ-ସମନ୍ୱିତ । ଓଡ଼ିଆ ସାହିତ୍ୟ ସଂସ୍କୃତିର ବିବର୍ତ୍ତନ ଧାରାରେ ବିକଶିତ ହୋଇଛି । ଯାହା ପ୍ରକ୍ଷିପ୍ତ ବା ଅନୁପ୍ରବିଷ୍ଟ ତାହା ତିଷ୍ଠି ପାରିନାହିଁ । ସାଂପ୍ରତିକ ସାହିତ୍ୟରେ ସମାଜଚେତନା ପରିବର୍ତ୍ତେ ବ୍ୟକ୍ତି ଚେତନା ଅଗ୍ରାଧିକାର ପାଉଛି । ଏହି ପ୍ରକାର ସମସ୍ତ ବ୍ୟକ୍ତିସତ୍ତା ସମାଜ ଅନ୍ତର୍ଗତ ବିରୋଧୀ ଧାରାର ହିଁ ପ୍ରତୀକ । ଏମାନଙ୍କ ମଧ୍ୟରେ ଯେଉଁମାନଙ୍କଠାରେ ସଂସ୍କୃତିକୁ ପ୍ରଭାବିତ କରିବାର ଶକ୍ତି ଥାଏ, ସେମାନେ ପ୍ରତିଷ୍ଠା ପାଆନ୍ତି; ଏମାନଙ୍କ ମଧ୍ୟରେ ଯେଉଁମାନଙ୍କଠାରେ ସଂସ୍କୃତିକୁ ପ୍ରଭାବିତ କରିବାର ଶକ୍ତି ଥାଏ, ସେମାନେ ପ୍ରତିଷ୍ଠା ପାଆନ୍ତି; ଅନ୍ୟମାନେ ବିସ୍କୃତ ହୁଅନ୍ତି-। ତେଣୁ ସଂସ୍କୃତି-ବିରୋଧୀ ହୋଇ ସାହିତ୍ୟ ସମାଦୃତ ହେବା ସଂଭବ ନୁହେଁ । ଶେଷରେ, ପ୍ରସଙ୍ଗତଃ ପୁନରାୟ କୁହାଯାଇପାରେ, ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ସମ୍ବନ୍ଧ ବିମ୍ବ-ପ୍ରତିବିମ୍ବ ସଦୃଶ ନ ହେଲେ ହେଁ ବୃକ୍ଷ ଓ ଫଳ ଅଥବା ଶରୀର ଓ ଅବୟବ ପରି ପରିକ୍ପନୀୟ । ସଂସ୍କୃତ ଯଦି ହୁଏ ‘social heredity’ ସାହିତ୍ୟ ହେଉଛି Cultural sensitivity.

 

 

ମୁଖ୍ୟ ଅଧ୍ୟାପକ, ଓଡ଼ିଆ ବିଭାଗ

ବିଶ୍ୱଭାରତୀ

ଶାନ୍ତିନିକେତନ

 

***

 

ପଶ୍ଚିମ ଓଡ଼ିଶାର ଡାଲଖାଇ*

ଅଧ୍ୟାପକ ହୃଦମଣି ପ୍ରଧାନ

 

* ଅନେକ ସ୍ଥାନରେ ଏହି ଶବ୍ଦକୁ ’ଡୋଲଖୋଇ’ ବୋଲି ଉଚ୍ଚାରଣ କରନ୍ତି ।

 

ଡାଲଖାଇ ଓଷା-ବ୍ରତ-ପର୍ବ

ସାଧାରଣତଃ ଡାଲଖାଇ ବୋଇଲେ ଆମେ ଏକପ୍ରକାର ନାଚଗୀତକୁ ବୁଝିଥାଉଁ । ଏହି ଲୋକନୃତ୍ୟରେ ବିଭିନ୍ନ ପ୍ରକାର ସମ୍ବଲପୁରୀ ଲୋକଗୀତ ସହ ବିଶେଷତଃ ଡାଲଖାଇ ଗୀତ ବୋଲା ଯାଇଥାଏ ଓ ତହିଁରେ ଢୋଲ, ନିଷାନ୍‌, ମହୁରୀ, ଚାଙ୍ଗୁ (ତସା) ତଥା ଘୁଙ୍ଗୁର ଇତ୍ୟାଦି ଗ୍ରାମ୍ୟ ବାଦ୍ୟଯନ୍ତ୍ରଗୁଡ଼ିକ ବ୍ୟବହୃତ ହୋଇଥାଏ । କିନ୍ତୁ ବାସ୍ତବରେ ଡାଲଖାଇ କେବଳ ଏତିକି ନୁହେଁ-ଝିଅମାନଙ୍କର ନିର୍ଜ୍ଜଳ ଉପବାସ ହେତୁ ଏହାକୁ ‘ଡାଲଖାଇ ଓଷା’ ବା ‘ଭାଇଜିଇଁତା ଓଷା’ କୁହାଯାଇଥାଏ । ଡାଲଖାଇରେ ପୁଣି ପୂଜା-ଅର୍ଚ୍ଚନାର କେତେଗୁଡ଼ିଏ ନୀତି-ନିୟମ ପାଳନ କରି ତଥା ଭାଇମାନଙ୍କ ମଙ୍ଗଳ କାମନା କରି ଭଉଣୀମାନେ ଏକ ପୁଣ୍ୟ କାମ କରୁଥିବାରୁ ଏହାକୁ ‘ଡାଲଖାଇ ବ୍ରତ’ ମଧ୍ୟ ବୋଲାଯାଇପାରେ । ମୁଖ୍ୟତଃ ଗାଆଁର କୁମାରୀ ଝିଅମାନେ ସେମାନଙ୍କ ସୁଲଳିତ ଗୀତ ନାଚଦ୍ୱାରା ଏକ ଆନନ୍ଦମୟ ବାତାବରଣ ସୃଷ୍ଟି କରି ଏହାକୁ ଉତ୍ସବମୁଖର କରି ପାରୁଥିବାରୁ ଡାଲଖାଇକୁ ଏକ ‘ପର୍ବ’ ଭାବରେ ମଧ୍ୟ ଗ୍ରହଣ କରାଯାଇ ପାରେ ।

 

ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି ତଥା ମଧ୍ୟପ୍ରଦେଶର ରାୟପୁର ଜିଲ୍ଲାର ଓଡ଼ିଆ ଗ୍ରାମମାନଙ୍କରେ ବହୁ ପୂର୍ବକାଳରୁ ଡାଲଖାଇ ହୋଇ ଆସୁଥିଲା । ଏବେ ସମ୍ବଲପୁର ଓ ବଲାଙ୍ଗୀରର ଗ୍ରାମାଞ୍ଚଳରେ ପୂର୍ବ ପରମ୍ପରାକ୍ରମେ ଏହା ଅନୁଷ୍ଠିତ ହେଉଛି । ଲୋକରୁଚିର ପରିବର୍ତ୍ତନ ହେତୁ ପୂର୍ବେ ଯେଉଁ ଅଞ୍ଚଳରେ ଓ ଗ୍ରାମମାନଙ୍କରେ ଏହା ଅନୁଷ୍ଠିତ ହେଉଥିଲା, ଏବେ ସେପରି ଅନେକ ଅଞ୍ଚଳରେ ଆଉ ହେଉନାହିଁ । ଡାଲଖାଇ ଅନେକ ଗ୍ରାମରେ ବନ୍ଦ ହେବାର କାରଣ ହେଉଛି ଏହାର ଲୋକଗୀତରେ ଥିବା ସାମାନ୍ୟ ଅଶ୍ଳୀଳତା ତଥା ଅନେକ କ୍ଷେତ୍ରରେ ଯୁବକମାନଙ୍କର ଅନୁପ୍ରବେଶ । ଏବେ ଯେଉଁଠି ଡାଲଖାଇ ହେଉଛି ତା’ ପ୍ରତି ଗ୍ରାମବାସୀମାନେ ସତର୍କ ଦୃଷ୍ଟି ରଖିଥିବା ଅନୁମିତ ହୁଏ, କାରଣ ଏଥିରେ ପ୍ରାୟ ଅଶ୍ଳୀଳତା ନଥାଏ ଓ ଗାଆଁର ମା’-ଭଉଣୀମାନେ ସମସ୍ତେ ଏହି ନାଚଗୀତ ଉପଭୋଗ କରିଥାନ୍ତି ।

 

ପର୍ବ-ପର୍ବାଣୀର ସମୟ

କେବଳ ଓଡ଼ିଶାରେ କାହିଁକି, ଭାରତର ସର୍ବତ୍ର ଭାଦ୍ରବ ଓ ଆଶ୍ୱିନ ମାସଦ୍ୱୟ ଏକ ପର୍ବ-ପର୍ବାଣୀର ସମୟ । ଭାଦ୍ରବ କୃଷ୍ଣ ଅଷ୍ଟମୀରେ ଏ ଅଞ୍ଚଳରେ ମୁଖ୍ୟତଃ କୁମାରୀମାନେ ସାରାଦିନ ଉପବାସ ରହି ଜନ୍ମାଷ୍ଟମୀ ପାଳନ କରନ୍ତି । ଏଠାରେ ଲକ୍ଷ୍ୟ କରିବା କଥା ହେଲା ଶ୍ରୀକୃଷ୍ଣଙ୍କ ଜନ୍ମଚରିତ ଅନେକ କ୍ଷେତ୍ରରେ ଅଭିନୟଦ୍ୱାରା ରାତିରେ ପରିବେଶିତ ହୋଇଥାଏ । ସେହି ମାସ ଶୁକ୍ଳ ଚତୁର୍ଥୀରେ ଗଣପତିଙ୍କ ଜୟନ୍ତୀ ପାଳନ କରାଯାଏ । ତା’ପରେ ପଞ୍ଚମୀ ଦିନ କିମ୍ବା କୌଣସି ଏକ ଶୁଭତିଥିରେ ଏ ଅଞ୍ଚଳର ଏକ ବଡ଼ ପର୍ବ ‘ନୂଆଁଖାଇ’ ପାଳନ କରାଯାଏ, ଯେତେବେଳେ ନୂଆଧାନ ଓ ଅନ୍ୟାନ୍ୟ ଶସ୍ୟ ପ୍ରଚୁର ପରିମାଣରେ ଲୋକଙ୍କୁ ମିଳିଥାଏ । ଏକାଦଶୀ ଦିନ କିମ୍ବା ଭାଦ୍ରବ ଓ ଆଶ୍ୱିନ ମାସର ଯେକୌଣସି ଦିନ ପ୍ରାୟ ପ୍ରତ୍ୟେକ ଗ୍ରାମରେ ‘କରମ୍‌ସାନି’ ଦେବୀଙ୍କର ପୂଜା ହୋଇ ସାରାରାତି କର୍ମା ନାଚଗୀତ ଅନୁଷ୍ଠିତ ହୋଇଥାଏ । ଏହାର ଗୀତରେ ତିଥିର ସୂଚନା ମିଳିଥାଏ-

 

କର୍ମା କେ ଏକାଦଶୀ

ଫୁଲ ଫୁଟେ ବାରମାସୀ ।

 

ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ଦୁତିବାହନ ଓଷାକୁ ଏ ଅଞ୍ଚଳରେ ପୋ ଜିଇଁତା ବୋଲି କହନ୍ତି-। ଏହି ଉପବାସ ଓ ବ୍ରତ ପୁଅମାନଙ୍କ ମଙ୍ଗଳ କାମନା କରି ମାଆମାନେ କରନ୍ତି । ତା’ପରେ ଆଶ୍ୱିନ ଶୁକ୍ଳ ମହାଷ୍ଟମୀ ବା ଦୁର୍ଗାଷ୍ଟମୀ ଦିନ ହୋଇଥାଏ ବିଖ୍ୟାତ ଭାଇ ଜିଇଁତା, ଯାହା ଭଉଣୀମାନଙ୍କର ଓଷା । ଭଉଣୀମାନେ ଉପବାସ ରହି ପବିତ୍ର ଭାବରେ ଏହିଦିନ ଦୁର୍ଗତିନାଶିନୀ ଦୁର୍ଗା ତଥା ଈଶ୍ୱର-ପାର୍ବତୀଙ୍କୁ ନିଜ ନିଜ ଭାଇମାନଙ୍କ ମଙ୍ଗଳ କାମନା କରି ପୂଜା-ଅର୍ଚ୍ଚନା କରିଥାନ୍ତି-। ଏହାର ଏକ ବିଶେଷ ପ୍ରକାର ଅନୁଷ୍ଠାନ ହେଉଛି ଡାଲଖାଇ । ଭଉଣୀମାନେ ସବୁଠାରେ ‘ଭାଇଜିଇଁତା’ କରନ୍ତି; କିନ୍ତୁ ଡାଲଖାଇ ହୁଏ ମାହେଶ୍ୱରୀଙ୍କ ମନ୍ଦିର ଥିବା କେତେକ ବିଶିଷ୍ଟ ସ୍ଥାନମାନଙ୍କରେ । ତା’ପରେ ଆସେ ବିଜୟା ଦଶମୀ ଯାହା ଭାରତର ସର୍ବତ୍ର ମହା ସମାରୋହରେ ପାଳିତ ହୋଇଥାଏ ।

 

ଏଠାରେ ଏହାର ତାତ୍ତ୍ୱିକ ଆଲୋଚନା ସମ୍ଭବ ନ ହେଲେ ମଧ୍ୟ କେତେକ ବିଷୟରେ ସାମାନ୍ୟ ସୂଚନା ନ ଦେଲେ ଏହା ଅସମ୍ପୂର୍ଣ୍ଣ ମନେ ହେବ । ଓଡ଼ିଶାର ପଶ୍ଚିମାଞ୍ଚଳରେ ଲୋକେ ସାଧାରଣତଃ କୃଷି ଉପରେ ନିର୍ଭର କରନ୍ତି । ଭଲ ଫସଲ ହୋଇଥିଲେ ସେମାନେ ଖୁବ୍‌ ଆନନ୍ଦିତ ହୋଇଥାନ୍ତି । ତେଣୁ ଯେତେବେଳେ ସେମାନେ ନୂତନ ଫସଲ ଦେଖନ୍ତି, ଉଭୟ ପୁରୁଷ ଜାତି ଓ ମାତୃଜାତି ଆନନ୍ଦ-ବିଭୋର ହୋଇ ବିଭିନ୍ନ ଦେବ-ଦେବୀଙ୍କ ପୂଜା ଅର୍ଚ୍ଚନା କରି ନାନାପ୍ରକାର ନାଚ-ଗୀତ ସଙ୍ଗରେ ଶରତ୍‍କାଳୀନ ଅବସର ବିନୋଦନ କରିଥାନ୍ତି । ରାବଣ ଉପରେ ରାମଚନ୍ଦ୍ରଙ୍କ ବିଜୟ ଉତ୍ସବ ବିଜୟା ଦଶମୀ ଦିନ ପାଳିତ ହେଲାପରି ନାନା ପ୍ରକାର ବାଧାବିଘ୍ନ ପାରି ହୋଇ, ଅଭାବ ଅସୁବିଧା ସହ ସଂଘର୍ଷ କରି, ଶରତ୍‌କାଳରେ କୃଷକ ସମାଜ ଦୁଃଖ-ଶୋକ ଉପରେ ବିଜୟ ଲାଭକରି ଉତ୍ସବ-ମୁଖର ହୋଇଉଠେ ବୋଲି ମନେହୁଏ । ଏଠିକାର ପ୍ରଧାନ ଶସ୍ୟ ଧାନର ଅମଳ ହେବା ଠିକ୍‌ଆଗରୁ ଏସବୁ ଉତ୍ସବ ଅନୁଷ୍ଠିତ ହୋଇଥାଏ ।

 

ଡାଲଖାଇ ପୂଜା ଅର୍ଚ୍ଚନା ବିଧି

ଆଶ୍ୱିନ ଶୁକ୍ଳ ସପ୍ତମୀ ପୂର୍ବରୁ ଗାଆଁର କୌଣସି ଏକ ପିଣ୍ଡା କାନ୍ଥରେ ମଙ୍ଗଳାକୋଠି ପରି ଏକ ଡାଲଖାଇ କୋଠି ପ୍ରସ୍ତୁତ କରାଯାଏ । ଏହା ଷୋହଳ ବଖରାଯୁକ୍ତ ଏକ କୋଠି ଓ ପ୍ରତ୍ୟେକ ବଖରାରେ ଜଣେ ଜଣେ ଦେବ ଦେବୀ ଥାଆନ୍ତି । ଦୁର୍ଗା ମୁଖ୍ୟ ସ୍ଥାନ ଅଧିକାର କରିଥାନ୍ତି । ପ୍ରଦତ୍ତ ଫଟୋଚିତ୍ରରେ ଥିବା କୋଠିରେ ଦୁର୍ଗାଙ୍କ ବଖରାଟି ମଝିରେ ତଥା ସବୁଠୁ ବଡ଼ ଆକାରରେ ପ୍ରଦର୍ଶିତ ହୋଇଛି । କୌଣସି କୌଣସି ଗ୍ରାମରେ କେବଳ ଦୁର୍ଗାଙ୍କ ବଖରାଯୁକ୍ତ ଏକ କୋଠି ପ୍ରସ୍ତୁତ କରାଯାଏ; ମାତ୍ର ପୂଜାବେଳେ ସମସ୍ତ ଦେବ-ଦେବୀଙ୍କ ବନ୍ଦନା କରାଯାଏ । ଏଠାରେ ଚିତ୍ରରେ ଥିବା ଡାଲ୍‌ଖାଇ କୋଠି ୧୯୮୦ରେ ପେଟୁପାଲିରେ ଦେଖିବାକୁ ମିଳିଥିଲା । ଏହା ଅତ୍ୟନ୍ତ ସୁନ୍ଦର ଓ କଳାପର୍ଣ୍ଣ ହୋଇଛି । ଅନ୍ୟତ୍ର କୋଠିର ବଖରାମାନଙ୍କରେ ଫଟୋଚିତ୍ରରେ ଉପର ଧାଡ଼ିରୁ ବାମରୁ ଡାହାଣକୁ ସରସ୍ୱତୀ, ଗଣେଷ, ଦୁର୍ଗା, ଈଶ୍ୱର, ପାର୍ବତୀ; (ମଝିଧାଡ଼ି) ବ୍ରହ୍ମା, ଲକ୍ଷ୍ମୀ, କଇଁଛ, ରାବଣ, ହନୁମାନ; (ତଳଧାଡ଼ି) କାର୍ତ୍ତିକ, ଅଏଲା, ମାଛ, କୁବେର, ରଏଲା ଓ ବରୁଣ ଦେବଦେବୀଙ୍କ ଚିତ୍ରସବୁ ପ୍ରଦର୍ଶିତ ହୋଇଛି । ଏହି ଚିତ୍ରସବୁ ଦେଖିଲେ ଏମାନଙ୍କ ବିଷୟରେ ଅନେକ କଥା ଜାଣିବାକୁ ଇଚ୍ଛା ହୁଏ । କଇଁଛ ଓ ମାଛ ଭଗବାନଙ୍କ ଅବତାର ବିଶେଷ । ରାବଣ ମହାଜ୍ଞାନୀ ପଣ୍ଡିତ ତଥା ଅନ୍ୟତମ କାଳୀପୂଜକ, ଯାହାକୁ ଭଗବାନ ଶ୍ରୀରାମଚନ୍ଦ୍ର ସେତୁବନ୍ଧ ପ୍ରତିଷ୍ଠାରେ ପୁରୋହିତ ଭାବରେ ନିମନ୍ତ୍ରଣ କରିଥିଲେ । ‘ଅଏଲା’ ଓ ‘ରଏଲା’ ବୋଧହୁଏ ଦୁଇ ଭଉଣୀ କିମ୍ବା ଦୁଇ ମିତଣୀ, ଯେଉଁମାନେ ସର୍ବପ୍ରଥମେ ଏପରି ଭାବରେ ଏ ଓଷା ପାଳନ କରିଥିଲେ ।

 

ଡାଲଖାଇ କୋଠିରେ ପୂଜା ଅର୍ଚ୍ଚନା ତଥା ବନ୍ଦନା ପାଇଁ, ଜଣେ ପୁରୁଷ ବା ସ୍ତ୍ରୀ ଯିଏ ଧୂନ୍‌କେଲ ଗୀତ ଓ ବାଦ୍ୟ ଜାଣିଥାଏ, ତାକୁ ନିଯୁକ୍ତ କରାଯାଏ । ଧୂନ୍‌କେଲ ବାଦ୍ୟ ପାଇଁ ଗୋଟିଏ ହାଣ୍ଡି, ଗୋଟିଏ ‘କୁଲା’, ଗୋଟିଏ ଧୂନ୍‌କେଲ ବାଡ଼ି ଓ ଘୁଙ୍ଘୁରବନ୍ଧା ଆଉ ଏକ ଝୁମୁକା ବାଡ଼ି ଦରକାର ହୋଇଥାଏ । ହାଣ୍ଡି ଉପରେ କୁଲାକୁ ଓଲଟାଇ ରଖାହୁଏ ଓ ବନ୍ଦନାବେଳେ ଧୂନ୍‌କେଲିଆ/ଧୂନ୍‌କେଲିଏନ୍‌ବା’ ହାତରେ ଧୂନ୍‌କେଲ ବାଡ଼ିକୁ ଧରି ତାର ଏକ ଅଗ୍ରପଟକୁ ଓଲଟା କୁଲାର ପ୍ରାୟ ମଝି ଅଂଶରେ ଚାପି ଧରେ ଓ ଡାହାଣ ହାତରେ ଝୁମୁକାଦଣ୍ଡ ଧରି ଏହା ଉପରେ ଘସି ଘସି ଏକ ବିଚିତ୍ର ଓ ରହସ୍ୟପୂର୍ଣ୍ଣ ବାଦ୍ୟ ସୃଷ୍ଟି କରେ । ଚିତ୍ରରେ ଜଣେ ଧୂନ୍‌କେଲିଏନ୍‌ ତଥା ତାହାର ଧୂନ୍‌କେଲ ବାଦ୍ୟଯନ୍ତ୍ର ପ୍ରଦର୍ଶିତ ହୋଇଛି ।

 

ସପ୍ତମୀ ଦିନ

ଯେଉଁମାନେ ଏ ଓଷା କରନ୍ତି ସେମାନଙ୍କ ମଧ୍ୟରୁ ଜଣେ ଆଶ୍ୱିନ ଶୁକ୍ଳ ସପ୍ତମୀ ଦିନ ସନ୍ଧ୍ୟାରେ ଧୂପ, ଦୀପ, ଅରୁଆ ଚାଉଳ, ଲିଆ (ଖଇ), ଦହନା ଡାଳ, ପାଣିକଖାରୁ ଫୁଲ ଇତ୍ୟାଦି ଡାଲଖାଇ କୋଠି ନିକଟକୁ ଆଣେ । ଏ ଓଷା କରୁଥିବା ଝିଅମାନେ ଆସି ରୁଣ୍ଡ ହୁଅନ୍ତି । ଧୂନ୍‌କେଲିଆ/ଧୂନ୍‌କେଲିଏନ୍‌ ପୂଜା କରି ସମସ୍ତ ଦେବଦେବୀଙ୍କୁ ବନ୍ଦନା କରେ ଓ କୋଠିକୁ ବରଣ କରି ଆଣେ । ଏହି ବନ୍ଦନା ଗୀତ ଆକାରେ ପରିବେଶିତ ହୁଏ ବୋଲି ଏହାକୁ ‘ଧୂନ୍‌କେଲ ଗୀତ’ କହନ୍ତି । ଯେହେତୁ ଧୂନ୍‌କେଲ ଗୀତର ଅନ୍ତ ଥିଲାପରି ମନେ ହୁଏ ନାହିଁ, ଅର୍ଥାତ୍‌ ଏହା ଯେତିକି ସମୟ ଇଚ୍ଛା ସେତିକି ବେଳଯାଏଁ ବୋଲାଯାଇ ପାରେ, ଏହାର କିୟଦଂଶ ତଳେ ଉଦ୍ଧାର କରାଯାଇଛି ।

 

ହରିହରି ଶ୍ରୀହରି ରାମ

ହରିହରି ଶ୍ରୀହରି ରାମ

କଂସଲ୍ୟା ନନ୍ଦନ ଶ୍ରୀରାମ

ଗରୁଲ୍ଲବାହାନ

ଗରୁଲ୍ଲ ପିଠିରେ ଯେ ପ୍ରଭୁ

ଗରୁଲ୍ଲ ପିଠିରେଁ

ଆପେଁ ନାରାୟଣ ଯେ ପ୍ରଭୁ

ଆପେଁ ଭଗବାନ

ରାମ ରାମ ଯେ ପଦଗୋଟି

ରାମ ରାମ ଯେ ପଦଗୋଟି

ସଂସାରରେ ସତ ଯେ ପ୍ରଭୁ

ଚାରିଯୁଗେଁ ସତ

ହରି ହରି ଯେ ପଦଗୋଟି

ହରି ହରି ଯେ ପଦଗୋଟି

ସଂସାରରେଁ ସାର୍‌ଯେ ପ୍ରଭୁ

ସଂସାରରେଁ ସାର

ରାମର୍‌ପଦ ମୁଇଁ ଧରିଥିଲେଁ

ହରିର୍‌ପଦରେଁ ଥିଲେଁ ପ୍ରଭୁ

ମୁଖେଁ ନାରାୟଣ ଯେ ପ୍ରଭୁ

ମୁଖେଁ ଭଗବାନ

ଜୟ ଜୟ ଧରତୀ ମାତା

ଜୟ ଜୟ ବାସୁକୀ ଦେବୀ

ପାଦରେଁ ଶରନଁ ପସିଛେଁ

ନାମେଁ ମୁଇଁ ବିନଁତି କରୁଛେଁ

ତୁମ୍‌ହର୍‌ ସୁଦୟା ଥିଲେଁ ପ୍ରଭୁ

ତୁମ୍‌ହେଁ ସାହା ଦେବ ଯେ ମୋତେ

କଣ୍ଠରେଁ ବସିବ ଯେ ପ୍ରଭୁ ହୋ

ଅନର୍ଗେଲା ଯେ ପଦ ଦେବ

ଜୟଜୟ ସୂର୍ଯ୍ୟ ଦେବତା

ଜୟ ପ୍ରଭୁ ଧର୍ମ ପୁରୁଷ

ଜୟଜୟ ଚନ୍ଦ୍ର ଦେବତା

ଜୟଜୟ ସୃଜ ଦେବତା

ପାଦରେଁ ଶରନଁ ପସିଛେଁ

ନାମେଁ ତୁମର ବିନଁତି କରୁଛେଁ

ଜୟଜୟ ମଙ୍ଗଲାଦେବୀ

ଜୟ ଜୟ ପନ୍ଥାଇ ଦୁର୍ଗା

ଜୟଜୟ ମାଁ ଭଗବତୀ

ଆଗୋ ବଇଁଲେ ସରସତୀ

ପାଦରେଁ ଶରନଁ ପସିଛେଁ

ନାମେଁ ମୁଇଁ ବିନଁତି କରୁଛେଁ

...ଇତ୍ୟାଦି ।

 

ତଥା ଗ୍ରାମଦେବୀ, ଖାଁ ଖୁସିଏନ୍‌, ଖୁଦିବୁଢ଼ୀ, ପାଟ୍‌ମେସ୍‌ରି, ଅନ୍ଧାରିପାଟ, ବୁଢ଼ୀମାଉଲୀ, ବୁଢ଼ାରଜା, ପାଟଖଣ୍ଡା, ଚଣ୍ଡୀଦେବୀ ଇତ୍ୟାଦି ଯେତେ ଦେବବେବୀଙ୍କ ନାମ ସ୍ମରଣ କରାଯାଇପାରେ, ସମସ୍ତଙ୍କୁ ଧୂନ୍‌କେଲିଆ/ଧୂନ୍‌କେଲିଏନ୍‌ ଆବାହନ କରେ । ପୂଜା ଶେଷରେ ଡାଲଖାଇ ନାଚଗୀତ ହୁଏ ଓ ସେଦିନର କାର୍ଯ୍ୟ ଶେଷ ହୁଏ ।

 

ଧୂନ୍‌କେଲ୍‌ ବାଦ୍ୟ କେବଳ ଧୂନ୍‌କେଲ ଗୀତରେ ବ୍ୟବହୃତ ହୁଏ । ପୂଜାବେଳେ କାହାକୁ ଦେବତୀ (କାଳିସୀ) ଆସିପାରେ । ସେତିକିବେଳେ ଆଗରୁ ନିଯୁକ୍ତ ନିଷାନ୍‌, ତସା, ଢୋଲ, ମହୁରୀ ବାଦକମାନେ ‘ଭର୍‌ନିପାର୍‌’ ବୋଲି ଏକ ବାଦ୍ୟ ବଜାନ୍ତି । ଏହା କାଳିସୀ ଆସିଥିବା ବ୍ୟକ୍ତିର ଅଙ୍ଗଭଙ୍ଗୀର ତାଳେ ତାଳେ ବାଜିଥାଏ । ବାଦ୍ୟ ବନ୍ଦ ହେଲେ ଲୋକେ ଆରୁଢ଼ ଦେବତା ବା ଦେବୀଙ୍କୁ ନାନା ପ୍ରକାର ପ୍ରଶ୍ନ କରନ୍ତି । ଡାଲଖାଇ ନାଚଗୀତରେ ମଧ୍ୟ ଉପରୋକ୍ତ ବାଦ୍ୟଗୁଡ଼ିକ ବାଜିଥାଏ ।

 

ଅଷ୍ଟମୀ ଦିନ

ତା’ ପରଦିନ ଦୁର୍ଗାଷ୍ଟମୀ । ଏହା ହେଉଛି ଉପବାସ, ବ୍ରତ ଓ ଡାଲ୍‌ଖାଇ ଉତ୍ସବର ଦିନ । ସେଦିନ ଉପବାସୀ କୁମାରୀମାନଙ୍କର ପ୍ରାତଃକାଳରୁ ମଧ୍ୟରାତ୍ର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଲାଗି ରହିଥାଏ-। ଏଠାରେ ମନେ ରଖିବାକୁ ହେବ ଯେ ଢୋଲ୍‌, ମହୁରୀର ବାଦ୍ୟକାରମାନେ ସର୍ବଦା ଓଷା କରୁଥିବା କୁମାରୀମାନଙ୍କ ସଙ୍ଗରେ ଥାଆନ୍ତି ଓ ଯଥା ସମୟରେ ନାଚଗୀତ ହେଲେ ତହିଁରେ ଯୋଗଦାନ କରନ୍ତି ।

 

ପ୍ରାତଃ କାଳରେ ଝିଅମାନେ ଏକ ନଦୀ ବା ପୁଷ୍କରିଣୀ କୂଳରେ ମିଳିତ ହୋଇ ନିତ୍ୟକର୍ମ ସମାପମ କରନ୍ତି ଓ ଜଣେ ନାଭି ପର୍ଯ୍ୟନ୍ତ ପାଣିରୁ ସାତ ଆଞ୍ଜୁଳା ବାଲି ଆଣି ଏକ ବେଦୀ ପ୍ରସ୍ତୁତ କରନ୍ତି । ତା ଉପରେ ଚାରୋଟି ଆମ୍ବପତ୍ରରେ ଚାରିଦିଗକୁ ଚାରୋଟି ସଲିତା (ବଲିତା) ରଖି ଦୀପ ଜାଳନ୍ତି । ଆଉ ସାତଜଣ ପ୍ରତ୍ୟେକେ ସାତ ଆଞ୍ଜୁଳା ଲେଖାଏଁ ବାଲି ଆଣି ସାତଟି ଚାଙ୍ଗୁଡ଼ିରେ ରଖନ୍ତି । ଆଉ ଜଣେ କଳସୀରେ ପାଣି ଆଣି ବେଦୀ ପାଖରେ ରଖନ୍ତି । ତାପରେ ସମସ୍ତେ ରୁଣ୍ଡହୋଇ ନିଜ ନିଜ ଭାଇମାନଙ୍କର ମଙ୍ଗଳକାମନା କରି ସେଠାରେ ଦୁର୍ଗାଙ୍କୁ ପୂଜା କରନ୍ତି । ପରେ ପରେ ନାଚଗୀତ ଆରମ୍ଭ ହୁଏ । ଛୋଟ ଛୋଟ ଝିଅମାନେ ପୂଜା ସାମଗ୍ରୀସବୁ ବହି ଆଣନ୍ତି ଓ ଯୁବତୀମାନେ ଗାଁ ବାହାରେ ଦିନ ଦ୍ୱିପ୍ରହରେ ପର୍ଯ୍ୟନ୍ତ ନାଚଗୀତରେ ମାତି ରହନ୍ତି । ଏତିକିବେଳେ ଝିଅମାନେ ନିଜକୁ ଏକାକୀ ପାଇ ନାନା ପ୍ରକାର ଅଶ୍ଳୀଳ ଗୀତ ଗାଇଥାନ୍ତି ତଥା ବେଳେ ବେଳେ ରସିକ ଯୁବକମାନେ ମଧ୍ୟ ଉତ୍ତର-ପ୍ରତ୍ୟୁତ୍ତର ଛଳରେ ନାନା ପ୍ରକାର ଗୀତଗାଇ ସେମାନଙ୍କ ସଙ୍ଗରେ ଯୋଗଦାନ କରନ୍ତି । ଏବେ ପ୍ରାୟ ସବୁ ଗାଆଁରେ ଝିଅମାନେ ଗାଁ ବାହାରେ ଡାଲ୍‌ଖାଇ କରୁଥିବା ବେଳେ ଯୁବକମାନଙ୍କୁ ସେମାନଙ୍କ ସହ ଗାଇବାକୁ-ନାଚିବାକୁ ମନା ହୋଇଛି ବୋଲି ଶୁଣାଯାଏ । ଅବଶ୍ୟ ଗାଁ ଭିତରେ ସମସ୍ତଙ୍କ ଆଗରେ ସେମାନେ ଯୋଗଦାନ କରି ପାରନ୍ତି ।

 

ପ୍ରାୟ ଦିନ ତିନିଟା ବେଳେ ବାଲି ଚାଙ୍ଗୁଡ଼ି ସବୁ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଆଣି ଝିଅମାନେ ଡାଲ୍‌ଖାଇ କୋଠି ନିକଟରେ ରୁଣ୍ଡ ହୁଅନ୍ତି । ଜଣେ ପାର୍ବତୀ ଓ ଅନ୍ୟ ଜଣେ ଈଶ୍ୱର ବେଶ ହୋଇ ଛତା, ବେତବାଡ଼ି ଓ କଳସୀ ଧରି ସାତଘର ବୁଲି କୋଠି ନିକଟକୁ ଫେରି ଆସନ୍ତି ଓ ସେଠାରେ ପୁଣି ଆଉ ଏକ ଅଭିନୟ କରନ୍ତି । ଜଣେ ଭୀମ ହୁଏ ଓ ଅନ୍ୟ ଜଣେ କୁବେର ହୁଏ । ଭୀମ କୁବେର ନିକଟରୁ ଧାନ ମାଗି ଆଣେ, ତାହା ବୁଣାଯାଏ । ସେତିକିବେଳେ ହଳିଆ ଗୀତ ବୋଲାଯାଏ । ତା’ପରେ ବେଉଷଣ, ଧାନକଟା ଇତ୍ୟାଦି ସମସ୍ତ କୃଷି କାର୍ଯ୍ୟର ଅଭିନୟ ହୋଇଥାଏ । ଅଭିଶାପରେ ଧାନ ଖରି ପୋଡ଼ିଯିବାର ଅଭିନୟ ଲିଆ ଓ ଚାଉଳକୁ ପୋଡ଼ି କରାଯାଇଥାଏ । ତା’ପରେ ସମସ୍ତେ ସନ୍ଧ୍ୟାର ପୂଜା ପ୍ରସ୍ତୁତ ପାଇଁ ଘରକୁ ଆସନ୍ତି ।

 

ଘରକୁ ଯାଇ ଝିଅମାନେ ତାଙ୍କର ପୂଜା ପ୍ରସ୍ତୁତିରେ ଲାଗି ପଡ଼ନ୍ତି-ଜଣେ ଭାଇପାଇଁ ଖଣ୍ଡେ ଆଖୁ, ଖଣ୍ଡେ ଜିଇଁତା (ହଳଦିଆ ବା ରଙ୍ଗ ସୂତାରେ ତିଆରି) ୧୦୮ଟି ଦୁବ ଓ ୧୦୮ଟି ଅଭଙ୍ଗା ଅରୁଆ ଚାଉଳ ଗୋଟାଏ ଜାଗାରେ ରଖନ୍ତି । ଯେତେ ଜଣ ଭାଇ ଥିବେ ସେତେ ଜାଗାରେ ଏପରି ରଖାହେବ । ଏହା ସଙ୍ଗରେ ଅଁଳାଡାଳ ଓ ଦହନାଡାଳ ମଧ୍ୟ ରଖାହେବ । ଲିଆ, ଧାନ, ଚାଉଳ, ଧୂପ, ଦୀପପାଇଁ ବଳିତା ଇତ୍ୟାଦି ଅନ୍ୟାନ୍ୟ ପୂଜା ସାମଗ୍ରୀ ସହ ଏସବୁ ଏକ ଚାଙ୍ଗୁଡ଼ିରେ ରଖି ସନ୍ଧ୍ୟାବେଳେ ସେମାନେ ଗାଧୋଇ ଯାଆନ୍ତି ।

 

ସନ୍ଧ୍ୟାରେ ସ୍ନାନାଦି ସାରି ଗାଧୁଆ ତୁଠରେ ବାଲିର ବେଦୀ କରି ତା’ଉପରେ ଭେଣ୍ଡି, କୁନ୍ଦୁରୁ ଇତ୍ୟାଦି କାଠିମାନଙ୍କରେ ଲଗାଇ ବେଦୀରେ ଖଞ୍ଜି ଝିଅମାନେ ପୂଜା କରନ୍ତି । ଘରକୁ ଫେରି ପୂଜା ସାମଗ୍ରୀ ଧରି ସେମାନେ କୋଠି ନିକଟରେ ରୁଣ୍ଡ ହୁଅନ୍ତି । ତା’ପରେ ସେମାନେ ଜଣେ ଉପବାସୀର ଘରୁ ଈଶ୍ୱର, ପାର୍ବତୀ, ନାରଦ, ଗଣେଷ, କଇଁଛ, ଷଣ୍ଢ ଓ ମୂଷାର ସାତୋଟି ପିତୁଳା ଛତ୍ର, ବଇରଗ ସଙ୍ଗରେ ଆଣି କୋଠି ନିକଟରେ ରଖନ୍ତି । ଧୂନ୍‌କେଲିଆ/ଧୂନ୍‌କେଲିଏନ୍‌ ଧୂନ୍‌କେଲ ବାଦ୍ୟ ସହ ବନ୍ଦନା କରି ପୂଜା ଆରମ୍ଭ କରେ । ତାକୁ କିମ୍ବା କୌଣସି ଉପବାସୀକୁ କାଳିସୀ ଆସିପାରେ । ଉରନିପାର ବାଦ୍ୟ ବାଜେ । ଲୋକେ ଆରୂଢ଼ ଦେବତା ବା ଦେବୀକୁ ନାନା ପ୍ରଶ୍ନ ପଚାରନ୍ତି । ପୂଜା ଅର୍ଚ୍ଚନା ଶେଷ ହୁଏ । ପୁଣି ଝିଅମାନେ ନାନାପ୍ରକାର ଲୋକଗୀତ ସାଙ୍ଗକୁ ଡାଲ୍‌ଖାଇ ଗୀତ ଗାନକରି ସ୍ଥାନୀୟ ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରନ୍ତି । ଅଧରାତି ହୁଏ । ଶେଷରେ ସମସ୍ତେ ବିଶ୍ରାମ ନେବାକୁ ନିଜ ନିଜ ଘରକୁ ଫେରି ଆସନ୍ତି ।

 

ନବମୀ ଦିନ

ନବମୀ ଦିନ ସକାଳୁ ଓଷା କରୁଥିବା ଝିଅମାନେ ଡାଲ୍‌ଖାଇ କୋଠି ନିକଟରେ ରୁଣ୍ଡ ହୋଇ ବାଲି ଚାଙ୍ଗୁଡ଼ିମାନଙ୍କରେ ଥିବା ପିତୁଳା, ଛତ୍ର, ବରଗଛ ଇତ୍ୟାଦି ସମସ୍ତ ଜିନିଷ ଧରି ଗାଁର ସାତଘର ବୁଲି ନାଚଗୀତ କରି ଗାଧୁଆଘାଟ ଅଭିମୁଖେ ଯାଆନ୍ତି ଓ ସେଠାରେ ଏଗୁଡ଼ିକୁ ବିସର୍ଜନ କରି ଗାଧୋଇ ସାରି ଘରକୁ ଫେରନ୍ତି । ଘରେ ଭାଇମାନଙ୍କୁ ଦୁବ-ଅରୁଆ ଚାଉଳ, ଜିଇଁତା ଇତ୍ୟାଦିର ପୁଡ଼ିଆଦ୍ୱାରା ସାତଥର ଲେଖାଏଁ ଝାଡ଼ନ୍ତି । ଭାଇମାନେ ଜିଇଁତାକୁ ରକ୍ଷାକବଚ ମନେକରି ଧାରଣ କରନ୍ତି ।

 

ଏହାର ସାତଦିନ ପରେ ପୂର୍ଣ୍ଣମୀ ଦିନ ଡାଲ୍‌ଖାଇ କୋଠିକୁ ଶୀତଳ କରାଯାଏ । ପୁଣି ଥରେ ସେଦିନ ପୂଜାହୁଏ, ବନ୍ଦନା ହୁଏ, ନାଚଗୀତ ହୁଏ ଓ ଡାଲ୍‌ଖାଇ ପର୍ବ ଉଦ୍‌ଯାପିତ ହୁଏ ।

 

ଡାଲ୍‌ଖାଇ ଗୀତ, ବାଦ୍ୟ ଓ ନାଚ

ଠିକ୍‌ ଡାଲଖାଇ ଗୀତ ପ୍ରାୟ ଗୋଟିଏ ପ୍ରକାର, ଅବଶ୍ୟ ଏହା ଲମ୍ବା ହୋଇପାରେ କିମ୍ବା ଦୁଇ ଧାଡ଼ିରେ ମଧ୍ୟ ଶେଷ ହୋଇପାରେ । ଗୀତର ଆରମ୍ଭରେ ଓ ଶେଷରେ ‘ଡାଲଖାଇ ରେ’ ‘ଡାଲ୍‌ଖାଇ ବୋ’ ଇତ୍ୟାଦି ବୋଲାଯାଏ ଓ ଗୀତ ମଝିରେ କେବଳ ଢୋଲରୁ ସାମାନ୍ୟ ଟିପ ବାଦ୍ୟ ବାଜୁଥାଏ । ଗୀତ ଶେଷରେ ଢୋଲ, ନିଷାନ୍‌, ମହୁରୀ ଇତ୍ୟାଦିରୁ ବାଦ୍ୟ ଗୁମୁରି ଉଠେ ଓ ତାକୁ ସଙ୍ଗତ କରି ଝିଅମାନେ ନାଚନ୍ତି । ଡାଲଖାଇ ଗୀତର ପରିଚୟ ପାଇଁ ଏଠାରେ ଛୋଟବଡ଼ କେତୋଟି ଗୀତ ଉଦ୍ଧାର କରାଯାଇଛି । ଏହାର ବିଷୟବସ୍ତୁ ଜଗନ୍ନାଥଙ୍କ ବିଷୟରେ ହୋଇପାରେ, ସୀତା ରାମଙ୍କ ବିଷୟରେ ହୋଇପାରେ, ସାଧାରଣ ନିତିଦିନିଆ କଥା ହୋଇପାରେ କିମ୍ବା ଅନେକ ସମୟରେ ଅଶ୍ଳୀଳ ଇଙ୍ଗିତ ମଧ୍ୟ ହୋଇପାରେ ।

 

(ସୂଚନା :‘ସମ୍ବଲପୁରି’ରେ କେବଳ ଦନ୍ତ୍ୟସ, ବର୍ଗ୍ୟ ଜ ହ୍ରସ୍ୱ ସ୍ୱରମାନଙ୍କର ବ୍ୟବହାର ହୋଇଥାଏ ।)

 

(୧)      ଡାଲ୍‌ଖାଇ ରେ

ସୋଭା ପଉଅଛି କଲା ସିର୍‌ମୁଖ

ଭକ୍ତଜନମାନେ ରଖିଲେ ଟେକ

କହୁଁ ବିଶ୍ୱକର୍ମା ଗଢ଼ିଛି ସେ ସୋଲଚକ କି ଡାଲଖାଇରେ

 

(୨)      ଡାଲ୍‌ଖାଇ ବୋ

ରାମଲଇଖନରେ ବୁଲଇ ଆରି ଆରି

ମାଇଲେ ମୟୂରରେ ଘିଚିଁ ଆନ୍‌ଅ ଚୁଲି

ରାଁ ଧିଲା ମାଁ ଉସ କଥା କହିବି ଉଠ ବନମାଲି ତ ଡାଲଖାଇ ବୋ

 

(୩)      ଡାଲ୍‌ଖାଇ ବୋ

ନଇ ତ ନଇରେ ଆଡ଼ବଁକା ନଇ

ଗାଆଁକୁ ସୁନ୍ଦର ମୋର ଗଉଁତିଆ ଭାଇ

ଢୁଲକୁ ସୁନ୍ଦର ଦେଖ ଢୁଲିଆ ଜେ ଭାଇ

ଗଛକୁ ସୁନ୍ଦର ଦେଖ ଲଁବ ଲଁବ ଡାହି

ତିରିକୁ ସୁନ୍ଦର ପରେ ନାଗର ପୁରୁସ କନ୍‌ହାଇ ତ ଡାଲଖାଇ ବୋ

 

(୪)      ଡାଲ୍‌ଖାଇ ରେ ଡାଲ୍‌ଖାଇ ରେ

ପଧାନ ବୁଢ଼ା ଇଆଡ଼୍‌ ସେଆଡ଼୍‌ ଜାନ୍‌ଏ କଥା ଚର୍‌ତି

ବନ୍‌ହ ତଲେଁ ଘାରି ଅଛେ କେଭେଁ ଦେଇଁ ହଏ ମର୍‌ଡ଼ି

ଛୁପୁକା ଆଛରା ପକେଇଁ ଦେମାଁ ଖର୍‌ଡ଼ି

 

ଆଟ୍‌ ଦିନ୍‌କେ ପଲ୍‌ହା ମାରମାଁ ଧାନଁଜିବା ବର୍‌ଡ଼ି

ଅଇଲା ସ୍ରାବନ

ରାଁ ଡ଼ି ଦୁଖିମାନଙ୍କର ଉସତ୍‌ହେଲା ମନ

କିଏ ବଲୁଛେ ଭୁତି କର୍ମା ତିନ୍‌ତାମ୍ବି ଲେଖା ଧାନ

 

କିଏ ବଲୁଛେ ଆମର୍‌ଠାନେଁ ନେଁଇଁ ଛିଡ଼ା ପଟା

କିଏ ବଲୁଛେ ଭୁତି କଲେଁ ଖାଏମାଁ ଭାତ ପିଠା

କିଏ ଗାଲ ମୁରିଁ

କିଏ ବଲ୍‌ଏ ଦୁଇ ହାତ୍‌କେ ଦୁଇ ମୁଠା ପିନ୍‌ହମି ଚୁରି

 

ଛ ଛ ମାନ୍‌ଖା ଏମିନିକି

ଆର୍‌ ଛ ମାନ୍‌ ଦେମିଁ ବିକି

ଦେଖ ମାଏଝି କର୍‌ ଢଗ୍‌ଟା

ମନ୍‌ଅଁ କଲେଁ ଘିନ୍‌ଇଁ ନେଇଁ ଢୁଲିଆ ଭାଇ

ମର୍‌ଚ ଫୁଲିଆ କପ୍‌ଟା କେଁ ଡାଲ୍‌ଖାଇର ଢଲ୍‌

 

(୫)      ଡାଲ୍‌ ଖାଇ ରେ

ଏଇ ପରବତେ’ରେ କେହିରି ଉକିଆ

ଧୁନଁ କାଣଁ ଧରିଁ ସବର ବୁଲେ ପରଧିଆ

ସେଠାନେଁ ପସିଲୁ ଧନ୍‌’ ପରର ମାଖନଁ

 

ବାସି ପଖାଲକୁ ଡିଁଡ୍‌ଆ ନେଇଁ କରିବୁ ମନଁ

ତସା ଗଡ଼ଗଡ଼ ଝମ୍‌କରେ

ଢୋଲ୍‌ ଚାଁଗ୍‍ ଚାଁଗ୍‍ କରେ

ନିସାନ୍‌ ଗୁଦୁମ୍‌ ଗୁଦୁମ୍‌ କରେ

 

ମୁହୁରି ଟିଁ ଟିଟିଁ କରେ

ଚାପ ଛୁମ୍‌ ଛୁମ୍‌ କରେ

ସବୁଟାକେ ମିସେଇଁ ନେଲେ ଢାକ୍‌ ଝୁମ୍‌ଝୁମ୍‌ କରେ

ଏକା ପାରକର ଲାଗିଁ ଝୂକୁଲେ ନିଦ୍‌ନେଇଁ ମାରେ ତ ଡାଇ୍‌ଖାଇରେ

 

ଏହା ବାହାରେ ଡାଲ୍‌ ଖାଇରେ ରସର୍‌କେଲି, ‘ଜନ୍‌ହିଁଫୁଲ’ ‘ମାଏଲାଜଡ଼୍‌’ ଇତ୍ୟାଦି ନାନା ପ୍ରକାର ସମ୍ବଲପୁରୀ ଲୋକଗୀତ ବ୍ୟବହୃତ ହୋଇଥାଏ । ପରିଚୟ ପାଇଁ ତହିଁରୁ ମଧ୍ୟ କେତୋଟି ଗୀତ ଉଦ୍ଧାର କରାଗଲା ।

 

(୬)      ରସର୍‌ କେଲି ରେ

ଗୁନ୍ଥି ଅଛି ସୁନା ଗୁରି ମଲିଫୁଲ ମାଲ

ସାଜି ରଖିଥିଲା ଆହା ଚନ୍ଦନ କଜଲ

କାନ୍‌ହୁର୍‌ ଲାଗିଁ ଭାଲିଁ ଭାଲିଁ ଦିନ୍‌ ଜଉଛେଁ ସରିଁ

      ଚାଲ୍‌ ମୋର ବଉଲରେ

 

(୭)      ବାୟାର ମନ ଛନ ଛନ ଦେଖାରେ ଦର୍ପନଁ

ଦେଖାଇଲୁ ଦରପନଁ ନାଗରରେ ଖିସାଇଲା ମନଁ

ବାୟାର ମନଁ

କାଲି ତ ଘଡ଼ିମରା ଜନ୍‌ହ କାଲିଆ ଧନଁ

ତୋଠାରେ ଗଡ଼ିଗଲା ମନ୍‌ ଜିବଜିବନଁ

 

(୮)       ଆମ୍‌ ଡାହିରେ ଧନଁ ମୋର ବସେ ପଣଁକି

ଆଉ ମୋର ସଁଗ୍‌ ଗଲେ ଧନ ବସିବ ବଲକି ଗୋ

ତାରେ ଲାଲା ହାର୍‌ ମାନିଁ ଗଲା ଗୋ

ଜା ଲାଗିରେ ଜଲା ତାର ନେଇଁ ଚଲେ ଚଲା

ତାରେ ଲାଲା ହାର୍‌ ମାନିଁ ଗଲା ଗୋ

 

(୯)      କରୁଣା ସାଗର ହରି କରେ ଚକ୍ରପାଣି

ତର ଧରି ରାଧିକାକୁ କହେ ନିଲମଣି

ଛାର କଥାର୍‌ ଲାଗି ପରେ ବଉଲ ମିଛେଁ ଲୋକହସା

ତସା ମୁଲ୍‌କି ହସାରେ

 

ଡାଲ୍‌ ଖାଇ ନାଚ ଓ ବାଦ୍ୟ ସମ୍ପର୍କରେ ଏତିକି କହିଲେ ଯଥେଷ୍ଟ ହେବ ଯେ ବିଭିନ୍ନ ପ୍ରକାର ଗୀତରେ ବିଭିନ୍ନ ପ୍ରକାର ବାଦ୍ୟ ଓ ନାଚ ହୋଇଥାଏ ଏବଂ ସେ ସବୁକୁ ‘ଡାଲ୍‌ଖାଇ ପାର୍‌’ ‘ରସର୍‌କେଲି ପାର୍’ ଓ ‘ଖୁଞ୍ଚିଖୁଟାପାର୍‌’ ଇତ୍ୟାଦି କହିଥାନ୍ତି ।

 

ଲୋକଗୀତରେ ଶ୍ଳୀଳ ଅଶ୍ଳୀଳ ଚିନ୍ତା ନ ଥିବାରୁ ତଥା ଅନେକ କ୍ଷେତ୍ରରେ ଗାୟକ/ଗାୟିକା ବିନା ପ୍ରସ୍ତୁତିରେ ଆବଶ୍ୟକତା ଅନୁସାରେ ମୁହେଁ ମୁହେଁ ରଚନା କରି ଅନେକ ଗୀତ ଗାନ କରୁଥିବାରୁ ସେମାନଙ୍କ ଆବେଗ ସ୍ୱତଃସ୍ଫୂର୍ତ୍ତ ହୋଇ ପ୍ରକାଶ ଲାଭକରେ । ତେଣୁ ବେଳେ ବେଳେ ଲୋକଗୀତ ଅଶ୍ଳୀଳ ହେବାକୁ ବାଧ୍ୟହୁଏ । ତା’ ବାହାରେ ଆମେ ଜାଣୁ ଯେ ଆଦିରସାତ୍ମକ ଗୀତ ସାମାନ୍ୟ ଏପଟ ସେପଟ ହେଲେ କିମ୍ବା ବାକ୍‌ଚାତୁରୀଯୁକ୍ତ ଶୈଳୀର ଅଭାବ ହେଲେ ତାହା ଅଶ୍ଳୀଳ ହୋଇପଡ଼େ । ସେଥିପାଇଁ ହୁଏତ ଅନେକ ଡାଲ୍‌ ଖାଇ ଗୀତରେ କେତେକ ପରିମାଣରେ ଅଶ୍ଳୀଳତା ଥିବାରୁ ଅନେକ ସ୍ଥାନରେ ଏହାକୁ କେବଳ ‘ଭାଇଜିଇଁତା ଓଷା’ ଭାବରେ ଗ୍ରହଣ କରି ତା’ର ନାଚ ଗୀତକୁ ବାଦ୍‌ ଦିଆହେଲାଣି । ଏହା ସମ୍ବଲପୁରୀ ଲୋକ-ସଂସ୍କୃତିର ଅଂଶବିଶେଷ । ତେଣୁ ଅନେକ ସ୍ଥାନରେ ଏହାକୁ ସଂସ୍କୃତିସମ୍ପନ୍ନ ଓ ଭଦ୍ରଜନୋଚିତ ଭାବରେ ପରିବେଷଣ କରିବାକୁ ମଧ୍ୟ ଉତ୍ସାହିତ କରାଯାଉଛି । ଏପରି ଏକ ଡାଲ୍‌ଖାଇ ଦଳ, ମୁଖ୍ୟତଃ ପେଟୁପାଲିର ଝିଅମାନେ ୧୯୭୫-୭୬ ମସିହାରେ ଦିଲ୍ଲୀରେ ଗଣତନ୍ତ୍ର ଦିବସର ଲୋକନୃତ୍ୟରେ ଅଂଶ ଗ୍ରହଣ କରିଥିଲେ । ସେମାନେ ଭୁବନେଶ୍ୱରରେ ମଧ୍ୟ ଏହି ନୃତ୍ୟ ପରିବେଷଣ କରି ପ୍ରଶଂସାଲାଭ କରିଥିଲେ ।

 

ଏ ଅଞ୍ଚଳ ଦିନେ ବୌଦ୍ଧ ଓ ତାନ୍ତ୍ରିକମାନଙ୍କର ସାଧନା ପୀଠଥିଲା ବୋଲି ଐତିହାସିକମାନେ କହନ୍ତି । ଡାଲ୍‌ଖାଇରେ କେତେକ ପରିମାଣରେ ତାନ୍ତ୍ରିକ ପ୍ରଭାବ ପଡ଼ିଥିବା ସମ୍ଭବ ବୋଲି ମନେହୁଏ । ଏହାର ପୂଜା-ଅର୍ଚ୍ଚନାରେ ବ୍ରାହ୍ମଣ ପୁରୋହିତ ନିଯୁକ୍ତ ନ ହୋଇ ଗୁଣି-ଗାରେଡ଼ି ଜାଣିଥିବା ଭୂତ-ପ୍ରେତମାନଙ୍କ ଉପାସକ/ଉପାସିକା ମଧ୍ୟରୁ ଜଣକୁ ପୂଜା ଓ ବନ୍ଦନା କାର୍ଯ୍ୟରେ ନିଯୁକ୍ତ କରାଯାଏ । କୌଣସି ଦେବତା ବା ଦେବୀ ଉପାସକ/ଉପାସିକା କିମ୍ବା ଉପବାସୀ ଦେହରେ ଆରୂଢ଼ ହୋଇ ବ୍ୟକ୍ତ ହେବାର ବିଶ୍ୱାସ ମଧ୍ୟ ତନ୍ତ୍ର ଉପାସନାରେ ଦେଖିବାକୁ ମିଳେ । ଡାଲ୍‌ ଖାଇ କୋଠିରେ ଥିବା-ଦେବୀ; ବିଶେଷ କରି ଇନ୍ଦ୍ରଜାଲ ଓ ତନ୍ତ୍ର ବିଶାରଦ ରାବଣ ତଥା ସ୍ୱୟଂ ଭୂତେଶ୍ୱର ଈଶ୍ୱରଙ୍କ ଅବୈଦିକ ଉପାସନା ମଧ୍ୟ ଏକ ତନ୍ତ୍ର ଉପାସନା । ଏହାର ଯନ୍ତ୍ର (ଡାଲ୍‌ ଖାଇ କୋଠି) ଓ ଲୌକିକ ଭାଷାରେ ମନ୍ତ୍ର (ଧୁନ୍‌କେଲଗୀତ) ନିଶ୍ଚିତ ଭାବରେ ତନ୍ତ୍ର ଉପାସନା ପଦ୍ଧତିର ପ୍ରଭାବ । ଗାଁ ବାହାରେ ହେଉଥିବା ଡାଲ୍‌ଖାଇର ପୂଜା ଓ ଗୀତ ନାଚ ମଧ୍ୟ ସୂଚନା ଦିଏ ଯେ ଡାଲ୍‍ଖାଇରେ ଅନେକ ପରିମାଣରେ ତନ୍ତ୍ରର ପ୍ରଭାବ ନିହତ ଅଛି ।

 

 

ଅଧ୍ୟାପକ

ପଞ୍ଚାୟତ ମହାବିଦ୍ୟାଳୟ

ବରଗଡ଼, ସମ୍ବଲପୁର

***

 

Unknown

ମହାରାଣୀ ବିଜୟା ମହାଦେବୀ

ଅଧ୍ୟାପକ ଡକ୍‌ଟର ଯଜ୍ଞକୁମାର ସାହୁ

 

ଫୁଲବାଣୀ ଜିଲ୍ଲା ବଉଦ ସହରର ପ୍ରାୟ ଷୋହଳ କିଲୋମିଟର ପଶ୍ଚିମରେ ମହାନଦୀ କୂଳରେ ଛୋଟ ଗାଆଁ ‘ଗନ୍ଧରାଡ଼ି’ ଓଡ଼ିଶାର ଏକ ପ୍ରାଚୀନ କୀର୍ତ୍ତି ନେଇ ଠିଆ ହୋଇଅଛି । ଗନ୍ଧରାଡ଼ିର ପ୍ରାଚୀନ ନାମ ଥିଲା ଗନ୍ଧଟପାଟୀ । ଖ୍ରୀଷ୍ଟୟ ଅଷ୍ଟମ ଶତକରେ ଭଞ୍ଜ ରାଜା ଶତ୍ରୁଭଞ୍ଜ ଦେବ ଏହା ସ୍ଥାପନ କରିଥିଲେ । ଶତ୍ରୁଭଞ୍ଜଙ୍କର ଅନ୍ୟ ନାମ ଥିଲା ଗନ୍ଧଟ ଏବଂ ସେହି ନାମରୁ ନଗରୀର ନାମ ଗନ୍ଧଟପାଟୀ ହୋଇଅଛି । ସେହି ସମୟରେ ‘ପାଟୀ’ ଶବ୍ଦ ନଗର ଅର୍ଥରେ ବ୍ୟବହୃତ ହେଉଥିବାର ଅନେକ ଦୃଷ୍ଟାନ୍ତ ମିଳେ । ଶତ୍ରୁଭଞ୍ଜଙ୍କ ପିତା ଶିଳାଭଞ୍ଜଙ୍କଦ୍ୱାରା ସ୍ଥାପିତ ଏକ ନଗରୀ ମଧ୍ୟ ଶିଳାଭଞ୍ଜ ପାଟୀ ନାମରେ ଅଭିହିତ ହୋଇଥିବା କଥା ଅଭିଲେଖରୁ ଜଣାଯାଏ । ସେତେବେଳେ ଭଞ୍ଜମାନଙ୍କ ରାଜଧାନୀ ଧୃତପୁର ଆଧୁନିକ ବଉଦଠାରେ ଅବସ୍ଥିତ ଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି । ଗନ୍ଧଟପାଟୀ ସମ୍ଭବତଃ ସେମାନଙ୍କର ଦ୍ୱିତୀୟ ବୃହତ୍ତମ ସହର ଏବଂ ଏକ ପ୍ରସିଦ୍ଧ ଧର୍ମକେନ୍ଦ୍ର ଥିଲା । ସୋମବଂଶୀ ରାଜାମାନେ ଏହି ଅଞ୍ଚଳ ଅଧିକାର କଲା ପରେ ଧୃତିପୁର ଧ୍ୱଂସପ୍ରାପ୍ତ ହେଲା, ମାତ୍ର ଧର୍ମକ୍ଷେତ୍ର ଗନ୍ଧଟପାଟୀର ଗୌରବ ଅତୁଟ ରହିଲା-। ସୋମବଂଶୀ ତାମ୍ର ଶାସନରେ ଗନ୍ଧଟପାଟୀ ଏକ ମଣ୍ଡଳ ଥିବାର ଉଲ୍ଲେଖ ଅଛି । ଗନ୍ଧଟପାଟୀର କର୍ପୂର ଆଜି ଉଡ଼ି ଯାଇଅଛି ଏବଂ ପରିତ୍ୟକ୍ତ ଗନ୍ଧରାଡ଼ି କନା ପଡ଼ି ରହିଅଛି । ଏଠାରେ ଯେଉଁ ପ୍ରାଚୀନ ମନ୍ଦିର ଦୁଇଟି ଅଦ୍ୟାପି ରହିଅଛି, ତାହା ନ ଥିଲେ ଗନ୍ଧରାଡ଼ି ଯେ ଦିନେ ଏକ ବିରାଟ ଜନବସତି ଥିଲା, ତାହା କଳ୍ପନା କରାଯାଇ ପାରି ନ ଥାନ୍ତା ।

 

ଐତିହାସିକମାନଙ୍କ ମତରେ ଗନ୍ଧଟପାଟୀର ମନ୍ଦିର ଭଞ୍ଜମାନଙ୍କର କୀର୍ତ୍ତି ଏବଂ ତାହା ଖ୍ରୀଷ୍ଟୀୟ ନବମ ଶତକର ପ୍ରଥମାର୍ଦ୍ଧରେ ନିର୍ମିତ ହୋଇଥିଲେ । ସେହି ସମୟରେ ରାଜା ଥିଲେ ଶତ୍ରୁ ଭଞ୍ଜ-ଗନ୍ଧଟଙ୍କ ପୁତ୍ର ରଣଭଞ୍ଜ ଦେବ । ମହାରାଜା ରଣଭଞ୍ଜଦେବଙ୍କର ବାର ଗୋଟି ତାମ୍ର-ଶାସନ ଆବିଷ୍କୃତ ହୋଇ ପାରିଅଛି । ତହିଁରୁ ଜଣାଯାଏ ଯେ ସେ ଶିଳାଭଞ୍ଜଙ୍କର ପୌତ୍ର ଓ ଶତ୍ରୁ ଭଞ୍ଜଙ୍କର ପୁତ୍ର ଥିଲେ । ତାଙ୍କର ଏକ ବଉଦ ତାମ୍ର ଶାସନ ରାଜତ୍ୱର ୫୮ତମ ବର୍ଷରେ ପ୍ରଦତ୍ତ ହୋଇଥିବାରୁ ସେ ୫୮ ବର୍ଷରୁ ଅଧିକ କାଳ ରାଜତ୍ୱ କରିଥିଲେ ବୋଲି କୁହାଯାଇପାରେ । ତାଙ୍କର ଦାନପତ୍ରମାନଙ୍କ ମଧ୍ୟରେ ପାଟଣା ମ୍ୟୁଜିଅମ୍‌ ତାମ୍ର ଶାସନ ଐତିହାସିକ ଦୃଷ୍ଟିକୋଣରୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ଏହି ତାମ୍ରଶାସନରେ ରଣଭଞ୍ଜଙ୍କର ପଟ୍ଟ-ମହିଷୀ ବିଜୟା ମହାଦେବୀଙ୍କର ଏକ ବିଶିଷ୍ଟ ଦାନ ଲିପିବଦ୍ଧ ହୋଇ ରହିଅଛି ଏବଂ ତାହା ମହାରାଜା ରଣଭଞ୍ଜଙ୍କଦ୍ୱାରା ଅନୁମୋଦିତ ହୋଇଅଛି । ଉକ୍ତ ଦାନପତ୍ର ୧୯୧୫-୧୬ ଖ୍ରୀ.ରେ ଆବିଷ୍କୃତ ହୋଇ ତତ୍‌କାଳୀନ ପଲିଟିକାଲ ଏଜେଣ୍ଟ କବ୍‌ଡ଼େନ୍‌-ରାମସେଙ୍କର ହସ୍ତଗତ ହୋଇଥିଲା ଏବଂ ଶେଷରେ ବିହାର-ଓଡ଼ିଶା ପ୍ରଦେଶର ଲେଫ୍‌ଟନେଣ୍ଟ ଗଭର୍ଣ୍ଣର ସାର ଏଡ଼ଓ୍ୟାର୍ଡ଼ ଗେଟ ଏହାର ସଂପାଦନା ଭାର ଅଧ୍ୟାପକ ରାଖାଲ ଦାସ ବାନାର୍ଜୀଙ୍କ ହାତରେ ନ୍ୟସ୍ତ କରିଥିଲେ । ଏପିଗ୍ରାଫିଆ ଇଣ୍ଡିକାର ବିଂଶତମ ଖଣ୍ଡରେ ଏହା ପ୍ରକାଶିତ ହୋଇଥିଲା ।

 

ମହାରାଣୀ ବିଜୟା ମହାଦେବୀ ପାଟଣା ମ୍ୟୁଜିଅମ୍‌ ଦାନପତ୍ରର ଦାତ୍ରୀ ଥିଲେ । ଏହି ତାମ୍ରଶାସନରେ ସେ ନିଜକୁ ‘‘ଶ୍ରୀ ବିଜୟା ମହାଦେବୀ ପରମ ମାହେଶ୍ୱରୀ ରାଣକ ଶ୍ରୀ ନିୟାର୍ନମ ସୁତା’’ ରୁପେ ପରିଚୟ ଦେଇ ଅଛନ୍ତି (ପଂକ୍ତି ୨୮–୨୯) । ସେ ପରମେଶ୍ୱର ଶିବଙ୍କର ପରମ ଉପାସିକା ଥିଲେ ବୋଲି ଏଥିରୁ ଜଣାଯାଏ । ଦାନପତ୍ରର ପ୍ରାରମ୍ଭରେ ପ୍ରଥମ ଶ୍ଳୋକରେ ଭୈରବ ଶିବଙ୍କୁ ପ୍ରାର୍ଥନା କରି କୁହାଯାଇଅଛି–

 

‘‘ସଂହାରକାଳହୁତଭୁଗ୍‌ ବିକରାଳ ଘୋର

ସଂଭ୍ରାନ୍ତ କିଂକର କୃତାନ୍ତ ନିତାନ୍ତ ଭିନ୍ନମ୍‌

ଭିନ୍ନାନ୍ଧକାସୁର ମହା ଗହନାତ ପତ୍ର

ତତ୍‌ଭୈରବଂ ହରବପୁର୍ଭବତଃ ପ୍ରପାତୁ ।’’

 

ଦାନପତ୍ରର ପ୍ରାର୍ଥନା ମନ୍ତ୍ର ପରେ ପୂର୍ବତନ ଭଞ୍ଜରାଜାମାନଙ୍କର ବିଶେଷତଃ ଶିଳାଭଞ୍ଜ ଓ ଶତ୍ରୁ ଭଞ୍ଜ ଦେବଙ୍କର ମହିମା ଏବଂ ରାଜଧାନୀ ଧୃତିପୁରର ଗୌରବ ବର୍ଣ୍ଣିତ ହୋଇଅଛି (ପଂକ୍ତ ୩-୧୫) । ତା’ପରେ ରଣଭଞ୍ଜଙ୍କର ପ୍ରଶସ୍ତିରେ ତାମ୍ରଶାସନ ମୁଖର ହୋଇ ଉଠିଛି । ଏହି ବର୍ଣ୍ଣନା ଅନୁସାରେ ‘‘ରଣଭଞ୍ଜଙ୍କର ଶାରଦୀୟ ନିର୍ମଳ ଧବଳକର ଯଶ-ପଟଳରେ ଦିଗ୍‌ବଦନ ଧବଳିତ ହୋଇଥିଲା, ସେ ସମ୍ମାନ ଓ ଦାନଦ୍ୱାରା ସକଳଜନଙ୍କୁ ଆନନ୍ଦିତ କରିବାରେ ଅନବରତ ପ୍ରବୃତ୍ତ ଥିଲେ, ସେ ଅଣ୍ଡଜବଂଶରେ ଜନ୍ମଲାଭ କରିଥିଲେ, ସେ ଥିଲେ ପରମ ବୈଷ୍ଣବ, ମାତାପିତାଙ୍କର ପାଦଭକ୍ତ, ଭଞ୍ଜବଂଶର କୁଳତିଳକ, ଉଭୟ ଖିଞ୍ଜଳୀର ଅଧିପତି, ପଞ୍ଚମହାଶବ୍ଦରେ ବିଭୂଷିତ, ମହାସାମନ୍ତ ବନ୍ଦିତ ଓ ସ୍ତମ୍ଭେଶ୍ୱରୀ ଦେବୀଙ୍କର ବରପୁତ୍ର’’ (ପଂକ୍ତି ୧୬-୨୧) ।

 

ଉପରୋକ୍ତ ଆଲୋଚନାରୁ ଏହା ପ୍ରତିପାଦିତ ହୁଏ ଯେ ପରମବୈଷ୍ଣବ ମହାରାଜା ରଣଭଞ୍ଜଦେବ ଓ ପରମ ମାହେଶ୍ୱରୀ ମହାରଣା ବିଜୟାଦେବୀଙ୍କ ମଧ୍ୟରେ ପ୍ରେମ ଓ ସ୍ନେହ ଅଗାଧ ଓ ଅତୁଟ ଥିଲା । ଉଭୟେ ଉଭୟଙ୍କର ଧର୍ମବିଶ୍ୱାସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିଲେ ।

 

ପାଟଣା ମ୍ୟୁଜିଅମ୍‌ ତାମ୍ରଶାସନରେ ମହାରାଣୀ ବିଜୟା ଦଷିଣପାଳୀ ବିଷୟ ଅନ୍ତର୍ଗତ ବାହିରବାଡ଼ା ଗ୍ରାମ ଭଗବାନ ବିଜୟେଶ୍ୱର ଶିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ (ପଂକ୍ତି ୨୯) । ବାହିରବାଡ଼ା ଗ୍ରାମ ମହାନଦୀର ତଟ ଦେଶରେ ଅବସ୍ଥିତ ଥିଲା (ମହାନଦୀ ବିମଳ ଜଳବୀଚି ପ୍ରକ୍ଷାଳିତ ତଟ) ବିଜୟେଶ୍ୱର ଶିବଙ୍କ ମନ୍ଦିର ନିଃସନ୍ଦେହରେ ମହାରାଣୀ ବିଜୟା ଦେବୀଙ୍କର କୀର୍ତ୍ତି ଥିଲା । ଏହି ସମୟରେ ଭଗବାନ ଶିବଙ୍କ ମନ୍ଦିର-ନିର୍ମାତାଙ୍କ ନାମରେ ନାମିତ ଥିବାର ଅନେକ ଦୃଷ୍ଟାନ୍ତ ମିଳେ । ହଂସେଶ୍ୱର ମନ୍ଦିର (ଯାଜପୁର) ଅଭିଲେଖରୁ ଜଣାଯାଏ ଯେ ଭୌମରାଜ ପ୍ରଥମ ଶୁଭାକର ଦେବଙ୍କ ରାଣୀ ମାଧବ ଦେବୀ ମାଧବେଶ୍ୱର ଶିବ ମନ୍ଦିର ନିର୍ମାଣ କରିଥିଲେ । ତୃତୀୟ ଶୁଭାକରଙ୍କ ହିନ୍ଦୋଳ ତାମ୍ର ଶାସନରେ ବର୍ଣ୍ଣିତ ଅଛି ଯେ ପୁଲିନ୍ଦରାଜ ନାମକ ଭୌମରାଜାଙ୍କ ଜଣେ ସାମନ୍ତ ଯବ-ଅଙ୍ଗୁଳ ପଟିକା (ଆଧୁନିକ ଅନୁଗୁଳ)ରେ ପୁଲିନ୍ଦେଶ୍ୱର ଶିବଙ୍କ ମନ୍ଦିର ନିର୍ମାଣ କରିଥିଲେ । ମହାରାଣୀ ବିଜୟା ଦେବୀଙ୍କର ବିଜୟେଶ୍ୱର ଶିବ ମନ୍ଦିର ଗନ୍ଧଟପାଟୀରେ ପ୍ରତିଷ୍ଠିତ ଥିଲା ଏବଂ ତାହା ଆଧୁନିକ ଗନ୍ଧରାଡ଼ିର ସିଦ୍ଧେଶ୍ୱର ଶିବ ମନ୍ଦିର ବୋଲି ଐତିହାସିକମାନେ ମତ ଦିଅନ୍ତି । ଗନ୍ଧରାଡ଼ିରେ ସିଦ୍ଧେଶ୍ୱର ବା ବିଜୟେଶ୍ୱର ଶିବ ଏବଂ ନୀଳମାଧବ ବିଷ୍ଣୁଙ୍କର ମନ୍ଦିରଦ୍ୱୟ ଏକ ଅଧିଷ୍ଠାନ ଉପରେ ଦଣ୍ଡାୟମାନ ଏବଂ ଉଭୟ ମନ୍ଦିରର ନିର୍ମାଣ-ଶୈଳୀରେ ମୂଳରୁ ଚୂଳ ପର୍ଯ୍ୟନ୍ତ ପଥରରୁ ପଥରର ସାମଞ୍ଜସ୍ୟ ଦେଖାଯାଏ । ମନ୍ଦିରଦ୍ୱୟରେ ଏତିକି ମାତ୍ର ପ୍ରଭେଦ ଯେ ନୀଳମାଧବ ମନ୍ଦିରରେ ଶୀର୍ଷଦେଶର ଆୟୂଧ ହେଉଛି ଚକ୍ର, ମାତ୍ର ବିଜୟେଶ୍ୱର ମନ୍ଦିରରେ ଏହା ଲିଙ୍ଗ ପ୍ରତ୍ୟେକ ମନ୍ଦିରର ଦୁଇ ପାର୍ଶ୍ୱବର୍ତ୍ତୀ ପ୍ରାଚୀରରେ ସୁନ୍ଦର ମସୃଣ ପଥରର ଜାଲ-ଗବାକ୍ଷ ଏପରି ସମାନ୍ତରାଳ ଭାବରେ ରହିଅଛି ଯେ ଗୋଟିଏ ଗବାକ୍ଷରେ ଅନାଇଲେ ଦୃଷ୍ଟି ଅନ୍ୟ ତିନୋଟି ଗବାକ୍ଷକୁ ଭେଦ କରି ଚାଲିଯାଏ । ମନ୍ଦିର ଦୁଇଟିର ନିର୍ମାଣ ଯେ ଏକ ସମୟରେ ସାଧିତ ହୋଇଥିଲା ଏଥିରେ ସନ୍ଦେହର ଅବକାଶ ନାହିଁ । ରଣଭଞ୍ଜଙ୍କ ଇଷ୍ଟ ଦେବତା ବିଷ୍ଣୁଙ୍କ ମନ୍ଦିର ସହିତ ମହାଦେବୀଙ୍କର ଆରାଧ୍ୟ ଦେବତା ଶିବଙ୍କର ମନ୍ଦିର ଏକ ଅଧିଷ୍ଠାନ ଉପରେ ସମାନ ଧରଣର ନିର୍ମାଣ ଶୈଳୀ ନେଇ ଦଣ୍ଡାୟମାନ ଥିବାର ଦେଖିଲେ ଦେଖିଲେ ମନରେ ଆନନ୍ଦ ଓ କୌତୂହଳ ଜାତ ହୁଏ । ପ୍ରତୀତ ହୁଏ ଯେ ଏହି ସତ୍ୟ-ଶିବ-ସୁନ୍ଦରର କଳ୍ପନା ବିଜୟା ଦେବୀଙ୍କ ମନରେ ସର୍ବ ପ୍ରଥମେ ଉଦ୍ରେକ ହୋଇଥିଲା । କେଉଁ ଏକ ଶୁଭ ମୁହୂର୍ତ୍ତରେ ଧର୍ମପ୍ରାଣା ମହାରାଣୀ ଗନ୍ଧଟପାଟୀର ମହାନଦୀ କୂଳରେ ବିଷ୍ଣୁ ଓ ଶିବଙ୍କର ଏହିପରି ମନ୍ଦିର ତୋଳାଇବା ପାଇଁ ରଣଭଞ୍ଜଙ୍କୁ ଅନୁରୋଧ ଜଣାଇଥିଲେ ଏବଂ ମହାରାଜା ପ୍ରିୟତମା ରାଣୀଙ୍କର କଳ୍ପନାକୁ ରୂପ ଦେବା ପାଇଁ ଆଗେଇ ଆସିଥିଲେ । ବିଜୟା ମହାଦେବୀ ଓ ରଣଭଞ୍ଜ ଦେବ ଗନ୍ଧରାଡ଼ିର ମନ୍ଦିରରେ ଆଜି ଅମର ହୋଇ ରହିଅଛନ୍ତି ।

 

ରଣଭଞ୍ଜଦେବଙ୍କ ତାମ୍ରଶାସନଗୁଡ଼ିକର ଅନୁଧ୍ୟାନରୁ ଜଣାଯାଏ ଯେ ସେ ବହୁ ଦିନଯାଏ ପରମ ବୈଷ୍ଣବ ଥିଲେ ଏବଂ ରାଜତ୍ୱର ଶେଷଭାଗରେ ପରମ ମାହେଶ୍ୱର ଅର୍ଥାତ୍‌ ମହେଶ୍ୱର ଶିବଙ୍କର ପରମ ଉପାସକରେ ପରିଣତ ହେଲେ । ରାଜତ୍ୱର ଷୋଡ଼ଶ ବର୍ଷରେ ପ୍ରଦତ୍ତ ଟସପଇକେରା ତାମ୍ର ଶାସନ, ଚତୁର୍ବିଂଶତି ବର୍ଷରେ ଦଶପଲ୍ଲା ତାମ୍ରଶାସନ, ଷଡ଼ବିଂଶତି ବର୍ଷରେ ବଉଦ ତାମ୍ରଶାସନ ବିଜୟା ମହାଦେବୀଙ୍କର ପାଟଣା ମ୍ୟୁଜିଅମରେ ଥିବା ତାମ୍ରଶାସନ ଏବଂ ଅନ୍ୟ ଏକ ବଉଦ ତାମ୍ରଶାସନରେ ରଣଭଞ୍ଜଦେବ ପରମ ବୈଷ୍ଣବ ରାଜା ରୂପେ ଅଭିହିତ ହୋଇଅଛନ୍ତି । ଅନ୍ୟ ପକ୍ଷରେ ରାଜତ୍ୱର ୫୨ତମ ବର୍ଷରେ ପ୍ରଦତ୍ତ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଥିବା ତାମ୍ର ଶାସନ ଏବଂ ୫୪ତମ ଓ ୫୭ତମ ବର୍ଷରେ ପ୍ରଦତ୍ତ ଦୁଇଟି ବଉଦ ତାମ୍ରଶାସନରେ ସେ ପରମ ମାହେଶ୍ୱର ପଦବୀ ଗ୍ରହଣ କରି ଅଛନ୍ତି । ତାଙ୍କର ତିନୋଟି ତାମ୍ରଶାସନ ଯଥା :- ଫୁଲବାଣୀ ତାମ୍ରଶାସନ, ଓଡ଼ିଶା ମ୍ୟୁଜିଅମ ବା ଅଇଡ଼ା ତାମ୍ରଶାସନ ଓ ସିଂଘରା ତାମ୍ରଶାସନ ରାଜତ୍ୱର ‘‘ନମମେ’’ ବର୍ଷରେ ପ୍ରକାଶିତ ହୋଇଥିଲା । ତନ୍ମଧ୍ୟରୁ ପ୍ରଥମଟିରେ ରଣଭଞ୍ଜଙ୍କୁ ପରମ ବୈଷ୍ଣବ ରୂପେ ଏବଂ ଶେଷ ଦୁଇଟିରେ ପରମ ମାହେଶ୍ୱର ରୂପେ ବର୍ଣ୍ଣନା କରାଯାଇଅଛି । ‘ନମମେ’ ଶବ୍ଦକୁ ନବମ ରୂପେ ସଂଶୋଧନ କରି କେତେକ ଐତିହାସିକ ମନେ କରନ୍ତି ଯେ ରଣଭଞ୍ଜ ପ୍ରଥମେ ଶୈବ, ପରେ ବୈଷ୍ଣବ ଏବଂ ଅବଶେଷରେ ପୁଣି ଶୈବ ଧର୍ମାବଲମ୍ବୀ ହେଲେ । ମାତ୍ର ତାମ୍ରଶାସନ ତିନୋଟିରେ ଥିବା କେତେକ ଆଭ୍ୟନ୍ତରୀଣ ପ୍ରମାଣର ଅନୁଧ୍ୟାନରୁ ଜଣାଯାଏ ଯେ ସେଗୁଡ଼ିକ ରଣଭଞ୍ଜ ରାଜତ୍ୱର ଶେଷଭାଗରେ ପ୍ରକାଶ ପାଇଥିଲା । ପି. ଆର. ଶ୍ରୀ ନିବାସନ୍‌ ଅଇଡ଼ା ତାମ୍ର ଶାସନର ସଂପାଦନା କରି ଯଥାର୍ଥ ଭାବରେ ପ୍ରତିପାଦନ କରିଅଛନ୍ତି ଯେ ‘ନମମେ’ ତାମ୍ରଶାସନର କଟପୟାଦି ନାମକ ଏକ ଗଣନା ପଦ୍ଧତି ଅନୁସାରେ ୫୦ତମ ବର୍ଷ ଅଟେ * ଏବଂ ଏହା କୌଣସିମତେ ନବମ ବର୍ଷ ହୋଇ ପାରିବ ନାହିଁ । ସୁତରାଂ ରଣଭଞ୍ଜଙ୍କର ୫୦ତମ ବର୍ଷରେ ଯେଉଁ ତିନୋଟି ତାମ୍ରଶାସନ ଘୋଷିତ ହୋଇଥିଲା; ତନ୍ମମଧ୍ୟରୁ ବିଷୁବ ସଂକ୍ରାନ୍ତି ଦିବସରେ ପ୍ରଦତ୍ତ ଫୁଲବାଣୀ ତାମ୍ରଶାସନରେ ସେ ପରମ ବୈଷ୍ଣବ ରୂପେ ଏବଂ ତଦନନ୍ତର ଅନ୍ୟ ଦୁଇଟି ତାମ୍ର ଶାସନରେ ପରମ ମାହେଶ୍ୱର ରୂପେ ବର୍ଣ୍ଣିତ ଥିଲେ । ଏଥିରୁ ଜଣାଯାଏ ଯେ ରାଜତ୍ୱର ୫୦ତମ ବର୍ଷରେ ରଣଭଞ୍ଜଙ୍କର ଧର୍ମବିଶ୍ୱାସରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେଇଥିଲା । ସେ ବୈଷ୍ଣବଧର୍ମ ପରିତ୍ୟାଗ କରି ଶୈବଧର୍ମ ଗ୍ରହଣ କରିଥିଲେ । ମହାରାଜା ରଣଭଞ୍ଜଙ୍କର ଧର୍ମ ପରିବର୍ତ୍ତନରେ ରାଣୀ ବିଜୟା ମହାଦେବୀଙ୍କର ଯେ ଏକ ବିଶିଷ୍ଟ ଅବଦାନ ଥିଲା ଏଥିରେ ସନ୍ଦେହ କରାଯାଇ ନପାରେ । ରାଣୀଙ୍କର ଧର୍ମ ବିଶ୍ୱାସରେ ରାଜାମାନଙ୍କ ସହନଶୀଳତା ତଥା ସହାନୁଭୁତି-ଶୀଳତାର ଅନେକ ଦୃଷ୍ଟାନ୍ତ ଇତିହାସରେ ଦେଖାଯାଏ । ମାତ୍ର ରାଜା ନିଜ ଧର୍ମ ପରିତ୍ୟାଗ କରି ରାଣୀଙ୍କ ଧର୍ମ ଗ୍ରହଣ କରିବା ଦୃଷ୍ଟାନ୍ତ ବିରଳ ଅଟେ । ବିଜୟା ମହାଦେବୀଙ୍କ ଧର୍ମ-ପ୍ରାଣତା ରଣଭଞ୍ଜଙ୍କ ମନରେ ଗଭୀର ରେଖାପାତ କରିଥିଲା ଏବଂ ଶେଷରେ ସେ ସହ-ଧର୍ମିଣୀଙ୍କର ସମଧର୍ମୀ ହେଲେ । ବସ୍ତୁତଃ ଏହା ଥିଲା ବିଜୟାଙ୍କର ଏକ ଗୌରବମୟ ବିଜୟ । ପାଟଣା ମ୍ୟୁଜିଅମ ଦାନପତ୍ରରେ ବିଜୟା ମହାଦେବୀଙ୍କୁ ରାଣକ ଶ୍ରୀ ନିୟାର୍ନମଙ୍କ ସୁତା ବୋଲି କୁହାଯାଇଅଛି (ପଂକ୍ତି ୨୯) । କେତେକ ଐତିହାସିକ ଉକ୍ତ ନିୟାର୍ନମଙ୍କୁ ମଣ୍ଡାସା ଓ ସାନ୍ତବୋମାଳି ତାମ୍ର ଶାସନର ଦାତା କଦମ୍ବ ରାଜା ଧର୍ମଖୋଡ଼ିଙ୍କର ପିତାମହ ନିୟାର୍ନବଙ୍କ ସହିତ ପରିଚିହ୍ନିତ କରିଥାନ୍ତି । ମଣ୍ଡାସା ତାମ୍ର ଶାସନ ସକାବ୍ଦ ୯୧୭ ବା ଖ୍ରୀଷ୍ଟାବ୍ଦ ୯୯୫ରେ ଏବଂ ସାନ୍ତ ବୋମାଳି ତାମ୍ର ଶାସନ ଗଙ୍ଗାବ୍ଦ ୫୨୦ ବା ଖ୍ରୀଷ୍ଟାବ୍ଦ ୧୦୧୮ରେ ପ୍ରଦତ୍ତ ହୋଇଥିଲା । ଧର୍ମଖୋଡ଼ଙ୍କର ରାଜତ୍ୱ କାଳ ଯଦି ପ୍ରାୟ ୯୯୦ ଖ୍ରୀ.ରୁ ଆରମ୍ଭ ହୁଏ, ତାଙ୍କର ପିତାମହ ନିୟାର୍ନବ ଦଶମ ଶତକର ପ୍ରାୟ ମଧ୍ୟଭାଗରେ ରାଜତ୍ୱ କରୁଥିଲେ ବୋଲି ଅନୁମାନ କରାଯାଇପାରେ । ମାତ୍ର ଭଞ୍ଜ ରାଜା ରଣଭଞ୍ଜଙ୍କ ସମୟ ନବମ ଶତକର ପ୍ରଥମାର୍ଦ୍ଧରେ ଥିଲା । ତେଣୁ ଧର୍ମଖେଡ଼ଙ୍କ ପିତାମହ ନିୟାର୍ନମ ରଣଭଞ୍ଜଙ୍କ ସମସାମୟିକ ହୋଇ ପାରିବେ ନାହିଁ । କଳିଙ୍ଗର ମହେନ୍ଦ୍ରଗିରି ନିକଟରେ କାଦମ୍ବ ରାଜ୍ୟ ପ୍ରତିଷ୍ଠିତ ଥିଲା । ଏହି ବଂଶର ଇତିହାସ ଏ ପର୍ଯ୍ୟନ୍ତ ଅନ୍ଧକାରାଚ୍ଛନ୍ନ ହୋଇ ରହିଅଛି ଏବଂ ଅନେକ ରାଜାଙ୍କର ନାମ ସୁଦ୍ଧା ଆବିଷ୍କୃତ ହୋଇପାରି ନାହିଁ । ସୁତରାଂ ନବମ ଶତକର ପ୍ରଥମାର୍ଦ୍ଧରେ ଏହି ବଂଶରେ ନିୟାର୍ନମ ବା ନିୟାର୍ନବ ନାମରେ ଆଉ ଜଣେ ରାଜା ଥିବାର ସମ୍ଭାବନାକୁ ଏଡ଼ି ଦିଆଯାଇ ନ ପାରେ । ଖୁବ୍‌ସମ୍ଭବ, ବିଜୟା ମହାଦେବୀ କଳିଙ୍ଗର କଦମ୍ବ କୁଳ-ସମ୍ଭୂତା ଥିଲେ ।

 

* କେତେକ ପ୍ରାଚୀନ ଅଭିଲେଖରେ କଟପୟାଦି ଗଣନା ଅନୁସ୍ମୃତ ହୋଇଥିବା ଦେଖାଯାଏ । ଏଥିରେ ‘କ’ ଠାରୁ ‘ଝ’ ପର୍ଯ୍ୟନ୍ତ ଅକ୍ଷର ଯଥାକ୍ରମେ ୧ ରୁ ୯ ପର୍ଯ୍ୟନ୍ତ ସଂଖ୍ୟା ଓ ‘ଞ’ ଅକ୍ଷର ଶୂନ୍ୟକୁ ବୁଝାଏ । ସେହିପରି ଟ ରୁ ଧ ପର୍ଯ୍ୟନ୍ତ ଅକ୍ଷର ଯଥାକ୍ରମେ ୧ରୁ ୯ ପର୍ଯ୍ୟନ୍ତ ସଂଖ୍ୟା ଏବଂ ତା ପର ଅକ୍ଷର ନ ଶୂନ୍ୟକୁ ବୁଝାଏ । ପ ଫ, ବ, ଭ, ମ ଯଥାକ୍ରମେ ୧ ରୁ ୫ ସଂଖ୍ୟା ବୁଝାଏ ଏବଂ ଯ, ର, ଲ, ବ, ଶ, ଷ, ହ, ଳ, ଯଥାକ୍ରମେ ୧ ରୁ ୯ ସଂଖ୍ୟା ବୁଝାଏ । ଏଥିରେ ମଧ୍ୟ ‘ଅଙ୍କନାମ ବାମତଃ ଗତି’ ପଦ୍ଧତି ଅନୁସୃତ ହୁଏ । ‘ନମ’ ଶବ୍ଦରେ ନ=ଠ ଓ ମ=୫ । ଅଙ୍କାନାମ୍‌ ବାମତଃ ଗତିରେ ଏହା ୫୦ ହେବ । ‘ନମ ମେ’ର ଅର୍ଥ ହେବ ୫୦ତମ ବର୍ଷରେ ।

 

ରଣଭଞ୍ଜ ଦେବ ରାଜତ୍ୱର ଶେଷ ଭାଗରେ ଶୈବଧର୍ମରେ ଦୀକ୍ଷିତ ହେଲାପରେ ମଧ୍ୟ ରାଜା ଓ ରାଣୀଙ୍କର ବୈଷ୍ଣବ ଧର୍ମ ପ୍ରତି ଶ୍ରଦ୍ଧା ସମ୍ମାନ ଅତୁଟ ଥିଲା । ସେମାନଙ୍କ ଜ୍ୟେଷ୍ଠ ପୁତ୍ର ପରମ ବୈଷ୍ଣବ ଦ୍ୱିତୀୟ ଶତ୍ରୁଭଞ୍ଜଦେବ ଏହାର ପ୍ରମାଣ । ପରମ ମାହେଶ୍ୱର ରଣଭଞ୍ଜ ଓ ପରମ ମାହେଶ୍ୱରୀ ବିଜୟା ସେମାନଙ୍କର ଧର୍ମ ବିଶ୍ୱାସକୁ ପୁତ୍ର ଉପରେ ଲଦି ନ ଦେଇ ଉଦାର ମନୋବୃତ୍ତିର ପରିଚୟ ଦେଇଅଛନ୍ତି । ପରମ ବୈଷ୍ଣବ ଦ୍ୱିତୀୟ ଶତ୍ରୁଭଞ୍ଜଙ୍କର କୁମୂରକେଳା ତାମ୍ରଶାସନ ବୈଷ୍ଣବ ତିଥି କାର୍ତ୍ତିକ ଶୁକ୍ଳ ମହାଦ୍ୱାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସାକ୍ଷୀ ରଖି ଗନ୍ଧଟପାଟୀ ନିବାସୀ ବ୍ରାହ୍ମଣ ମନୋରଥଙ୍କୁ ପ୍ରଦାନ କରା ଯାଇଥିଲା । ଅନେକ ଐତିହାସିକ ସୋନପୁର ତାମ୍ର ଶାସନର ଶତ୍ରୁ ଭଞ୍ଜ ଓ କୁମୂରକେଳା ତାମ୍ର ଶାସନର ଶତ୍ରୁଭଞ୍ଜ ଏକ ଓ ଅଭିନ୍ନ ବୋଲି ମତ ଦେଇଥାନ୍ତି । ମାତ୍ର ତାମ୍ର ଶାସନର ଅନୁଧ୍ୟାନରୁ ଜଣାଯାଏ ଯେ କେବଳ ନାମ ବ୍ୟତୀତ ଉଭୟଙ୍କ ମଧ୍ୟରେ କୌଣସି ସାମଞ୍ଜସ୍ୟ ନ ଥିଲା । ସୋନପୁର ତାମ୍ର ଶାସନର ପ୍ରଥମ ଶତ୍ରୁଭଞ୍ଜ ଦେବ ରଣଭଞ୍ଜଙ୍କର ପିତା ଥିଲେ ଏବଂ କୁମୂରକେଳା ଦାନପତ୍ରର ଦ୍ୱିତୀୟ ଶତ୍ରୁଭଞ୍ଜ ଦେବ ରଣଭଞ୍ଜ ଓ ବିଜୟା ମହାଦେୀଙ୍କର ପୁତ୍ର ଥିଲେ ।

 

ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଇତିହାସରେ ମହାରାଣୀ ବିଜୟା ଦେବୀଙ୍କର ବିଶିଷ୍ଟ ଅବଦାନ ଥିଲେ ମଧ୍ୟ ତାଙ୍କର ନାମ ଆଜି ବିସ୍ମୃତି ଗର୍ଭରେ ଲୋପ ପାଇଅଛି । ରଣଭଞ୍ଜଙ୍କ ପାଟଣା ମ୍ୟୁଜିଅମ୍‌ ଦାନପତ୍ର ବ୍ୟତୀତ ଅନ୍ୟ କୌଣସି ଅଭିଲେଖରେ ତାଙ୍କ ନାମ ଉଲ୍ଲେଖ ନାହିଁ । ଏହି ତାମ୍ର ଶାସନ ଉତ୍କୀର୍ଣ୍ଣ କରିଥିଲେ ବଣିକ ସୁବର୍ଣ୍ଣକାର ପାଣ୍ଡି ସୁତଙ୍କ ପୁତ୍ର ଶିବନାଗ । ସଂସ୍କୃତି ଭାଷାରେ ସୁନ୍ଦର ଶୈଳୀରେ ଏହା ଲେଖା ହୋଇଥିଲେ ମଧ୍ୟ ଉତ୍କୀର୍ଣ୍ଣ ସମୟରେ ଏଠାରେ ଅନେକ ଭୁଲ ରହି ଯାଇଅଛି । ଶିବନାଗ ନିଜର ନାମକୁ ମଧ୍ୟ ‘ସିବଣାଗ’ ବୋଲି ଲେଖିଛନ୍ତି । ବିଜୟା ଦେବୀଙ୍କ ନାମ ଯ ଓ ୟ ମିଶାଇ ଦେଇ ‘‘ବିଜ୍ୟା’ ବୋଲି ଲେଖା ଅଛି । ତେଣୁ କେତେକେ ମନେ କରନ୍ତି ଯେ ରାଣୀଙ୍କ ନାମ ବିଜ୍ୟା ବା ବିଦ୍ୟା ଦେବୀ ଥିଲା । ମାତ୍ର ବିଜୟେଶ୍ୱର ଶିବଙ୍କ ନାମରୁ ଏହି ଭ୍ରମ ଦୂରୀଭୁତ ହୁଏ । ଧୃତିପୁର (ବଉଦ)ର ଭଞ୍ଜ ରାଜବଂଶ ଉପରେ ଅଧିକ ଗବେଷଣା ହୋଇ ପାରିଲେ ମହାରାଣୀ ବିଜୟାଙ୍କ କୃତିତ୍ୱ ସମ୍ପର୍କରେ ଆହୁରି ଅନେକ କଥା ଜଣା ପଡ଼ିବ ବୋଲି ଆଶା କରାଯାଏ ।

 

***

 

ଓଡ଼ିଶାର ବାଦିପାଲା

ଅଧ୍ୟାପକ ଶ୍ରୀ ନିରଞ୍ଜନ ପଣ୍ଡା

 

ପାଲା ଓଡ଼ିଶାର ଏକ ସାରସତ୍ୱ ସାଂସ୍କୃତିକ ଅନୁଷ୍ଠାନ । ପାଲା ପରି ରସାଳ; ବିଦଗ୍‌ଧ ସାହିତ୍ୟିକ ଅନୁଷ୍ଠାନ ଭାରତର ଅନ୍ୟ କୌଣସି ପ୍ରଦେଶରେ ଦେଖାଯାଏ ନାହିଁ । ଏହା କଳା-ପ୍ରବଣ, ସଂସ୍କୃତିପ୍ରେମୀ ଓଡ଼ିଆର ଏକାନ୍ତ ନିଜସ୍ୱ । ପାଲା ଏକାଧାରରେ ଧାର୍ମିକ, ସାଙ୍ଗୀତକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ । ଧର୍ମ ଏହାର ଅସ୍ଥି, ସଙ୍ଗୀତ ଏହାର ରକ୍ତ, ସାମାଜିକ ଓ ସାଂସ୍କୃତିକ ଚେତନା ଏହାର ମାଂସ ଓ ଚର୍ମ । ଶତାବ୍ଦୀ ଶତାବ୍ଦୀ ଧରି ପାଲା ନିରବଚ୍ଛିନ ଭାବରେ ଓଡ଼ିଶାର ଜନ ଜୀବନ ଓ ସାଂସ୍କୃତିକ ଚେତନା ସହିତ ନିବିଡ଼ ସଂପର୍କ ରକ୍ଷା କରି ଆସିଛି । ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତାବହ ଭାବରେ ପାଲା ଅକଳଙ୍କ ଯଶର ଅଧିକାରୀ । ଛନ୍ଦ, ସ୍ୱର, ଲୟ, ତାଳ ଓ ଭାବର ବଧୁର ମୂର୍ଚ୍ଛନାରେ ଅନୁରଣିତ ହୋଇ ଓଡ଼ିଆ ସାହିତ୍ୟ ପାଲା ମାଧ୍ୟମରେ ସରସ ଓ ଜୀବନ୍ତ ହୋଇପାରିଛି । କେବଳ ଓଡ଼ିଆ ସାହିତ୍ୟ ନୁହେଁ, ସଂସ୍କୃତ ତଥା ଅନେକ ଆଞ୍ଚଳିକ ସାହିତ୍ୟର ବରେଣ୍ୟ କବିମାନଙ୍କୁ ପାଲା ମାଧ୍ୟମରେ ହିଁ ଗଣଙ୍କ ନିକଟରେ ପରିଚିତ କରାଯାଇ ପାରିଛି । ଜନସାଧାରଣଙ୍କ ମଧ୍ୟରେ ଜୀବନର ସାରସତ୍ୱ ମୂଲ୍ୟବୋଧ ପ୍ରଚାର କରିବା ପାଇଁ ପାଲା ଏକ ବଳିଷ୍ଠ ମାଧ୍ୟମ ହୋଇଥିବାରୁ ଆଧୁନିକତାର ଶତ ତାଡ଼ନା ସତ୍ତ୍ୱେ ଯାବତ୍‌ପାଲା ତା’ର ଆସନ ସୁପ୍ରତିଷ୍ଠିତ କରି ପାରିଛି ।

 

ପାଲାର ‘‘ଗାୟକ’’ ଗାୟନ, ବ୍ୟାଖ୍ୟାନ ଓ ଅଭିନୟ ମାଧ୍ୟମରେ ଦର୍ଶକ ସମ୍ମୁଖରେ କାବ୍ୟ ନାଟକାଦି ଉପସ୍ଥାପନା କରନ୍ତି । ଅଭିନୟ ପାଲାର ଏକ ଅବିଚ୍ଛେଦ୍ୟ ଓ ବିଶେଷ ଅଙ୍ଗ । ବିଷୟବସ୍ତୁ ଉପସ୍ଥାପନା ବେଳେ ଗାୟକ ନିଜ ସହକର୍ମୀମାନଙ୍କ ସହାୟତାରେ ଯେଉଁ ନାଟକୀୟତା ପ୍ରକାଶ କରେ, ତାହା ଜନମନରେ ଅଖଣ୍ଡ-ରସ ପ୍ରବାହ ସୃଷ୍ଟି କରିଥାଏ । ପାଲା ଗାୟକ କବିତ୍ୱର ବୌଦ୍ଧିକ ଦୀପ୍ତିରେ ଦୀପ୍ତିମନ୍ତ ହେଲେ ଜଣେ ସଫଳ ଗାୟକ ଭାବରେ ଖ୍ୟାତି ଲାଭ କରିପାରେ । ପାଲାର ସଂଗୀତ ସମାରୋହରେ ଆମର ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟ ପରିପୂର୍ଣ୍ଣ ହୋଇ ରହିଛି । ଏହି ରାଗ-ରାଗିଣୀ ସଠିକ ଗାୟନ ଚାତୁରୀ, ବ୍ୟାକରଣ ଉପରେ ଦକ୍ଷତା ଓ ଉପସ୍ଥିତ ବୁଦ୍ଧିର ବିଚକ୍ଷଣତା ହିଁ ଗାୟକର ଭୂଷଣ ବିଶେଷ ।

 

‘‘ପାଲା’’ ଗଣ ଅନୁଷ୍ଠାନରେ ପରିଣତ ହେବାପୂର୍ବରୁ ତାହା ଦରବାରର ବିଳାସ କକ୍ଷ ମଧ୍ୟରେ ଆବଦ୍ଧ ଥିଲା । ବିଳାସୀ ରାଜସମ୍ପ୍ରଦାୟର ଲୋକମାନଙ୍କର ମନୋରଞ୍ଜନ ପାଇଁ ଏହା ଉଦ୍ଦିଷ୍ଟ ଥିଲା । ତତ୍କାଳୀନ ‘ଗାୟକ’ମାନେ ଯେପରି ସଙ୍ଗୀତଜ୍ଞ ସେହିପରି ପାଣ୍ଡିତ୍ୟ ମଧ୍ୟ ଅର୍ଜ୍ଜନ କରି ପାରିଥିଲେ । ଦରବାରରେ ଆଶୁକବିତ୍ୱ ବଳରେ ଶ୍ଳୋକ ଓ କବିତା ରଚନା କରି ଓ ସେଥିରେ ତତ୍ରସ୍ଥ ରାଜପୁରୁଷ ଓ ପାରିଷଦବର୍ଗଙ୍କର ସ୍ତାବକତା କରି ଅର୍ଥ ଉପାର୍ଜନ କରାଯାଉଥିଲା । ରାଜଦରବାରରେ ଦୁଇଜଣ ଗାୟକଙ୍କ ମଧ୍ୟରେ ସାହିତ୍ୟକୁ ନେଇ ବିଦଗ୍‌ଧ ବିବାଦ ହେଉଥିଲା । ଜଣେ କବି କୌଣସି ଗୋଟିଏ ଶ୍ଳୋକର ଶେଷ ପାଦଟିଏ ଗାଇ ଦେଲେ ଅନ୍ୟ ଜଣେ କବି ସ୍ୱୀୟ ପ୍ରତିଭାବଳରେ ଶ୍ଳୋକର ଅନ୍ୟ ତିନିପାଦ ପୂରଣ କରି ଦିଅନ୍ତି । କୌଣସି ଗାୟକ ସମସ୍ୟାସମ୍ବଳିତ ଶ୍ଳୋକଟିଏ ଉପସ୍ଥାପନ କଲେ, ଅପର ଗାୟକ ତା’ର ଉତ୍ତର ଦେଇ ପୁନଶ୍ଚ ପ୍ରଶ୍ନ ଉପସ୍ଥାପନ କରନ୍ତି । ଏହି ପ୍ରକାର ସାହିତ୍ୟିକ ବିବାଦ ଗୁପ୍ତ ଯୁଗରେ ପ୍ରଚଳିତ ଥିବା କଥା ଇତିହାସରୁ ପ୍ରମାଣ ମିଳେ । ପୁରାଣମାନଙ୍କରେ ରାଜ-ଦରବାରର ଯେଉଁ ସମ୍ୟକ୍‌ ଚିତ୍ର ଦେଖିବାକୁ ମିଳେ, ସେଥିରେ ମଧ୍ୟ ଏହି ରୀତି ଅଳ୍ପ ବହୁତ ପ୍ରଚଳିତ ଥିବା ଅନୁମାନ କରାଯାଏ । ଏହି ପ୍ରଶ୍ନ-ଉତ୍ତର ଯେପରି ବାକ୍‌ବୈଦଗ୍‌ଧ୍ୟ ପରିମଣ୍ଡିତ ସେହିପରି ଭାବ ଓ ବିଜ୍ଞତାରେ ପରିପୂର୍ଣ୍ଣ । ପୁରାଣର କାହାଣୀ ସହ କଳ୍ପନାର ମନୋରମ ଚିତ୍ର ମଧ୍ୟ ଏହା ମାଧ୍ୟମରେ ପରିବେଷିତ ହେଉଥିଲା । ପରିବେଷଣ ଭଙ୍ଗୀର ଚାତୁର୍ଯ୍ୟ ଯୋଗୁଁ ଏହି ରୀତି ଦରବାରୀମାନଙ୍କର ଚିତ୍ତ ମୁଗ୍‌ଧ କରୁଥିଲା । ସମୟ ସମୟରେ ଖ୍ୟାତିସମ୍ପନ୍ନ ଗାୟକ ଓ କବିମାନେ ଦେଶ ପର୍ଯ୍ୟଟନ କରି ତତ୍କାଳୀନ ରାଜାମାନଙ୍କ ଦରବାରସ୍ଥ ପଣ୍ଡିତ ଗାୟକମାନଙ୍କ ସହିତ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଉଥିଲେ । ମହାରାଜା ବିକ୍ରମାଦିତ୍ୟଙ୍କ ଦରବାର ଏଥିପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲା । ଅନୁରୂପ ଭାବରେ ଧାରାନଗରୀର ରାଜା ଭୋଜ ମଧ୍ୟ ଏତାଦୃଶ ପ୍ରତିଯୋଗିତା ପାଇଁ ଭୂମିକା ସୃଷ୍ଟି କରୁଥିବାର ଭୂରିଭୂରି ପ୍ରମାଣ ରହିଛି । ଓଡ଼ିଶାର ରାଜାମାନେ ମଧ୍ୟ ନିଜ ନିଜ ଦରବାରରେ ବହୁ ପ୍ରତିଭାବନ୍ତ କବି, ପଣ୍ଡିତ ଓ ଗାୟକଙ୍କୁ ସ୍ଥାନ ଦେଇ ସାହିତ୍ୟ ସେବାରେ ନିଜକୁ ନିୟୋଜିତ କରୁଥିଲେ ।

 

ବାଦିପାଲା ସ୍ୱରୂପ :

କାଳକ୍ରମେ ଏହି ପ୍ରତିଯୋଗିତା ନିଜର ଜନପ୍ରିୟତା ଯୋଗୁଁ ରାଜଦରବାରରୁ କ୍ରମେ ଜନପଦ ଆଡ଼େ ଅଗ୍ରସର ହେଲା । ପାଲାର ଏହି ପ୍ରତିଯୋଗିତା ମୂଳକ ସାଂସ୍କୃତିକ ଅନୁଷ୍ଠାନକୁ ‘ବାଦିପାଲା’ ନାମରେ ଅଭିହିତ କରାଯାଏ । ଦୁଇଜଣ ଗାୟକଙ୍କ ମଧ୍ୟରେ ବାଦିପାଲା ସଂଘଟିତ ହୁଏ । ଏହି ବାଦିପାଲାଦ୍ୱାରା ଗାୟକମାନଙ୍କର ପାଣ୍ଡିତ୍ୟ, ପ୍ରତ୍ୟୁତ୍ପନମତିତା, ଆଶୁକବିତ୍ୱ, ଅଭିନୟ ଚାତୁର୍ଯ୍ୟ ଓ ସଙ୍ଗୀତ ଶାସ୍ତ୍ରରେ ଥିବା ଗଭୀର ଜ୍ଞାନର ପରିଚୟ ମିଳେ । ବାଦିପାଲା ଦୀର୍ଘଦିନ ଧରି ଚାଲିପାରେ । ପ୍ରଯୋଜକ ଅନୁଷ୍ଠାନର ଯୋଗ୍ୟତା ଓ ଶକ୍ତି ଉପରେ ଏହା ନିର୍ଭର କରେ ।

 

ବାଦିପାଲାର ଆସ୍ଥାନ :

ବାଦିପାଲାରେ ସତ୍ୟନାରାୟଣଙ୍କର ଆସ୍ଥାନ ସ୍ଥାପିତ ହୁଏ । ଉକ୍ତ ଆସ୍ଥାନରେ ପାନ ଉପରେ ତ୍ରମୁକ, କଦଳୀ ଓ ଲଡ଼ୁ ଦିଆଯାଇ ପଞ୍ଚଦେବତାଙ୍କୁ ଆବାହନ କରାଯାଏ । ଏହି ତ୍ରମୁକ ପଞ୍ଚଦେବତାଙ୍କର ପ୍ରତିନିଧିତ୍ୱ କରନ୍ତି । ସେଗୁଡ଼ିକୁ ମୁକାମ୍‌ ବୋଲି କୁହାଯାଏ । ଆସ୍ଥାନର ଚାରିକୋଣରେ ଗଣେଶ, ଭାସ୍କର, ଦୁର୍ଗା, ଶିବ ଓ ମଝିରେ ନାରାୟଣଙ୍କର ଆସନ ଥାଏ । ଆସ୍ଥାନ ଚାରିପଟେ ଚାରିଗୋଟି କାଣ୍ଡ ପୋତାଯାଏ । ତାହା ବାଉଁଶ ଦଣ୍ଡ ବା ବେତ ଦଣ୍ଡଦ୍ୱାରା ତିଆରି । ଏହି ଦଣ୍ଡର ଅଗ୍ରଭାଗରେ ମୟୂର ଚନ୍ଦ୍ରିକା ଖଞ୍ଜା ଯାଇଥାଏ । ପୂଜକ ବ୍ରାହ୍ମଣ ବୈଦିକ ରୀତିରେ ପୂଜା କରନ୍ତି ।

 

ପ୍ରାଚୀନ ବାଦିପାଲାର ମଞ୍ଚ :

ଆଜିକୁ ୪୦ବର୍ଷ ତଳେ ଯେଉଁ ବାଦିପାଲା ଅନୁଷ୍ଠିତ ହେଉଥିଲା, ସେହି ବାଦିପାଲା ପାଇଁ ଉଦ୍ଦିଷ୍ଟ ମଞ୍ଚର ଅନେକ ପରିବର୍ତ୍ତନ ହେଲାଣି । ପୂର୍ବ କାଳରେ ସତ୍ୟନାରାୟଣଙ୍କ ଆସ୍ଥାନର ବାମ ଓ ଦକ୍ଷିଣ ଭାଗରେ ଦୁଇଟି ମଞ୍ଚ ନିର୍ମାଣ କରାଯାଉଥିଲା । ଉଭୟ ଗାୟକ ନିଜର ସହଯୋଗୀମାନଙ୍କ ସହ ଆସି ମଞ୍ଚ ଉପରେ ଉପସ୍ଥିତ ହେଉଥିଲେ । ପ୍ରଥମ ଗାୟକ ନିଜର ବିଷୟବସ୍ତୁ ଉପସ୍ଥାପନା ପାଇଁ ଦୁଇ ଘଣ୍ଟା ସମୟ ପାଉଥିଲେ । ତା’ପରେ ଦ୍ୱିତୀୟ ଗାୟକଙ୍କ ପାଳି ପଡ଼ୁଥିଲା । ଦ୍ୱିତୀୟ ଗାୟକ ଦୁଇ ଘଣ୍ଟା ପାଇଁ ନିଜର ଯୋଗ୍ୟତା ପ୍ରଦର୍ଶନ କରୁଥିଲେ । ତା’ପରେ ପୁନଶ୍ଚ ପ୍ରଥମ ଗାୟକ ଦୁଇ ଘଣ୍ଟା ପାଲା ପ୍ରଦର୍ଶନ କରି ଆସନ ଗ୍ରହଣ କଲାପରେ ଦ୍ୱିତୀୟ ଗାୟକ ପୁଣି ଦୁଇଘଣ୍ଟା ପାଇଁ ଉଠନ୍ତି । ଏହି ଶେଷ ପର୍ଯ୍ୟାୟରେ ପାଲା ଶେଷ ହୁଏ । ପୁଣି ତା’ପରେ ପରଦିନ ଦ୍ୱିତୀୟ ଦିନର ଅଧିବେଶନ ବସେ । ଉଭୟ ମଞ୍ଚର ମଧ୍ୟଭାଗରେ ନାରାୟଣଙ୍କ ଆସ୍ଥାନ ଥାଏ । ନାରାୟଣଙ୍କ ଆସ୍ଥାନର ଚାରିକଡ଼ରେ ଯେଉଁ କଦଳୀଗଛ ପୋତାଯାଇଥାଏ, ଉଭୟ ଗାୟକ ନିଜର ପାଲା ପ୍ରଦର୍ଶନ କଲାବେଳେ ସେହି କଦଳୀଗଛ ପର୍ଯ୍ୟନ୍ତ ଆସି ପୁଣି ନିଜ ମଞ୍ଚକୁ ଫେରିଯାଆନ୍ତି । ଗୋଟିଏ ଦିନରେ ଦୁଇ ଗାୟକ ଦୁଇ ଥର କରି ପାଲା ଗାଆନ୍ତି । ପ୍ରତିଯୋଗୀ ଗାୟକ ପାଲା ଗାଉଥିଲାବେଳେ ଅପର ଗାୟକ ସେହି ମଞ୍ଚ ଉପରେ ବସି ରହନ୍ତି । ପୁଣି ତାଙ୍କ ପାଳି ପଡ଼ିଲେ ସେ ନିଜ ମଞ୍ଚ ଉପରେ ପାଲା ଗାଆନ୍ତି । କୌଣସି ଗାୟକ ନିଜ ମଞ୍ଚ ଛାଡ଼ି ଅପର ଗାୟକର ମଞ୍ଚ ଉପରକୁ ଯାଇପାରନ୍ତି ନାହିଁ । ଗାୟକ ପାଲା ପରିବେଷଣ କଲାବେଳେ ପ୍ରତିଯୋଗୀ ଗାୟକଙ୍କ ମଞ୍ଚଆଡ଼େ ଚାହିଁ ପ୍ରତ୍ୟକ୍ଷ ଭାବରେ ଆକ୍ଷେପ ଓ ବ୍ୟଙ୍ଗୋକ୍ତି କରୁଥିଲେ । ଏପରିକି ଗୀତ ଶେଷରେ ବାୟକ ଖୋଳ ସାହାଯ୍ୟରେ ଓ ପାଳିଆମାନେ ତାଳ ସାହାଯ୍ୟରେ ମାନ କାଟିଲାବେଳେ ଗାୟକ ନାଚି ନାଚି ଯାଇ ଆସ୍ଥାନରେ ଅପର ଗାୟକଙ୍କ ମଞ୍ଚ ଆଡ଼େ ପୋତାଯାଇଥିବା କଦଳୀଗଛକୁ ଚାମରଦ୍ୱାରା ଆଘାତ କରୁଥିଲେ । ସେତେବେଳେ ଏହାକୁ ଚାମର ମାନ କୁହାଯାଉଥିଲା । କାଳକ୍ରମେ ଏପ୍ରକାର ମଞ୍ଚରେ ଅଭିନୟ ଅନେକ ଅସୁବିଧା ସୃଷ୍ଟି କଲାରୁ ଏହା କ୍ରମେ କ୍ରମେ ପରିବର୍ତ୍ତିତ ହେଲା । ପ୍ରତିଯୋଗୀ ଗାୟକମାନେ ପରିବେଷଣ ମାଧ୍ୟମରେ ଶାଳୀନତା ରକ୍ଷା ନ କରି ପରସ୍ପରକୁ ଏକାନ୍ତ ଅଶ୍ରାବ୍ୟ କଟୂଭାଷାରେ ଭର୍ତ୍ସନା ଆରମ୍ଭ କଲେ । ସମାଲୋଚନା ସାହିତ୍ୟିକ ଓ ତାତ୍ତ୍ୱିକ ନ ହୋଇ ବ୍ୟକ୍ତିଗତ କୁତ୍ସାରେ ପରିଣତ ହେଲା । ତେଣୁ ଅନେକ ସ୍ଥାନରେ ଏ ପ୍ରକାର ମଞ୍ଚକୁ ବିରୋଧ କରାଗଲା ।

 

ବାଦିପାଲାର ଆଧୁନିକ ମଞ୍ଚ :

ଆଜିକାଲି ବାଦିପାଲା ପାଇଁ ଗୋଟିଏ ମଞ୍ଚ ନିର୍ମାଣ କରାଯାଉଛି । ସେହି ମଞ୍ଚର ଗୋଟିଏ କୋଣକୁ ନାରାୟଣଙ୍କର ଆସ୍ଥାନ ସ୍ଥାପିତ ହୁଏ । ଜଣେ ଗାୟକ ମଞ୍ଚ ଉପରକୁ ଆସି ୪ ଘଣ୍ଟାରୁ ୫ ଘଣ୍ଟା ଏକକାଳୀନ ପାଲା ଗାଇ ଯିବା ପରେ ଅପର ଗାୟକ ମଞ୍ଚ ଉପରକୁ ଆସନ୍ତି । ସେ ୪ ଘଣ୍ଟା ପର୍ଯ୍ୟନ୍ତ ପାଲା ପ୍ରଦର୍ଶନ କରି ସାରିଲେ ସେଦିନର ପାଲା ସମାପ୍ତ ହୁଏ ଓ ପୁନଶ୍ଚ ତା’ ପରଦିନ ପ୍ରଥମ ଦିନର ଶେଷ ଗାୟକ ପ୍ରଥମ ପାଳିରେ ପାଲା ଗାଆନ୍ତି । ପ୍ରତିଯୋଗୀ ଗାୟକ ପାଲା ପରିବେଷଣ କଲାବେଳେ ଅପର ଗାୟକ ରଙ୍ଗମଞ୍ଚକୁ ଆସିବା ଆବଶ୍ୟକ ପଡ଼େ ନାହିଁ । ସେ ରଙ୍ଗମଞ୍ଚକୁ ନ ଆସିଲେ ମଧ୍ୟ ଅନ୍ତରାଳରେ ଥାଇ ପ୍ରତିଯୋଗୀ ଗାୟକଙ୍କର ପରିବେଷଣ ଭଙ୍ଗୀ ଆଦିକୁ ଲକ୍ଷ୍ୟ କରନ୍ତି ।

 

ବାଦିପାଲାର ବିଷୟବସ୍ତୁ :

ପୂର୍ବକାଳରେ ଗାୟକମାନଙ୍କୁ ‘‘ବାଦିପାଲା’’ ଆୟୋଜନ କରାଉଥିବା ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ଗାଇବା ପାଇଁ ବିଷୟବସ୍ତୁ ବରାଦ କରୁଥିଲେ । ପ୍ରଥମ ଗାୟକ ସେହି ବିଷୟବସ୍ତୁ ଆରମ୍ଭ କରୁଥିଲେ ଓ ତାଙ୍କ ପରେ ଦ୍ୱିତୀୟ ଗାୟକ ଆସି ପ୍ରଥମ ଗାୟକ ବାକି ରଖିଥିବା ବିଷୟକୁ କିଛି ବାଟ ଆଗେଇ ନେଉଥିଲେ । ତା’ପରେ ପୁନଶ୍ଚ ପ୍ରଥମ ଗାୟକ ଆସି ଦ୍ୱିତୀୟ ଗାୟକ ଛାଡ଼ିଥିବା ଘଟଣାକୁ ଆଉ ଟିକିଏ ଆଗେଇ ନେଉଥିଲେ । ବିଷୟବସ୍ତୁ ପରିବେଷଣର ମନ୍ଥରତାରୁ ଗାୟକର ପାଣ୍ଡିତ୍ୟ ଓ ଚାତୁର୍ଯ୍ୟ ପ୍ରମାଣିତ ହୁଏ । ଗୋଟିଏ ଗୋଟିଏ ବିଷୟବସ୍ତୁକୁ ଉଭୟ ଗାୟକ ଆଠ ଦଶଦିନ ଧରି ଗାଇଥିବା ପ୍ରମାଣ ଏବେ ବି ଓଡ଼ିଶାର ଗଡ଼ଜାତ ରାଜାମାନଙ୍କ ଲୁପ୍ତପ୍ରାୟ ଦରବାରରୁ ଶୁଣିବାକୁ ମିଳେ । କୌଣସି ଗାୟକ ଏତାଦୃଶ ବିଷୟବସ୍ତୁ ଉପସ୍ଥାପନାରେ ଅକ୍ଷମ ହେଲେ ଅନେକ ସମୟରେ ପ୍ରତିଯୋଗିତାରୁ ତାଙ୍କୁ ବିଦାୟ ନେବାକୁ ପଡ଼ୁଥିଲା । ପ୍ରତିଯୋଗୀ ଗାୟକଙ୍କୁ ବିଦାୟ କରିଦେବା ଅପର ଗାୟକଙ୍କର ବିଶେଷ ଯୋଗ୍ୟତା ରୂପେ ପରିଗଣିତ ହେଉଥିଲା । ଆଜିକାଲି ବାଦିପାଲାରେ ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ପ୍ରାୟତଃ ଗାୟକଙ୍କୁ ବିଷୟବସ୍ତୁ ବରାଦ କରନ୍ତି ନାହିଁ । କାରଣ ବରାଦ ଅନୁସାରେ ଗାୟକ ବିଷୟବସ୍ତୁ ପରିବେଷଣ କଲେ ରସ ପ୍ରକାଶରେ ଅନ୍ତରାୟ ସୃଷ୍ଟି ହେଉଥିବା ଲକ୍ଷ୍ୟ କରି କ୍ରମେ ଏ ରୀତିରେ ପୂର୍ଣ୍ଣଚ୍ଛେଦ ପଡ଼ିଲାଣି ।

 

ଓଡ଼ିଶାର ବାଦିପାଲା :

ଆଜିକାଲି ବାଦିପାଲାରେ ପ୍ରଥମ ଗାୟକ ଯଦି ଆରମ୍ଭ କରିଥିବା ବିଷୟ ପୂର୍ଣ୍ଣ ନ କରନ୍ତି, ତେବେ ପ୍ରତିଯୋଗୀ ଗାୟକଙ୍କୁ ବିଶେଷ ଅନୁରୋଧ କରା ନ ଗଲେ ସେ ତାହାର ପରିସମାପ୍ତି କରନ୍ତି ନାହିଁ । ନିଜ ପାଳିରେ ଲୋକମାନଙ୍କର ମନୋରଞ୍ଜନପାଇଁ ସେ ନିଜଆଡ଼ୁ ବିଷୟ ସ୍ଥିର କରି ଗାଆନ୍ତି । ଅନେକ କ୍ଷେତ୍ରରେ ପ୍ରତିଯୋଗୀ ଗାୟକଙ୍କ ବିଷୟବସ୍ତୁକୁ ଦ୍ୱିତୀୟ ଗାୟକ ନିଜର ରୁଚି ଅନୁସାରେ ପରିସମାପ୍ତ କରିବା ପାଇଁ ଚେଷ୍ଟା କରନ୍ତି ।

 

ବାଦିପାଲାର ବିଶେଷତ୍ୱ :

ବାଦିପାଲାରେ ଗାୟକ ଜ୍ଞାନର ଗଭୀରତା, ବୁଦ୍ଧିର କ୍ଷିପ୍ରତା, ଚତୁରତା, ବାକ୍‌ପଟୁତା, ପ୍ରତ୍ୟୁତ୍ପନ୍ନମତିତା, ସ୍ମୃତି ଶକ୍ତିର ପ୍ରଖରତା, ଶାସ୍ତ୍ର-ଅଧ୍ୟୟନରେ ପାରିଦର୍ଶିତା ଓ ସଙ୍ଗୀତ ବିଦ୍ୟାରେ ପ୍ରବୀଣତାର ପରୀକ୍ଷା କରାଯାଏ । ଦୁଇପକ୍ଷ ଗାୟକଙ୍କ ମଧ୍ୟରେ ବାଦିପାଲା ସଂଘଟିତ ହୁଏ । ପ୍ରତିବାଦୀ ଗାୟକ ସମକକ୍ଷ ନ ହେଲେ ବାଦିପାଲା ପରିବେଷଣରେ ସରସତା ରହେ ନାହିଁ । ବାଦିପାଲାରେ ବିଷୟବସ୍ତୁ ଗୌଣ ହୋଇ ରହେ । ବହୁ କବିଙ୍କ କବିତା କାନନରୁ ପୁଷ୍ପଚୟନ କରି ଗାୟକ ମାଳା ଗୁନ୍ଥିଦିଏ । ପରିବେଷଣର କୁହୁକ ଜାଲରେ ଗାୟକ ଦର୍ଶକର ମନ-ମଦ ହସ୍ତୀକୁ ବନ୍ଧନ କରେ । ବାଦିପାଲାରେ ଗାୟକର ପାଣ୍ଡିତ୍ୟ ପ୍ରକର୍ଷ ଦେଖିବାକୁ ମିଳେ । ଯୋଗ୍ୟ ଓ ସୁଦକ୍ଷ ଗାୟକ ପ୍ରତିଯୋଗୀ ଗାୟକ ଛାଡ଼ିଥିବା ବିଷୟବସ୍ତୁକୁ ରସାଳ ଭାବରେ ପରିବେଷଣ କରିବାକୁ ଚେଷ୍ଟା କରେ । ବିଷୟବସ୍ତୁ ଉପସ୍ଥାପନ କଲାବେଳେ ପ୍ରତିଷ୍ଠିତ କବିମାନଙ୍କର ରଚନାରୁ ଉଦ୍ଧୃତି ଦେଇ ବିଷୟବସ୍ତୁକୁ ରସାଳ କରାଯାଏ । ଏହି ଉଦ୍ଧୃତିର ପରିମାଣ ଓ ସ୍ଥଳ ବିଶେଷରେ ଉପଯୁକ୍ତ ପ୍ରୟୋଗରୁ ଗାୟକଙ୍କର ଯୋଗ୍ୟତା ପ୍ରମାଣିତ ହୁଏ । ଏଥିରେ ନାନା ଭଙ୍ଗୀ ମାଧ୍ୟମରେ ମେଷଯୁଦ୍ଧ, ସିଂହାବଲୋକନ, ବ୍ୟାଘ୍ରଗତି, ମଣ୍ଡୁକାପ୍ଳୁତି, ଯମକ, ଛନ୍ଦ, ଚଉପଦୀ, ଢଗଢମାଳି ଆଦି ପରିବେଷଣ କରାଯାଏ ।

 

ପୁରାତନ କବିମାନଙ୍କଦ୍ୱାରା ରଚିତ ଚଉପଦୀ ଓ ରାଗରାଗିଣୀ ବାଦିପାଲାରେ ବିଶେଷ ଭାବରେ ପ୍ରୟୋଗ କରାଯାଏ । ଗାୟନ ଚାତୁରୀ ଦର୍ଶକ ପ୍ରାଣରେ ଅପାର ଆନନ୍ଦ ସୃଷ୍ଟି କରୁଥିବାରୁ ବାଦିପାଲାରେ ଗାୟକ ସେହି ଗୀତିଗୁଡ଼ିକର ସ୍ୱର ଅବିକୃତ ଭାବରେ ସଂଯୋଜନା କରିବାକୁ ଚେଷ୍ଟିତ ହୁଏ । ବାଦିପାଲାରେ ଗାୟକ ବିଶେଷ ଭାବରେ ମାନସିକ ପରିଶ୍ରମ କରେ । ଅଭିନୟ ମାଧ୍ୟମରେ ସାହିତ୍ୟର ରସାଳ ଭାବରାଜିକୁ ଯେଉଁ ଗାୟକ ଯେତିକି ପରିମାଣରେ ଦର୍ଶକ ହୃଦୟରେ ପହଞ୍ଚାଇପାରେ, ସେ ସେତିକି ପରିମାଣରେ ଜନାଦୃତି ଲାଭକରେ ।

 

ବାଦିପାଲାରେ ଉଭୟ ଗାୟକ ଓ ସେମାନଙ୍କର ସହକର୍ମୀମାନେ ପରସ୍ପର ପ୍ରତି ବ୍ୟଙ୍ଗୋକ୍ତିସୂଚକ ପଦ, ବାକ୍ୟ ଓ ଦାୟିକା ଗାଇ ପରସ୍ପରକୁ ଆକ୍ଷେପ କଲାବେଳେ ଦର୍ଶକମାନେ ଖୁବ୍‌ ଆନନ୍ଦିତ ହୁଅନ୍ତି । ଉଦାହରଣସ୍ୱରୂପ ଜଣେ ଗାୟକ ଅପର ପ୍ରତିଯୋଗୀ ଗାୟକକୁ ଗୋଟିଏ ଛୋଟୀ ବୋହୂ ସହିତ ସମାନ କରି ‘‘ବୋହୂ ଚାଲି ନ ଜଣାଇ ଲୋ ତା’ର ପାଦ ପଡ଼ୁ ଥାଇ ବଙ୍କା’’ ଏହି ଦାୟିକାଟି ଗାଇଲେ ତାହା ଦର୍ଶକମାନଙ୍କୁ ଖୁବ୍‌ ଆହ୍ଲାଦିତ କରେ । ବାଦିପାଲାରେ ଏହି ବ୍ୟଙ୍ଗ ମାର୍ଜିତ ରୁଚି ଓ ଶାଳୀନତା ଭିତରେ ଆବଦ୍ଧ ନ ହେଲେ ତାହା ଦର୍ଶକମାନଙ୍କ ମନରେ ଆନନ୍ଦ ଦେବା ପରବର୍ତ୍ତେ ବିରକ୍ତି ସୃଷ୍ଟିକରେ ।

 

ବିଷୟବସ୍ତୁରେ ପରିବେଷଣଜନିତ ତ୍ରୁଟି, ଅଳଙ୍କାର ପ୍ରୟୋଗରେ ଅପ୍ରାସଙ୍ଗିକତା, ଚରିତ୍ର-ଚିତ୍ରଣରେ ସଫଳତା, ନାୟିକାର ରୂପବର୍ଣ୍ଣନା ଓ ଚାଟୁକ୍ତିରେ ଅଶାଳୀନତା ଆଦିକୁ ନେଇ ବାଦିପାଲାରେ ଉଭୟ ଗାୟକ ପରସ୍ପରକୁ ଗଠନମୂଳକୁ ସମାଲୋଚନା କଲେ ଦର୍ଶକମାନେ ତାକୁ ଗ୍ରହଣ କରନ୍ତି । ମାତ୍ର ସମାଲୋଚନା ବ୍ୟକ୍ତିଗତ ବା କୁତ୍ସାମୂଳକ ହେଲେ ଦର୍ଶକମାନେ ବିରକ୍ତ ପ୍ରକାଶ କରିବା ଦେଖାଯାଏ ।

 

ବାଦିପାଲାରେ ଜଣେ ଗାୟକ ଅଳଙ୍କରଣ ପାଇଁ ଯେଉଁ ପଦର ଉଦ୍ଧୃତି ଦିଏ ଅପର ଗାୟକ ତାହାକୁ ପୁନରାବୃତ୍ତି କରିବାଦ୍ୱାରା ଦ୍ୱିତୀୟ ଗାୟକର ଯୋଗ୍ୟତା ଉପରେ ଦର୍ଶକମାନଙ୍କର ସନ୍ଦେହ ଆସେ । କିନ୍ତୁ ପ୍ରଥମ ଗାୟକ ଯଦି ସେହି ପଦକୁ ଉପସ୍ଥାପନା କଲାବେଳେ ବିକୃତ ଅର୍ଥ କରେ କିମ୍ବା ଯଥା ଯଥା ଭାବରେ ତା’ର ପ୍ରୟୋଗ କରି ନ ପାରେ ତେବେ ଦ୍ୱିତୀୟ ଗାୟକ ସମାଲୋଚନା ପାଇଁ ତାକୁ ପୁନଶ୍ଚ ଉଦ୍ଧାର କଲେ ତାହା ସେ ଗାୟକର ଯୋଗ୍ୟତା ବୋଲି ଧରାଯାଏ ।

 

ବାଦିପାଲାରେ ପ୍ରଶ୍ନୋତ୍ତର :

ଓଡ଼ିଶାର ପୁରପଲ୍ଲୀରେ ‘ପାଲା’ ଶବ୍ଦଟି ବିବାଦ ଅର୍ଥରେ ପ୍ରୟୋଗ ହୋଇଥାଏ । କାହାରି କାହାରି ଭିତରେ କଳି ତୀବ୍ର ହେଲେ ଅନ୍ୟମାନେ ତାଙ୍କର ‘‘ବାଦିପାଲା’’ ଲାଗିଛି ବୋଲି କହନ୍ତି । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ, ସାହିତ୍ୟିକ ବିବାଦ ହିଁ ପାଲାର ପ୍ରାଣକେନ୍ଦ୍ର । ବାଦିପାଲାରେ ଏହି ବିବାଦ ପାଇଁ ଯେପରି ପ୍ରଶସ୍ତ କ୍ଷେତ୍ର ଥାଏ, ତାହା ଅନ୍ୟ ପାଲାରେ ନ ଥାଏ ।

 

ଶାସ୍ତ୍ର, ପୁରାଣ, ଦର୍ଶନ, ମୀମାଂସା, ସାହିତ୍ୟ ମନସ୍ତତ୍ତ୍ୱ ଏ ସମସ୍ତ ବିଭାବ ପାଲାର ଅନ୍ତର୍ଗତ ହୋଇପାରେ । ମାତ୍ର ଉପଯୁକ୍ତ ଅନୁଶୀଳନ ଓ ସମାଲୋଚନା ନ ହେଲେ ତା’ର ରସାଳତା ଉପଲବ୍‌ଧି କରି ହୁଏନାହିଁ । ଭାରତର ଉପନିଷଦ୍‌ ଓ ପୁରାଣମାନଙ୍କରେ ଏପରି ଶାସ୍ତ୍ରାର୍ଥ ବିବାଦର ଅନେକ ଉଦାହରଣ ଦେଖିବାକୁ ମିଳେ । ଗାର୍ଗୀ ଓ ଯାଜ୍ଞବଲ୍‌କ୍ୟ, ନଚିକେତା ଓ ଯମଙ୍କ ମଧ୍ୟରେ ସଂଘଟିତ ପ୍ରଶ୍ନୋତ୍ତର ଏହାର ପ୍ରକୃଷ୍ଟ ଦୃଷ୍ଟାନ୍ତ । ପ୍ରତିପକ୍ଷର ଯୁକ୍ତିକୁ ଖଣ୍ଡନ କରିବା, ତର୍କ ମାଧ୍ୟମରେ ବିଷୟବସ୍ତୁର ସାରବତ୍ତା ପ୍ରମାଣ କରିବା ହେଉଛି ଶାସ୍ତ୍ରୀୟ ବିବାଦର ଉଦ୍ଦେଶ୍ୟ ।

 

ବାଦିପାଲାରେ ଏହି ଶାସ୍ତ୍ରୀୟ ବିବାଦ ବିଶିଷ୍ଟ ସ୍ଥାନ ଅଧିକାର କରି ଆସିଛି । ପ୍ରତିଯୋଗୀ ଗାୟକ ଅପର ଗାୟକକୁ ପୁରାଣରୁ, ଧର୍ମଶାସ୍ତ୍ରରୁ, ସାହିତ୍ୟରୁ, ବ୍ୟାକରଣରୁ ଏପରିକି ଆଧୁନିକ ଯୁଗରେ ବିଜ୍ଞାନରୁ ମଧ୍ୟ କେତେଗୁଡ଼ିଏ ପ୍ରଶ୍ନ ପଚାରେ । ଅପର ଗାୟକ ଏ ପ୍ରଶ୍ନଗୁଡ଼ିକର ଯଥାଯଥ ଉତ୍ତର ଦେଇ ପାରିଲେ, ଦର୍ଶକମାନେ ସେ ଗାୟକର ଯୋଗ୍ୟତାକୁ ପ୍ରଶଂସା କରନ୍ତି । ପାଲାର ପ୍ରଶ୍ନୋତ୍ତର ଅନେକ ସମୟରେ ଦର୍ଶକମାନଙ୍କ ମନରେ ବହୁଦିନର ସଞ୍ଚିତ ସନ୍ଦେହକୁ ମୋଚନ କରେ । ସାଧାରଣ ଲୋକ ପୁରାଣ ପଢ଼ିବାର ସୁଯୋଗ ପାଏନାହିଁ । ତେଣୁ ପାଲାରେ ପ୍ରଶ୍ନୋତ୍ତର ମାଧ୍ୟମରେ ଆଲୋଚନା ତା’ ପ୍ରାଣକୁ ସ୍ପର୍ଶ କରେ । ଅନେକ ସମୟରେ ପ୍ରଶ୍ନ କେବଳ ପୁରାଣକୁ କେନ୍ଦ୍ର ନ କରି, ଭୂଗୋଳ ଓ ଇତିହାସକୁ ମଧ୍ୟ ପ୍ରସାରିତ ହୁଏ । ଏ ପ୍ରକାର ପ୍ରଶ୍ନ ବହୁ ଲୋକଙ୍କର ସନ୍ଦେହ ମୋଚନ କରେ । ଉଦାହରଣସ୍ୱରୂପ ଶିବ ପତ୍ନୀ ସତୀ ଯେତେବେଳେ ଦକ୍ଷ ଯଜ୍ଞ ଯୋଗ ବଳରେ ଦେହତ୍ୟାଗ କଲେ, ସେତେବେଳେ କ୍ରୋଧୀ ଶିବ ସତୀଙ୍କ ଶବକୁ କାନ୍ଧରେ ପକାଇ ଜଗତକୁ ଧ୍ୱଂସ କରିବାକୁ ଚାହିଁବାରୁ ବିଷ୍ଣୁ ଚକ୍ର ସାହାଯ୍ୟରେ ଶବଙ୍କ କାନ୍ଧରୁ ସତୀଙ୍କ ଶବକୁ ଖଣ୍ଡ ଖଣ୍ଡ କରି ଖସାଇ ଦେଲେ । ପୁରାଣ କହେ ସେ ସମସ୍ତ ଖଣ୍ଡାଂଶ ଯେଉଁ ଯେଉଁ ସ୍ଥାନରେ ପଡ଼ିଲା ସେଠାରେ ଗୋଟିଏ ଗୋଟିଏ ଶାକ୍ତ ପୀଠ ପ୍ରତିଷ୍ଠିତ ହେଲା । ବାଦିପାଲାରେ ଦକ୍ଷ ଯଜ୍ଞ ଗାଉଥିବା ଗାୟକ ବେଳେ ବେଳେ ଅପର ଗାୟକକୁ ପ୍ରଶ୍ନ କରନ୍ତି, ‘‘ବିଷ୍ଣୁ ସତୀଙ୍କ ଦେହକୁ ଚକ୍ରରେ କେତେ ଖଣ୍ଡ କଲେ ? ସେଗୁଡ଼ିକ କେଉଁ କେଉଁ ସ୍ଥାନରେ ପଡ଼ିଲା ? ସେଥିରୁ କେତେ ଖଣ୍ଡ ଓଡ଼ିଶାରେ ପଡ଼ିଛି ? ସର୍ବଶେଷ ଖଣ୍ଡକ କେଉଁଠି ପଡ଼ିଲା ? ବିଷ୍ଣୁ ସତୀଙ୍କ ଶବକୁ ଶିବଙ୍କ କାନ୍ଧରେ ଖଣ୍ଡ ଖଣ୍ଡ କଲାବେଳେ ଶିବ ଜାଣି ନ ପାରିଲେ କିପରି ?’’ ଦର୍ଶକ ଏ ପ୍ରଶ୍ନ ଉତ୍ତର ଶୁଣିବା ପାଇଁ ଉତ୍କଣ୍ଠିତ ହୋଇ ରହେ । ପ୍ରତିବାଦୀ ଗାୟକ ଏହାର ଉତ୍ତର ଦେଇ ପାରିଲେ ଦର୍ଶକମାନଙ୍କର ପ୍ରଶଂସ୍ୟ ହୁଏ-

 

ଏହି ପ୍ରଶ୍ନୋତ୍ତର କେବଳ ଗାୟକମାନଙ୍କ ମଧ୍ୟରେ ସୀମାବଦ୍ଧ ରହେନାହିଁ । ବାଦିପାଲାରେ ବାୟକ ପରସ୍ପରକୁ ମଧ୍ୟ ପ୍ରଶ୍ନ ପଚାରି ଥାଆନ୍ତି । ମୃଦଙ୍ଗର ଉତ୍ପତ୍ତି ସମ୍ବନ୍ଧରେ, ବାଦ୍ୟର ତାଳ ସମ୍ବନ୍ଧରେ ମଧ୍ୟ ବହୁ ପ୍ରଶ୍ନ ହୁଏ । ଏତଦ୍‌ବ୍ୟତୀତ କେଉଁ କୁଞ୍ଜରେ କେଉଁ ସଖୀ କେଉଁ କେଉଁ ବାରରେ କେଉଁ କେଉଁ ତାଳରେ କି କି ବାଦ୍ୟ ବଜାନ୍ତି, ଏ ପ୍ରସଙ୍ଗରେ ମଧ୍ୟ ସେମାନେ ପରସ୍ପରକୁ ପ୍ରଶ୍ନ ପଚାରିଥାଆନ୍ତି ।

 

ସମୟ ସମୟରେ ସହକର୍ମୀ ପାଳିଆମାନେ ମଧ୍ୟ ପରସ୍ପରକୁ ପ୍ରଶ୍ନ ପଚାରି ଥାଆନ୍ତି । ଗାୟକ ଓ ବାୟକଙ୍କ ପ୍ରଶ୍ନୋତ୍ତର ପରି ପାଳିଆମାନଙ୍କର ପ୍ରଶ୍ନୋତ୍ତର ଗୁରୁତ୍ୱ ଲାଭ କରି ପାରେ ନାହିଁ । କାରଣ ସେ ପ୍ରଶ୍ନଗୁଡ଼ିକ ଏକାନ୍ତ ଲୌକିକ ଓ ପାରିହାସିକ ହୋଇଥିବାରୁ ଦର୍ଶକମାନେ ତାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ପ୍ରଶ୍ନର ଉତ୍ତର ନ ଦେଇ ପାରିଲେ ତାହା ଗାୟକ ଓ ବାୟକ ଉଭୟଙ୍କର ଯୋଗ୍ୟତାରେ ଆଞ୍ଚ ଆଣେ । ତେଣୁ ଅନେକ ସମୟରେ ଉତ୍ତରଗୁଡ଼ିକର ପ୍ରାସଙ୍ଗିକତା ନ ଥାଇ ମଧ୍ୟ ଗାୟକମାନେ ଉତ୍ତର ଦେବାକୁ ଚେଷ୍ଟା କରନ୍ତି । କିନ୍ତୁ ଉପଯୁକ୍ତ ଦର୍ଶକମାନେ ଉତ୍ତରର ଯୌକ୍ତିକତା ନିର୍ଣ୍ଣୟ କରି ନିଅନ୍ତି ।

 

ଅନେକ ସମୟରେ ଦର୍ଶକମାନେ ସେମାନଙ୍କୁ ତରଫରୁ ଗାୟକମାନଙ୍କୁ ପ୍ରଶ୍ନ ପଚାରିଥାଆନ୍ତି । ଗାୟକ ଦର୍ଶକମାନଙ୍କର ପ୍ରଶ୍ନର ଉତ୍ତର ଦେଇଦେଲେ ବେଳେ ବେଳେ ଦର୍ଶକମାନେ ଗାୟକମାନଙ୍କୁ ପୁରସ୍କୃତ କରିଥାଆନ୍ତି ।

 

ବାଦିପାଲାରେ ପ୍ରଶ୍ନୋତ୍ତର ମାର୍ଜ୍ଜିତ ଓ ରୁଚିସମ୍ପନ୍ନ ହେଲେ ଉଭୟ ଗାୟକଙ୍କର ଗୌରବ ବଢ଼େ । ପୂର୍ବ ଯୁଗପରି ବାଦିପାଲାର ଗାୟକ ପରସ୍ପରକୁ ବ୍ୟକ୍ତିଗତ ବିଦ୍ୱେଷ, ଅବାନ୍ତର ପ୍ରଶ୍ନ ଓ ଶ୍ଳେଷାର୍ଥଯୁକ୍ତ ଗାଳିଗୁଲଜ ଆରମ୍ଭ କଲେ ତାହା କାବ୍ୟାମୋଦୀମାନଙ୍କୁ ଆନନ୍ଦ ଦେଇପାରେ ନାହିଁ । ଗାୟକ ଯେତେ ଦକ୍ଷ ଓ ଯୋଗ୍ୟ ହୋଇଥାଉ ପଛେ ସେ ଯଦି ଶାଳୀନତାରେ ଆବଦ୍ଧ ନୁହେଁ, ତେବେ ସେ ଲୋକମୁଖରେ ନିନ୍ଦିତ ହୁଏ ।

 

ପ୍ରଶ୍ନ-ଉତ୍ତର ବାଦିପାଲାର ଅପରିହାର୍ଯ୍ୟ ଅଙ୍ଗ । ଅଳଙ୍କରଣ, ବିଷୟବସ୍ତୁ ପରିବେଷଣ ଓ ବାକ୍‌ଚାତୁର୍ଯ୍ୟ ତଥା ଗାୟନ ଶୈଳୀ ବାଦିପାଲାକୁ ହୃଦ୍ୟ ଓ ଜନାଦୃତ କରାଏ ।

 

 

କୁଜଙ୍ଗ କୁଟୀର

ଜୋବ୍ରା

କଟକ-୩

 

***

 

ପଣ୍ଡିତ ଗୋପୀନାଥ ନନ୍ଦ ଓ ଶବ୍ଦ-ତତ୍ତ୍ୱବୋଧ ଅଭିଧାନ

ଅଧ୍ୟାପକ ଶ୍ରୀ ଗୌରାଙ୍ଗ ଚରଣ ଦାଶ

।। ଏକ ।।

 

ପାଦ୍ରୀ ସଟନ ସାହେବଙ୍କ ଉତ୍କଳ ଭାଷାର୍ଥାଭିଧାନ (୧୮୪୨)ଠାରୁ ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ଶବ୍ଦ-ତତ୍ତ୍ୱବୋଧ ଅଭିଧାନରେ (୧୯୧୬) ପ୍ରକାଶନ ମଧ୍ୟରେ, ଯେଉଁ କେତୋଟି ଅଭିଧାନ ପ୍ରକାଶ ପାଇଥିଲା ସେଗୁଡ଼ିକ ମଧ୍ୟରେ ପାଦ୍ରୀ ମିଲର ଓ ରଘୁନାଥ ମିଶ୍ରଙ୍କ ଉତ୍କଳ ଭାଷାର୍ଥାଭିଧାନ (Oriya Dictionary with oriya synonyms for the use of schools) (୧୮୬୮), ଦ୍ୱାରିକାନାଥ ଚକ୍ରବର୍ତ୍ତୀଙ୍କ ଶିକ୍ଷା ଅଭିଧାନ (୧୮୭୦), ଜଗନ୍ନାଥ ରାଓଙ୍କ ଉତ୍କଳ ଅଭିଧାନ (୧୮୯୧) ଓ ଭକ୍ତକବି ରାୟ ବାହାଦୂର ମଧୁସୂଦନ ରାଓଙ୍କ ସୁଖ-ବୋଧ ଅଭିଧାନ (୧୯୧୨) ଆଦି ପ୍ରଧାନ । ଜଗନ୍ନାଥ ରାଓ ଓ ମଧୁରାଓଙ୍କ ଅଭିଧାନ ଦୁଇଟି ଓଡ଼ିଆ ଲିପିରେ ଲିଖିତ ଦୁଇଟି ସଂସ୍କୃତ ଅଭିଧାନ ବ୍ୟତୀତ ଅନ୍ୟ କିଛି ନୁହେଁ । ଜଗନ୍ନାଥ ଓ ମଧୁ ରାଓଙ୍କ କୋଷଗ୍ରନ୍ଥ ଦୁଇଟି ମଧ୍ୟରେ ଜଗନ୍ନାଥଙ୍କ ଗ୍ରନ୍ଥଟି ବରଂ ଅଧିକ ରୁଚିସମ୍ପନ୍ନ ଓ ବ୍ୟବହାରୋପଯୋଗୀ ଥିଲା । ମାତ୍ର ପଣ୍ଡିତ ନନ୍ଦଶର୍ମାଙ୍କ ଅଭିଧାନଟି ପୂର୍ବ ପ୍ରକାଶିତ ଗ୍ରନ୍ଥଗୁଡ଼ିକ ମଧ୍ୟରେ ଅଧିକ ମର୍ଯ୍ୟାଦାବନ୍ତ ଓ ବୈଜ୍ଞାନିକ ଦୃଷ୍ଟିକୋଣ ସମ୍ମତ ପରି ମନେହୁଏ ।

 

ପ୍ରାୟ ୧୮୯୮ ମସିହା ବେଳକୁ ଓଡ଼ିଆ ଭାଷାରେ ଏକ ଶବ୍ଦକୋଷ ସଂକଳନ କରିବାର ଭାବ ଗୋପୀନାଥ ମନରେ ଜନ୍ମ ନେଇ ସାରିଥିଲା ଏବଂ ଧରାକୋଟର ତାତ୍‌କାଳିକ ରାଜା ମଦନମୋହନ ସିଂହଦେଓ ତାଙ୍କର ପ୍ରଧାନ ପ୍ରେରଣାଦାତା ଥିଲେ । ୧୯୦୫ ମସିହା ବେଳକୁ ଅଭିଧାନର ପ୍ରାଥମିକ ଶବ୍ଦ ସଂଗ୍ରହ କାର୍ଯ୍ୟ ପ୍ରାୟ ସରିଯାଇଥିଲା କହିଲେ ଚଳେ । ଉତ୍କଳ ସାହିତ୍ୟ ସମାଜର ପଣ୍ଡିତମାନଙ୍କର ଦୃଷ୍ଟି ଆକର୍ଷଣ କରି ଆର୍ଥିକ ସାହାଯ୍ୟ ପ୍ରାପ୍ତି ଆଶାରେ ପଣ୍ଡିତ ମହାଶୟ ସଭା ଗୃହରେ ଲିଖିତ ଭାବରେ ଆପଣାର ଉଦ୍ଦେଶ୍ୟ ଉପସ୍ଥାପନ କଲେ । ଫଳରେ ୧୯୦୫ ମସିହା ଫେବୃଆରୀ ମାସ ୨୪ ତାରିଖରେ ସମାଜର ସଭ୍ୟମାନଙ୍କଦ୍ୱାରା ଗୃହୀତ ପ୍ରସ୍ତାବ ଅନୁସାରେ ନନ୍ଦ ମହାଶୟ ପାଣ୍ଡୁଲିପିର କେତେକ ଅଂଶ ପଣ୍ଡିତମାନଙ୍କ ନିକଟରେ ଉପସ୍ଥାପନ କଲେ । ମାତ୍ର ପାଣ୍ଡୁଲିପିରେ ପତ୍ରସ୍ଥ ଶବ୍ଦଗୁଡ଼ିକୁ ତନଖି ଦେଖି ତତ୍‌ସମ୍ପର୍କରେ ମତାମତ ପ୍ରଦାନ କରିବା ପାଇଁ ନିଯୁକ୍ତ ପଣ୍ଡିତମାନେ ଦୀର୍ଘ ତିନିବର୍ଷ ସମୟ ନେଇଥିଲେ ଏବଂ ଅଧିକ ଏକଶହ ଶବ୍ଦ ମୂଳ ଶବ୍ଦମାଳାରେ ଯୋଗ କରିବା ସହ ସଂସ୍କୃତ ସାଧୁ ଶବ୍ଦଗୁଡ଼ିକର ଯଥାଯଥ ସଂଯୋଗ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ପଣ୍ଡିତ ମହାଶୟ ରୀତିଯୁଗୀୟ ଓଡ଼ିଆ ତଥା ସଂସ୍କୃତ କାବ୍ୟ କବିତା ନାଟକାଦିକୁ ତନ୍ନ ତନ୍ନ କରି ପଢ଼ିବା ଆରମ୍ଭ କରିଦେଲେ ଏବଂ ସମ୍ମାର୍ଜନ କାର୍ଯ୍ୟ ବେଳେ ଶବ୍ଦଗୁଡ଼ିକର ସୋଦାହରଣ ପ୍ରୟୋଗ ବିଧିର ନିର୍ଦ୍ଦେଶ କରିଥିଲେ ।

 

ନନ୍ଦ ମହାଶୟ ଯେଉଁଥିପାଇଁ ସାହିତ୍ୟ ସମାଜର ଦ୍ୱାରସ୍ଥ ହେଲେ, ସେ ଉଦ୍ଦେଶ୍ୟ ତାଙ୍କର ସଫଳ ହୋଇ ପାରିଲା ନାହିଁ । ଅବଶ୍ୟ ଗ୍ରନ୍ଥଟିକୁ ପ୍ରକାଶ କରିବାପାଇଁ ପ୍ରଥମେ ସମାଜ ତରଫରୁ ଅର୍ଥ ସାହାଯ୍ୟ ନିମିତ୍ତ ତାତ୍‌କାଳିକ ବିଭିନ୍ନ ରାଜା, ଜମିଦାର ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆବେଦନ କରାଯାଇଥିଲା । ବାମଣ୍ଡାର ରାଜା ସାହେବ ୧୦୦ଟଙ୍କା ଓ ଖଡ଼ିଆଳର ରାଜା ୨୫ଟଙ୍କା ସାହାଯ୍ୟ କରିଥିଲେ । ଅର୍ଥ ସଂଗ୍ରହରେ ସଫଳକାମ ହୋଇ ନ ପାରିବାରୁ ଗ୍ରନ୍ଥ କିଣିବା ପାଇଁ ଗ୍ରାହକ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଉଭୟ ସାହିତ୍ୟ ସମାଜ ଓ ପଣ୍ଡିତ ମହାଶୟଙ୍କ ତରଫରୁ ଉଦ୍ୟମ ଆରମ୍ଭ ହୋଇଥିଲା । ସମାଜର କର୍ମକର୍ତ୍ତାମାନଙ୍କ ଉଦ୍ୟମରେ ପ୍ରାୟ ଦୁଇଶହ ଓ ପଣ୍ଡିତଙ୍କ ଉଦ୍ୟମରେ ପ୍ରାୟ ତିନିଶହ ପର୍ଯ୍ୟନ୍ତ ଗ୍ରାହକ ଠିକ୍ ହୋଇଥିଲେ । ଯାହା ଜଣାଯାଏ, ସମାଜର କର୍ମକର୍ତ୍ତାମାନଙ୍କଠାରୁ ଆଶାନୁରୂପ ଆଗ୍ରହ ପ୍ରକାଶ ପାଉ ନଥିଲା । କେତେକ ବ୍ୟକ୍ତି ଅଭିଧାନ ପ୍ରକାଶନର ସମସ୍ତ ବାଟ ବନ୍ଦ କରି ଦେବାପାଇଁ ମଧ୍ୟ ଚକ୍ରାନ୍ତ କରୁଥିଲେ । ତା’ ହୋଇ ନଥିଲେ ପାଣ୍ଡୁଲିପି ପଣ୍ଡିତମାନଙ୍କ ପାଖରେ ନୀର୍ଘ ତିନିବର୍ଷ କାଳ ଅଟକି ରହିଯାଇ ନଥା’ନ୍ତା । କେତେକ ପଣ୍ଡିତ ଆପଣାର ମତ ବଦଳେଇ ରୀତିମତ ବିଦ୍ରୂପ କରିବା ଆରମ୍ଭ କରି ଦେଇଥିଲେ । ‘‘ଏସବୁ ଲେଖିଲେ ପ୍ରକାଣ୍ଡ ଗ୍ରନ୍ଥ ହୋଇଯିବ । ଉତ୍କଳ ସାହିତ୍ୟର ଇତିହାସ ଲେଖକ ଯଥା ସମୟରେ ଏ ବିଷୟର ସୁମୀମାଂସା କରିବେ ବୋଲି ମୋର ବିଶ୍ୱାସ । ଶେଷକୁ ଅଭିଧାନର ବିଷୟ ଆଲୋଚନା କରିବା ନିମନ୍ତେ ସାହିତ୍ୟ ସମାଜର ଗୋଟିଏ ବିଶେଷ ଅଧିବେଶନ ଆହୂତ ହେଲା । ଛଦ୍ରାନ୍ୱେଷୀ ଦଳ-ମତ ବିଶେଷରେ ପ୍ରତିବାଦ ପରିବର୍ତ୍ତେ ପରିବାଦ ଆରମ୍ଭ କଲେ । କିନ୍ତୁ ସେମାନେ ଯେତେ ଚେଷ୍ଟା କଲେ ସୁଦ୍ଧା ସାହିତ୍ୟ ସମାଜକୁ ନିଜର ମତାବଲମ୍ବୀ କରି ପାରିଲେ ନାହିଁ । ଶେଷକୁ ବିଫଳ ପ୍ରୟାସ ହୋଇ କେବଳ ଶୁଷ୍କ ଆସ୍ଫାଳନ କରିବାକୁ ଲାଗିଲେ । ସେ ଆସ୍ଫାଳନରେ ପଣ୍ଡିତ ନନ୍ଦଶର୍ମା ବିଚଳିତ ନ ହୋଇ ଭାଷା ଓ ଶବ୍ଦର ତତ୍ତ୍ୱକୁ ନିଜ ଜୀବନରେ ବ୍ରତ ରୂପେ ଗ୍ରହଣ କଲେ’’ ।। ୧ ।। ପ୍ରକାଶ ଥାଉକି, ସେ ସମୟରେ ସାହିତ୍ୟ ସମାଜର ସର୍ବମୟକର୍ତ୍ତା ଥିଲେ କବି ମଧୁସୂଦନ ରାଓ ଏବଂ ତାଙ୍କ ସଂକଳିତ ସୁଖବୋଧ ଅଭିଧାନ ୧୯୧୨ ମସିହାରେ ହିଁ ପ୍ରକାଶ ପାଇଥିଲା । ନିଜେ ମଧୁସୂଦନ ବିରୋଧୀମାନଙ୍କର ପ୍ରଚ୍ଛନ୍ନ ପ୍ରେରଣାଦାତା ଥିବା କଥା ହୁଏତ ଅନୁମାନ କରାଯାଇପାରେ । ତେବେ ସେ ଯାହାହେଉ, ଅନେକ ଚେଷ୍ଟା ସତ୍ତ୍ୱେ ମୁଦ୍ରଣ ନିମିତ୍ତ ଆବଶ୍ୟକୀୟ ଅର୍ଥ ସଂଗ୍ରହ ସମ୍ଭବ ହୋଇ ନ ପାରିବାରୁ ପଣ୍ଡିତ ମହାଶୟଙ୍କୁ ରାଜାମାନଙ୍କ ସାହାଯ୍ୟ ନେବାକୁ ପଡ଼ିଲା । ରାଜା ମଦନମୋହନ ସିଂହଦେଓ ଓ ଶ୍ରୀ ହରିହର ପଣ୍ଡାଙ୍କ ଉଦ୍ୟମରେ ଅଭଧାନରେ ମୁଦ୍ରଣ କାର୍ଯ୍ୟ ସମ୍ଭବ ହୋଇ ପାରିଥିଲା । ସେମାନେ ମାନ୍ଦ୍ରାଜ ସରକାରଙ୍କ ପାଖରେ ଅର୍ଥ ସାହାଯ୍ୟ ପାଇଁ ଆବେଦନ କଲେ । ଗ୍ରନ୍ଥର ମୁଦ୍ରଣ ପରେ ମାନ୍ଦ୍ରାଜ ସରକାର ୫୦ ସାର କିଣି ଟ.୧୦୦୦ ଓ ଓଡ଼ିଶା-ବିହାର ସରକାର ୧୦୦ ସାର କିଣି ଟ ୨୦୦୦ ଦେବାପାଇଁ ସମ୍ମତି ପ୍ରକାଶ କରିଥିଲେ । ନଜା ରାଜା ମଦନମୋହନ ମଧ୍ୟ ଟ ୨୦୦ ସାହାଯ୍ୟ ଦେଇଥିଲେ । ମାତ୍ର ସଂଗୃହିତ ଓ ପ୍ରତିଶ୍ରୁତି ଅର୍ଥ ମୁଦ୍ରଣ ବ୍ୟୟ ବାବଦ ପାଇଁ ଯଥେଷ୍ଟ ନ ହେବାରୁ ପଣ୍ଡିତ ମହାଶୟ ପାରଳାର ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ୱାରସ୍ଥ ହେଲେ । ରାଜା ଟ ୩୦୦୦ ସାହାଯ୍ୟ ଦେବା ସଙ୍ଗେ ସଙ୍ଗେ ଗ୍ରନ୍ଥର ନିର୍ଭୁଲ ମୁଦ୍ରଣ ପାଇଁ ଅଧ୍ୟାପନା କାର୍ଯ୍ୟରୁ ତାଙ୍କୁ ଛ’ମାସ ଛୁଟି ଦେଇଥିଲେ । ନିଜର ବଡ଼ଭାଇ ପଣ୍ଡିତ ବଳଭଦ୍ର ନନ୍ଦଶର୍ମାଙ୍କ ସାହାଯ୍ୟରେ ପଣ୍ଡିତ ମହାଶୟ ମାତ୍ର ୫-୬ ମାସ ମଧ୍ୟରେ ଅଭିଧାନର ମୁଦ୍ରଣ କାର୍ଯ୍ୟ ସମାପ୍ତ କରି ପାରିଥିଲେ । ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ଅଭିଧାନ ଗ୍ରନ୍ଥଟିକୁ ତାଙ୍କ ଉଦ୍ଦେଶ୍ୟରେ ହିଁ ଉତ୍ସର୍ଗ କରାଯାଇଥିଲା ଏବଂ ଏହାର ମୁଖବନ୍ଧ ଲେଖିଥିଲେ ନିଜେ ରାଜା ମଦନମୋହନ ସିଂହଦେଓ । ୧୦୭୧ ପୃଷ୍ଠାର ଉକ୍ତ ବିରାଟ ଗ୍ରନ୍ଥର ଶବ୍ଦ ସଂଖ୍ୟା ପ୍ରାୟ ୩୦ ହଜାର ।

 

(୧)

ପଣ୍ଡିତ ଗୋପୀନାଥ ନନ୍ଦଶର୍ମା-ଓଡ଼ିଆ ଭାଷାତତ୍ତ୍ୱ-ଦ୍ୱିତୀୟ ସଂସ୍କରଣ ୧୯୬ ଭୂମିକା ୰ ଦୟାନିଧି ମିଶ୍ର ।

 

ଶବ୍ଦତତ୍ତ୍ୱବୋଧ ଅଭିଧାନ ପ୍ରକାଶ ପାଇ ସାରିବା ପରେ ତତ୍‌କାଳୀକ ଓଡ଼ିଶାର ବିଶିଷ୍ଟ ପଣ୍ଡିତମାନେ ଗ୍ରନ୍ଥ ସମ୍ପର୍କରେ ଆପଣା ଆପଣାର ରୁଚିପୂର୍ଣ୍ଣ ମନ୍ତବ୍ୟମାନ ପ୍ରକାଶ କରିଥିଲେ । ସେମାନଙ୍କ ମଧ୍ୟରେ ‘ଉତ୍କଳ ସାହିତ୍ୟ’ ପତ୍ରିକାର ସମ୍ପାଦକ ବାଗ୍ନୀ ବିଶ୍ୱନାଥ କର, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ମୁକୁର ପତ୍ରିକାର ସମ୍ପାଦକ ବ୍ରଜସୁନ୍ଦର ଦାସ ଓ ପଣ୍ଡିତ ନୀଳକଣ୍ଠ ପ୍ରମୁଖଙ୍କ ନାମ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ୨ । ସେମାନଙ୍କ ମନ୍ତବ୍ୟ ଅଭିଧାନରେ ଯଥାର୍ଥ ମୂଲ୍ୟାୟନ ବୋଲି ସ୍ପଷ୍ଟତଃ କୁହାଯାଇପାରେ ।

 

(୨)

(କ)

‘‘ଓଡ଼ିଆ ଭାଷାରେ ଖଣ୍ଡିଏ ଉପଯୁକ୍ତ ଅଭିଧାନର ଅଭାବ ଅନେକ ଉପଲବ୍‌ଧି କରଛନ୍ତି । ବହୁବର୍ଷ ଉଦ୍ୟମରେ ନନ୍ଦ ମହାଶୟ ଯେଉଁ ଅଭିଧାନ ପ୍ରସ୍ତୁତ କରିଛନ୍ତି, ତାହା ଏ ଅଭାବ ଅବଶ୍ୟ ଦୂର କରିବ ।’’-ଗୋପବନ୍ଧୁ ଦାସ-ସତ୍ୟବାଦୀ-ପ୍ରଥମ ବର୍ଷ, ଅଷ୍ଟମ ଓ ନବମ ସଂଖ୍ୟା-ତା ୨୫ । ୨ । ୧୯୧୬ ।

 

 

 

 

(ଖ)

‘‘With more than seven Years devotion and tenacious toil he has compiled an Oriya Lexicon I have seen a portion of it in print and I have convinced, it will a bad literary need.’’

 

ପଣ୍ଡିତ ନୀଳକଣ୍ଠ ଦାସ ।

 

।। ଦୁଇ ।।

 

ପଣ୍ଡିତ ଗୋପୀନାଥଙ୍କର ଓଡ଼ିଆ ଓ ସଂସ୍କୃତ ଭାଷା ଓ ସାହିତ୍ୟ ଉପରେ ଯଥେଷ୍ଟ ପାଣ୍ଡିତ୍ୟ ଥିଲା । ତାଙ୍କ ପ୍ରଣୀତ ଶ୍ରୀଭାରତ ଦର୍ପଣ, ଓଡ଼ିଆ ଭାଷାତତ୍ତ୍ୱ ଓ ରାମାୟଣ ସମ୍ପର୍କୀୟ ଆଲୋଚନା ଗୁଡ଼ିକରୁ, ତାଙ୍କ ପାଣ୍ଡିତ୍ୟର ଉଜ୍ଜ୍ୱଳ ପ୍ରମାଣ ମିଳେ । ଭାଷା ଓ ସାହିତ୍ୟ ଅଧ୍ୟୟନ କରିବା ପାଇଁ ସେ ଜଣେ ଏକନିଷ୍ଠ ତପସ୍ୱୀ ପରି ବାଣୀସାଧନାରେ ମଗ୍ନ ଥିଲେ ଏବଂ ଉପଯୁକ୍ତ ଗ୍ରନ୍ଥଗୁଡ଼ିକ ହିଁ ତା’ର ନିଷ୍କର୍ଷ । ଶବ୍ଦତତ୍ତ୍ୱବୋଧ ଅଭିଧାନରେ ତାଙ୍କ ସିଦ୍ଧିର ପ୍ରକୃତ ସ୍ୱରୂପ ନିହିତ ରହିଛି ।

 

ପ୍ରଥମତଃ ଓଡ଼ିଆ ଶବ୍ଦମାଳାର ଶବ୍ଦଗୁଡ଼ିକର ଉତ୍ପତ୍ତି ଓ ସେ ସମସ୍ତର କ୍ରମବିକାଶର ଧାରା ଉଦାହରଣ ସହ ଉପସ୍ଥାପନ କରିବା ନନ୍ଦ ମହାଶୟଙ୍କର ପ୍ରଧାନ ଉଦ୍ଦେଶ୍ୟ । ପଣ୍ଡିତଙ୍କ ଶବ୍ଦ-ସଂକଳନର ଦିଗ ଓ ବାଗ ସମ୍ପର୍କରେ ମତ ଦେବାକୁ ଯାଇ ଧରାକୋଟର ରାଜା ମଦନମୋହନ ମୁଖବନ୍ଧରେ ‘‘ଶତ ଶତାବ୍ଦୀ କାଳରେ କରାଳ କବଳରେ କବଳିତ ବା ଭୂତଳ ପ୍ରଦେଶରେ ସ୍ତର ସ୍ତର ମୃତ୍ତିକାବରଣରେ ଲୁକ୍‌କାୟିତ ଥିବା ରତ୍ନରେଣୁର ପୁନରୁଦ୍ଧାର କରି ତାହା ସବୁ ସୁଶୃଙ୍ଖଳିତ ଭାବରେ ଦର୍ଶକ ସାଧାରଣ ଚକ୍ଷୁ ସମ୍ମୁଖରେ ପ୍ରଦର୍ଶାଇବା ସଂକଳକର କର୍ତ୍ତବ୍ୟ’’ ବୋଲି ଉଲ୍ଲେଖ କରିଛନ୍ତି । ୩ । ତେବେ ସଂକଳକଙ୍କୁ ତତ୍‌ସମ ଓ ତଦ୍‌ଭାବ ଶବ୍ଦଗୁଡ଼ିକର ଉତ୍ପତ୍ତି ତତ୍ତ୍ୱ ଦର୍ଶାଇବା ପାଇଁ ବିଶେଷ କଷ୍ଟ କରିବାକୁ ପଡ଼ି ନ ଥିବ । କାରଣ ସଂସ୍କୃତ ହିଁ ଭାରତୀୟ ଭାଷାଗୁଡ଼ିକର ଜନନୀ-। ତେଣୁ ତତ୍‌ଭବ ଓ ତତ୍‌ସମ ଶବ୍ଦଗୁଡ଼ିକର ରୂପତତ୍ତ୍ୱ ସହିତ ପ୍ରକୃତ ଅର୍ଥ ଉଲ୍ଲେଖ କରିବା ପାଇଁ ସେ ମୁଖ୍ୟତଃ ଅମରାଭିଧାନର ଟୀକାମାନ ଓ ପ୍ରକୃତିବାଦ ଅଭିଧାନର ସାହାଯ୍ୟ ନେଇଥିଲା-। ମାତ୍ର କେତେକ ସ୍ଥଳରେ ଶବ୍ଦମାନଙ୍କର ଅର୍ଥ ଓ ଦ୍ୱିରୂପାଦିର ପ୍ରମାଣ ସ୍ୱରୂପ ଦ୍ୱିରୂପ କୋଷ ବିଶ୍ୱକୋଷ, ମେଦିନୀକୋଷ, ବ୍ୟାଡ଼ିରଭସ, ହୈମ, ଧରଣୀ, ଅଜୟ ଓ ଅମରକୋଷାଦି କୋଷ, ଗ୍ରନ୍ଥମାନଙ୍କରୁ ପର୍ଯ୍ୟାୟ ବାକ୍ୟ ଓ ସ୍ଥାନେ ସ୍ଥାନେ ମନୁସଂହିତା ପ୍ରଭୃତି ଧର୍ମଶାସ୍ତ୍ର, ବାଲ୍ମୀକେୟ ରାମାୟଣ, ମହାଭାରତ, ଦେବୀପୁରାଣ, କୁମାରସମ୍ଭବାଦି କାବ୍ୟ ଓ ନାଟକାଦିର ଏବଂ ଆୟୁବେଦ, ଜ୍ୟୋତିଷ ଶାସ୍ତ୍ର ଆଦିରୁ ମଧ୍ୟ ପ୍ରମାଣ ବାକ୍ୟମାନ ଉଦ୍ଧୃତ କରାଯାଇଛି ।୪। ଗୋଟିଏ ମାତ୍ର ଶବ୍ଦର ଉଦାହରଣ ସାହାଯ୍ୟରେ ନନ୍ଦ ମହାଶୟଙ୍କ ଅନୁଶୀଳନାତ୍ମକ ବୈଜ୍ଞାନିକ ବିଚାରଧାରାକୁ ଲକ୍ଷ୍ୟ କରାଯାଇପାରେ ଯଥା-

 

ଅଗ୍ରେ ଦି ଧିଷୁ

ଅଗ୍ରେ ଦି ଧିଷୁ

 

ବି (ଅଗ୍ରେ=ପ୍ରଧାନ–ଦି ଧିଷୁ ଦୁଇବାର ବିବାହିତ ସ୍ତ୍ରୀ) ପୁନର୍ଭୁ ବିବାହକାରୀ, ଯାହାର ଭାର୍ଯ୍ୟାର ପୁର୍ବେ ଏକବାର ବିବାହ ହୋଇଯାଇଥିଲା ।

 

ଯଥା-

ପୁନର୍ଭୂଧିଷରୁଷୋ ଦ୍ୱିସ୍ତସ୍ୟାଦିଧି ସପତିଃ

ସତୁ ଦୂଜୋଽଗ୍ରଦିଧିଷୁ ସୈବଯସ୍ୟ କୁଟୁମ୍ବିନୀ ।

 

ଜ୍ୟୋଷ୍ଠା ସହୋଦରା ଅବିବାହିତା ଥାଉ ଥାଉ ଅଗ୍ରେ ବିବାହିତା କନିଷ୍ଠାଭଗିନୀ ଯଥା–

 

ଜ୍ୟୋଷ୍ଠାନାଂ ଯଦ୍ୟ ନୂତାନାଂ

      କି ନ୍ୟାୟାଂ ମହ୍ୟତେଽଯୁବା

ସାଚାଗ୍ରେ ବିଧିଷୁତଜ୍ଞେୟା

      ପୂର୍ବ ତୁ ବିଧିପୂମିତା ।

 

(୩)

ପଣ୍ଡିତ ଗୋପୀନାଥ ନନ୍ଦଶର୍ମା-ଶବ୍ଦତତ୍ତ୍ୱବୋଧ ଅଭିଧାନ ମୁଖବନ୍ଧ-ପ୍ର. ପ୍ରକାଶନ-୧୯୧୬ ।

(୪)

ତତ୍ରୈବ ।

 

ସଂସ୍କୃତ ବ୍ୟତୀତ ଇଂରାଜୀ, ଯାବନିକ, ପର୍ତ୍ତୁଗୀଜ, ଦ୍ରାବିଡ଼ ପ୍ରଭାବିତ ଓଡ଼ିଆ ଶବ୍ଦଗୁଡ଼ିକ ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର କାବ୍ୟ ପୁରାଣାଦିର ଯେଉଁ ସାଂକେତିକ ଚିହ୍ନଗୁଡ଼ିକର ସୂଚନା ରହିଛି, ସେ ଚିହ୍ନଗୁଡ଼ିକ ସମ୍ପର୍କରେ ପୂର୍ବରୁ କିଛି ହିଁ ସୂଚନା ନିଆଯାଇ ନ ଥିବାରୁ ପ୍ରକୃତରେ କେଉଁ କେଉଁ ଗ୍ରନ୍ଥଗୁଡ଼ିକରୁ ସେ ଉଦାହରଣଗୁଡ଼ିକ ଗ୍ରହଣ କରିଛନ୍ତି, ସାଧାରଣ ପାଠକ ପକ୍ଷରେ ତାହା ଜାଣିବା କଷ୍ଟକର ବ୍ୟାପାର ପରି ମନେହୁଏ । ଯଥା-ବେ. ପ, ବି.ରା, କି. ଚ.ବ. ଦ, ବା, ନୃ,. ପ, ପ୍ର ତ. ବୋ. ବ୍ର. ସୁ. ଉ, ଉ.ସା. ଇତ୍ୟାଦି ।

 

ତତ୍‌ସମ ଓ ତତ୍‌ଭବ ଶବ୍ଦଗୁଡ଼ିକୁ ସଂକଳନ କରିବା ଅପେକ୍ଷା ପ୍ରକୃତ ଭାଷାର ଶବ୍ଦଗୁଡ଼ିକୁ ସଂକଳନ କରିବା ଅଧିକ କଷ୍ଟକର ବୋଲି ମୁଖବନ୍ଧରେ ଉଲ୍ଲେଖ ରହିଛି । ‘‘ସମୟେ ସମୟେ ଏପରି ଗୋଟିଏ ଗୋଟିଏ ଶବ୍ଦ ତଦୀୟ ବୁଦ୍ଧିର ସପକ୍ଷରେ ପ୍ରତିଷ୍ଠିତ ହୋଇ ମସ୍ତିଷ୍କକୁ ଘୂର୍ଣ୍ଣିତ କରି ପକେଇଛନ୍ତି ଯେ, ସେଇଟି ସଂସ୍କୃତ କି ଓଡ଼ିଆ ଶବ୍ଦ ଜାଣିବା ପାଇଁ ବହୁ ସଂସ୍କୃତ ଅଭିଧାନ ଆଲୋଡ଼ନ ଓ ପରିଶୀଳନ ବିନା ଗତ୍ୟନ୍ତର ରହିନାହିଁ । ଏପରିକି ସମୟେ ସମୟେ ଗୋଟିଏ ଶବ୍ଦର ସ୍ଥିର ସିଦ୍ଧାନ୍ତ ସକାଶେ ଦୁଇଶତ ଦିନ ପର୍ଯ୍ୟନ୍ତ ବିଚାରମଗ୍ନ ରହିବାକୁ ପଡ଼ିଛି ।‘‘ ୫ । ଗୋଟିଏ ଭାଷାର ଶବ୍ଦମାଳାର ବିଭାଗୀକରଣ ସମ୍ପର୍କରେ ନନ୍ଦ ମହାଶୟଙ୍କ ଦୃଷ୍ଟିକୋଣ ତାଙ୍କ ଲିଖିତ ‘‘ଓଡ଼ିଆ ଭାଷାତତ୍ତ୍ୱ ଗ୍ରନ୍ଥର ଓଡ଼ିଆ ଶବ୍ଦ ସମ୍ଭାର’’ ଶୀର୍ଷକ ଅଧ୍ୟାୟରେ ବିଶଦ ଭାବରେ ଆଲୋଚିତ ହୋଇଛି । ତତ୍‌ସମ, ତଦ୍‌ଭବ ଓ ଦେଶୀୟ ଶବ୍ଦ ସମ୍ପର୍କରେ ମତବ୍ୟକ୍ତ କରିବାକୁ ଯାଇ ସେ ଉଲ୍ଲେଖ କରିଛନ୍ତି, ‘‘ତତ୍‌ସମ ଅର୍ଥ ଅନୁସ୍ୱାର ବିସର୍ଗବିହୀନ ସଂସ୍କୃତ ଶବ୍ଦ । ତଦ୍‌ଭବ, ଅର୍ଥାତ୍‌ ସଂସ୍କୃତ ଶବ୍ଦରୁ ବିକୃତ ଭାବେ ଉତ୍ପନ୍ନ, ଦେଶ୍ୟ ଅର୍ଥାତ୍‌ ତତ୍‌ତତ୍‌ ଦେଶୀୟ ଲୋକମାନଙ୍କ ଭାବ ଓ ଭଙ୍ଗୀରୁ ସାଙ୍କେତିକ ରୂପେ ସଞ୍ଜାତ ଶବ୍ଦ ସମୂହ । ଏ ସମୟ ପ୍ରାୟ ସମସ୍ତ ଭାଷା ରାଜ୍ୟରେ ପ୍ରଚଳିତ ଥାଏ । x x ଶବ୍ଦର ସୁସଙ୍ଗତ ମୂଳ ପ୍ରକୃତି ଯେ ପ୍ରର୍ଯ୍ୟନ୍ତ ଅଜ୍ଞାତ, ସେ ପର୍ଯ୍ୟନ୍ତ ସେହିଟି ଦେଶଜ ଶବ୍ଦ ରୂପେ ପରିଗଣିତ ହୋଇପାରେ । x x ଭାଷାରାଜ୍ୟରେ ଯେଉଁ ଶବ୍ଦଗୁଡ଼ିକର ପ୍ରକୃତି ନାହିଁ କିମ୍ବା ପରିଜ୍ଞାତ ହୋଇନାହିଁ, ଅଥଚ ସେଗୁଡ଼ିକ ତତ୍‌ଦେଶବାସୀଙ୍କ ଭାବଭଙ୍ଗୀ ସୂଚକ ରୂପେ ସ୍ପଷ୍ଟ ଓ ବ୍ୟବହୃତ ସେଗୁଡ଼ିକ ଦେଶୀୟ ଶବ୍ଦ । ୬ । ତେଣୁ ଓଡ଼ିଆ, ଏହି ପ୍ରାକୃତ ଭାଷା ସମ୍ପର୍କରେ ଆପଣାର ମତ ବ୍ୟକ୍ତ କରିବାକୁ ଯାଇ ସେ ପ୍ରାକୃତ ମଞ୍ଜରୀକାରଙ୍କ ଉକ୍ତି ‘‘ପ୍ରାକୃତେଃ ସଂସ୍କୃତାୟାସ୍ତୁ ବିକୃତିଃ ପ୍ରାକୃତିମତା’’ କୁ ଗ୍ରହଣ କରି, ‘‘ପ୍ରତ୍ୟେକ ପ୍ରାକୃତ ଶବ୍ଦର ମୂଳ ନ୍ୟୂନଧିକ ଭାବରେ ସଂସ୍କୃତ ଭାଷାରେ ନିହିତ ଏବଂ ଏମାନେ ସଂସ୍କୃତ ଭାଷାରୁ ବିକୃତିପ୍ରାପ୍ତ’’ ବୋଲି ଉଲ୍ଲେଖ କରିଛନ୍ତି । ପୁନଶ୍ଚ ପ୍ରାକୃତରେ ବିରରୁଚି ଓ କାତ୍ୟାୟନାଦି କୃତ ଶବ୍ଦାନୁଶାସନକୁ ମଧ୍ୟ ସେ ପରିଶୀଳନ କରିଛନ୍ତି । ପ୍ରାକୃତ ଶବ୍ଦଗୁଡ଼ିକ ସମ୍ପର୍କରେ ନୋଟ୍‌ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଦୀର୍ଘ ସାତବର୍ଷ କାଳ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା ଏବଂ ପ୍ରତ୍ୟହ ଅନ୍ୟୂନ ଦଶଘଣ୍ଟା କାଳ ଅଭିଧାନ କାର୍ଯ୍ୟରେ ସେ ନିମଗ୍ନ ରହୁଥିଲେ । ୭ । ତେଣୁ ପ୍ରତ୍ୟେକ ଶବ୍ଦର ଇତିହାସ ଖୋଜି ଖୋଜି ତାଙ୍କୁ ସଂସ୍କୃତ ଗ୍ରନ୍ଥଗୁଡ଼ିକୁ ତନ୍ନ ତନ୍ନ ଭାବରେ ନିରୀକ୍ଷଣ କରିବାକୁ ପଡ଼ିଛି । ଆପଣାର ଅଧ୍ୟୟନର ସୀମା ଅତିକ୍ରମ କରିଗଲା ପରେ ସେ ଯେଉଁ ଶବ୍ଦର ମୂଳ ଖୋଜି ପାଇ ନାହାନ୍ତି, ତାହାକୁ ଦେଶୀୟ ବୋଲି ମତ ଦେଇଛନ୍ତି । ଅବଶ୍ୟ ଅନେକ ସ୍ଥଳରେ ସେ ଆପଣା ମନରୁ ସଂସ୍କୃତ ଶବ୍ଦଟିଏ ଲେଖାଏଁ ସୃଷ୍ଟିକରି ପାଠକମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିଛନ୍ତି । ପଣ୍ଡିତ ନୀଳକଣ୍ଠ ଭାଷାତତ୍ତ୍ୱର ଗ୍ରନ୍ଥ ପ୍ରଦେଶରେ ଏ ସମ୍ପର୍କରେ ବିଶଦ୍‌ଭାବରେ ଆଲୋଚନା କରିଛନ୍ତି । ୮ । ଶବ୍ଦତତ୍ତ୍ୱବୋଧ ଅଭିଧାନ ସମ୍ପର୍କରେ ପଣ୍ଡିତ ନୀଳକଣ୍ଠଙ୍କ ବିଚାରଧାରା ଯୁକ୍ତିସମ୍ମତ ଓ ବୈଜ୍ଞାନିକ ପରି ବୋଧହୁଏ । ୯ । ଭାଷାତତ୍ତ୍ୱ ଗ୍ରନ୍ଥରେ ‘ଶବ୍ଦାବଳୀର’ ବିଚାରଧାରାର ମାନଦଣ୍ଡରେ ହିଁ ସେ ଶବ୍ଦତତ୍ତ୍ୱବୋଧର ଶବ୍ଦଗୁଡ଼ିକୁ ଆଲୋଚନା କରିଛନ୍ତି ।

 

(୫)

ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା-ଶବ୍ଦତତ୍ତ୍ୱବୋଧ ଅଭିଧାନ-ମୁଖବନ୍ଧ ପ୍ର:ପ୍ରକାଶ ୧୯୧୭

(୬)

ପୁସ୍ତକ ଟିପ୍‌ପଣୀ-୧, ପୃଷ୍ଠା ୧୪୪-୧୪୫

(୭)

ପୁସ୍ତକ ଟିପ୍‌ପଣୀ-୩ ମୁଖବନ୍ଧ

(୮)

ପୁସ୍ତକ ଟିପ୍‌ପଣୀ-୧-ଗ୍ରନ୍ଥ ପ୍ରବେଶ-ପୃଷ୍ଠା ୧୩ କିମ୍ବା ‘ଓଡ଼ିଆ ଭାଷା ଓ ସାହିତ୍ୟ-ଦ୍ୱିତୀୟ ସଂସ୍କରଣ-୧୫୫୮ ନିଉ କ୍ୟାପିଟାଲ ଭୁବନେଶ୍ୱରର ‘ଭାଷାତତ୍ତ୍ୱର ଗ୍ରନ୍ଥପ୍ରବେଶ’ ଆଲୋଚନା ଦ୍ରଷ୍ଟବ୍ୟ-ପୃଷ୍ଠା ୧୪-୪୭

 

(୯)

(କ)

ପଦ, କାରକ, ବିଭକ୍ତି ପ୍ରଭୃତିର ଆଲୋଚନାରେ ନନ୍ଦେ ଭାଷାର ବଳିଷ୍ଠ ସ୍ୱାତନ୍ତ୍ର ପ୍ରତିପାଦନ କରିଅଛନ୍ତି ଏବଂ ଏହି ସ୍ୱାତନ୍ତ୍ର୍ୟ ସଙ୍ଗେ ସାର୍ବଜନୀନତା ଦେଖିବାକୁ ଯାଇଁ ସେ ପ୍ରାକୃତ ବା ପ୍ରାଚୀନ ଚଳିତ ଭାଷାରେ ଯଥାସମ୍ଭବ ସମସ୍ତର ମୂଳ ଓ ଭିତ୍ତି ଅନୁସନ୍ଧାନ କରିଛନ୍ତି । x x ପ୍ରାକୃତିକୁ ସବିତା ସଂସ୍କୃତର ବିକୃତ ସ୍ଥିର କରି ସେ ପ୍ରାକୃତର ଜୀବନ୍ତ ସରସତା ଫୁଯାଇ ପାରି ନାହାନ୍ତି । x x x

 

 

 

 

(ଖ)

ନନ୍ଦେ ପ୍ରାକୃତରେ ଭକ୍ତ ଏଥିରେ ସନ୍ଦେହ ନାହିଁ । ଏହାହିଁ ତାଙ୍କର ଏକ ବିଶେଷତ୍ୱ ।

 

 

 

 

(ଗ)

ନନ୍ଦେ ଶବ୍ଦତତ୍ତ୍ୱବୋଧରେ କୌଣସି ନୂତନ ରୀତି ପ୍ରଚାର କରି ଦେଶ ଉପରେ ଭର୍ତ୍ତି କରିବାକୁ ଯାଇ ନାହାନ୍ତି । ଏହା ବୋଧହୁଏ ଲେଖକ ବୁଝିପାରିଲେ ନାହିଁ । ଖୋଜି ଖୋଜି ସଂସ୍କୃତର ପ୍ରତ୍ୟେକ ଶବ୍ଦର ମୂଳ ଦେଖିବାକୁ ନ ପାଇ ସେ ଅନେକ ଶବ୍ଦ ଦେଶ୍ୟ ବୋଲି ବାହାର କରିଦେଲେ । କିନ୍ତୁ ସେଥିପାଇଁ ସେ କୌଣସି ଶବ୍ଦର ମୂଳ ଦେଖିବାରେ କାହାକୁ ବାଧା ଦେବାର ପ୍ରୟାସ କରିନାହାନ୍ତି ।-ପୁସ୍ତକ ଟିପ୍‌ପଣୀ ୧ ଦ୍ରଷ୍ଟବ୍ୟ ।

 

ଧ୍ୱନିତତ୍ତ୍ୱକୁ ମାନଦଣ୍ଡ ଭାବରେ ଗ୍ରହଣ କରି ନନ୍ଦ ମହାଶୟ ଶବ୍ଦଗୁଡ଼ିକୁ ଅନୁଶୀଳନ କରିଛନ୍ତି । ଏ କଥା ସର୍ବବାଦୀ-ସମ୍ମତ ଯେ ସଂସ୍କୃତ ଭାଷାର ‘ସ୍ୱର ଧ୍ୱନି’ ଉଚ୍ଚାରଣର ନିୟମ ପ୍ରାକୃତ ଭାଷାଗୁଡ଼ିକରେ ରହିଲା ନାହିଁ । ସାଧାରଣ ଜନତା ସହଜ ଓ ସରଳ ଭାବରେ ଭାବ ପ୍ରକାଶ କରିବାକୁ ଚାହେଁ । ଏହା ବ୍ୟକ୍ତିର ସ୍ୱଭାବିକ ପ୍ରକୃତି । ତାର ଉଚ୍ଚାରଣରେ ଭାଷାତାତ୍ତ୍ୱିକ ନିୟମର ଧାରା ଖୋଜି ପାଇବା ସମ୍ଭବପର ନୁହେଁ । ତେଣୁ ପଣ୍ଡିତ ନନ୍ଦ ଧ୍ୱନିତତ୍ତ୍ୱକୁ ମାନଦଣ୍ଡ ଭାବରେ ଗ୍ରହଣ କରି ପ୍ରାକୃତ ଶବ୍ଦଗୁଡ଼ିକର ମୂଳ ଖୋଜି ଖୋଜି ସଂସ୍କୃତ ଶବ୍ଦଆଡ଼କୁ ଗତି କରିଛନ୍ତି ।

 

ଓଡ଼ିଆ ଭାଷାରେ ଇ, ଈ, ଉ, ଊ, ଋ ଆଦି ସ୍ୱରଗୁଡ଼ିକର ସ୍ୱତନ୍ତ୍ର ମାତ୍ରା ଓ ଲିଖନ ଥିଲେ ବି ମାତ୍ରାଯୁକ୍ତ ଶବ୍ଦଗୁଡ଼ିକ ସ୍ୱତନ୍ତ୍ର ଭାବରେ ଉଚ୍ଚାରିତ ହୁଏ ନାହିଁ; ଅଥଚ ସଂସ୍କୃତ ଭାଷାରେ ଏଗୁଡ଼ିକର ସ୍ୱତନ୍ତ୍ର ଉଚ୍ଚାରଣ ରହିଛି । ସାଧାରଣ ଜନତାର କଥନ ଭଙ୍ଗୀର ଏହା ହିଁ ବିଶେଷତ୍ୱ । ଅନୁରୂପ ଭାବରେ ସଂସ୍କୃତରେ ତିନିଗୋଟି ଶ, ଷ, ସ, ର ସ୍ୱତନ୍ତ୍ର ଉଚ୍ଚାରଣ ଥିଲେ ବି ପ୍ରାକୃତ ଭାଷା, ବିଶେଷତଃ ଓଡ଼ିଆ ଭାଷାରେ ଏହାର ଉଚ୍ଚାରଣ ବୈଶିଷ୍ଟ୍ୟ ଲକ୍ଷ୍ୟ କରାଯାଏ ନାହିଁ । ତେବେ ଧ୍ୱନିତତ୍ତ୍ୱ ବିଚାରଣାରେ ତିନିଗୋଟି ଶ, ଷ, ସ ସହଜରେ ଗୋଟିଏ ‘ସ’ର ଉଲ୍ଲେଖ କରାଗଲେ, ଅର୍ଥ ବିଭ୍ରାଟ ଭୟଙ୍କର ରୂପ ଧାରଣ କରିବ । କାରଣ ସଂସ୍କୃତ ହିଁ ପ୍ରାକୃତ ଭାଷାଗୁଡ଼ିକର ଜନନୀ । ଅବଶ୍ୟ ଜନତାର ଶବ୍ଦ ଅର୍ଥ ଅବବୋଧର ଧରାରେ ଏହା ପଡ଼ିଗଲା ପରେ ସମ୍ଭାବ୍ୟ ଅସୁବିଧାଗୁଡ଼ିକ ସହଜରେ ସମାହିତ ହୋଇଯାଇ ପାରିବ । ଏଠାରେ ପ୍ରକାଶ କରାଯାଇ ପାରେ ଯେ, ଓଡ଼ିଆ ଭାଷାର ପ୍ରାଚୀନ ସାହିତ୍ୟ ଗ୍ରନ୍ଥଗୁଡ଼ିକରେ (ଚର୍ଯ୍ୟାପଦ, ସାରଳା ମହାଭାରତ, ମାଦଳାପାଞ୍ଜି, ଚଇତକ ଚକଡ଼ା) ‘ସ’ର ବହୁଳ ପ୍ରୟୋଗ ଲକ୍ଷ୍ୟ କରାଯାଏ । ଏପରି କି ଫକୀରମୋହନ ସେନାପତିଙ୍କ ଛ’ମାଣ ଆଠଗୁଣ୍ଠ ଓ ଲଛମା ଉପନ୍ୟାସର ପ୍ରଥମ ସଂସ୍କରଣରେ ତିନିଗୋଟି ଶ, ଷ, ସ, ର ଯଥାର୍ଥ ପ୍ରୟୋଗ କରାଯାଇ ନାହିଁ । ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାରେ କେବଳ ଗୋଟିଏ ମାତ୍ର ’ସ’ ଲିଖନର ଆବଶ୍ୟକତାକୁ କେନ୍ଦ୍ର କରି ରୀତିମତ ଏକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ସ୍ୱର୍ଗତ ମାୟାଧର ମାନସିଂ-। ମାତ୍ର ଏ ଆନ୍ଦୋଳନ ସଫଳ ହୋଇ ପାରିଲା ନାହିଁ । ଏ କ୍ଷେତ୍ରରେ ଶବ୍ଦ ସଂକଳକମାନଙ୍କର ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସଂକଳିତ ଶବ୍ଦଗୁଡ଼ିକର ଯୁଗୀୟ ଲିଖନରୀତିର ସୋଦାହରଣ ଉପସ୍ଥାପନ ଅଭିଧାନରେ ସ୍ଥାନ ପାଇବା ଉଚିତ । ପୁନଶ୍ଚ ଦେଶ୍ୟ ଶବ୍ଦଗୁଡ଼ିକ କ୍ଷେତ୍ରରେ ଲୋକ-ମୁଖର ଉଚ୍ଚାରଣକୁ ଭିତ୍ତି କରି ସେ ସମସ୍ତଙ୍କର ଉଲ୍ଲେଖ କରିବା ଦୋଷାବହ ନୁହେଁ । ନନ୍ଦେ ଆପଣାର ଭାଷାତତ୍ତ୍ୱ ଗ୍ରନ୍ଥରେ ଗ୍ରାମ୍ୟ ଭାଷାର ଲିଖନ ସମ୍ପର୍କରେ ଯେଉଁ ଯୁକ୍ତିର ଅବତାରଣା କରିଛନ୍ତି, ତାହା ଯଥାର୍ଥ ଏବଂ ଶବ୍ଦ ତତ୍ତ୍ୱବୋଧ ଅଭିଧାନରେ ସେ ସବୁର ପ୍ରୟୋଗ ହିଁ ଆମେ ଲକ୍ଷ୍ୟ କରିଥାଉଁ । (୧୦) ସୁନାଶୀର-ଶୁନାଶିର-ଶୁନାସିର, ଶୋହା-ସୋହା, ଶୁରିଲା-ସୁରିଲା, ଶୌରୀ-ସୌରି, ରାଧି-ରାଧୀ, ଯାମାତା-ଜାମାତା ଆଦି ଅନେକ ଶବ୍ଦକୁ ଉଦାହରଣ ସ୍ୱରୂପ ଗ୍ରହଣ କରାଯାଇ ପାରେ । ପୁନଶ୍ଚ ଆଞ୍ଚଳିକ ଭେଦରେ କଥିତ ଶବ୍ଦଗୁଡ଼ିକର ବୈଚିତ୍ର୍ୟ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି । ତଦ୍‌ଭବ ଶବ୍ଦଗୁଡ଼ିକର ଏଗୁଡ଼ିକ ଆଞ୍ଚଳିକ ରୂପ ବୋଲି କୁହାଯାଇ ପାରେ । ଯଥା ମାଉଁସ-ମାଉସ, ମାସ-ମାଂସ, ଖୋସାମତ-ଖୁସାମତ, ଖୋସାମଦ-ଖୁସାମଦ, ନସି-ଲସି, ବରା-ବଡ଼ା, ବଉ-ବହୁ-ବୋହୁ, ଶତପଥୀ-ଶତପସ୍ତି । ଇତ୍ୟାଦି । ନନ୍ଦ ମହାଶୟ ଓଡ଼ିଆ ପୁରାଣ, ପତ୍ର-ପତ୍ରିକା, ପୁସ୍ତକ, ଲୋକଗୀତ, ଲୋକକଥା ଗୁଡ଼ିକରୁ ଯଥେଷ୍ଟ ଉଦାହରଣ ଦେଇ ନ ଥିଲେ ସୁଦ୍ଧା ଲୋକମୁଖର ଭାଷାକୁ ପର୍ଯ୍ୟବେକ୍ଷଣ କରିବାରେ ତାଙ୍କୁ ଶାଣିତ ଦୃଷ୍ଟିକୋଣର ଏହା ପରିଚାୟକ ବୋଲି ମନେହୁଏ ।

 

(୧୦)

ଦେଶଜ ଶବ୍ଦମାନଙ୍କ ସମ୍ବନ୍ଧେ ସାଧାରଣତଃ ଲୋକମାନଙ୍କ ଉଚ୍ଚାରଣ କେବଳ ଅନୁକରଣୀୟ । ମାତ୍ର ତାହା ବୋଲି ଦେଶ ମଧ୍ୟରେ ବାସ କରୁଥିବା ଯେକୌଣସି ଲୋକର, ଯେ କୌଣସି ପ୍ରକାରର ଉଚ୍ଚାରିତ ଯାବତୀୟ ରୂପ ବା ଆକାର ଗ୍ରହଣୀୟ ହୋଇ ନ ପାରେ । x x x ନିମ୍ନ ଶ୍ରେଣୀର ଲୋକମାନଙ୍କ ହୃଦଭାବ ଓ ତତ୍‌ନୁଗତ ମୁଖଯନ୍ତ୍ର ଯେ ଅଧିକାଂଶ ଦେଶୀୟ ଶବ୍ଦର ଉତ୍ପତ୍ତି ଓ ପରିପୋଷଣର ସ୍ଥାନ ଏହା ଅନେକ ବୁଝନ୍ତି ନାହିଁ । ନିମ୍ନ ଶେଣୀର ଲୋକେ ଦେଶୀୟ ଶବ୍ଦଗୁଡ଼ିକୁ ନିଜ ବ୍ୟବହାରରେ ପରିଣତ ଓ ପରିପୁଷ୍ଟ କରି ସେମାନଙ୍କ ସମ୍ୟକ ରକ୍ଷଣାବେକ୍ଷଣ କରିଥାନ୍ତି । ସୁତରାଂ ଦେଶଜ ଶବ୍ଦମାନଙ୍କର ସ୍ୱଭାବିକୀ ସତ୍ତା ସେମାନଙ୍କ ମୁଖରେ ବହୁ ପରିମାଣରେ ଅକ୍ଷୁର୍ଣ୍ଣ ରହିଥାଏ । (ଓଡ଼ିଆ ଶବ୍ଦତତ୍ତ୍ୱ ଶୀର୍ଷକ ଆଲୋଚନା ବିଶେଷ ଭାବରେ ଦ୍ରଷ୍ଟବ୍ୟ) ପୁସ୍ତକ ଟିପ୍‌ପଣୀ-୧

 

ଇଂରେଜୀ ଭାଷାର ଅନ୍ୟତମ ବିଶିଷ୍ଟ ଆମେରିକୀୟ ଅଭିଧାନିକ ନୋଆ ୱେବ୍‌ଷ୍ଟର North Webster (୧୭୫୮-୧୮୪୩)ଙ୍କ ସହିତ ନନ୍ଦ ମହାଶୟଙ୍କୁ ତୁଳନା କରାଯାଇପାରେ-। ଧ୍ୱନିତତ୍ତ୍ୱ ଦୃଷ୍ଟିକୋଣରୁ ସେ ପ୍ରଥମେ ଇଂରେଜୀ ଶବ୍ଦକୁ ଆମେରିକୀୟ ରୂପ ଦେଲେ । A Grammatical Institute of English Language ନାମକ ସଂସ୍ଥା ଆନୁକୂଲ୍ୟରେ ନିଜେ ୱେବଷ୍ଟର ଇଂରାଜୀ ଭାଷାର ଉଚ୍ଚାରଣ, ବ୍ୟାକରଣ ଓ ପାଠକମାନଙ୍କ ସମ୍ପର୍କରେ ତିନିଗୋଟି ପୁସ୍ତକ ଯଥାକ୍ରମେ ୧୭୮୩, ୧୭୮୪, ଓ ୧୭୮୫ ମସିହାରେ ପ୍ରକାଶ କରିଥିଲେ । The American Spelling ଗ୍ରନ୍ଥଟି ଏତେ ଲୋକପ୍ରିୟ ହୋଇ ପାରିଥିଲା ଯେ ଏକଶହ ବର୍ଷ ମଧ୍ୟରେ ଉକ୍ତ ଗ୍ରନ୍ଥର ପ୍ରାୟ ୮୦,୦୦୦,୦୦୦ (ଆଠକୋଟି) ସାର ବିକ୍ରି ହୋଇ ଯାଇଥିବାର ହିସାବ ରହିଛି । ପୁନଶ୍ଚ ୧୭୮୯ ମସିହାରେ ମଧ୍ୟ ତାଙ୍କଦ୍ୱାରା ସଂକଳିତ Dissertation on the English Language with Notes Historical and Critical ଗ୍ରନ୍ଥଟି ପ୍ରକାଶ ପାଇଲା । ଉକ୍ତ ଅଭିଧାନରେ ସଂକଳିତ ଶବ୍ଦଗୁଡ଼ିକ ମୁଖ୍ୟତଃ ଧ୍ୱନିତତ୍ତ୍ୱ ଦୃଷ୍ଟିରୁ ହିଁ ପତ୍ରସ୍ଥ କରାଯାଇଥିଲା ।୧୧ । ନନ୍ଦ ମହାଶୟ ହିଁ ଓଡ଼ିଆ ଭାଷାରେ ଉପଯୁକ୍ତ ଆଦର୍ଶର ଭିତ୍ତି ସ୍ଥାପନ କରିଥିଲେ ।

 

(୧୧)

Albert C. Bough-The History of English Language-page 428/429

14th Indian Reprint-1980 Allied Publishers pvt. Ltd. Delhi

 

ଓଡ଼ିଆ ଶବ୍ଦଗୁଡ଼ିକର ବର୍ଣ୍ଣାନୁକ୍ରମିକ ସଜ୍ଜୀକରଣ ପାଇଁ ସେ ମୁଖ୍ୟତଃ ହିନ୍ଦି ଓ ସଂସ୍କୃତ କୋଷ ଗ୍ରନ୍ଥଦ୍ୱାରା ପ୍ରଭାବିତ ହୋଇଥିଲା ପରି ମନେହୁଏ । ‘କ’ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକର ଶେଷରେ ‘କ୍ଷ’ ଯୁକ୍ତ ବର୍ଣ୍ଣ ଓ ‘ଜ’ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକର ଶେଷରେ ‘ଜ୍ଞ’ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ସ୍ଥାନ ପାଇଛି । ଅବ୍ୟୟ ପଦଗୁଡ଼ିକୁ ଟାଣି ଓଟାରି ସେ ସଂସ୍କୃତ ଓ ପ୍ରାକୃତ ପଦଗୁଡ଼ିକରୁ ଆସିଛି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି । ଓଡ଼ିଆରେ ବର୍ଗ୍ୟ ଜ ଓ ଅବର୍ଗ୍ୟ ଜ, ସ୍ୱତନ୍ତ୍ର ଭାବରେ ଲିପି ମାଳାରେ ଥିଲେ ବି ଅବର୍ଗ୍ୟ ‘ବ’ ର ସ୍ୱତନ୍ତ୍ର ଲିପି ନାହିଁ ଏବଂ ଅବର୍ଗ୍ୟ ‘ବ’ର ବର୍ଣ୍ଣାଦ୍ୟ ଶବ୍ଦ ଉଚ୍ଚାରଣ ମଧ୍ୟ ନାହିଁ-। ମାତ୍ର ଅଭିଧାନିକ ସଂସ୍କୃତ ଓ ହିନ୍ଦି ଭାଷାର ପ୍ରଭାବରେ ଅଭିଧାନରେ ଦୁଇଟି ସ୍ଥାନରେ ସେ ‘ବ’ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକର ସଂକଳନ କରିଛନ୍ତି । ପ୍ରକାଶ ଥାଉ କି ଅଭିଧାନରେ ସ୍ଥାନିତ ଅବର୍ଗ୍ୟ ‘ବ’ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ମୁଖ୍ୟତଃ ସଂସ୍କୃତ ଓ ତଦ୍‌ଭବ ଏବଂ ବର୍ଗ୍ୟ ‘ବ’ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ମୁଖ୍ୟତଃ ଦେଶଜ ଓ ବୈଦେଶିକ । ବଦନାମ, ବରଷ, ବିଦ୍ରୂପ, ଆଦି ବହୁ ଶବ୍ଦ ବର୍ଗ୍ୟ ‘ବ’ ବର୍ଣ୍ଣାଦ୍ୟ ଶବ୍ଦ ଭାବରେ ଗ୍ରହଣ କରାଯାଇଛି । ମାତ୍ର ଏ ଶବ୍ଦଗୁଡ଼ିକ ଅ ବର୍ଗ୍ୟ ‘ବ’ (ଉଅ) ଭାବରେ ଉଚ୍ଚାରିତ ହୁଏ-। ନନ୍ଦ ମହାଶୟ ଆପଣାର ଭାଷାତତ୍ତ୍ୱ ଗ୍ରନ୍ଥରେ ଜ, ଯ, ୟ, ବର୍ଣ୍ଣଗୁଡ଼ିକ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିବା ବେଳେ ‘ବର୍ଗ୍ୟ ଏବଂ ଅବର୍ଗ୍ୟ ‘ବ’ ସମ୍ପର୍କରେ ଆଲୋଚନା କରିନାହାନ୍ତି । ଉକ୍ତ ଦୁଇଟି ବର୍ଣ୍ଣ ସମ୍ପର୍କରେ ଅଭିଧାନିକଙ୍କ ଦୃଷ୍ଟିକୋଣ ସମ୍ପର୍କରେ କିଛି ସୂଚନା ମିଳେ ନାହିଁ; ତେଣୁ ଅବର୍ଗ୍ୟ ଓ ବର୍ଗ୍ୟ ‘ବ’ ର ସ୍ୱତନ୍ତ୍ର ଲିଖନ ସଂସ୍କୃତ ଧ୍ୱନିମାଳାର ପ୍ରତ୍ୟକ୍ଷ ପ୍ରଭାବର ଫଳ ବୋଲି ମନେହୁଏ ।

 

ପୁନଶ୍ଚ ସେ ଅଭିଧାନିକ ବର୍ଣ୍ଣମାଳାର ପ୍ରତ୍ୟେକ ବର୍ଣ୍ଣର ସ୍ଥାନ ସହିତ ସେଗୁଡ଼ିକର ଅର୍ଥ ଉଲ୍ଲେଖ କରିଛନ୍ତି । ସଂସ୍କୃତ ଭାଷାର ଏହା ପ୍ରତ୍ୟକ୍ଷ ଫଳ ବୋଲି ବୋଧ ହେଉଥିଲେ ସୁଦ୍ଧା ମଧ୍ୟଯୁଗୀୟ ଓଡ଼ିଆ କାବ୍ୟଗ୍ରନ୍ଥଗୁଡ଼ିକର ଅର୍ଥ ଅବବୋଧ ପାଇଁ ଏହା ବିଶେଷ ଭାବରେ ସହାୟକ ହୋଇଥାଏ । ଗ୍ରନ୍ଥର ଶେଷ ଭାଗରେ ମଧ୍ୟ ବୈଦ୍ୟକ ଶବ୍ଦମାଳା ସ୍ଥାନ ପାଇଛି । ଏ ଜାତୀୟ ଶବ୍ଦଗୁଡ଼ିକର ସ୍ୱତନ୍ତ୍ର ସଜ୍ଜୀକରଣର କାରଣ ସମ୍ପର୍କରେ କିଛି ବୁଝା ପଡ଼େନା । ଅବଶ୍ୟ ସଂସ୍କୃତରେ ସ୍ୱତନ୍ତ୍ର ଭାବରେ ବୈଦିକ କୋଷ ରହିଛି । ବୋଧହୁଏ ସଂକଳକ ସଂକଳନ କାଳରେ ଜନସାଧାରଣଙ୍କ ମଧ୍ୟରେ ବୈଦ୍ୟଶାସ୍ତ୍ରର ପ୍ରସାର କରିବା ଉଦ୍ଦେଶ୍ୟରେ ହେଉ, ନତୁବା ବୈଦିକ ଶବ୍ଦଗୁଡ଼ିକର ସହଜ ଅବରୋଧ ପାଇଁ ହେଉ, ଏ ଜାତୀୟ ଶବ୍ଦଗୁଡ଼ିକୁ ସ୍ୱତନ୍ତ୍ର ଭାବେ ଓ ବର୍ଣ୍ଣାନୁକ୍ରମେ ସଂକଳନ କରିଛନ୍ତି ।

 

ଅବଶ୍ୟ ଅଭିଧାନରେ ବହୁ ଶବ୍ଦର ବହୁ ଭିତ୍ତିତତ୍ତ୍ୱ ଏବଂ ଐତିହାସିକ ବିକାଶକ୍ରମେ ଉଲ୍ଲେଖ କରାଯାଇ ନାହିଁ । ତଥାପି ଶବ୍ଦଗୁଡ଼ିକର ରୂପତତ୍ତ୍ୱ ଦର୍ଶାଇବା ପାଇଁ ସେ ଯେ ଯତ୍‌ପରୋନାସ୍ତି ଚେଷ୍ଟା କରିଛନ୍ତି, ଏହା ଅନସ୍ୱୀକାର୍ଯ୍ୟ । ଓଡ଼ିଆ ଭାଷାରେ ଜଣେ କ୍ରାନ୍ତିକାରୀ ବୈୟାକରଣିକ ଓ ଭାଷାତତ୍ତ୍ୱବିଦ୍‌ ଭାବରେ ଆପଣାର ସ୍ଥାନ ନିର୍ଦ୍ଦିଷ୍ଟ କରି ନେଇଥିବା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ‘ଶବ୍ଦତତ୍ତ୍ୱବୋଧ ଅଭିଧାନ’ ଯେ, ଓଡ଼ିଆ ଭାଷାର ପ୍ରଥମ ରୁଚିପୂର୍ଣ୍ଣ, ବ୍ୟୁପତ୍ତିଗତ ଓ ଧ୍ୱନିତାତ୍ତ୍ୱିକ କୋଷଗ୍ରନ୍ଥ, ଏହା ନିଃସନ୍ଦେହ ।

 

 

ଅଧ୍ୟାପକ, ଓଡ଼ିଆ ବିଭାଗ

ପଞ୍ଚାୟତ କଲେଜ

ବରଗଡ଼, ସମ୍ବଲପୁର

 

***

 

ଆକାଶ

ଶ୍ରୀ ସୀତାକାନ୍ତ ମହାପାତ୍ର

 

କେତେବେଳେ ସାତରଙ୍ଗର ଇନ୍ଦ୍ରଧନୁ ଧରି

ଛିଡ଼ା ହୋଇଥାଅ ଶସ୍ୟଶ୍ୟାମ ରାମଙ୍କ ପରି ତ

ଆଉ କେତେବେଳେ ଚାରିପଟେ ପଡ଼ିଥାଏ କୁନିପୁଅର

ଅସୁମାରି ଖେଳନା : ଘୋଡ଼ା ହାତୀ, ଦେଶ ମହାଦେଶ

ଆକାରର କେତେ ନାହିଁ କେତେ ବଉଦ ।।

 

ପୋଖରୀ ତୁଠରେ ଦୁବଚେର ପାଦରେ

ଚୁପ୍‌କରି ଶୋଇଥିବା କୁନି ଚେଙ୍ଗଟିଏ ପରି

ଆଉ କେତେବେଳେ ଶୋଇଥା

ଚବଚବ କଫିରଙ୍ଗ ରାସ୍ତାକଡ଼ କାଦୁଅ ପାଣିରେ;

ଜଗନ୍ନାଥ ଦାସେ କହିଥିଲେ

ଘଟମାନେ ନାଶ ହୁଅନ୍ତି ସିନା

ତୁମେ ଯେ ସଦା ବର୍ତ୍ତମାନ, ଅଭିନ୍ନ !! ।।

 

କାହାର ତୁମେ ? କାହାର ?

ଘରକୁ ବାହୁଡ଼ୁଥିବା କ୍ଳାନ୍ତ ଚଢ଼େଇର ?

ପୂର୍ବ ଦିଗନ୍ତରେ କୁଙ୍କୁମ ବିନ୍ଦୁ ଲାଜ ଲାଜ ଥମ୍‌ ଥମ୍‌ ଜହ୍ନର ?

ଦ୍ୱିପ୍ରହର ମଥାନରେ ଉତ୍ତେଜିତ ସମ୍ରାଟ୍‌ ସୂର୍ଯ୍ୟର ?

ନିଶୂନ ନିଶ୍ଚଳ ଦିଗନ୍ତରେ ଥୁଣ୍ଟା ହାତଟି ବଢ଼େଇ

କ’ଣ ଗୋଟେ ଖୋଜୁଥିବା ନିଃସହାୟ ଗଛର ? ।।

 

ସାରାରାତି ତାରା-ମୁରୁଜ ପକେଇ କିଏ ଜଣେ ଚାହିଁ ବସିଥାଏ

ସାରାରାତି କିଲିବିଲି ଅନ୍ଧାର, ମରଣର ମୁହଁ ନେଇ

କିଏ ଜଣେ ଡରୋଉଥାଏ

ସାରାରାତି ଛାୟାପଥରେ କଅଁଳ ଜ୍ୟୋତ୍ସ୍ନା

ପୁଚି ଖେଳୁଥାଏ

ତମେ ସଭିଙ୍କର ନା କାହାରି ନୁହେଁ ? ।।

 

ପ୍ରଶ୍ନର ଉତ୍ତର ନ ଥାଏ

ଉତ୍ତର ମିଳିବାର ଆଶା ନଥାଏ, ଆଶ୍ୱାସନା ନ ଥାଏ

ଦିନ ଦିନ, ରାତି ରାତି

ଯାହା ଘଟବାର ଘଟି ଯାଉଥାଏ ।।

 

ଅଗଣାରେ ସଉପ, ପିଲାଦିନ

ତୁମରି ଆଡ଼େ ଦୃଷ୍ଟି

ତାରାଗଣତି, ଦୃଷ୍ଟିର ବଳୟକୁ ଅରା ଅରା କରି;

ତୁମେ ଚାରିଆଡ଼େ, ଚଉପାଶେ ।

 

ମାନହଟାନ୍‌ରେ କାର୍‌ ଭିତରୁ ବେକ ଲମ୍ବେଇ

ତମେ କୋଉଠି ତମେ କୋଉଠି ବୋଲି ଆକୁଳତା

କାଚ-କଙ୍କ୍ରିଟ-ପାହାଡ଼ ମଥାନ ଉପରେ

ତୁମେ ଦୃଶ୍ୟ ବି ହୁଅ ନି ।

ଯୋଉଠି ଥା, ତମେ ଭାରି ଜଣେ

ଏତେ ନଟଭଟ ଜାଣ, ଏତେ ମାୟା ! ।।

 

ଅଥଚ ତମେ କୁଆଡ଼େ ସବୁଠୁଁ ନିର୍ମାୟା

ତମେ କ’ଣ ମୋ’ ପିଲାଦିନର ସ୍ଳେଟ୍‌ ?

କେତେ କ’ଣ ଲେଖିଛି, କିଛି ନାହିଁ

ଏମିତିକି ସ୍ମୃତି ବି ନାହିଁ

ତମେ କ’ଣ ଠିକ୍‌ ଜୀବନ ପରି

ଭ୍ରାନ୍ତି ଓ ବିସ୍ମୃତିର ଅନ୍ୟ ନାମ

ନାଁ ତମେ ଅପ୍ରାପ୍ତିର

ଖାଲି ଏକ ନିରୋଳା ଓ ଶୁଭ୍ର ନାମ

ସବୁ ଅନୁପସ୍ଥିତିର ସୁମଧୁର ସର୍ବନାମ !

 

***

 

ସର୍ବଶେଷ ତୀର

ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା

 

ମୁଁ ଏପରି ଏକ ତୀର ମନ୍ତ୍ରଣ କରି

ପେଷି ଦେବାକୁ ଚାହେଁ ମୋର ଆମଂଚିତ, ଯୋଜିତ ଧନୁରୁ

ଯାହା ମାଧ୍ୟାକର୍ଷଣ ଭେଦି ଛୁଟିଯିବ

ମହାଶୂନ୍ୟରେ....

 

ଯାହା

ନା ମଣିଷ ନା ପଶୁ

ନା ଘୂରଂତା ମାଛର ଆକ୍ଷି ନା ଶିଆଳିତ ପାଦ-ପଦ୍ମ

ନା ସୂର୍ଯ୍ୟ ନା ଚନ୍ଦ୍ର ନା ନକ୍ଷତ୍ର ନା ଧୂମକେତୁ

କାହାକୁ ସ୍ପଶିବ ନାହିଁ ଭେଦିବ ନାହିଁ ଗତିପଥରେ

ଭୂପତିତ ହେବ ନାହିଁ କେବେହେଁ

ପୁଚ୍ଛ ଯାକି ଫେରିବ ନାହିଁ ଅଧବାଟରୁ ତୂଣୀରମୁହାଁ

 

ମୁଁ ଏପରି ଏକ ତୀର ମନ୍ତ୍ରଣ କରି

ପେଷି ଦେବାକୁ ଚାହେଁ ମୋର ଆମଂଚିତ, ଯୋଜିତ ଧନୁରୁ

ଯାହାର ଗତିକୁ ନିମନ୍ତ୍ରଣ କରିପାରେନା

ଦିଗ, ଲକ୍ଷ୍ୟ, ସମୟ !

ମୁଁ ସେଇ ତୀରମୁନରେ ଅଧିଷ୍ଠିତ ଥାଇ

ଛୁଟିଥିବାକୁ ଚାହେଁ

ଅନନ୍ତ କାଳ...

 

ପ୍ରିୟ ପ୍ରତିସ୍ପର୍ଦ୍ଧୀ !

ଅନନ୍ତୋତ୍ତର ବିନ୍ଦୁରୁ ଆସୁଥିବା ଆବାହନର ଧ୍ୱନି

ଆସି ଅଟକିଯାଉ ତୁମର କର୍ଣ୍ଣ-ଚେତନା-କୁହରରେ,

ପ୍ରତୀପ-ସାର୍ବଭୌମତାରେ

ତୁମ ପୃଥିବୀର ସବୁଠାରେ

ସମାନ ଭାବରେ

ବିକ୍ଷେପିତ ହୋଇ ରହୁ ଅନ୍ତିମର ପରମ ସୁଗନ୍ଧ !

ଏତିକି ଚାହେଁ-

ତୀର ମୁନରେ ଅଧିଷ୍ଠିତ ଥାଇ

ଅନିର୍ଦ୍ଦିଷ୍ଟତାର ଅନୁପମ ଉପଲବ୍‌ଧ ଭିତରକୁ ମୁଁ

ଛୁଟଇଯିବା ବେଳେ ।।

 

୯, ୫-ଆର ଫ୍ଳାଟ

ମହାତ୍ମାଗାନ୍ଧୀ ମାର୍ଗ, ୟୁନିଟ-୩

ଭୁବନେଶ୍ୱର

***

 

ଟାଇମ୍‌ବୋମା

ଶ୍ରୀ ରବି ପଟ୍ଟନାୟକ

 

‘‘ହାଲୋ, ବ୍ରଜକିଶୋର ମହାପାତ୍ର । ଶୁଣ । ମୁଁ ତମ ଦିହରେ ଗୋଟାଏ ସମୟ-ନିରୂପିତ ବୋମା ଖଞ୍ଜି ଦେଇଛି । ତାହା ନିର୍ଦ୍ଧାରିତ ସମୟରେ ବିସ୍ଫୋରିତ ହୋଇ ତମକୁ ଧ୍ୱଂସ କରିଦେବ ଚିରଦିନ ପାଇଁ । କିନ୍ତୁ ମୁଁ କହିବି ନାହିଁ କେବେ, କୋଉଠି, କିପରି ଭାବରେ ବିସ୍ଫୋରଣ ଘଟିବ । ତେଣୁ ସାବଧାନ । ସାବଧାନ ।’’

 

କାନରେ ରିସଭର୍‌ଟା ଲଗେଇ କ୍ଷଣକ ପାଇଁ ତନ୍ଦ୍ରା ଯାଇଥିବା ଓୟାରଲେଶ ଇନ୍‌ସପେକ୍ଟର ବ୍ରଜକିଶୋର ମହାପାତ୍ର ଚମକି ପଡ଼ି ଅଭ୍ୟାସବଶତଃ ଚିତ୍କାର କରି ଉଠିଲେ ‘‘ହାଲୋ, ହାଲୋ ଥ୍ରି-ଟୁଏଣ୍ଟିଫୋର୍‌ କଲିଂ, ହାଲୋ ।’’

 

କିନ୍ତୁ ସେ ପଟରୁ ଆଉ କୌଣସି ସ୍ୱର ଶୁଣାଗଲା ନାହିଁ । କେବଳ ବ୍ଳିକିଂ ବିଂ ବିପ୍‌ କ୍ଳିପ୍‌ ପରି କେତେଗୁଡ଼ିଏ ଯାନ୍ତ୍ରିକ ଶବ୍ଦ ଶୁଣାଯାଇ ପୁଣି ନୀରବ ହୋଇଗଲା ।

 

ରିସିଭର୍‌ଟା ଥୋଇ ଦେଇ ବ୍ରଜକିଶୋର ମୁହଁଟାକୁ ଭଲ କରି ପୋଛି ନେଲେ । ତା’ପରେ ଚେଆର ଉପରୁ ଉଠିବାକୁ ଚେଷ୍ଟା କରି ଦେଖିଲେ ଗୋଡ଼ଟା ଚଳୁନାହିଁ । ପଥର ପରି ଲାଗି ରହିଛି ତଳେ । କିଛି ସମୟ ପରେ ଗୋଡ଼ରେ ଚେତନା ଫେରିଲା । ଅଜସ୍ର କଣ୍ଟା ଫୁଟିଲା ପରି ତଳି ପାଦରେ ଯନ୍ତ୍ରଣା । ସେଇ ଯନ୍ତ୍ରଣାମୟ ଅନୁଭୂତିଟା ଧୀରେ ଧୀରେ ପାଦ ପାଖରୁ ଉଠି ମୁଣ୍ଡ ଉପରକୁ ଚଢ଼ିଯାଉଛି । ବହୁ ସମୟ ପରେ ଝିମ୍‌ଝିମ୍‌ ଭାବଟା କଟିଗଲା ପରେ ସେ ଧୀରେ ଧୀରେ ଛୋଟେଇ ଛୋଟେଇ ଉଠିଲେ । ପାଖ ଟେବୁଲରେ ଥିବା ପାଣିଗ୍ଳାସଟା ନେଇ ଧୀରେ ଧୀରେ ବାହାରକୁ ଗଲେ । ବାରଣ୍ଡା ଉପରେ ଛିଡ଼ା ହୋଇ ମୁହଁଟାକୁ ଧୋଇନେଲେ । ସୁରେଇରୁ ଆଉ ଗ୍ଳାସେ ପାଣି ଢାଳି ଢକ୍‌ ଢକ୍‌ କରି ପିଇଗଲେ ଏକା ନିଃଶ୍ୱାସରେ । ରୁମାଲ୍‌ରେ ମୁହଁ ପୋଛି ସିଗାରେଟ୍‌ ଲଗାଇ ହାତଘଡ଼ିକୁ ଚାହିଁଲେ । ରାତି ତିନିଟା ପନ୍ଦର ।

 

ବାହାରେ ନିର୍ମେଘ ଆକାଶ । ଅସଂଖ୍ୟ ତାରାରେ ଭର୍ତ୍ତି ଝଲମଲ । ପଶ୍ଚିମ ଆକାଶରେ କୃଷ୍ଣପକ୍ଷ ଜହ୍ନର ସ୍ତିମିତ ମିଳନ ଆଲୋକ ଦୀପଶିଖାର ଆଲୁଅ ପରି ମ୍ଳାନ ହଳଦିଆ । ପାହାନ୍ତି ପ୍ରହରର ଥଣ୍ଡା ପବନରେ ଦେହଟା ଥରି ଉଠୁଛି ।

 

ସେ ବାରଣ୍ଡା ଉପରୁ ତଳକୁ ଓହ୍ଳାଇ ଅଗଣାରେ ଜୋରରେ ପାଦ ପକାଇ ଏପଟ ସେପଟ ହୋଇ ବୁଲିଲେ । ଏତେ ସମୟ ଧରି ବସି ବସି ଅଣ୍ଟା ପିଠି ଲାଗିଯାଇଛି । ଗୋଡ଼ ଦୁଇଟାରେ ରକ୍ତ ଜମିଯାଇ ନିଦା ହୋଇଯାଇଛି । ଟିକିଏ ଚାଲବୁଲ କଲେ ଦିହଟା ବି ଫୁର୍ତ୍ତି ଲାଗିବ । ନିଦଟା ଛାଡ଼ିଯିବ । ଆହୁରି ତିନିଘଣ୍ଟା ସମୟ ବାକି ରିଲିଭର୍‌ ଆସୁ ଆସୁ ।

 

ବୁଲୁ ବୁଲୁ ପୁଣି କଥାଟା ମନେ ପଡ଼ିଗଲା ତାଙ୍କର । ସେ କ’ଣ ସ୍ୱପ୍ନରେ ଶୁଣିଲେ କଥାଟା-! ରିସିଭର୍‌ଟା କାନ ପାଖରେ ଧରି ଶୋଇ ପଡ଼ିଥିଲେ ନା କ’ଣ ? କିନ୍ତୁ କେତେ ସ୍ପଷ୍ଟ । ଗମ୍ଭୀର କଣ୍ଠସ୍ୱର । ତେବେ କ’ଣ ସତକୁ ସତ ! ଚମକି ପଡ଼ି ସେ ନିଜ ଅଜାଣତରେ ଦେହ ହାତ ଅଣ୍ଡାଳି ପକାଇଲେ । ସାର୍ଟ ପକେଟ୍‌, ପେଣ୍ଟ ପକେଟ୍‌, ପେଣ୍ଟ ସାର୍ଟର ଭାଙ୍ଗ, ସବୁ ଆଡ଼ ଖୋଜି ଆସିଲା ହାତ ଦୁଇଟି । ନା କିଛି ନାହିଁ ।

 

ମନକୁ ମନେ ହସିଲେ ସେ । ବୋଧହୁଏ କାଲି ରାତିରେ ଅଧାପଢ଼ା ଡିଟେକ୍ଟିଭ୍‌ ନଭେଲ୍‍ରେ ଥିବା ଘଟଣାଟା ସ୍ୱପ୍ନ ହୋଇଯାଇଛି । ସେ ପୂରାପୂରି ଘଟଣାଟିକୁ ଭୁଲିଯିବାକୁ ଚେଷ୍ଟା କଲେ । ଥର୍ମସ୍‌ କାଢ଼ି ଚା ଢାଳିଲେ ଗ୍ଳାସରେ । ତା’ଟା ଥଣ୍ଡା ହୋଇ ଆସିଛି । ତଥାପି ବେଶ୍‌ଗରମ ଅଛି । ସେ ଚା’ ପିଉ ପିଉ ଓୟାରଲେଶ୍‌ ସେଟ୍‌ରେ ଆଉ ଗୋଟାଏ ବିଦେଶୀ ଷ୍ଟେସନ୍‌ ଧରିବାକୁ ଚେଷ୍ଟା କଲେ । ଆଜିକାଲି କୋଉଠୁ ନା କୋଉଠୁ ହିନ୍ଦୀ ଫିଲ୍ମର ଗୀତ ବାଜି ଉଠେ ଏମିତି ଅବେଳଟାରେ । ଚାରିଟା ବେଳକୁ କଲ୍‌ଆସିବ କଟକରୁ । ସେତେବେଳେ ପର୍ଯ୍ୟନ୍ତ ଫ୍ରି । ରୁଟିନ୍‌ କଲ୍‌ତ ।

 

କିଛି ସମୟ ଡାଏଲଟିକୁ ଏପଟ ସେପଟ କରି କିଛି ନପାଇ ବନ୍ଦ କରି ଦେଇ ଚୁପ୍‌ହୋଇ ବସି ଆଉ ଗୋଟାଏ ସିଗାରେଟ୍‌ ଧରାଇଲେ । ଆଚ୍ଛା, ଏମିତି ଗୋଟାଏ କଥା ବା ଶୁଣିଲେ କାହିଁକି-? କଟକ ହେଡ୍‍କ୍ୱାଟର୍ସରୁ କିଏ ଏମିତି ବଦ୍‌ମାସି କଲା କି ? କିଏ ଆଉ କିଛି ? ଶଳା-ଶିବୁ ତ କୋରାପୁଟ ଯାଇଛି । ମହେନ୍ଦ୍ର ତ ଯାଇଛି ଅନୁଗୁଳ । ଆଉ କିଏ କଲା ତେବେ ?

 

ନା, କେହି ବଦ୍‌ମାସି କରି ନାହାନ୍ତି ! ପ୍ରକୃତରେ ସ୍ୱପ୍ନଟା ।

 

କିନ୍ତୁ ଯଦି ସ୍ୱପ୍ନ ହୁଏ, ତେବେ ତାର ଆଉ କିଛି ମନେ ରହିଲା ନାହିଁ କାହିଁକି ? କିଏ କହୁଛି, କାହାକୁ କହୁଛି, କିଛି ଗୋଟାଏ ଦୃଶ୍ୟ, ଘଟଣା ତ ମନେ ଥାଆନ୍ତା । କିନ୍ତୁ ତାର କିଛି ମନେ ପଡ଼ୁନାହିଁ । କେବଳ ମନେ ପଡ଼ୁଛି ସେଇ ଅଶରୀରୀ ସ୍ୱରଟା । ସେ ଭୁଲ୍‌ ଶୁଣିଲା କି ଆଉ ? ତା ଟେବୁଲ ତଳେ କି ଆଲମାରୀ ଭିତରେ କି ତାର ବସା ଘରେ କିମ୍ବା–?

 

ଛି–ଅଯଥାଟାରେ ଆତଙ୍କିତ ହୋଇ ପଡ଼ୁଛି ସେ । କିଛି ଘଟଣା ନାହିଁ–ଗୋଟାଏ ସ୍ୱପ୍ନର କଥାକୁ ନେଇ ସେ ମିଛଟାରେ ବିଚଳିତ ହୋଇ ଉଠୁଛି ।

 

ତାକୁ ବା କିଏ କାହିଁକି ମାରିବାକୁ ଯିବ ? ମାସିକ ଆଠଶହ ଅଶିଟଙ୍କା ଦରମା ପାଉଥିବା ନିରୀହ ଓୟାରଲେଶ୍‌ ଇନ୍‌ସପେକ୍ଟରକୁ ମାରି ହାତ ଗନ୍ଧିଆ କରିବ କିଏ ? କରିବ ବା କାହିଁକି ? ସେ ତ ଆଉ ପୋଲିସ କିମ୍ବା ସି:ଆଇ:ଡ଼ି: କି ଭିଜିଲେନ୍‌ସ ନୁହେଁ ଯେ କିଏ ତା’ ଉପରେ ରାଗ ରଖିବ ? ଘରେ ବି ତାର ଏମିତି କିଛି ସମ୍ପତ୍ତି ନାହିଁ ଯେ ସେ ମଲେ ଆଉ କିଏ ଭାଗ ପାଇବ । ପ୍ରେମରେ ବି ତାର ପ୍ରତିଦ୍ୱନ୍ଦୀ କେହି ନାହିଁ । ତିନିବର୍ଷ ତଳେ ବାହା ହୋଇଛି । ସ୍ତ୍ରୀ ଓ ପିଲାଟି ଏବେ ଗାଁରେ ଅଛନ୍ତି । ଆଉ ମଧ୍ୟ ତା’ ଜାଣିବାରେ କାହାରି ସାଙ୍ଗରେ ସେମିତି କିଛି ଶତ୍ରୁତା ନାହିଁ, ଯେ କି ତାକୁ ଜୀବନରେ ମାରିଦେବାକୁ ଚେଷ୍ଟା କରିବ ।

 

କିନ୍ତୁ ଏସବୁ ସତ୍ତ୍ୱେ ସେ ବା ଏମିତି ସ୍ୱପ୍ନ ଦେଖିଲା କାହିଁକି ? ବି:ଏ: ପଢ଼ିବାବେଳେ ମନସ୍ତତ୍ତ୍ୱ ଗୋଟାଏ ବିଷୟ ଥିଲା ତା’ର; ସେଇ ସାବନା ରଙ୍ଗର ଝିଅଟି ପାଇଁ ସେ ସେଇ ସବ୍‌ଜେକ୍ଟ ନେଇଥିଲା । ସମସ୍ତଙ୍କ ଥଟ୍ଟା ପରିହାସ ସତ୍ତ୍ୱେ, ସେ ଜିଦ୍‌ଧରି ପଢ଼ୁଥିଲା । କିନ୍ତୁ ଚତୁର୍ଥ ବର୍ଷ ବେଳକୁ ଝିଅଟିର ବାହାଘର ହୋଇଗଲା କୋଉ ଗୋଟାଏ ଆଇ:ପି:ଏସ୍‌: ସାଙ୍ଗରେ ଏବଂ ସେ ବି:ଏ: ଫେଲ ହୋଇ ପଶିଗଲା ଏଇ ଟ୍ରେନିଂରେ । ଭାଗ୍ୟକୁ ସେ ଯେବେ ଗୁଜରାଟ୍‌ରେ ଅଛି । ନହେଲେ ତାକୁ ସଲାମ୍‌ ବଜାଇବାକୁ ପଡ଼ୁଥାନ୍ତା ତାକୁ ।

 

ଜୀବନଟା ଏଇମିତି । ଯାହାକୁ ସମସ୍ତେ ଚାହାନ୍ତି ସେ କାହାରିକୁ ଅନାଏ ନାହିଁ । ଆଉ ଯାହାକୁ କେହି ଅନାନ୍ତି ନାହିଁ ସେ ସମସ୍ତଙ୍କୁ ଅନାଇଁ ରହିବାଟାହିଁ ସାର ହୋଇ ରହେ ।

 

ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲା ବ୍ରଜକିଶୋର । ସେତେବେଳେ ଏମିତି କେତେ କେତେ ସୁଖର ସ୍ୱପ୍ନ ଥିଲା, ଆଉ ସମସ୍ତେ ବସି ପ୍ରତ୍ୟେକ ଏମିତି ଦେଖିଥିବା ସ୍ୱପ୍ନର ତର୍ଜମା କରୁଥିଲେ ସେମିନାରରେ ।

 

ସେତେବେଳେ ସେ ପଢ଼ିଥିଲା ମଣିଷର ଅବଦମିତ ଓ ସଂପୃକ୍ତ କାମନାଗୁଡ଼ିକ ସ୍ୱପ୍ନ ହୋଇ ଦେଖାଦିଏ ବୋଲି ।

 

କିନ୍ତୁ ଏଇ ସ୍ୱପ୍ନଟା ତା’ର କୋଉ ଅବଦମିତ କାମନା ? ତା’ର ତ ସୁଖର ସଂସାର । ସେ ବା ମୃତ୍ୟୁ କାମନା କରିବାକୁ ଯିବ କାହିଁକି ?

 

ନା, ଏ ସ୍ୱପ୍ନର ବି କିଛି ଅର୍ଥ ନାହିଁ ।

 

ଅଥଚ ସେ ଯେ ଏଇକଥାଗୁଡ଼ିକ ଶୁଣିଛି ଏବଂ ତାହା ତା’ ମନରେ ଲିପିବଦ୍ଧ ହୋଇ ରହିଯାଇଛି, ଏଇଟା ତ ସତ୍ୟ । ସେ ତ ଆଉ ଭାବିକରି ଏଇ କଥାଗୁଡ଼ାକ ତିଆରି କରିନାହିଁ ।

 

ତେବେ କ’ଣ ପିଲାଦିନେ ବୋଉ ଯୋଉକଥା କହୁଥିଲା, ସେ କଥା ସତ ? କିଛି ଗୋଟାଏ ଅଘଟଣ କି ଅଶୁଭ କଥା କହିଦେଲେ ସେ ଆକଟ କରି କହୁଥିଲା, ‘‘ଚୁପ୍‌କର, ବେଳ ନାହିଁ ଅବେଳ ନାହିଁ, ଏମିତି ଅଶୁଭ କଥାଗୁଡ଼ାକ ମୁହଁରେ ଧରିବୁ ନାହିଁ । କେତେବେଳେ ତୋ ମୁହଁରେ ବ୍ରହ୍ମା ବସିଯିବେ ଯେ, ସେଇ କଥା ଫଳିଯିବ । ସେ କାଳତୁଣ୍ଡା କଥା କହିବୁ ନାହିଁ ।’’

 

ପରେ ପଣ୍ଡିତ କକେଇ କହିଥିଲେ : ‘‘ବୁଝିଲୁ, ସମସ୍ତଙ୍କ ଦେହରେ ବ୍ରହ୍ମ ବସିଛନ୍ତି । କୋଉ ଗୋଟାଏ ମୁହୂର୍ତ୍ତରେ ସେ ସମସ୍ତଙ୍କ ତୁଣ୍ଡରେ ଆସି ବସିଯାଆନ୍ତି । କେତେବେଳେ ଯେ ସେ ବ୍ରାହ୍ମ ମୁହୂର୍ତ୍ତ ଆସେ କେହି କହିପାରିବ ନାହିଁ । ଆଉ ସେତେବେଳେ ଜିଭରେ ଯୋଉକଥା ପଇଟିଯାଏ ସେ ହେଲା ଧ୍ରୁବ ସତ୍ୟ । ସେ ବଚନକୁ କେହି ଟାଳି ପାରିବେ ନାହିଁ । ବ୍ରାହ୍ମଣ ବାକ୍ୟ ପରା ।’’

 

ବ୍ରହ୍ମା କେବଳ ତୁଣ୍ଡରେ ବସନ୍ତି ? ମନରେ ବି ବସୁଥିବେ । ବସିବା ସ୍ୱାଭାବିକ । ସେତେବେଳେ ମଣିଷ ଯୋଉକଥା ଭାବିବ ସେ କଥା ଫଳିଯିବ ।

 

କିନ୍ତୁ ଫଳେ କି ନାହିଁ କିଏ କହିବ ? ବୋଉର କଥା ଓ ପଣ୍ଡିତଙ୍କ କଥା କ’ଣ ସବୁବେଳେ ସତ କି ?

 

ମନୋବିଜ୍ଞାନରେ ଅଛି ମଣିଷର କିଛି ଗୋଟାଏ ଭାବୀ ଦୁର୍ଘଟଣା, ସେ ଘଟଣା ଘଟିବା ଆଗରୁ ମଣିଷ ମନରେ ପ୍ରତିକ୍ରିୟା ଘଟାଇଥାଏ । ଆଶଙ୍କା ହୋଇ ଦେଖାଦିଏ । ଅଶୁଭ ଶକୁନ ରୂପରେ ଜଣାପଡ଼େ ।

 

ଏଇଟା କ’ଣ ତା’ର ଭାବୀ ମୃତ୍ୟୁର ଚେତାବନୀ ?

 

ଗମ୍‌ଗମ୍‌ ହୋଇ ଝାଳ ବୋହିଗଲା ତା’ର-ପାହାନ୍ତିଆ ଥଣ୍ଡା ଭିତରେ ବି । କେମିତି ଶୀତୁଆ ଲାଗୁଛି ଦେହଟା । ଥରି ଥରି ଉଠୁଛି । ଅଜଣା ଆଶଙ୍କାରେ ମନଟା ଭାରି ହୋଇ ଉଠୁଛି ।

 

ସେ କ’ଣ ଏଇ ଦିନେ ଦୁଇଦିନ ଭିତରେ ମରିଯାଇ ପାରେ ? ଏଇ ସ୍ୱପ୍ନଟା ସେଇ ମୃତ୍ୟୁର ପୂର୍ବ ସୂଚନା ? ପାହାନ୍ତିଆ ସ୍ୱପ୍ନ ପରା ସତ ହୁଏ ।

 

ଭୀଷଣ ଅସ୍ୱସ୍ତି ଓ ଆଶଙ୍କାରେ ସେ ଛଟପଟ ହୋଇ ଉଠିଲା । କାହାରିକୁ କହିବା ଦରକାର; ପଚାରି ବୁଝିବା ଦରକାର । ନ ହେଲେ ସେ ଏମିତି ବାଜେ ଚିନ୍ତାରେ ପାଗଳ ହୋଇଯାଇ ପାରେ । ଅଫିସ ବାରଣ୍ଡାରେ ଶୋଇପଡ଼ିଥିବା କନେଷ୍ଟବଳକୁ ପାଟି କରି ଡାକିଲା, ‘‘ଉଠ୍‌, ସକାଳ ହେଲାଣି । କୁମ୍ଭକର୍ଣ୍ଣ ପରି ଶୋଇଛୁ ଯେ ଡାକି ଡାକି ପାଟି ଥୋବରା ହେଲାଣି । ଗଲୁ, ଯା’ ଚା’ ଆଣିବୁ । ପାଞ୍ଚଟା ବେଳକୁ ସାମ୍ନା ଗୁମୁଟିର ହରି ଗୁଡ଼ିଆ ଦୋକାନରେ ପ୍ରଥମ ଦଫା ଚା’ ହୋଇ ସାରିଥାଏ ।

 

ତା’ପରେ ସେ ଖାତାପତ୍ର ସଜିଲ୍‌ କରିବାକୁ ଲାଗିଲା । ଆଉ ଟିକିଏ ପରେ ତ ବଟ ଚକ୍ରବର୍ତ୍ତୀ ଆସିଯିବ । ତା’ପରେ ତା’ର ଛୁଟି ।

 

ଛଅଟା ପନ୍ଦର ବେଳକୁ ସେ ଅଫିସ୍‌ ଛାଡ଼ିଲା । ଜଟାବାବୁକୁ କଥାଟା କହିବ କହିବ ବୋଲି ଅଟକିଗଲା । ସକାଳ ଆଲୁଅରେ ସ୍ୱପ୍ନ କଥାଟା କେମିତି ହାସ୍ୟାସ୍ପଦ ଜଣାଗଲା । ଛି, ଯେତେକ ପିଲାଳିଆମି । ନିଜ ଭାବନାରେ ସେ ନିଜେ ଲଜ୍ଜା ପାଇଗଲା ।

 

ଘରକୁ ଫେରି ପୋଷାକପତ୍ର ପାଲଟି ସେ ପାଇଖାନା ଗଲା । ଦାନ୍ତପତ୍ର ଘଷି ସାରି ସାର୍ଟ, ପେଣ୍ଟ, ଗଞ୍ଜିକୁ ସର୍ଫ ପାଣିରେ ବତୁରାଇ ରଖି ଷ୍ଟୋଭ୍‌ରେ ଚା’ ବସାଇଲା । ପ୍ରତିଦିନ ଆସି ଦୁଆର ମୁହଁରେ ଦେଇ ଯାଉଥିବା ନାନ୍‌ଖାଟାଇ-ବାଲାଠୁଁ ଦୁଇଟା ଲମ୍ବା ‘ଅନାରକଲୀ’ ବିସ୍କୁଟ କିଣିଲା । ତା’ପରେ ଖଟ ଉପରେ ବସି ଚା’ ଓ ବିସ୍କୁଟ ଖାଉ ଖାଉ ପୁଣି ସେ କଥାଟିକୁ ଭାବି ବସିଲା ।

 

ଯେତେ ହସି କରି ଉଡ଼େଇ ଦେଲେ ବି ଏ ଭାବନାଟା ଜମା ଯାଉ ନାହିଁ ମନରୁ । ଦାନ୍ତସନ୍ଧିରେ ମାଛକଣ୍ଟା ପଶି ଯେମିତି ଅସ୍ୱସ୍ତି ଲାଗେ, ସେମିତି ଲାଗୁଛି ତାକୁ । ତାକୁ ଜିଭ ଦେଇ ଅନୁମାନ କରି ହୁଏ କୋଉଠି ଲାଖିଛି । ହାତ ଦେଇ କି କାଠିରେ ଖୁଣ୍ଟିଲେ ସେ ବାହାରେ ନାହିଁ । ଜମା ଲାଗେ ନାହିଁ ହାତକୁ । ଏଇଟା ବି ସେମିତି । ମନ ଭିତରେ କୋଉ ସନ୍ଧିରେ ଲାଖି ରହିଛି କଥାଗୁଡ଼ାକ । ଯୁକ୍ତି ଦେଇ, ଚିନ୍ତା କରି ତା’ର ହବିସ୍‌ ପାଉ ନାହିଁ ସେ ।

 

ବଟବାବୁକୁ ପଚାରିଥିଲେ ହୋଇଥାନ୍ତା କଥାଟା ?

 

ଟ୍ରେନିଂ ସମୟରେ ଶୁଣିଥିଲା କଥାଟା । ଦେଖି ନାହିଁ । ଟାଇମ୍‌ ବୋମ୍‌ଟା ଚିଠି ପରି ହୋଇପାରେ; ଘଡ଼ି ପରି, କଲମ ପରି ମୁଦି ପରି ଦିଆସିଲି ପରି-କେତେ ଭାବରେ ତିଆରି କରାଯାଇପାରେ । ଲୋକମନରେ ଜମା ସନ୍ଦେହ ହେବ ନାହିଁ ବୋଲି ତାକୁ ସେମିତି ଭାବରେ ଗଢ଼ା ଯାଇଥାଏ । ଲୋକଟି ଜମା ଜାଣି ପାରିବ ନାହିଁ । ଆଗରୁ ସାବଧାନ ହୋଇ ପାରିବ ନାହିଁ । ଅଥଚ ଠିକ୍‌ ସମୟରେ ସେ ଲୋକଟିକୁ ମୁହୂର୍ତ୍ତକ ପାଇଁ ଆଶ୍ଚର୍ଯ୍ୟ କରିଦେଇ ଧ୍ୱଂସ କରିଦେବ ଚିରଦିନ ପାଇଁ । ଅସତର୍କ, ଅସାବଧାନ, ଅଜଣା ମୂହୁର୍ତ୍ତରେ ସେ ଢୋ’ କିନା ଫୁଟିଯିବ । ଯିଏ ସେ ବୋମା ଥାପିଥିବ, ସେଇ କେବଳ ବୋମା ଭିତରେ ନିର୍ଦ୍ଧାରିତ ସମୟର କଥା ଜାଣିଥିବ । କଳ ମୋଡ଼ି ଦେବାର କେତେ ଘଣ୍ଟା କେତେ ମିନିଟ୍‌ କେତେ ସେକେଣ୍ଡ ପରେ ସେ ମନକୁ ଆପେ ଆପେ ଜଳି ଉଠିବ । ଅଦୃଶ୍ୟ, ଗୋପନ ବ୍ୟକ୍ତିଟିଏ-କାହିଁ କେତେ କୋଶ, କେତେ ଯୋଜନ ଦୂରରେ ଥାଇ ବି ନିୟନ୍ତ୍ରିତ କରୁଥିବ ଏଇ ଲୋକଟିର ଜୀବନକୁ । ଆଉ ଏଇ ଲୋକଟି ନିଜ ଅଜାଣତରେ, ଆକସ୍ମିକ ଭାବରେ ଧ୍ୱଂସ ହୋଇଯିବ-କିଏ କଲା, କାହିଁକି କଲା–ର ପ୍ରଶ୍ନର ଉତ୍ତର ପାଇବା ଆଗରୁ ।

 

ବ୍ରଜକିଶୋର ନିଷ୍ପତ୍ତି କରି ନେଲା ଯେ ନିଶ୍ଚିତ ଭାବରେ ଏଇଟା ଗୋଟାଏ ଅନ୍ୟାୟ ଓ ଘୃଣ୍ୟ କାର୍ଯ୍ୟ । ତା’ଠାରୁ ଭଲ ସାମାଜିକ ଆଇନ୍‌କାନୁନ୍‌ ବ୍ୟବସ୍ଥା । ଲୋକଟିକୁ ଧରା ହୁଏ । ତା’ ପକ୍ଷ ସମର୍ଥନ କରି ତାକୁ କହିବାକୁ ଅନୁମତି ଦିଆଯାଏ । ଓକିଲ ଦିଆଯାଏ । ତା’ ଅପରାଧ ସମ୍ବନ୍ଧରେ ଜବାବ୍‌-ସୁଆଲ ମଧ୍ୟରେ ତା’ର ଦୋଷ ନିର୍ଣ୍ଣୟ କରାଯାଇ ତାକୁ ତା’ର ଅପରାଧ ସମ୍ବନ୍ଧରେ ଦଣ୍ଡ ପାଇଁ ରାୟ ଶୁଣାଇ ଦିଆଯାଏ । ସେ ଜାଣିପାରେ ଯେ, ସେ ଏଇ ଦୋଷ ପାଇଁ ଦଣ୍ଡ ପାଉଛି । ହୁଏତ ସବୁ କ୍ଷେତ୍ରରେ ଯେ ଦୋଷୀ ଦଣ୍ଡ ପାଏ, ତା’ ନୁହେଁ । ଅନେକ କ୍ଷେତ୍ରରେ ନିରପରାଧ ବି ଦଣ୍ଡ ପାଇଥାଏ । କିନ୍ତୁ ଭୁଲ ହେଉ ବା ଠିକ୍‌ ହେଉ ଅପରାଧୀ ଜାଣିପାରେଯେ, ସେ ଏଇ ଦୋଷ ପାଇଁ ଦଣ୍ଡଟି ପାଉଛି ବୋଲି । ଅନ୍ତତଃ ସେ ନିଜକୁ ସାନ୍ତ୍ୱନା ଦେଇ ପାରେ ଯେ, ମିଛରେ ବା ସତରେ ଏଇ ଶାସ୍ତି ପାଉଛି ବୋଲି ।

 

କିନ୍ତୁ ଏମିତି ଅଜାଣତରେ ଜଣକୁ ଶାସ୍ତି ଦେବା ନିଶ୍ଚିତ ଭାବରେ ଏକ ଘୃଣ୍ୟ କାର୍ଯ୍ୟ ।

ତାକୁ ଯେ ଏଇକଥା କହିଲା, ସେ ହୁଏତ କହିପାରିଥାନ୍ତା, ‘‘ହେ ବ୍ରଜକିଶୋର ମହାପାତ୍ର ! ତମେ ଅମୁକ ଅମୁକ ଦୋଷ କରିଥିବାରୁ ତମକୁ ମୃତ୍ୟୁଦଣ୍ଡ ଦିଆଯାଉଛି । ସେଥିପାଇଁ ତମ ଘରେ, ତମ ଦିହରେ ଏମିତି ଗୋଟାଏ ଟାଇମ ବୋମା ଖଞ୍ଜା ହୋଇଛି ଏବଂ ଏହା ଏତେ ଦିନ, ଏତେ ଘଣ୍ଟା, ଏତେ ମିନିଟ୍‌ ସମୟରେ ଫୁଟିବ ।’’ ସବୁ କିଛି ନିର୍ଦ୍ଦିଷ୍ଟ ହୋଇ ଯାଇଥାନ୍ତା ଏବଂ ସେ ପାଇଁ ସେ ପ୍ରସ୍ତୁତ ରହିଥାନ୍ତା; କିନ୍ତୁ ସେ ଲୋକଟି ଏପରି ନିର୍ଦ୍ଦିଷ୍ଟ କଥା ନ କହି ଏମିତି ଅସ୍ପଷ୍ଟ ଧୂଆଁଳିଆ, ଅନିର୍ଦ୍ଦିଷ୍ଟ ଭାବରେ କହିଲା କାହିଁକି ? ତା’ର ଦୋଷ ସମ୍ବନ୍ଧରେ ମଧ୍ୟ ସେ ସଠିକ କିଛି କହିଲା ନାହିଁ କାହିଁକି ?

 

ଲୋକଟି ଗୋଟାଏ ପ୍ରାକ୍‌ଟିକାଲ୍‌ ଜୋକର୍‌ କିମ୍ବା ସେଡ଼ିଷ୍ଟ ହୋଇପାରେ । ମଜା ଦେଖିବାକୁ ଏମିତି ଗୋଟାଏ ମଜା କରିଦେଇପାରେ; ବ୍ରଜକିଶୋର କେମିତି ସନ୍ତୁଳି ହେଉଛି, କେମିତି ଛଟପଟ ହେଉଛି ଦେଖି ମଜାରେ ମଜାରେ ହସି ହସି ଗଡ଼ିଯିବାକୁ ।

 

କିନ୍ତୁ ଯାହାହେଉ, ଲୋକଟା ଆଦୌ ଭଲ ନୁହେଁ । ନିଆଁ ଲଗେଇ ଦେଇ ପଛରେ ବସି ମଜା ଦେଖିବା ଲୋକଗୁଡ଼ାକ ନିଶ୍ଚିତ ଭାବରେ ଶଇତାନ୍‌ । ସମ୍ନାରେ ନ ମାରି ପଛରେ ଛୁରା ଭୁଷନ୍ତି । ଭୀରୁ, କାପୁରୁଷ, ସାପଜାତିଆ ଲୋକଗୁଡ଼ାଏ ।

 

କିନ୍ତୁ କିଏ ହେଇପାରେ ଲୋକଟା ? ଶିବୁ ନୁହେଁ କି ମହେନ୍ଦ୍ର ନୁହେଁ । ସେମାନେ କରିଥିଲେ ଠିକ୍‌ ତା’ପରେ ଆଉଥରେ ସେ କଥାଟା ତାକୁ କହି ହୋ ହୋ ହୋଇ ହସି ଉଠି କଥାଟିକୁ ସେଇଠି ଛିଣ୍ଡାଇ ଦେଇଥାନ୍ତେ । ସେମାନେ ଏମିତି ପ୍ରାକ୍ଟିକେଲ ଜୋକ୍‌ କରନ୍ତି ସତ, କିନ୍ତୁ ତାଙ୍କ ମନରେ ଅପରକୁ କଷ୍ଟ ଦେବାର ଇଚ୍ଛାଟା ନଥାଏ । ଏ ଶଳା, ନିଶ୍ଚୟ ସେଇ କଳିଆର କାମ-। ଶଳା କଳା ଭୁଷୁଣ୍ଡା, ମଉନମୁହାଁ ଡବଡବ ଆଖି-ତାରି କାମ ଇଏ । ଶଳା ଜଗୁ ଖିଲାର ।

 

ଚଉକି ଉପରେ ଏମିତି ହସିଲା ମୁହଁ କରି ବସିଥିବ ଯେ ଜଣାପଡ଼ିବ କେତେ ସୁଧାର । ପାଞ୍ଚପଦ କଥା କହିଲେ ବି ଉତ୍ତର ନାହିଁ । ଗାଳି ଦେଲେ ବି ଉତ୍ତର ନାହିଁ । ଦୁଇ ଖୁନ୍ଦା ମାରିଲେ ବି ଉତ୍ତର ନାହିଁ । ଶଳା, ମଉନମୁହାଁ । ଭିତରେ ଭିତରେ ଖାଲି ପେଞ୍ଚ କରୁଥିବ ।

 

ଜଗୁ ଖିଲାର କଥା ଭାବୁ ଭାବୁ ହଠାତ୍‌ ସ୍ତମ୍ଭୀଭୂତ ହୋଇଗଲା ସେ । ତା’ ଭିତରୁ ଗୋଟାଏ ଆଲୁଅ ଉଠି ସବୁଆଡ଼କୁ ଉଜ୍ଜ୍ୱଳ କରି ଦେଇଗଲା ମୁହୂର୍ତ୍ତକ ଭିତରେ । ଶିବୁ, ମହେନ୍ଦ୍ର, ଜଗୁଖିଲାର ମୁହଁସବୁ ଲିଭିଗଲା ମୁହୂର୍ତ୍ତକ ଭିତରେ । ଗୋଟାଏ ଅଦ୍ଭୁତ ଅନୁଭୂତିର ବୋଝର ଚାପରେ ସେ ମାଡ଼ି ହୋଇପଡ଼ିଲା ।

 

ସେ ମନକୁ ମନ ପାଗଳଙ୍କ ପରି ବିଡ଼୍‌ବିଡ଼୍‌ ହେଉଥାଏ ।

 

‘‘ମୁଁ ତୋତେ ଏଥର ଠିକ୍‌ ଚିହ୍ନିଗଲି । କେତେଦିନ ଆଉ ଏମିତି ଠକେଇଥାନ୍ତୁ କି ? ଠିକ୍‌ ଜାଣିଗଲି ଏବେ । ମୋ ଦେହରେ, ସମସ୍ତ ମଣିଷ ଦେହରେ, ଛପନକୋଟି ପ୍ରାଣୀ, ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ସମସ୍ତଙ୍କ ଦେହରେ ଏମିତି ଗୋଟାଏ ଗୋଟାଏ ଟାଇମ୍‌ବୋମା ଖଞ୍ଜି ତାର ନିର୍ଦ୍ଧାରିତ ସମୟ-ଲିପିର ପଞ୍ଜିକାକୁ ଚିରିଚାରି ସମୁଦ୍ରକୁ ଫୋପାଡ଼ିଦେଇ ସିଂହାସନ ଉପରେ ଚୁପଚାପ ହୋଇ ମଜା ଦେଖୁଛୁ–

 

ମୁଁ ତୋତେ ଜାଣିଗଲି ରେ ଶଳା ଜଗା, ମୁଁ ତୋତେ ଜାଣିଗଲି ଏଥର ।

 

***

 

 

ଏକାଡେମୀ ସମାଚାର

ପୁରୀଠାରେ-

‘‘ଓଡ଼ିଆ ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ’’ ଶୀର୍ଷକ ଆଲୋଚନା-ଚକ୍ର

୩୧-୫-୮୩ ଏବଂ ୧-୬-୮୩ ତାରିଖରେ ପୁରୀରେ ‘ନାରୀସେବା ସଂଘ ସଦନ’ଠାରେ ଏକାଡେମୀ ପକ୍ଷରୁ ‘‘ଓଡ଼ିଆ ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ’’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

 

୩୧-୫-୮୩ ତାରିଖ ପୂର୍ବାହ୍ନ ଘ ୯.୩୦ ସମୟରେ ଓଡ଼ିଶାର ଶିକ୍ଷା ଓ ଯୁବକଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଗଙ୍ଗାଧର ମହାପାତ୍ର ଏହି ଆଲୋଚନା-ଚକ୍ର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ପୌରୋହିତ୍ୟ କରିଥିଲେ ।

 

ଉଦ୍‌ଘାଟକ ଶ୍ରୀଯୁକ୍ତ ମହାପାତ୍ର ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ପୁରୀଠାରେ ଏକାଡେମୀ ପକ୍ଷରୁ ଏପରି ଏକ ଆଲୋଚନା-ଚକ୍ର ଆୟୋଜନ କରାଯାଇ ଥିବାରୁ ଏକାଡେମୀ କର୍ତ୍ତୃପକ୍ଷଙ୍କୁ ବଧାଇ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶାର ମହାନ୍‌ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଚର୍ଚ୍ଚା ଓ ଗବେଷଣା କରାଯିବାର ଯଥେଷ୍ଟ ଅବକାଶ ଓ ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ-। ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ତାଙ୍କର ଭାଷଣ ପ୍ରସଙ୍ଗରେ ଓଡ଼ିଆ ସଂସ୍କୃତିର ସ୍ୱାତନ୍ତ୍ର୍ୟ ଓ ବିଭିନ୍ନ ବିଭାବ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ।

 

ଏକାଡେମୀର ଉପ-ସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିବା ବିଦ୍ୱାନ୍‌ମଣ୍ଡଳୀଙ୍କୁ ସ୍ୱାଗତ ଜ୍ଞାପନ କରିଥିଲେ ଏବଂ ସମ୍ପାଦକ ଶ୍ରୀ ଚିନ୍ତାମଣି ବେହେରା ପ୍ରାରମ୍ଭିକ ସୂଚନା ପ୍ରସଙ୍ଗରେ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।

 

୩୧-୫-୮୩ ତାରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିବା ଆଲୋଚନା-ଚକ୍ରର ପ୍ରଥମ ଅଧିବେଶନରେ ଡକ୍ଟର ଲକ୍ଷ୍ମଣ କୁମାର ମହାପାତ୍ର ‘‘ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ’’ ଶୀର୍ଷକ ଏକ ପ୍ରବନ୍ଧ ପାଠ କରିଥିଲେ । ଡକ୍ଟର ବଂଶୀଧର ମହାନ୍ତି ଏବଂ ଡକ୍ଟର ବେଣୀମାଧବ ପାଢ଼ୀ ଏହି ପ୍ରବନ୍ଧ ଉପରେ ଆଲୋଚନା କରିଥିଲେ ଏବଂ ଶ୍ରୀ ରାଧାମୋହନ ଗଡ଼ନାୟକ ଆଲୋଚନାର ଉପସଂହାର କରିଥିଲେ ।

 

ସନ୍ଧ୍ୟା ୭ ଘଣ୍ଟା ସମୟରେ ଆୟୋଜିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶ୍ରୀ କାଶୀନାଥ ପୂଜାପଣ୍ଡା ଜଗନ୍ନାଥ ଜଣାଣ ପରିବେଷଣ କରିଥିଲେ ।

 

୧-୬-୧୯୮୩ ତାରିଖ ପୂର୍ବାହ୍ନ ଘ ୯.୩୦ରେ ଅନୁଷ୍ଠିତ ହୋଇଥିବା ଆଲୋଚନା-ଚକ୍ରର ଦ୍ୱିତୀୟ ଅଧିବେଶନରେ ଡକ୍ଟର ନବୀନ କୁମାର ସାହୁ ଏବଂ ଶ୍ରୀ ଚିତ୍ତରଞ୍ଜନ ଦାସ ‘‘ଓଡ଼ିଆ ସଂସ୍କୃତିର ପରମ୍ପରା ଓ କ୍ରମବିକାଶ’’ ଶୀର୍ଷକ ସ୍ୱଚରିତ ପ୍ରବନ୍ଧମାନ ପାଠ କରିଥିଲେ । ପଠିତ ପ୍ରବନ୍ଧ ସମ୍ପର୍କରେ ଡକ୍ଟର ଶ୍ରଦ୍ଧାକର ସୂପକାର, ଶ୍ରୀ ସଦାଶିବ ରଥଶର୍ମା ଓ ଶ୍ରୀ ହରିହର ମିଶ୍ର ଆଲୋଚନା କରିଥିଲେ ଏବଂ ଶ୍ରୀ ରାଧାମୋହନ ଗଡ଼ନାୟକ ଆଲୋଚନାର ଉପସଂହାର କରିଥିଲେ ।

 

ଅପରାହ୍ନ ୩ ଘଣ୍ଟା ସମୟରେ ଅନୁଷ୍ଠିତ ଆଲୋଚନା-ଚକ୍ରର ଚୂଡ଼ାନ୍ତ ଅଧିବେଶନରେ ଡକ୍ଟର ଗୋପାଳଚନ୍ଦ୍ର ମିଶ୍ର, ଡକ୍ଟର ଖଗେଶ୍ୱର ମହାପାତ୍ର ଏବଂ ଡକ୍ଟର ଶ୍ରୀନିବାସ ମିଶ୍ର ‘‘ଓଡ଼ିଆ ସାହିତ୍ୟ ଓ ସଂସ୍କୃତି’’ ଶୀର୍ଷକ ସ୍ୱ-ସ୍ୱ ପ୍ରବନ୍ଧ ପାଠ କରିଥିଲେ । ପଠିତ ପ୍ରବନ୍ଧ ସମ୍ପର୍କରେ ଡକ୍ଟର କୁଞ୍ଜବିହାରୀ ଦାଶ ଏବଂ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା ଆଲୋଚନା ଶ୍ରୀ ରାଧାମୋହନ ଗଡ଼ନାୟକ ଆଲୋଚ୍ୟ ବିଷୟର ଉପସଂହାର କରିଥିଲେ ।

 

ଅଧିବେଶନ ଶେଷରେ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ଆଲୋଚ୍ୟ ପ୍ରସଙ୍ଗର ସଂକ୍ଷିପ୍ତ ସାର ପ୍ରଦାନପୂର୍ବକ ଓଡ଼ିଆ ସଂସ୍କୃତିର ସ୍ୱାତନ୍ତ୍ର୍ୟ ଓ ସାର୍ବଜନୀନତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଏକାଡେମୀର ସମ୍ପାଦକ ଶ୍ରୀ ଚିନ୍ତାମଣି ବେହେରା ଆଲୋଚନା-ଚକ୍ରର ସମସ୍ତ ଅଧିବେଶନରେ ଅଂଶ ଗ୍ରହଣ କରିଥିବା ଏବଂ ଯୋଗଦାନ କରିଥିବା ବିଦ୍ୱାନ୍‌ ମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ

୧୯୭୬, ୧୯୭୭ ଏବଂ ୧୯୭୮ ମସିହା ମଧ୍ୟରେ ପ୍ରକାଶିତ ଓଡ଼ିଆ ପୁସ୍ତକଗୁଡ଼ିକ ମଧ୍ୟରୁ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ପୁସ୍ତକଗୁଡ଼ିକର ଲେଖକମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ପାଇଁ ୨୭-୭-୮୩ ତାରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଓଡ଼ିଶାର ପର୍ଯ୍ୟଟନ, କ୍ରୀଡ଼ା ଏବଂ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ପୁରସ୍କୃତ ଲେଖକମାନଙ୍କୁ ତାମ୍ରପତ୍ର ଏବଂ ଉପଢୌକନ ପ୍ରଦାନ କରିଥିଲେ । ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ଉତ୍ସବ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଉତ୍ସବ ଆରମ୍ଭରେ ଏକାଡେମୀର ସମ୍ପାଦକ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୁଲେଖିକା ଶ୍ରୀମତୀ ସୀତାଦେବୀ ଖାଡ଼ିଙ୍ଗା, ପ୍ରଖ୍ୟାତ କଣ୍ଠଶିଳ୍ପୀ ଶ୍ରୀ ନିମାଇଁ ଚରଣ ହରିଚନ୍ଦନ ଏବଂ ଶିକ୍ଷାବିତ୍ ଶ୍ରୀ ବଳରାମ ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା ।

 

ବିଭିନ୍ନ ବିଭାଗରେ ପୁରସ୍କୃତ ପୁସ୍ତକ ତଥା ଲେଖକମାନଙ୍କର ନାମ ନିମ୍ନରେ ଉଲ୍ଲେଖ କରାଗଲା–

(କ)

କାବ୍ୟ-କବିତା ବିଭାଗ-‘‘ଅନ୍ଧ ମହୁମାଛି’’, ଲେଖକ : ଡଃ ସୌଭାଗ୍ୟ କୁମାର ମିଶ୍ର

(ଖ)

ଉପନ୍ୟାସ କ୍ଷୁଦ୍ରଗଳ୍ପ ଓ ରମ୍ୟରଚନା ବିଭାଗ-‘ନିଜ ସିଂହାସନ’ ଲେଖକ : ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀ

(ଗ)

ପ୍ରବନ୍ଧ ଓ ସମାଲୋଚନା ବିଭାଗ...‘‘ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ’’ ଲେଖକ : ଡଃ ଅସିତ କବି

(ଘ)

ନାଟକ ଓ ଏକାଙ୍କିକା ବିଭାଗ-ବିଷର୍ଣ୍ଣ ପୃଥିବୀ, ଲେଖକ : ଶ୍ରୀ ରବୀନ୍ଦ୍ର ନାଥ ଦାସ

(ଙ)

ଜୀବନୀ, ଆତ୍ମଜୀବନୀ, ଭ୍ରମଣ ବୃତ୍ତାନ୍ତ ଓ ବୈଜ୍ଞାନିକ ସାହିତ୍ୟ ବିଭାଗ-‘‘ମୋ ସମୟର ଓଡ଼ିଶା’’-ଲେଖକ : ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

(ଚ)

ଶିଶୁ ସାହିତ୍ୟ ବିଭାଗ-‘‘ନାଲି ସରୁଜ, ବୁଣେ ମୁରୁଜ, ଲେଖିକା : ଶ୍ରୀମତୀ ପ୍ରମିଳା ନାୟକ

 

ପଣ୍ଡିତ ନୀଳକଣ୍ଠଙ୍କ ଶତବାର୍ଷିକୀ ଜନ୍ମତିଥି ପାଳନ

ପ୍ରଖ୍ୟାତ ସାହିତ୍ୟିକ, ଗବେଷକ ଏବଂ ସଂସ୍କୃତବିଦ୍‌ ତଥା ଓଡ଼ିଆ ସାହିତ୍ୟ ଏକାଡେମୀର ପ୍ରଥମ ସଭାପତି ସ୍ୱର୍ଗତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶତବାର୍ଷିକୀ ଜନ୍ମତିଥି ପାଳନ ଉପଲକ୍ଷେ ୫ । ୮ । ୮୩ ତାରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଏକ ସାରସ୍ୱତ ସମୋରୋହର ଆୟୋଜନ କରାଯାଇଥିଲା । ଓଡ଼ିଶାର ଶିକ୍ଷା ତଥା ଯୁବକଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଗଙ୍ଗାଧର ମହାପାତ୍ର ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପଣ୍ଡିତ ନୀଳକଣ୍ଠଙ୍କ ଅତୁଳନୀୟ ବିଦ୍‌ବତ୍ତା ଏବଂ ଧୀଶକ୍ତିର ପ୍ରଶଂସା କରିବା ସଙ୍ଗେସଙ୍ଗେ ତାଙ୍କର ଜନ୍ମ ଶତବାର୍ଷିକୀ ସମ୍ବତ୍ସର ପାଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ଉଦ୍ୟମକୁ ସ୍ୱାଗତ କରିଥିଲେ ।

 

ଏହି ସମାରୋହରେ ଏକାଡେମୀର ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକ ପୌରୋହିତ୍ୟ କରିଥିଲେ ଏବଂ ସମ୍ମାନିତ ବକ୍ତା ଭାବରେ ଯଥାକ୍ରମେ ଡକ୍ଟର ସଦାଶିବ ମିଶ୍ର ଓ ଅଧ୍ୟକ୍ଷ ଶ୍ରୀ ପଠାଣି ପଟ୍ଟନାୟକ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସଂପାଦକ ଶ୍ରୀ ଚିନ୍ତାମଣି ବେହେରା ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମ ତଥା ନୀଳକଣ୍ଠ ଜନ୍ମ ଶତବାର୍ଷିକୀ ସମ୍ବତ୍ସର ପାଳନ ଉପଲକ୍ଷେ ଏକାଡେମୀର ବିଭିନ୍ନ ପ୍ରସ୍ତାବିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

 

ବୟୋଜ୍ୟେଷ୍ଠ ବିଶିଷ୍ଟ ସାହିତ୍ୟିକଙ୍କ ସମ୍ବର୍ଦ୍ଧନା ଜ୍ଞାପନ

୯ । ୧୧ । ୮୩ ତାରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏକାଡେମୀ ପକ୍ଷରୁ ଓଡ଼ିଶାର ସାତଜଣ ବଳିଷ୍ଠ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

 

ଏହି ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବିଶ୍ୱମ୍ଭରନାଥ ପାଣ୍ଡେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସମ୍ମାନିତ ଲେଖକମାନଙ୍କୁ ତାମ୍ରଲେଖ ଓ ଉପଢୌକନ ପ୍ରଦାନ କରିଥିଲେ । ସମାରୋହରେ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ପୌରୋହିତ୍ୟ କରିଥିଲେ । ଏକାଡେମୀର ସମ୍ପାଦକ ଶ୍ରୀ ଚିନ୍ତାମଣି ବେହେରା ଏହି ଅନୁଷ୍ଠାନ ଆରମ୍ଭରେ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

 

ଏହି ସମାରୋହରେ ସମ୍ମାନିତ ହୋଇଥିବା ସାହିତ୍ୟିକମାନଙ୍କର ନାମ ନିମ୍ନରେ ଉଲ୍ଲେଖ କରାଗଲା ।

 

୧ - ପ୍ରଫେସର ଭୁବନେଶ୍ୱର ବେହେରା

୨ - ଡକ୍ଟର କାହ୍ନୁଚରଣ ମିଶ୍ର

୩ - ଡକ୍ଟର ବେଣୀମାଧବ ପାଢ଼ୀ

୪ - ଶ୍ରୀ ବିଭୁତି ଭୂଷଣ ତ୍ରିପାଠୀ

୫ - ଶ୍ରୀ ନୀଳମାଧବ ପାଣିଗ୍ରାହୀ

୬ - ପଣ୍ଡିତ ରଘୁନାଥ ମିଶ୍ର

୭ - ଶ୍ରୀ ବ୍ରଜକିଶୋର ଧଳ

 

ଉତ୍ସବର ମୁଖ୍ୟଅତିଥି ମାନ୍ୟବର ରାଜ୍ୟପାଳ ଶ୍ରୀ ବିଶ୍ୱମ୍ଭରନାଥ ପାଣ୍ଡେ ଏକାଡେମୀର ଉଦ୍ୟମକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସାମାଜିକ ଜୀବନରେ ଲେଖକମାନଙ୍କର ସୃଜନଶୀଳ ଓ ବୈପ୍ଳବିକ ଭୂମିକା ସମ୍ପର୍କରେ ଏକ ଚିତ୍ତାକର୍ଷକ ଭାଷଣ ପ୍ରଦାନ କରିଥିଲେ ଏବଂ ଏ ପ୍ରସଙ୍ଗରେ ନିଜର ଅନୁଭୂତି ଓ ଅଭିଜ୍ଞତା ଉଲ୍ଲେଖ କରି ଦେଶ ଓ ଜାତିକୁ ନୂତନ ଦିଗ୍‌ଦର୍ଶନ ଦେବାକୁ ଲେଖକମାନଙ୍କୁ ଅନୁରୋଧ ଜଣାଇଥିଲେ । ସମ୍ବର୍ଦ୍ଧିତ ଲେଖକମାନେ ମଧ୍ୟ ନିଜନିଜର ଅଭିଜ୍ଞତା ଓ ଜୀବନାଦର୍ଶ ସମ୍ପର୍କରେ ସଭାରେ ସଂକ୍ଷିପ୍ତ ଭାଷଣ ପ୍ରଦାନ କରିଥିଲେ । ଦୂରରେ ଅବସ୍ଥାନ କରୁଥିବା ହେତୁ ପଣ୍ଡିତ ରଘୁନାଥ ମିଶ୍ର ଉତ୍ସବରେ କେବଳ ଯୋଗଦାନ କରିପାରି ନ ଥିଲେ । ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ଲେଖକ-ଜୀବନର ସ୍ୱାଧୀନ ମନୋବୃତ୍ତି ଓ ତା’ର ସୃଷ୍ଟିରେ ସାମାଜିକ ଅଙ୍ଗୀକାର ସମ୍ପର୍କରେ ଆଲୋଚନା କରିବା ପରେ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା ।

 

***

 

ସମ୍ପାଦକୀୟ

ଡକ୍‌ଟର ମହତାବ୍‌ ବିଳମ୍ବରେ ପୁରସ୍କୃତ :

      ଡକ୍ଟର ହରେକୃଷ୍ଣ ମହତାବ ତାଙ୍କର ‘‘ଗାଁ ମଜଲିସ’’ (୩ୟ ଖଣ୍ଡ) ପାଇଁ ୧୯୮୩ର ଭାରତୀୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ତାଙ୍କ ପକ୍ଷରେ ଏହା ଏକ ଆନନ୍ଦ ନ ହେଲେ ସୁଦ୍ଧା, ଆମମାନଙ୍କ ପକ୍ଷରେ ଏକ ପରମ ଆନନ୍ଦ ।

 

ତାଙ୍କ ‘‘ଗାଁ ମଜଲିସ୍‌’’ର ଚାରୋଟି ଖଣ୍ଡ ପ୍ରକାଶିତ ହୋଇଛି । ପୁନଶ୍ଚ ତାହା ଗତି-ପଥରେ-। ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଆଲୋଚନା ସାମ୍ବାଦିକ ଶୈଳୀରେ ତହିଁରେ ଲେଖା ହୋଇଥିଲେ ସୁଦ୍ଧା, ତା’ର ଆତ୍ମିକରେ ସାହିତ୍ୟର ଫଲ୍‌ଗୁଧାରା ସଞ୍ଚରିତ-ଆଙ୍ଗିକ ତେଣୁ ସରସ ଓ ମନୋଜ୍ଞ । ‘‘ଗାଁ ମଜଲିସ୍‌’’ର ତୃତୀୟ ଖଣ୍ଡ ମୁଖ୍ୟତଃ ସମକାଳୀନ ଓଡ଼ିଶା ତଥା ଭାରତର ସାମାଜିକ, ସାଂସ୍କୃତିକ ସମସ୍ୟାବଳୀର ବିଚାର ଓ ଆଲୋଚନା ଉପରେ ପର୍ଯ୍ୟବେସିତ । ସେଇ ଆଲୋଚନାଗୁଡ଼ିକରେ ଡକ୍ଟର ମହତାବଙ୍କର ସ୍ୱାଧୀନ ଓ ନିର୍ଭୀକ ବିଚାର ପ୍ରକଟିତ । ସେଇଥିପାଇଁ ତାହା ସାହିତ୍ୟିକ ଉପାୟନ ପାଇବାରେ ଯୋଗ୍ୟ ବିବେଚିତ ହୋଇ ପାରିଚି ।

 

‘‘’ଗାଁ ମଜଲିସ୍‌’’ର ରାଜନୈତିକ ବକ୍ରୋକ୍ତି ପାଇଁ ଡକ୍ଟର ମହତାବ ସେତେବେଳେ କାରାଗାରରେ ନିକ୍ଷିପ୍ତ ହୋଇଥିଲେ । ୧୯୭୫ରେ ମୋର ଯେଉଁ ‘‘ସୂର୍ଯ୍ୟ ଓ ଅନ୍ଧକାର’’ ପାଇଁ ମୁଁ କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ପାଇଥିଲି, ତହିଁରେ ସେତେବେଳର ସରକାର ବିରୁଦ୍ଧରେ ମୋର କଟୁ ସମାଲୋଚନା ଥିଲା । ତହିଁରୁ ବେଶ୍‌ ପ୍ରତିପାଦିତ ହେଉଚି, ଭାରତର କେନ୍ଦ୍ର ସାହିତ୍ୟ ଏକାଡେମୀର କର୍ତ୍ତୃପକ୍ଷ ରାଜନୀତିର ଊର୍ଦ୍ଧ୍ୱରେ ।

 

ଡକ୍ଟର ମହାତାବ ବହୁ ଦିନ ଧରି ଏକାଡେମୀର କାର୍ଯ୍ୟକାରୀ କମିଟିରେ ସଭ୍ୟ ଥିଲେ । ତେଣୁ ତାଙ୍କର କୃତି ଉପରେ କୌଣସି ସୁପାରିଶ ଗୃହୀତ ହେବାର ନ ଥିଲା । ଡକ୍ଟର କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ଡକ୍ଟର ମାୟାଧର ମାନସିଂହ ବୋଧହୁଏ ସେଇ କାରଣରୁ ଯୋଗ୍ୟ ଥିଲେ ସୁଦ୍ଧା ପୁରସ୍କାର ପାଇ ପାରି ନ ଥିଲେ । ବିଳମ୍ବ ହେଲେ ସୁଦ୍ଧା ବର୍ତ୍ତମାନ ମହତାବଙ୍କ ‘‘ଗାଁ ମଜଲିସ’’ ବିଚାରକୁ ଆସି ପୁରସ୍କୃତ ହୋଇଚି ।

 

ସେଥିପାଇଁ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଆମେମାନେ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଚୁ ।

 

***

 

ସୁଧାକର ପଟ୍ଟନାୟକ ଚାଲିଗଲେ ! !

ଆମ ଓଡ଼ିଶାର ସ୍ୱନାମଧନ୍ୟ ସାହିତ୍ୟିକ, ସମାଲୋଚକ ଓ ଗବେଷକ ସୁଧାକର ପଟ୍ଟନାୟକ ଆମମାନଙ୍କୁ ଚିରଦିନ ପାଇଁ ଛାଡ଼ିଦେଇ ଚାଲିଗଲେ । ବହୁତ ଦିନ ହେଲା ସେ ପୀଡ଼ିତ ଅବସ୍ଥାରେ ଶଯ୍ୟାଗତ ହୋଇ ପଡ଼ି ରହିଥିଲେ । ଖୁବ୍‌ପରିଣତ ବୟସରେ ସେ ପରଲୋକ ଯାତ୍ରା କରିଥିଲେ ସୁଦ୍ଧା ତାଙ୍କର ବିୟୋଗରେ ଆମେମାନେ ଅତ୍ୟନ୍ତ ଶୋକସନ୍ତପ୍ତ ।

 

ପ୍ରାୟ ତିନିମାସ ତଳେ ଡକ୍ଟର ନବୀନ କୁମାର ସାହୁ ଆଉ ମୁଁ ତାଙ୍କୁ ଦେଖିବାକୁ ଯାଇଥିଲୁଁ-। ତାଙ୍କର ଜ୍ୟେଷ୍ଠ ଜାମାତା ଆଡ଼ଭୋକେଟ୍‌ ଶ୍ରୀ ମାଧବାନନ୍ଦ ଦାସଙ୍କ ଗୃହରେ ସେ ରହୁଥିଲେ । ସେତେବେଳକୁ ସେ ବଡ଼ ଦୁର୍ବଳ ଓ ବିସ୍ମୃତିଶୀଳ ହୋଇ ପଡ଼ିଥିଲେ । ଡକ୍ଟର ସାହୁଙ୍କୁ ସେ ଚିହ୍ନି ପାରିଲେ ନାହିଁ । ମାତ୍ର ବହୁ କଷ୍ଟରେ, ବହୁ ବିଳମ୍ବରେ ମୋତେ ଚିହ୍ନି କ୍ଷୀଣ କଣ୍ଠରେ ପଚାରିଥିଲେ-‘‘ଗଡ଼ନାୟକ, ଆସିଚ, ଅନେକ ଦିନ ପରେ ! !’’ ମୁଁ ତାର କୈଫିୟତ ବାଢ଼ିଲାବେଳକୁ ସେ ହଁ ହଁ କହୁଥାନ୍ତି ।

 

ଚା’ ଜଳଖିଆ ସତ୍କାର ବେଳେ ସେ ଯାହା କହୁଥାନ୍ତି ତା’ସବୁ ଅସଂଲଗ୍ନ ପରି ବୋଧ ହେଉଥିଲା । ପ୍ରଣାମ ଜଣାଇ ବିଦାୟ ନେଲାବେଳେ ଭାବୁଥିଲି-‘‘ଏଇ ବୋଧେ ଶେଷ ଦେଖା’’ ।

 

୫ । ୧ । ୧୯୮୪ରେ ମୁଁ ପୁଣି ତାଙ୍କର ଶୁଦ୍ଧିକାର୍ଯ୍ୟରେ ଯୋଗ ଦେଲି । ଜ୍ୟେଷ୍ଠ ଜାମାତାଙ୍କ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତେଣୁ ତାଙ୍କରି ଘରେ ଶୁଦ୍ଧିକ୍ରିୟା ପାଳିତ ହେଉଥିଲା

 

କଥା ପ୍ରସଙ୍ଗରେ ଶ୍ରୀ ଦାସ ଶ୍ୱଶୁରଙ୍କର କେତେକ ଅପ୍ରକାଶିତ ପାଣ୍ଡୁଲିପି ଥିବାର କହୁଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀରେ ତାହାର କି ବ୍ୟବସ୍ଥା ହୋଇ ପାରିବ ବୋଲି ମୋତେ ପଚାରୁଥିଲେ । ମୁଁ କହିଲି, ‘‘ୟା’ପରେ ଆପଣ ଏକାଡେମୀକୁ ଜଣାନ୍ତୁ ।’’ ବହୁ ବନ୍ଧୁବାନ୍ଧବଙ୍କ ସହିତ ସେଠି ସାକ୍ଷାତ ହୋଇଥିଲା । ଶ୍ରୀ ପଟ୍ଟନାୟକଙ୍କ ସମ୍ପର୍କରେ ବହୁ କଥା ମଧ୍ୟ ଚର୍ଚ୍ଚା ହେଲା ।

 

ସୁଧାକର ପଟ୍ଟନାୟକ ଓଡ଼ିଶାର ଜଣେ ଗଳ୍ପ ଲେଖକ, ସାହିତ୍ୟିକ, ସମାଲୋଚକ ଓ ଗବେଷକ; ମାତ୍ର ଅନଗୁଳର ସେ ଥିଲେ ସେଇ କ୍ଷେତ୍ରରେ ଅଗ୍ରଦୂତ ଓ ଏକ ଉଜ୍ଜ୍ୱଳ ଗୌରବ ।

 

ବର୍ତ୍ତମାନ ଅନଗୁଳ ସବ୍‌ଡ଼ିଭିଜନର ପୁରୁଣାଗଡ଼ ପୂର୍ବରେ ଥିଲା ଅନଗୁଳ ଗଡ଼ । ଗତ ବ୍ରିଟିଶ ଶାସନରେ ରାଜଧାନୀ ହୁଲୁରୁସିଂହାକୁ ସ୍ଥାନାନ୍ତରିତ ହେବାରେ ତାହା ପୁରୁଣାଗଡ଼ ନାମରେ ଅଭିହିତ ହେଲା ।

 

ସୁଧାକର ପଟ୍ଟନାୟକ ସେଇ ପୁରୁଣାଗଡ଼ରେ ଜନ୍ମ ପରିଗ୍ରହ କରିଥିଲେ ୧୮୯୨, ଅଗଷ୍ଟ ୧୬ ତାରିଖରେ । ଶେଷ ନିଃଶ୍ୱାସ ତ୍ୟାଗ କଲେ ୧୯୮୩, ଡିସେମ୍ବର ୨୬ରେ । ତାଙ୍କର ୯୨ ବର୍ଷର ଜୀବନକାଳ ମଧ୍ୟରେ ସେ ତାଙ୍କର ସାହିତ୍ୟିକ ଓ ଐତିହାସିକ ଗବେଷଣାରେ ନିମଗ୍ନ ରହି ପାରିଥିଲେ ।

 

ତାଙ୍କର ପିତା ମାଗୁଣି ପଟ୍ଟନାୟକ ଅପର ପ୍ରାଇମେରୀ ସ୍କୁଲର ହେଡ୍‌ପଣ୍ଡିତ ଥିଲେ । ଶିକ୍ଷାଦାନରେ ତାଙ୍କର ଅତୁଳନୀୟ ଦକ୍ଷତା ଥିଲା । ତେଣୁ ସେ ତାଙ୍କର ତିନିପୁତ୍ର ଦିବାକର, ସୁଧାକର ଓ ବିଶ୍ୱେଶ୍ୱରଙ୍କ ଶିକ୍ଷାର ମୂଳଦୁଆ ଭଲଭାବରେ ଗଢ଼ି ପାରିଥିଲେ । ଭବିଷ୍ୟତରେ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ବି. ଏ. ଓ ସର୍ବକନିଷ୍ଠ ଏମ୍‌. ଏ. ବି. ଏଲ. ପରେ ଆଇ. ଏ. ଏସ୍‌. ହୋଇ ପାରିଥିଲେ । ସେତେବେଳେ ଅନଗୁଳରେ କାହିଁକି ଓଡ଼ିଶାରେ ଗୋଟିଏ ଘରୁ ତିନୋଟି ଭାଇ ଏପରି ଯୋଗ୍ୟ ହୋଇ ବାହାରିବା ଦୁର୍ଲଭ ବ୍ୟାପାର । ତେଣୁ ସୁଧାକର ପଟ୍ଟନାୟକ ତାଙ୍କର ‘‘ଏପ୍ରିଲ ଫୁଲ’’ ଗଳ୍ପରେ ସେଇକଥା ପ୍ରକାରାନ୍ତରେ କହି ଆତ୍ମପ୍ରସାଦ ଅନୁଭବ କରିଥିଲେ ।

 

ମି. ଇ. ଓ ହାଇସ୍କୁଲର ଛାତ୍ରଜୀବନରୁ ସୁଧାକର କିଛି କିଛି କବିତା ଓ ଗଳ୍ପ ଲେଖି ଶିକ୍ଷକମାନଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ସେ କବିତାରୁ କିଛି ମାତ୍ର ଲୋକଲୋଚନକୁ ଆସି ପାରିନାହିଁ । ମାତ୍ର କଲେଜ ଜୀବନର ଦିଓଟି ଗଳ୍ପ ପ୍ରକାଶିତ ହୋଇଚି;-ଗୋଟିଏ ‘ପ୍ରଣୟ ସ୍ମୃତି’-‘ମୁକୁର’ରେ ଓ ଅନ୍ୟଟି, ‘ଏପ୍ରିଲ୍‌ ଫୁଲ୍‌’-‘ଉତ୍କଳ ସାହିତ୍ୟ’ରେ ।

 

ସାନଭାଇ ବିଶ୍ୱେଶ୍ୱରଙ୍କ ଉଚ୍ଚଶିକ୍ଷା ପାଇଁ ତାଙ୍କୁ ଏଫ୍‌. ଏ. ପାଶ୍‌କଲା ପରେ ଚାକିରି କରିବାକୁ ହୋଇଥିଲା, ତାଳଚେର ହାଇସ୍କୁଲରେ । ଶିକ୍ଷକତା କଲାବେଳେ ବ୍ରାହ୍ମଣୀ ନଦୀ କୂଳରେ ପଶ୍ଚିମେଶ୍ୱର ଶିବମନ୍ଦିର ଓ ତା’ର ଅପର ପାର୍ଶ୍ୱରେ ଢେଙ୍କାନାଳରେ ସରାଙ୍ଗ ଗ୍ରାମର ସେଇ ବ୍ରାହ୍ମଣୀ ନଦୀ ଶଯ୍ୟାରେ ପ୍ରକାଣ୍ଡ ଅନନ୍ତ ଶୟନ ମୂର୍ତ୍ତି ଦେଖିବାର ସୁଯୋଗ ପାଇଥିଲେ । ସେ ସମ୍ପର୍କରେ ସନ୍ଦର୍ଭ ଲେଖି ସେ ପ୍ରକାଶ କରାଇଥିଲେ । ପରେ ପରେ ସେ ଐତିହାସିକ ଗବେଷଣାରେ ମନୋନିବେଶ କଲେ ।

 

ଅନଗୁଳର ମାଣପୁର ଗ୍ରାମରୁ ଶ୍ରୀ ପଟ୍ଟନାୟକ ଖଣ୍ଡିଏ ସଂସ୍କୃତ ପାଣ୍ଡୁଲିପି ପାଇ ତା’ ଉପରେ ଗବେଷଣା କରିଥିଲେ–ତାହା ଏକ ଚିକିତ୍ସା ଶାସ୍ତ୍ର-ନାମ, ‘ରସଚନ୍ଦ୍ରିକା’ । ତାହା ରଚିତ ହୋଇଥିଲା–

 

ଯେନାନୁକୂଳ ଭୁବି ବତ୍ସସ ପରା-

ବାରେନ୍ଦୁନା ସପଦି ଲୋଚନ ପକ୍ଷଦର୍ଷେ

ନୀଳାମ୍ବଚରଣ କବିରତ୍ନପୁରୋହିତେନ-

 

କବିରତ୍ନ ନୀଳାମ୍ବର ପୁରୋହିତଙ୍କଦ୍ୱାରା । ସେ ସମ୍ବନ୍ଧରେ ସେ ପ୍ରବନ୍ଧ ଲେଖିଥିଲେ ମୁକୁରରେ ।

 

୧୯୧୯ରେ ବି. ଏ. ପାଶ୍‌କରି ସେ ସବ୍‌ଡେପୁଟି କଲେକ୍ଟର ଭାବରେ ଓଡ଼ିଶା ସରକାରରେ ନିଯୁକ୍ତି ଲାଭ କଲେ । ସରକାରୀ କାର୍ଯ୍ୟ କଲାବେଳେ ବଲାଙ୍ଗିରର ନୃସିଂହନାଥ ମନ୍ଦିର ଶିଳାଲିପି ଓ ପୁରୀଜିଲାସ୍ଥ ନିଆଳିର ଶୋଭନେଶ୍ୱର ମନ୍ଦିର ଶିଳାଲିପି ପାଠୋଦ୍ଧାର କରି ତତ୍‌ସମ୍ପର୍କରେ ସେ Bihar & Orissa Reasearch Journalରେ ସନ୍ଦର୍ଭ ପ୍ରକାଶ କରାଇଥିଲେ ।

 

ତାଙ୍କର ଅନ୍ୟାନ୍ୟ ପ୍ରକାଶନରେ ତାଙ୍କର କୃତିତ୍ୱ ଉଲ୍ଲେଖନୀୟ ।

 

୧୯୫୫ରେ ଶ୍ରୀ ପଟ୍ଟନାୟକ ବୁଢ଼ାପଙ୍କ ଯୁଦ୍ଧପୋଥିର ସମ୍ପାଦନା କରିଥିଲେ । ତାହା ଅନଗୁଳର କବିଚନ୍ଦ୍ର ନୃସିଂହ ରାୟଗରୁଙ୍କଦ୍ୱାରା ପ୍ରଣୀତ । ମାତ୍ର ସେ ବୁଢ଼ାପଙ୍କ ଯୁଦ୍ଧପୋଥି ପରିବର୍ତ୍ତରେ ତାର ନାମ ରଖିଯାଇଛନ୍ତି–‘‘ରାଜା ସୋମନାଥ ସିଂହ ଜଗଦ୍ଦେବ’ । ସେଇ ବୁଢ଼ାପଙ୍କ ଯୁଦ୍ଧପୋଥିର ଏକ ନକଲ ମୁଁ କବିଙ୍କ ଉତ୍ତରାଧିକାରୀ ଶ୍ରୀ ମଦନମୋହନ ମିଶ୍ରଙ୍କଠାରୁ ହାସଲ କରିଥିଲି । ଶ୍ରୀ ପଟ୍ଟନାୟକ ତାହା ସମ୍ପାଦନ କରିବା ସମୟରେ ମୁଁ ତାହା ତାଙ୍କୁ ଦେଇଥିଲି । ତାହା ସେ ପୋଥିର ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି ।

 

‘‘ରାଜା ସୋମନାଥ ସିଂହ ଜଗଦ୍ଦେବ’’ ପୁସ୍ତକର ୧୬୦ ପୃଷ୍ଠାର ସୁଦୀର୍ଘ ମୁଖବନ୍ଧ ଓ ପରିଶିଷ୍ଟରେ ଅନଗୁଳ ସମ୍ବନ୍ଧରେ ସେ ବହୁଦିଗରୁ ଆଲୋକପାତ କରିଛନ୍ତି । ତହିଁରୁ ତାଙ୍କର ଐତିହାସିକ ଗବେଷଣାରେ ଓ ସାହିତ୍ୟରେ ସୂକ୍ଷ୍ମତାବୋଧ ବେଶ୍‌ହୃଦୟଙ୍ଗମ କରିହୁଏ ।

 

‘‘ଚକଡ଼ା ପୋଥି ଓ ଚକଡ଼ା ବସାଣ ଓ ଚୟନୀ ଚକଡ଼ା’’ ଶକରୀ ପଟ୍ଟନାୟକ ୧୯୫୯ରେ ସମ୍ପାଦନ କରିଥିଲେ । ମୟୁରଭଞ୍ଜରୁ ପ୍ରକାଶିତ ‘ଉତ୍କଳ ସଭା’ ମାସିକ ପତ୍ରର ଚାରୋଟି ସଂଖ୍ୟାରେ ତାହା ପ୍ରଥମେ ବାହାରିଥିଲା ଏବଂ ଚତୁର୍ଥ ସଂଖ୍ୟାର ପ୍ରକାଶିତ ଅଂଶରେ କ୍ରମଶଃ ବୋଲି ଲେଖା ଥିଲା । ପ୍ରକାଶିତ ଅଂଶରେ ରାଜତ୍ୱ ହିସାବରେ ସୂର୍ଯ୍ୟବଂଶୀ ପ୍ରତାପରୁଦ୍ର ଦେବଙ୍କଠାରୁ ଦ୍ୱିତୀୟ ଭୋଇବଂଶୀ ଦିବ୍ୟସିଂହ ଦେବଙ୍କ ରାଜତ୍ୱର କିଛି କିଛି ବିବରଣୀ ମିଳେ । ମାତ୍ର ବାକି ଅଂଶ ଆଉ କୌଣସି ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ନ ଥିଲା ।

 

‘ଉତ୍କଳପ୍ରଭା’ ପ୍ରଥମ ଭାଗ ୧୨ଶ ସଂଖ୍ୟାର ଚକଡ଼ା ପୋଥି ପ୍ରକାଶ କଲାବେଳେ ଲେଖକ ଗୋବିନ୍ଦଚନ୍ଦ୍ର ମହାପାତ୍ର ଆରମ୍ଭରେ ମନ୍ତବ୍ୟ ଦେଇଥିଲେ–‘‘ଖୋରଧା କୁରାଢ଼ମଲ୍ଲ ନିବାସୀ ଓଡ଼ିଶା ମହାରାଜାଙ୍କ ଦେୱାନ ଶ୍ରୀକୃଷ୍ଣଚନ୍ଦ୍ର ଭ୍ରମରବର ରାୟଙ୍କ ଗୃହରେ ଥିବା ମାଦଳାପାଞ୍ଜି ସମାନ ଗ୍ରନ୍ଥରୁ ଉଦ୍ଧୃତ ।’’

 

ତେଣୁ ଶ୍ରୀ ପଟ୍ଟନାୟକ ବାକି ଅଂଶ ପାଇଁ ପ୍ରଥମେ ମୟୁରଭଞ୍ଜର ମହାପାତ୍ରଙ୍କ ଗୃହରେ, ଉତ୍କଳ ପ୍ରଭାର ସମ୍ପାଦକ ଶ୍ରୀ ରାଜେଶ୍ୱର ମହାପାତ୍ରଙ୍କ ଗୃହରେ, ଖୋରଧାର କୁରାଢ଼ମଲ୍ଲ ଗ୍ରାମରେ ଶ୍ରୀକୃଷ୍ଣଚନ୍ଦ୍ରଙ୍କ ଉତ୍ତରାଧିକାରୀ ନୃସିଂହ ଭ୍ରମରବର ରାୟଙ୍କ ଘରେ ଓ ଅନ୍ୟ କେତେକ ସ୍ଥାନରେ ଅନୁସନ୍ଧାନ କରି ବିଫଳ ମନୋରଥ ହେଲେ । ତେଣୁ ‘ଉତ୍କଳ ପ୍ରଭା’ରେ ଯେଉଁ ଅଂଶ ବାହାରିଥଲା, ତାହାହିଁ ସେ ସମ୍ପାଦନା କରି ଯାଇଛନ୍ତି । ତାଙ୍କର ଗଭୀର ଅନୁସନ୍ଧିତ୍ସା ଲକ୍ଷ୍ୟ କରିବାର କଥା ।

 

ବାଣପୁରରେ ତହସିଲଦାର ଥିଲାବେଳେ ସେ ଖୋରଧାର ବହୁ ସ୍ଥାନର ଐତିହାସିକ ବିବରଣୀ ସଂଗ୍ରହ କରିଥିଲେ । ଖୋରଧା ପାଇକ ମେଳିର ଇତିହାସ ‘ସମାଜ’ର ଏକ ଗୋପବନ୍ଧୁ ସଂଖ୍ୟାରେ ସେ ଦେଶ ଆଗରେ ଉପସ୍ଥାପିତ କରି ପାରିଥିଲେ ।

 

ଢେଙ୍କାନାଳର ସମର କବି ବ୍ରଜନାଥଙ୍କ ଅବଦାନ ପ୍ରତି ଆକୃଷ୍ଟ ହୋଇ ପ୍ରଥମେ ‘ସମର ତରଙ୍ଗ’ ଓ ‘ଚତୁର ବିନୋଦ’ ଏବଂ ପରେ ବ୍ରଜନାଥ ଗ୍ରନ୍ଥାବଳୀ ସମ୍ପାଦନା କରିଥିଲେ ।

 

ବ୍ରଜନାଥଙ୍କର ଏକ ରୀତିକାବ୍ୟ-‘ଅମ୍ବିକା ବିଳାସ ।’ ଅମ୍ବିକା ବିଳାସ କାହାର ? କେନ୍ଦୁଝର ରାଜାଙ୍କର ନା ବ୍ରଜନାଥଙ୍କର, ସେ ସମ୍ପର୍କରେ ସାହିତ୍ୟରେ ଯେଉଁ ସଂଘର୍ଷ ଚାଲିଥିଲା, ଶ୍ରୀ ପଟ୍ଟନାୟକ ସେଇ ଗ୍ରନ୍ଥରୁ ଅକାଟ୍ୟ ପ୍ରମାଣ ଦେଇ ତାହା ବ୍ରଜନାଥଙ୍କର ରଚନା ବୋଲି ‘ସହକାର’ ମାସିକ ପତ୍ରିକାରେ ଏକ ବଳିଷ୍ଠ ପ୍ରବନ୍ଧ ଲେଖି ଯାଇଥିଲେ ।

 

ସୁଧାକର ପଟ୍ଟନାୟକଙ୍କର ‘‘ବ୍ରଜନାଥ ଗ୍ରନ୍ଥାବଳୀ’’ ଆମର ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ହୋଇଥିଲା । ତାଙ୍କର ଆଉ ଯେଉଁ ଅପ୍ରକାଶିତ ପାଣ୍ଡୁଲିପି ରହିଚି ତା’ର ପ୍ରକାଶନ ଦାୟିତ୍ୱ ବର୍ତ୍ତମାନ ସାହିତ୍ୟ ଏକାଡେମୀ ନେଇ ପାରିଲେ, ଲେଖକଙ୍କର ସମଗ୍ର ଓ ସମ୍ପୂର୍ଣ୍ଣ ଅବଦାନ ଦେଶ ପ୍ରାଣରେ ଉପଲବ୍‌ଧ ହୋଇ ପାରିବ ।

 

ସ୍ୱର୍ଗତ ଆତ୍ମା ଆମକୁ ଆଶୀର୍ବାଦ କରନ୍ତୁ । ଆମେମାନେ ତାଙ୍କର ଶୋକ ସନ୍ତପ୍ତ ପରିବାର ଓ ଆତ୍ମୀୟ ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଚୁ !

 

 

ରାଧାମୋହନ ଗଡ଼ନାୟକ

ସମ୍ପାଦକ, କୋଣାର୍କ

 

***